Unknown

 

 

 

 

 

 

 

 

 

 

୫୮ତମ ସଂଖ୍ୟା କୋଣାର୍କ ୧୯୮୬

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସୂଚ଼ୀପତ୍ର

୧.

ଆଜୀବକର ଅଟ୍ଟହାସ.

ଶ୍ରୀ ସୁରେନ୍ଦ୍ର ମହାନ୍ତି

ଭାରତୀୟ ପୃଷ୍ଠଭୂମିରେ କବି ଓମର ଓ ଫିଜ୍‌ ରାଲ୍‌ଡ଼

ଶ୍ରୀ ଗୋପୀନାଥ ମିଶ୍ର

ପହରିଆ ସଂସ୍କୃତି, ଭାଷା ଓ ସାହିତ୍ୟ

ଶ୍ରୀ ମହେନ୍ଦ୍ର କୁମାର ମିଶ୍ର

‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’

ଏକ ଆଲୋଚନା

ଶ୍ରୀ ରାଧାମୋହନ ଗଡ଼ନାୟକ

ସାଂପ୍ରତିକ ଓଡ଼ିଆ ନିବନ୍ଧ ସାହିତ୍ୟର ଆଭିମୁଖ୍ୟ

ଡକ୍ଟର ଭାବଗ୍ରାହୀ ମିଶ୍ର

ଲେଖିଲାବେଳେ ଭୁଲ୍‌ ?

ଶ୍ରୀ ସଚ୍ଚ ଦାନନ୍ଦ ମିଶ୍ର

ସମାଲୋଚନାର ଭୂମିକା

ଡଃ ହେମନ୍ତ କୁମାର ଦାସ

ତେଲୁଗୁ ସାହିତ୍ୟର ଆଭିମୁଖ୍ୟ ଏକ

ବିହଙ୍ଗ ଦୃଷ୍ଟିପାତ

ଡଃ ଡ଼ି. ଅଞ୍ଜାନେୟୁଲୂ

୯.

କବିତାର ବିଭାବ: ପ୍ରତୀକ

ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି

୧୦.

ବାଗ୍‌ବିଶେଷ

ଶ୍ରୀ ସୁରେନ୍ଦ୍ର ମହାନ୍ତି

୧୧.

ଏକାଡ଼େମୀ ସମାଚାର

 

୧୨.

ସମ୍ପାଦକୀୟ

 

 

ଆଜୀବକର ଅଟ୍ଟହାସ

(ଖ୍ରୀ: ପୂ: ୩ୟ ଶତାବ୍ଦୀରେ ବୌଦ୍ଧ ସଂଘରେ ପ୍ରଥମ ବିଭାଜନର ପୃଷ୍ଠଭୂମିରେ ଲିଖିତ)

ଶ୍ରୀ ସୁରେନ୍ଦ୍ର ମହାନ୍ତି

ଭିକ୍ଷୁ ଉପନନ୍ଦ ଆଉ ଭିକ୍ଷୁଣୀ କ୍ଷେମା, ବୈଶାଳୀର ଘୋର ଶାଳ ଅରଣ୍ୟ ମଧ୍ୟରେ କେଉଁ ଲକ୍ଷ୍ୟରେ, କେଉଁ ପଥରେ ଚାଲିଥିଲେ, ତାହା ଠିକ୍‌ ଜାଣିନଥିଲେ ସେମାନେ । ସେମାନଙ୍କର ଲକ୍ଷ୍ୟ ଥିଲା ନିରୁଦ୍ଦିଷ୍ଟ । ସେଥିପାଇଁ ଯାତ୍ରା ଥିଲା ଉତ୍ପୀଡ଼କ ଓ ବିରାମହୀନ ! ଶାଳ-ଅରଣ୍ୟରେ ସେମାନେ ଦୁଇଟି ଶୁଖିଲା ଝରାପତ୍ର ପରି ଉଡ଼ି ଚାଲିଥିଲେ, ପାଦ ଯେଉଁଆଡ଼େ ଟାଣୁଥିଲା ସେଇଆଡ଼େ । ଦୁହେଁ ନିଜ ନିଜ ଭାବନାରେ ନିମଜ୍ଜିତ ।

କାଲି ରାତିଟା ତ କୌଣସି ପ୍ରକାରେ କଟି ଯାଇଥିଲା, ସେହି ପାଗଳ ଆଜୀବକ ସନ୍ନ୍ୟାସୀର ପତ୍ର-କୁଟୀରରେ ! ଆଜି ରାତ୍ରୀଟା କେଉଁଠି ସେମାନେ ପାଇବେ ଆଶ୍ରୟ ? ବେଳେ ବେଳେ ତାହା ଚିନ୍ତା କଲାବେଳେ ସେମାନେ ଅନିଶ୍ଚିତତାର ଆଶଙ୍କାରେ ହଠାତ୍‌ ଏଇ ଅନିର୍ଦ୍ଦିଷ୍ଟ ଯାତ୍ରାର କ୍ଳାନ୍ତି ଅନୁଭବ କରୁଥିଲେ । ସେମାନଙ୍କର ପଛେ ପଛେ ଛୁଟି ଚାଲିଥିଲା ଯେପରି ସେହି ଉନ୍ମତ୍ତ ଆଜୀବକର ଅଟ୍ଟହାସର ଲହରୀ ! ତାହାର ଉନ୍ମତ୍ତତା ତଥାପି ସେମାନଙ୍କ କାନରେ ନୀରବ ହୋଇ ନ ଥିଲା !

ଆଜୀବକ ସନ୍ନ୍ୟାସୀ ତ କହିଲେ, ତାଙ୍କର ଏ ଅଟ୍ଟହାସ ଉଦ୍ଦିଷ୍ଟ ଥିଲା ଗୌତମ ବୁଦ୍ଧଙ୍କ ପ୍ରତି । କିନ୍ତୁ, ଉପନନ୍ଦ ଓ କ୍ଷେମାଙ୍କର ମନେ ମନେ ସନ୍ଦେହ ଥିଲା, ସେ ଅଟ୍ଟହାସ ସେମାନଙ୍କ ସ୍ଖଳନ ଓ ଲାଞ୍ଛନା ପ୍ରତି ଉଦ୍ଦିଷ୍ଟ ନଥିଲା ତ !

କ୍ଷେମା କ୍ଳାନ୍ତ କଣ୍ଠରେ ପଚାରିଲା, ‘ଆଉ କେତେ ଦୂର ? କୁଆଡ଼େ ?’

 

ଉପନନ୍ଦ ଉତ୍ତର ଦେଲା, ‘‘ମୁଁ ବା କ’ଣ ଜାଣିଛି, ମୁକ୍ତିର ପଥ ସବୁଦିନେ ଏହିପରି ଦୁର୍ଗମ-!’’

 

ସେମାନଙ୍କର ମନେ ପଡ଼ୁଥିଲା, ସେଦିନ ବୈଶାଳୀ ବିହାରରେ ପତିମୋଖ୍‌ଖ * ଦିବସର କଥା.......

 

ବୈଶାଳୀ ଉପକଣ୍ଠର ସଂଘାରାମରେ ସେଦିନ ଥିଲା ପତିମୋଖ୍‌ଖ ଦିବସ । ପ୍ରତିମାସ ପ୍ରତିପଦା ତିଥିରେ ବୌଦ୍ଧ ସଂଘାରାମମାନଙ୍କରେ ଶୀଳ ଓ ଶୃଙ୍ଖଳତା ରକ୍ଷା ବିଧିରେ, ପତିମୋଖ୍‌ଖ ପାଳିତ ହୋଇଥାଏ । ଏହିଦିନ ସଂଘାରାମର ଅନ୍ତୋବାସୀ ଭିକ୍ଷୁ ଓ ଭିକ୍ଷୁଣୀମାନେ, ସଂଘାରାମର ଆଚାର୍ଯ୍ୟଙ୍କ ଆଗରେ ସେମାନଙ୍କର ସବୁ ତ୍ରୁଟି- ବିଚ୍ୟୁତି ଓ ସ୍ଖଳନର ଆକୁଣ୍ଠ ଭାବରେ ସ୍ୱୀକାର କରିଥାନ୍ତି । ଏହି ଅକପଟ ସ୍ୱୀକୃତି ମଧ୍ୟରେ ସେମାନଙ୍କର ସବୁ ପାପ ଓ ସ୍ଖଳନର ପ୍ରାୟଶ୍ଚିତ୍ତ ବିଧାନ ହୋଇଥାଏ । କେବଳ ସ୍ଖଳନ ଯେଉଁଠାରେ ଅମାର୍ଜନୀୟ ସେଠାରେ ଭିକ୍ଷୁ ବା ଭିକ୍ଷୁଣୀଙ୍କୁ ସଂଘରୁ ବହିଷ୍କାର କରାଯାଇଥାଏ । ମନୁଷ୍ୟ ନିଜେ ନିଜର ଉଦ୍ଧାରକ ଓ ତ୍ରାଣକର୍ତ୍ତା; ଏହି ମୌଳିକ ଧାରଣା ଉପରେ ପର୍ଯ୍ୟବସିତ ହୋଇଥିଲା ପ୍ରତିମୋକ୍ଷ ବିଧାନ ! ବୁଦ୍ଧଙ୍କ ଭାଷାରେ ଏହାକୁ କୁହାଯାଉଥିଲା ପ୍ରତ୍ୟଗ୍‌ବୁଦ୍ଧଯାନ । ଅର୍ଥାତ୍‌ ପ୍ରତ୍ୟେକ ମନୁଷ୍ୟ ନିଜର ସାଧନାରେ ହୋଇପାରେ ଜଣେ ବୁଦ୍ଧ ! ସେଥିପାଇଁ ଅବତାର ପୁରୁଷର ପ୍ରୟୋଜନ ନାହିଁ !

 

ସେଦିନ ଫାଲ୍‌ଗୁନର ସ୍ୱର୍ଣ୍ଣାଭ ଗୋଧୂଳି ଆଉ ଟିକିକକୁ ମଳିନ ହୋଇଯିବ । ସଂଘାରାମର ସବୁ ଭିକ୍ଷୁ ଓ ଭିକ୍ଷୁଣୀ ଜଣକ ପରେ ଜଣେ ଆସି ଆଚାର୍ଯ୍ୟ କାଶ୍ୟପଙ୍କ ନିକଟରେ ନିଜ ନିଜର ସବୁ ତ୍ରୁଟି ଓ ବିଚ୍ୟୁତି ଅକୁଣ୍ଠିତ ଚିତ୍ତରେ ସ୍ୱୀକାର କରି ପ୍ରାୟଶ୍ଚିତ୍ତ କରିଗଲେଣି । କିଏ ବା ମଧ୍ୟାହ୍ନରେ ସୂର୍ଯ୍ୟଙ୍କର ଛାୟା କେଇ ଆଙ୍ଗୁଳି ଘୁଞ୍ଚିଯିବା ପରେ ସୁଦ୍ଧା ଭିକ୍ଷାନ୍ନ ଭୋଜନ କରିଥିଲେ । ଦଶଶୀଳ ଅନୁସାରେ ଭିକ୍ଷୁମାନଙ୍କ ପକ୍ଷରେ ଏହା ନିଷିଦ୍ଧ ! ଗୃହସ୍ଥମାନେ ଭିକ୍ଷୁମାନଙ୍କୁ ଭୋଜନ ଦେବା ବେଳେ ଲବଣ ଦେଇନଥାନ୍ତି । ଲବଣ ଭକ୍ଷଣ ସୁଦ୍ଧା ଭିକ୍ଷୁମାନଙ୍କ ପକ୍ଷରେ ନିଷିଦ୍ଧ । ଲବଣ ମିଶ୍ରିତ ବ୍ୟଞ୍ଜନ କାଳେ ଖାଦ୍ୟ ପ୍ରତି ଲୋଭ ଓ ଆସକ୍ତି ଜନ୍ମାଇଥାଏ । ସେଥିପାଇଁ ଦଶଶୀଳ ଅନୁସାରେ ଲବଣାକ୍ତ-ବ୍ୟଞ୍ଜନ ଭକ୍ଷଣ କରିବା, ଭିକ୍ଷୁମାନଙ୍କ ପକ୍ଷରେ ବର୍ଜ୍ଜନୀୟ । କିନ୍ତୁ କେହି ଅନ୍ତେବାସୀ ଭିକ୍ଷୁ ଇତିମଧ୍ୟରେ ଦିନେ ସଙ୍ଗରେ ଯେଉଁ ଲବଣ ଟିକକ ଚୀବର ମଧ୍ୟରେ ଲୁଚାଇ ନେଇଥିଲେ ତାହାକୁ ବ୍ୟଞ୍ଜନରେ ମିଶାଇ ଆକଣ୍ଠ ଭକ୍ଷଣ କରିଥିଲେ ଇତ୍ୟାଦି । ଏହିପରି ସବୁ ସ୍ଖଳନ ଓ ତ୍ରୁଟିବିଚ୍ୟୁତିର କଥା ଶୁଣି ଶୁଣି ଆଚାର୍ଯ୍ୟ କାଶ୍ୟପ କ୍ଳାନ୍ତ ହୋଇ ଉଠିଥିଲେ । ସଂଘ ଓ ଧର୍ମ କ୍ରମେ ଅଧଃପତନ ଆଡ଼େ ଧୀରେ ଧୀରେ ଆଗେଇ ଚାଲିଛି ବୋଲି କାଶ୍ୟପ ମନେ ମନେ ଆଶଙ୍କିତ ହୋଇ ଉଠୁଥିଲେ । କିନ୍ତୁ ଯାହାଙ୍କ ପାଇଁ ଆଚାର୍ଯ୍ୟ କାଶ୍ୟପ ଏ ପର୍ଯ୍ୟନ୍ତ ଅପେକ୍ଷା କରି ବସିଛନ୍ତି, ସେମାନେ କାହାନ୍ତି ? ସେମାନେ ତଥାପି ତ ଏ ପର୍ଯ୍ୟନ୍ତ ଆସିଲେ ନାହିଁ ।

 

*

ସଂସ୍କୃତରେ ‘ପ୍ରତିମୋକ୍ଷ’ । ପରସ୍ପରର ସ୍ଖଳନକୁ ସର୍ବ ସମକ୍ଷରେ ସ୍ୱୀକାର କରି ସେଥିପାଇଁ ଅନୁତାପ କରିବା ବୌଦ୍ଧ ସଂଘର ଏକ ବିଧି ଥିଲା । ଏହା ମାସକୁ ଥରେ ପାଳିତ ହେଉଥିଲା । ଏହାକୁ ‘ପତିମୋଖ୍‌ଖ’ ‘ଉପଶୋଥ’ ବୋଲି କୁହାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ମନୁଷ୍ୟର ପ୍ରବୃତ୍ତିଗତ ସହଜାତ ନାନାବିଧ ସ୍ଖଳନରୁ ସଂଘାରାମର ଅନ୍ତେବାସୀ, ଅନ୍ତେବାସିନୀଙ୍କୁ ରକ୍ଷା କରି ‘ନିବ୍‌ବାଣ’ ଦିଗକୁ ଅଗ୍ରସର କରାଇନେବା ।

 

ଦିନସାରା ଉପବାସ ପରେ ଆଚାର୍ଯ୍ୟ କାଶ୍ୟପ ଭାରୀ କ୍ଳାନ୍ତ ଅନୁଭବ କରୁଥିଲେ । ତାଙ୍କର ଲଣ୍ଡିତ ମସ୍ତକ, ବଳି-ରେଖାଙ୍କିତ କପାଳ, ଭ୍ରୂଲତା ତଳେ କୋଟରଗତ ଆଖି, କରୋଟି ପରି ଗ୍ରନ୍ଥିତ ମୁହଁ ଓ ଶୀର୍ଣ୍ଣ ଦେହ ଉପରେ ବାର୍ଦ୍ଧକ୍ୟ କ୍ରମେ ଆସନ୍ନ ସଂଧ୍ୟା ପରି ନଇଁ ଆସିଥିଲା । ଦିନସାରା ଉପବାସ ପରେ ସେ ଖୋଜୁଥିଲେ ବିଶ୍ରାମ । କିନ୍ତୁ ଭିକ୍ଷୁଣୀ କ୍ଷେମା ଓ ଭିକ୍ଷୁ ଉପନନ୍ଦ ତଥାପି ସେ ପର୍ଯ୍ୟନ୍ତ ସେଠାକୁ ଆସି ନଥିଲେ ପ୍ରତିମୋକ୍ଷ ପାଇଁ ! ଅବଶ୍ୟ, ପ୍ରତିମୋକ୍ଷ ପାଇଁ ଯେଉଁ ଅନ୍ତେବାସୀମାନଙ୍କର କୌଣସି ତ୍ରୁଟି ବା ସ୍ଖଳନ ସ୍ୱୀକାର କରିବା ପାଇଁ ନଥାଏ, ସେମାନେ ଅବଶ୍ୟ ପ୍ରତିମୋକ୍ଷ ପାଇଁ ଆସି ନଥାନ୍ତି । ସେମାନଙ୍କର ଆସିବା ନିଷ୍‌ପ୍ରୟୋଜନ । ମାତ୍ର କ୍ଷେମା ଓ ଉପନନ୍ଦଙ୍କୁ ଘେନି ସଂଘାରାମରେ ବହୁ ଟୀକା ଟିପ୍‌ପଣୀ ଓ ନିଭୃତ ଆଲୋଚନା ସଂଘାରାମର ନିବୁଜ ସୀମାକୁ ଅତିକ୍ରମ କରି କ୍ରମେ ଲୋକାଳୟରେ ସୁଦ୍ଧା ପ୍ରସରି ଗଲାଣି । ଗତଥର କେତେମାସ ତଳେ ଥରେ ପ୍ରତିମୋକ୍ଷ ତିଥିରେ ଭିକ୍ଷୁ ଉପନନ୍ଦ ଅବଶ୍ୟ ସ୍ୱୀକାର କରିଥିଲା, ‘‘ଭଗବନ୍‌ ! ମୋର ଚିତ୍ତ ଏକ ଅସଂଯତ ମୁହୂର୍ତ୍ତରେ, ଭିକ୍ଷୁଣୀ କ୍ଷେମା ପ୍ରତି କିପରି ଆକୃଷ୍ଟ ହୋଇପଡ଼ିଛି । ଧ୍ୟାନାସନରେ ବସିବାବେଳେ ଏବେ ମୋର ଏକାଗ୍ରତା ଆଉ ରହୁନାହିଁ । ଶୂନ୍ୟ ଲୋକର ପୁଷ୍ଠଭୂମିରେ ବାରମ୍ବାର ଭାସି ଉଠୁଛି କ୍ଷେମାର ମୁହଁ, ଆଉ ଶାଳ ମଞ୍ଜରୀ ପରି ତାର ଦୁଇ ଓଠ !’’

 

ଆଚାର୍ଯ୍ୟ କାଶ୍ୟପ ବିଧାନ ଦେଇଥିଲେ, ‘‘ଏଣିକି କ୍ଷେମାର ସାନ୍ନିଧ୍ୟ ତୁମେ ବିଷଧର ସର୍ପ ପରି ପରିହାର କରିବ । ଦୈବାତ୍‌ ସେ ତୁମ ଆଖି ଆଗକୁ ଆସିଗଲେ ତୁମେ ଦୁଇ ଆଖି ମୁଦ୍ରିତ କରିଦେବ । ତଥାଗତ କହିଛନ୍ତି ନାରୀ ମୋକ୍ଷ ପଥରେ ପ୍ରତିବନ୍ଧକ । ଇଏ ମାରର ଛଳନା ।’’

 

କ୍ଷେମା ମଧ୍ୟ ସେଦିନ ଭୀରୁ କଣ୍ଠରେ ସ୍ୱୀକାର କରିଯାଇଥିଲା ତା’ର ସ୍ଖଳନ ।

 

ସେଦିନ ଶାଳବନ ପଥରେ ଭିକ୍ଷାନ୍ନ ପାଇଁ କ୍ଷେମା ବାହାରିଥିବାବେଳେ, ଆକସ୍ମିତ ଭାବରେ ସାକ୍ଷାତ ହୋଇଥିଲା ଭିକ୍ଷୁ ଉପନନ୍ଦ ସହିତ । ଶାଳ ବୀଥିକାର ଛାୟାଛନ୍ନ ପଥରେ ଉପନନ୍ଦ ସହିତ ଯିବାବେଳେ ବେଳେବେଳେ ତାହାର ଉଷ୍ଣ ନିଶ୍ୱାସରେ ମୋର କପୋଳ ଯେପରି ଦଗ୍‌ଧ ହୋଇ ଯାଉଥିଲା । ସେଥିରେ ଥିଲା ଏକ ତୀବ୍ର ସ୍ପର୍ଶାତୁରତା ! ମୁଁ ପଛରେ ଅଟକି ରହିଗଲି-। ଉପନନ୍ଦ କିନ୍ତୁ ମୋତେ କହିଲା, ‘‘ଶାଳବନର ଏହି ନିଃସଂଗତା କିନ୍ତୁ ଭାରୀ ଉତ୍‌ପୀଡ଼କ-! ଏକା ସଙ୍ଗରେ ଯିବାରେ ଧର୍ମର କି ବା ଗ୍ଳାନି ହୋଇଯିବ କ୍ଷେମା ?’’ ତା’ପରେ ରୁଦ୍ଧ ଶୋକାଚ୍ଛ୍ୱାସ ସମ୍ଭରଣ କରି କ୍ଷେମା କହିଲା, ‘‘ସେଦିନର ସେହି କ୍ଷୁଦ୍ର, ଦୁର୍ବଳତାକୁ ମାର୍ଜନା କରନ୍ତୁ ଭଗବାନ !’’

 

ଉଷ୍ଣ କଣ୍ଠରେ ଆଚାର୍ଯ୍ୟ କାଶ୍ୟପ ଚିତ୍କାର କରି ଉଠିଥିଲେ, ‘‘ଏ ଦୁର୍ବଳତା କ୍ଷୁଦ୍ର ନୁହେଁ ଭିକ୍ଷୁଣୀ କ୍ଷେମା ! ଠିକ୍‌ ଏହିପରି ଆଶଙ୍କା କରି ତଥାଗତ ବୁଦ୍ଧ ଦିନେ ସଂଘ ଭିତରକୁ ନାରୀମାନଙ୍କର ପ୍ରବେଶ ନିଷିଦ୍ଧ କରିଥିଲେ । ସବୁ ସ୍ଖଳନ, ସବୁ ଅଧଃପତନ ମୂଳରେ ରହିଛି ଇନ୍ଦ୍ରିୟାନୁଗ ଏହି ଦୁର୍ବଳତା । କୂର୍ମ ଯେପରି ବାହ୍ୟ ସ୍ପର୍ଶରେ ନିଜକୁ ସଂକୁଚିତ କରିନିଏ, ତୁମକୁ ସେହିପରି ଇନ୍ଦ୍ରିୟର ଉତ୍ତେଜନାରୁ ନିଜକୁ ସଂକୁଚିତ କରି ନେବାକୁ ପଡ଼ିବ । ଇନ୍ଦ୍ରିୟାନଳ ସବୁ ସାଧନାକୁ ଭସ୍ମ କରିଥାଏ ।’’

 

ଅଧୋମୁଖୀ କ୍ଷେମା ସେଦିନ ଅନୁତାପାନଳରେ ତିଳେ ତିଳେ ଦଗ୍‌ଧ ହୋଇ, ଆଚାର୍ଯ୍ୟ କାଶ୍ୟପଙ୍କର ପ୍ରକୋଷ୍ଠରୁ ବିଦାୟ ନେଇଥିଲା ।

 

ଏହାପରେ ଚତୁର୍ମାସ୍ୟା ବ୍ରତପାଳନ ଉପଲକ୍ଷେ ଆଚାର୍ଯ୍ୟ କାଶ୍ୟପ ବାହାରି ଯାଇଥିଲେ କୁଶୀନର, ସେଠାରୁ ରାଜଗୃହ ପ୍ରଭୃତି ଦୂରଦୂରାନ୍ତରର ସ୍ଥାନକୁ । ଇତି ମଧ୍ୟରେ ସେ କ୍ଷେମା ଓ ଉପନନ୍ଦର ସ୍ଖଳନର ବୃତ୍ତାନ୍ତ ପ୍ରାୟ ଭୁଲି ଯାଇଥିଲେ । ସେ ଆଶା କରିଥିଲେ ସେଦିନର ପ୍ରତିମୋକ୍ଷ ପରେ, ସେମାନେ ଇତି ମଧ୍ୟରେ ନିଜକୁ ସଂଶୋଧନ କରି ନେଇଥିବେ । କିନ୍ତୁ, ଦୀର୍ଘ ଦିନର ଅନୁପସ୍ଥିତି ପରେ, ପ୍ରବଜ୍ଜ୍ୟାରୁ ସଂଘାରାମକୁ ଫେରିବା ଦିନୁ, ସେ ଶୁଣି ଆସିଛନ୍ତି କ୍ଷେମା ଓ ଉପନନ୍ଦଙ୍କ ଅବୈଧ ଗୁପ୍ତ ମିଳନକୁ ଘେନି, ବହୁ ଅବିଶ୍ୱାସ୍ୟ କାହାଣୀ !

 

ସେଥିପାଇଁ ସେଦିନ ପ୍ରତିମୋକ୍ଷ ତିଥିରେ, ସେ କ୍ଷୁଧିତ ବ୍ୟାଘ୍ର ପରି ଅପେକ୍ଷା କରି ବସିଥିଲେ କ୍ଷେମା ଓ ଉପନନ୍ଦର ଉପସ୍ଥିତି । ଗୋଧୂଳି ଧୀରେ ଧୀରେ ବିହାର ଚୈତ୍ୟର ଚୂଡ଼ା ଉପରେ ମଳିନ ହୋଇ ଆସୁଥିଲା ।

 

ବହୁ ବିଳମ୍ବରେ ବହୁ ଇତଃସ୍ତତୋ ପରେ ଆସିଲା କ୍ଷେମା ! ତା’ର ଦୁଇ ଆଖିରେ ଝାଉଁଳିଲା ନୀଳକଇଁର ବିଷର୍ଣ୍ଣତା । ସେ ନୀରବରେ ଆଚାର୍ଯ୍ୟ କାଶ୍ୟପଙ୍କ ସମ୍ମୁଖରେ ଅପରାଧିନୀ ପରି ଠିଆ ହୋଇ, ବାମ ପାଦର ବୃଦ୍ଧାଙ୍ଗୁଳିରେ ଭୂମି ଉପରେ ରେଖା ସବୁ ଟାଣି ଚାଲିଥିଲା । ଆଶ୍ଚର୍ଯ୍ୟ କାଶ୍ୟପ ଉଷ୍ଣ କଣ୍ଠରେ ପଚାରିଲେ, ‘‘ମୁଁ ଯାହା ସବୁ ଶୁଣିଛି ତାହା କ’ଣ ସତ୍ୟ କ୍ଷେମା ?’’

 

କ୍ଷେମା ଭୀରୁ କଣ୍ଠରେ ଉତ୍ତର ଦେଲା, ‘‘ଭଗବାନ୍‌, ଶୁଣା କଥା ସବୁତ ସତ୍ୟ ହୋଇ ନ ଥାଏ ! ତଥାପି ସେଥିରେ ସତ୍ୟତା ନଥିଲେ ଆପଣ ଶୁଣନ୍ତେ ବା କିପରି ?’’

 

ପ୍ରଶ୍ନ ପରେ ପ୍ରଶ୍ନର ତାଡ଼ନାରେ, କ୍ଷେମା ମ୍ରିୟମାଣା ହୋଇଉଠିଲା । ଆଚାର୍ଯ୍ୟ କାଶ୍ୟପ କ୍ଷେମାର ସ୍ୱୀକାରୋକ୍ତି ଶୁଣି ଯେପରି ମନେ ମନେ ବିକଳ୍ପ ପରିତୃପ୍ତି ଆସ୍ୱାଦନ କରୁଥିଲେ ! କିନ୍ତୁ ମୁହଁରେ ତାଙ୍କର ଫୁଟି ଉଠିଥିଲା କ୍ରୋଧ ଓ ଅସହିଷ୍ଣୁତା ।

 

କ୍ଷେମା ସ୍ୱୀକାର କରାଯାଉଥିଲା, ‘‘ସେଦିନ ସେହି ଶାଳ ବୀଥିକାରେ ଉପନନ୍ଦର ଗୋଟିଏ ବାହୁ ହଠାତ୍‌ ମୋର ଅଣ୍ଟା ଚାରିପଟେ ବେଢ଼ି ଗଲା, ଭୁଜଙ୍ଗ ପରି ।’’

 

ଆଚାର୍ଯ୍ୟ କାଶ୍ୟପଙ୍କର ଶେତା ଆଖି ଦୁଇଟା ଉତ୍ତେଜନାରେ ଦପ୍‌ଦପ୍‌ କରି ଉଠିଲା । ନିଜର ଶିଥିଳ ଦୁର୍ବଳ ବାହୁରେ ସେ ସେତେବେଳେ ହଠାତ୍‌ ଯେପରି ଅନୁଭବ କରି ପାରୁଥିଲେ, ଉପନନ୍ଦର ମାଂସପେଶୀପୁଷ୍ଟ ବାହୁର ବ୍ୟଗ୍ର ଉତ୍ତେଜନା ! ସେ ହଠାତ୍‌ ଯେପରି ସ୍ପର୍ଶ କରିଥିଲେ, କୌଣସି ନାରୀର କ୍ଷୀଣ କଟିଦେଶ ତଳେ ଗୋଟିଏ ମାଂସଳ ଜାନୁ ! ତାଙ୍କର ଗ୍ରନ୍ଥିତ ଅଙ୍ଗୁଳି ସବୁ ଯେପରି ବ୍ୟଗ୍ର ଭାବରେ ସନ୍ଧାନ କରୁଥିବା କେଉଁ ନାରୀର ନାଭିମଣ୍ଡଳ । ସଂଯମ ଓ ନିବୃତ୍ତିର ଭସ୍ମ ତଳୁ ନିଗୃହୀତ ପ୍ରବୃତ୍ତି ଅଗ୍ନିକଣା ପରି ଦପ୍‌ଦପ୍‌ ହୋଇ ଉଠୁଥିଲା ।

 

ସମ୍ମୋହିତା ପରି କ୍ଷେମା କହି ଚାଲିଥିଲା, ‘‘ତା’ପରେ ପ୍ରଥମେ ପ୍ରଥମେ, ମୁଁ ନିଜକୁ ସଂଯତ ରଖିବାକୁ ବହୁ ଚେଷ୍ଟା କରୁଥିଲି, ଯେପରି ସେହି ଘଟଣାର ଆଉ ପୁନରାବୃତ୍ତି ନହୁଏ । ମୁଁ ସବୁବେଳେ ମନେ ମନେ ତଥାଗତଙ୍କୁ ସ୍ମରଣ କରୁଥିଲି, ହେ ଭଗବାନ୍‌ ! ମତେ ଶକ୍ତି ଦିଅ, ଯେପରି ମୁଁ ମାରର ଏ ନାଗପାଶରୁ ନିଜକୁ ରକ୍ଷା କରିପାରେ; କିନ୍ତୁ କ୍ରମେ ତାହା ମୋର ସାଧ୍ୟର ବହିର୍ଭୂତ ହୋଇ ପଡ଼ିଲା । କ୍ରମେ ଏପରି ଦିନ ଆସିଲା, ଯେଉଁଦିନ ମୁଁ ବ୍ୟଗ୍ରଭାବରେ ପ୍ରହର ଗଣି ଚାଲିଲି, କେତେବେଳେ ଶାଳ-ବୀଥିକାରେ ମିଳନର ସେହି ମୁହୂର୍ତ୍ତ ଆସିବ ।’’

 

ଆଚାର୍ଯ୍ୟ କାଶ୍ୟପ ଚିତ୍କାର କରି ଉଠିଲେ, ‘‘ତୋର ରୌରବ ନର୍କ ଛଡ଼ା ଅନ୍ୟ ଗତି ନାହିଁ ପାପୀୟସୀ !’’

 

କ୍ଷେମା ଅଶ୍ରୁ ସିକ୍ତ କଣ୍ଠରେ ପଚାରିଲା, ‘‘କିନ୍ତୁ, ଭଗବନ୍‌ ! କିଏ ମତେ ମୋର ଇଚ୍ଛାର ବିରୁଦ୍ଧରେ ସର୍ବନାଶର ସେହି ପିଚ୍ଛିଳ ପଥକୁ ଟାଣି ନେଉଛି ?’’

 

‘‘ତୋର ଦୁର୍ବୁଦ୍ଧି !’’......ଆଚାର୍ଯ୍ୟ କାଶ୍ୟପ ଉତ୍ତର ଦେଲେ ହିଂସ୍ର କଣ୍ଠରେ ।

 

‘‘କିନ୍ତୁ, କିଏ ମତେ ଦେଲା ସେପରି ଦୁର୍ବୁଦ୍ଧି ?’’

 

ଆଚାର୍ଯ୍ୟ କାଶ୍ୟପ ଉତ୍ତର ଦେଲେ, ‘‘ମନ !’’

 

‘‘କିନ୍ତୁ, ମୋର ମନକୁ କିଏ ଉଚ୍ଚକିତ କଲା ଭଗବନ୍‌?’’

 

ଆଚାର୍ଯ୍ୟ କାଶ୍ୟପ ଗମ୍ଭୀର କଣ୍ଠରେ ଉତ୍ତର ଦେଲେ, ‘‘ଇନ୍ଦ୍ରିୟ.......ତୋର ଇନ୍ଦ୍ରିୟ !’’

 

‘‘କିନ୍ତୁ, ମୋର ଇନ୍ଦ୍ରିୟକୁ ଆକୃଷ୍ଟ କଲା ବା କିଏ ?...’’ କ୍ଷେମାର ପ୍ରଶ୍ନ ।

 

‘‘ବାହ୍ୟ ସ୍ପର୍ଶରୁ ଜନ୍ମ ନେଲା ତୃଷ୍ଣା । ତୃଷ୍ଣାରୁ ବେଦନା । ବେଦନାରୁ ଏହି ଦୁଃଖ ! ସେଥିପାଇଁ ତଥାଗତ କହିଥିଲେ, ସବୁ ଦୁଃଖର ମୂଳରେ ରହିଛି ରୂପ, ତୃଷ୍ଣା ଆଉ ବେଦନା !’’

 

ତା’ପରେ ଦୁହେଁ ନୀରବ ।

 

କାହିଁ ଏ ପର୍ଯ୍ୟନ୍ତ ଉପନନ୍ଦ ପ୍ରତିମୋକ୍ଷ ପାଇଁ ଆସିଲା ନାହିଁ ତ ! ବୋଧହୁଏ ସେ ଆଜି ଆଉ ଆସିବ ନାହିଁ ! କିନ୍ତୁ ବୌଦ୍ଧସଂଘ ବିରୁଦ୍ଧରେ ଇଏ ଉପନନ୍ଦର ବିଦ୍ରୋହ ଘୋଷଣା ଛଡ଼ା ଆଉ କ’ଣ ହୋଇପାରେ ? ଆଚାର୍ଯ୍ୟ କାଶ୍ୟପଙ୍କର ମୁହଁର ଶୀର୍ଣ୍ଣ ରେଖାସବୁ କଠୋର ହୋଇ ଉଠିଲା । ଉପନନ୍ଦ ଓ କ୍ଷେମାକୁ ସଂଘାରାମରୁ ବହିଷ୍କାର ନ କଲେ, ସଂଘର ଆଧ୍ୟାତ୍ମିକ ଶୃଙ୍ଖଳା କିପରି ଭୁଷୁଡ଼ି ପଡ଼ିବ, ତାହା ଅନୁମାନ କରି ବୃଦ୍ଧ ଆଚାର୍ଯ୍ୟ କାଶ୍ୟପ, ଆତଙ୍କିତ ହୋଇ ଉଠିଲେ । ଏ ଦୁଇଜଣଙ୍କୁ ସଂଘର ମଙ୍ଗଳ ଦୃଷ୍ଟିରୁ ବହିଷ୍କାର କରିଦେବା ହିଁ ବାଞ୍ଛନୀୟ । କିନ୍ତୁ, ତା’ ପୂର୍ବରୁ ଥରେ ସେ ଦୁହିଁଙ୍କର ନିଷିଦ୍ଧ ମିଳନର ଅବୈଧ ଦୃଶ୍ୟ ନିଜ ଆଖିରେ ଦେଖିବାର ଲୋଭ ସମ୍ଭରଣ କରିପାରିଲେ ନାହିଁ, ଆଚାର୍ଯ୍ୟ କାଶ୍ୟପ । ଆଜନ୍ମ ବ୍ରହ୍ମଚାରୀ, ଯତି, ଆଚାର୍ଯ୍ୟ କାଶ୍ୟପଙ୍କ ଠାରେ ହଠାତ୍‌ ଏ କି ବିଲକ୍ଷଣ-?

 

ଆଚାର୍ଯ୍ୟ କାଶ୍ୟପ ପଚାରିଲେ, ‘‘ଏହା କ’ଣ ଏବେ ତୁମର ପ୍ରାତ୍ୟହିତ ବ୍ୟାପାର ?’’

 

କ୍ଷେମା ଲଜ୍ଜା ଓ ସଂକୋଚରେ ଏ ପ୍ରଶ୍ନର କୌଣସି ଉତ୍ତର ଦେଇ ପାରିଲା ନାହିଁ । ହଁ, କ୍ରମେ ତ ଏହା ଏକ ପ୍ରାତ୍ୟହିକ ବ୍ୟାପାରରେ ପରିଣତ ହେଲାଣି । ପ୍ରତିଦିନ ସନ୍ଧ୍ୟା ପରେ କ୍ଷେମାର ପାଦ ଆପେ ଆପେ ଟାଣି ହୋଇଯାଏ, ଶାଳବୀଥିର ସେହି ନିର୍ଝରିଣୀ କୂଳକୁ । ସେଠାରେ ଖଣ୍ଡେ ଶିଳା ଉପରେ କ୍ଷେମାଙ୍କୁ ଅପେକ୍ଷା କରି ବସିଥାଏ, ଭିକ୍ଷୁ ଉପନନ୍ଦ । ମିଳନର ମୁଗ୍‌ଧ ମୁହୂର୍ତ୍ତ ଗୁଡ଼ିକ ନିଜର ଅଲକ୍ଷିତରେ କେତେବେଳେ କିପରି କଟିଯାଏ, ଶାଳବୀଥିରୁ ଝରି ପଡ଼ୁଥିବା ମୁଠା ମୁଠା ଶୁଖିଲା ପତ୍ର ପରି !

 

ଆଚାର୍ଯ୍ୟ କାଶ୍ୟପ କ୍ଳାନ୍ତ କଣ୍ଠରେ କହିଲେ, ‘‘ଏବେ ଯାଆ କ୍ଷେମା; ମୁଁ ଭାରୀ କ୍ଳାନ୍ତ ।’’

 

ସେଦିନ ପ୍ରତିମୋକ୍ଷ ପାଇଁ ଉପନନ୍ଦ ଆଉ ଆସିଲା ନାହିଁ ।

 

ଶାଳବନର ଉର୍ଦ୍ଧ୍ୱରେ କୃଷ୍ଣପକ୍ଷ ପ୍ରତିପଦାର ଚନ୍ଦ୍ର ଦିଶୁଛି, କେଉଁ ବିଟପୀ ନାୟକ ବାତାୟନ ପଥରେ ବିସ୍ରସ୍ତବସନା ନାୟିକାର ଉଲ୍ଲଙ୍ଗ ଦେହକୁ ମୁଗ୍‌ଧ ବିସ୍ମୟରେ ଚାହିଁ ଦେଖିବା ପରି । ଶାଳବୀଥିକାର ଶାଖାରେ ଶାଖାରେ ସେଦିନ ମଳୟର ହିଲ୍ଲୋଳ । ଦିନାନ୍ତରେ କେଉଁ ଶବର ପଲ୍ଲୀରୁ ଭାସି ଆସୁଛି, ବଂଶୀର ଆକୁଳ ମୂର୍ଚ୍ଛନା । ନିର୍ଝରିଣୀ କୂଳରେ ଖଣ୍ଡେ ଶିଳା ଉପରେ ପାଖାପାଖି ବସିଥିଲେ, ଉପନନ୍ଦ ଓ କ୍ଷେମା । କ୍ଷେମା ଉପନନ୍ଦର କାନ୍ଧ ଉପରେ ମୁହଁ ଢାଳି ଦେଇଛି-। ମିଳନର ମୁଗ୍‌ଧ ଅନୁଭୂତିରେ ଦୁହେଁ ଭୁଲି ଯାଇଛନ୍ତି, ସେମାନଙ୍କର ପାରପାର୍ଶ୍ୱିକ ପରିସ୍ଥିତି । ସେମାନେ ସେଠାରେ ସେତେବେଳେ ଗୋଟିଏ ଶାଳଗଛର ଅନ୍ତରାଳରେ ଆଚାର୍ଯ୍ୟ କାଶ୍ୟପଙ୍କର ଉପସ୍ଥିତି ଲକ୍ଷ୍ୟ କରିପାରି ନଥିଲେ ।

 

କେତେକ୍ଷଣ ଆଚାର୍ଯ୍ୟ କାଶ୍ୟପ ସେଠାରେ ସେହିପରି ଠିଆ ହୋଇ ରହିଥିଲେ, ଜାଣିପାରି ନାହାନ୍ତି । ତାଙ୍କର ଆଚ୍ଛନ୍ନ ଭାବ କଟିବା ବେଳକୁ ଉପନନ୍ଦ ଓ କ୍ଷେମା ଗୋଟିଏ ଯୁଗନଦ୍ଧ ପ୍ରତିମା ପରି ତଥାପି ସେହିପରି ବସି ରହିଥିଲେ, ସେହି ଶିଳାଖଣ୍ଡ ଉପରେ । ନିର୍ଝରିଣୀର କଳଧ୍ୱନି, ଶାଳବନର ଶାଖାରେ ଶାଖାରେ ପତ୍ର ମର୍ମର ଓ ବହୁ ଦୂରରୁ ଭାସି ଆସୁଥିବା ବଂଶୀଧ୍ୱନି ବ୍ୟତୀତ ସେହି ଶାଳବୀଥିରେ ଅନ୍ୟ ଶବ୍ଦ ନଥିଲା । ସବୁଆଡ଼େ ଶାନ୍ତ, ନିସ୍ତବ୍‌ଧ ।

 

ଆଚାର୍ଯ୍ୟ କାଶ୍ୟପଙ୍କର କ୍ରୂଦ୍ଧ ବିସ୍ଫୋରଣରେ ନିର୍ଜନ ବନଭୂମି ହଠାତ୍‌ ପ୍ରତିଧ୍ୱନିତ ହୋଇ ଉଠିଲା । ଆଚାର୍ଯ୍ୟ କାଶ୍ୟପ କ୍ରୋଧରେ କମ୍ପି କମ୍ପି ଚିତ୍କାର କରୁଥିଲେ, ‘‘କ୍ଷେମା ! ଉପନନ୍ଦ !’’

 

ଆଚାର୍ଯ୍ୟ କାଶ୍ୟପଙ୍କର ବାକ୍‌ରୁଦ୍ଧ ହୋଇଗଲା । ଅପସ୍ମାରଗ୍ରସ୍ତ ପରି ସେ ଘୃଣା ଓ କ୍ରୋଧରେ ଥର ଥର କମ୍ପୁଥିଲେ । ତାଙ୍କ ଆଖି ଆଗରେ ସଂଘର ଦୁର୍ଗତି ଓ ଦୁର୍ଦ୍ଦିନ ସବୁ, ଗ୍ରନ୍ଥର ପୃଷ୍ଠା ପରେ ପୃଷ୍ଠା ମେଲିଯିବା ପରି ଗୋଟିକ ପରେ ଗୋଟିଏ ହୋଇ ଫିଟି ଯାଉଥିଲା । ଉପନନ୍ଦ ଓ କ୍ଷେମା ହତଚକିତ ଭାବରେ ଠିଆ ହୋଇ ପଡ଼ିଲେ । କ୍ଷେମା ଭୟରେ ତା’ର ସମ୍ବିତ୍ ହରାଇଥିଲା-। କିନ୍ତୁ ଉପନନ୍ଦ ଆଜି ନିର୍ଭୀକ ।

 

ଆଚାର୍ଯ୍ୟ କାଶ୍ୟପ ଗମ୍ଭୀର କଣ୍ଠରେ କହିଲେ, ‘‘ଉପନନ୍ଦ, କ୍ଷେମା; ତୁମେମାନେ ଇନ୍ଦ୍ରିୟର ମିଥ୍ୟା ମୋହରେ ପଡ଼ି କେବଳ ଶୀଳଭ୍ରଷ୍ଟ ହେଲାନାହିଁ, ନିର୍ବାଣ ପଥରୁ ମଧ୍ୟ କାଳ କାଳ ବଞ୍ଚିତ ହୋଇଗଲ । ତୁମପାଇଁ ଆଉ ନିର୍ବାଣ ନୁହେଁ, ଏହା ପରେ ଅଭୀଚୀ ନର୍କ ଛଡ଼ା ତୁମ ଦୁହିଁଙ୍କର ଆଉ ଅନ୍ୟଗତି ନାହିଁ । ସଂଘରୁ ତୁମେମାନେ ଏଇ ମୁହୂର୍ତ୍ତରୁ ବହିଷ୍କୃତ ହେଲ ! ଜୀବନ ଅନିତ୍ୟ, ମିଥ୍ୟା; ତଥାଗତଙ୍କର ଏହି ମହାନ ଶିକ୍ଷା ତୁମେମାନେ ମୁହୂର୍ତ୍ତକର ଇନ୍ଦ୍ରିୟ ପ୍ରବଣତା ମଧ୍ୟରେ ଭୁଲିଗଲ !’’

 

ଉପନନ୍ଦ ଶାନ୍ତ କଣ୍ଠରେ ପଚାରିଲା, ‘‘ଭଗବାନ୍‌ ! ଜୀବନ ଯଦି ମିଥ୍ୟା, ତା’ହେଲେ ନିର୍ବାଣ ସତ୍ୟ ହେବ ବା କିପରି ?’’

 

କାଶ୍ୟପ ନିର୍ବାକ୍‌ ! ଏ ପ୍ରଶ୍ନର ବା କି ଉତ୍ତର ଅଛି ?

 

ଉପନନ୍ଦ ଓ କ୍ଷେମା ଶାଳବୀଥିର ଛାୟାନ୍ଧକାର ମଧ୍ୟରେ ମିଳାଇଗଲେ । ଶାଳବୀଥିର ପତ୍ରଝରା ପଥରେ, ସେମାନଙ୍କର ପାଦଶବ୍ଦ କ୍ରମେ ଦୂରରେ ମିଳାଇଗଲା । ସେମାନେ ବୋଧହୁଏ ଚାଲିଥିଲେ, ଅଦୂରର ଶବର ପଲ୍ଲୀରେ ସେହି ବଂଶୀ ଧ୍ୱନିକୁ ଲକ୍ଷ୍ୟ କରି ।

 

ବୈଶାଳୀ ସଂଘର ସୀମା ମଧ୍ୟରେ ଭିକ୍ଷୁ ଉପନନ୍ଦ ଓ ଭିକ୍ଷୁଣୀ କ୍ଷେମା ପାଇଁ ଆଉ ସଂଘର ନିରାପତ୍ତା ନଥିଲା । ଲୋକାଳୟମାନଙ୍କରେ ଗୃହସ୍ଥ ଶ୍ରାବକମାନଙ୍କ ଠାରୁ ଭିକ୍ଷାନ୍ନ ଆଉ ସେମାନଙ୍କୁ ମିଳୁନାହିଁ ! ଅନ୍ନ ପାଇଁ ସେମାନେ ଯେଉଁଠାକୁ ଯାଉଛନ୍ତି, ସେଠାରେ ସେମାନଙ୍କ ପ୍ରତି କଟାକ୍ଷ, ବିଦ୍ରୂପ, ଅଭିସମ୍ପାତ ! ଉପନନ୍ଦ ଓ କ୍ଷେମା ଭଙ୍ଗ ପାଇଁ ବୈଶାଳୀ ସଂଘାରାମରୁ ବିତାଡ଼ିତ ହେବାପରେ ସେଇ ବାର୍ତ୍ତା ବୈଶାଳୀର ସୀମା ମଧ୍ୟରେ ଘରେ ଘରେ ଖେଳି ଯାଇଥିଲା ଦିବାଗ୍ନି ପରି । କ୍ଷୁଧା ଓ ସଂକୋଚରେ ସେମାନେ ଲୋକାଳୟ ଓ ରାଜପଥ ଛାଡ଼ି ଅରଣ୍ୟ ପଥରେ ଚାଲିଥିଲେ, ନିରୁଦ୍ଦିଷ୍ଟ ପଥରେ । ଅରଣ୍ୟର ଫଳମୂଳ, ନିର୍ଝରିଣୀର ପାଣି ସେମାନଙ୍କ ପାଇଁ ଥିଲା, କ୍ଷୁଧାତୃଷା ନିବାରଣର ସମ୍ବଳ । କ୍ଷୁଧା ଓ କ୍ଳାନ୍ତିରେ ସେମାନଙ୍କର ଦେହ ଭାଙ୍ଗି ପଡ଼ୁଥିଲା । ପଥ ଧୂଳିରେ ସେମାନଙ୍କର ଚୀବର ଓ ବେଶ ପରିଚ୍ଛେଦ ମଳିନ ହୋଇଥିଲା; ତଥାପି ସେମାନଙ୍କର କ୍ଳାନ୍ତି ବା ଅବଶାଦ ନଥିଲା । ପରସ୍ପରର ନିବିଡ଼ ସାନ୍ନିଧ୍ୟ ସେମାନଙ୍କୁ ନୂତନ ପ୍ରାଣ ଶକ୍ତିରେ ଉଜୀବିତ କରିଥିଲା । ସେମାନେ ଯେପରି ଚାଲିଥିଲେ, ନବଜୀବନର ବାର୍ତ୍ତାବହ ରୂପେ, ସବୁ କୃତ୍ରିମ କୃଚ୍ଛ୍ର, ସାଧନା ଓ ଅନୁଶାସନ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ।

 

ଗୋଟିଏ ଗଭୀର ଅରଣ୍ୟ ପଥରେ ଦିନେ ଯାଉ ଯାଉ ଅଦୂରରେ କେଉଁଠି ଗୋଟାଏ ମହାବଳ ବାଘର ଗର୍ଜନ ଶୁଣି, ଉପନନ୍ଦ ଓ କ୍ଷେମା ଭୟରେ ଜଡ଼ ପାଲଟି ଗୋଟିଏ ଛାୟାଘନ ବନସ୍ପତିର ନେପଥ୍ୟରେ ପରସ୍ପରକୁ ନିବିଡ଼ ଆଲିଙ୍ଗନ କରି ଠିଆ ହୋଇଗଲେ । ଏପରି ନିବିଡ଼ ଭାବରେ ସେମାନେ ଆଉ କେବେ ପରସ୍ପରକୁ ଆଲିଙ୍ଗନ କରି ନଥିଲେ । ମାତ୍ର ସେତେବେଳେ ସେମାନେ ତାହା ଅନୁଭବ କରିପାରୁ ନଥିଲେ । ସେମାନଙ୍କର ଆଖିରେ, ମୁହଁରେ ବିଭୀଷିକାର ଆତଙ୍କ ଆସନ୍ନ । ମୃତ୍ୟୁର ଭୟ ସେମାନଙ୍କର ସବୁ ଚେତନାକୁ ଜଡ଼ ଓ ଅଥର୍ବ କରି ଦେଇଥିଲା । ମହାବଳର ହେଣ୍ଟାଳ ନିର୍ଜନ ବନଭୂମିରେ ପ୍ରତିଧ୍ୱନିତ ହୋଇ ଶୁଭୁଥିଲା, ମୃତ୍ୟୁର ଅଟ୍ଟହାସ ପରି ! ଉପନନ୍ଦ ଓ କ୍ଷେମା ପରସ୍ପର ପରସ୍ପରକୁ ନିବିଡ଼ ଭାବରେ ଆଲିଙ୍ଗନ କରି, କେତେକ୍ଷଣ ସେ ଠିଆହୋଇ ରହିଥିଲେ, ତାହା ସେମାନେ ଜାଣିପାରି ନଥିଲେ । କିନ୍ତୁ ଆଲିଙ୍ଗନବଦ୍ଧ ଅବସ୍ଥାରେ ସେମାନଙ୍କ ମଧ୍ୟରେ କୌଣସି ବିକାର ବା ବିକୃତ ନଥିଲା; କୌଣସି ଆବେଗ ନଥିଲା କିମ୍ବା ଉଦ୍ଦୀପନା ନଥିଲା ! ପଥରରେ ଗଢ଼ା ଦୁଇଟି ନିର୍ଜୀବ ମୂର୍ତ୍ତି ପରସ୍ପରକୁ ଆଲିଙ୍ଗନ କରି ଠିଆହୋଇ ରହିଥିଲେ ଆସନ୍ନ ମୃତ୍ୟୁମୁଖରୁ ଆତ୍ମରକ୍ଷା ପାଇଁ । ସେତେବେଳେ ସେମାନଙ୍କର ଅନାପେକ୍ଷିକ ସ୍ଥିତି କେବଳ ଥିଲା, ସେମାନଙ୍କ ପକ୍ଷରେ ଏକମାତ୍ର ସତ୍ୟ । ଉପନନ୍ଦ ତାହାର ଦୁଇ କଠିନ ବାହୁରେ କ୍ଷେମାକୁ ଆଲିଙ୍ଗନ କରିଥିଲା, ମାତ୍ର ସେଥିରେ କୌଣସି ଉତ୍ତାପ ବା ଉତ୍ତେଜନା ନଥିଲା ସେହିପରି କ୍ଷେମାର ନିଟୋଳ ବକ୍ଷ ଉପନନ୍ଦର ଛାତି ଉପରେ ଚାପିହୋଇ ଯାଇଥିଲା । ମାତ୍ର ସେ କୌଣସି ଆସ୍ୱସ୍ତି ଅନୁଭବ କରିପାରୁ ନଥିଲା ।

 

ଏହିପରି ଅବସ୍ଥାରେ କେତେ ସମୟ କଟିଥାନ୍ତା ଜଣାନାହିଁ ! ହଠାତ୍‌ ଏକ ପ୍ରଚଣ୍ଡ ଅଟ୍ଟହାସ ଶୁଣି ସେମାନେ ଚମକି ଉଠିଲେ ! ଏ ଅଟ୍ଟହାସ କୌଣସି ପ୍ରେତର ନୁହେଁ ତ ? ନାଁ-ଇଏ ମନୁଷ୍ୟ କଣ୍ଠର ଅଟ୍ଟହାସ । ଅଟ୍ଟହାସର ତରଙ୍ଗ ବନଭୂମି ଉପରେ ପ୍ରତିଧ୍ୱନିତ ହୋଇ ଉଠୁଥିଲା । ଉପନନ୍ଦ ଓ କ୍ଷେମା ଭୀତତ୍ରସ୍ତ ଆଖିରେ ଚାରିଆଡ଼କୁ ଚାହିଁ, ଲତାପତ୍ରର ଗୋଟିଏ ଗହ୍ୱର ମଧ୍ୟରେ ଯାହାକୁ ଦେଖିଲେ, ସେ ମନୁଷ୍ୟ କି ଯକ୍ଷ ବୋଲି ପ୍ରଥମେ ଭ୍ରମ ଜାତହୋଇଥିଲା ! ଗୋଟିଏ ପୃଥୁଳକାୟ ମୂର୍ତ୍ତି ଜଟାଜୂଟରେ ଆବୃତ ହୋଇ, ବନମନୁଷ୍ୟର ଭ୍ରମ ସୃଷ୍ଟି କରିଥିଲା । କିନ୍ତୁ ତାର ଆଖି ଦୁଇଟି ଦୀପ୍ତିମାନ ଓ ଉଜ୍ଜ୍ୱଳ ! ସେଥିରେ କ୍ରୂରତା ନାହିଁ ! ବରଂ ଉପନନ୍ଦ ଓ କ୍ଷେମା ଲକ୍ଷ୍ୟକରି ଦେଖିଲେ, ତାହାର ଚାହାଣୀରେ ଅଛି ସହାନୁଭୂତି ଓ କରୁଣା !

 

ସେମାନଙ୍କ ଆଡ଼େ ଚାହିଁ ଜଟାଜୂଟଧାରି ସେହି ଆରଣ୍ୟକ ସନ୍ନ୍ୟାସୀଟି କାହିଁକି ବାରମ୍ମାର ଅଟହାସ କରୁଥିଲା । କେଜାଣି ?

 

ଉପନନ୍ଦ ଓ କ୍ଷେମାକୁ ସେ ହାତଠାରି ଡାକୁଥିଲା, ସେଠାକୁ ଆସିବା ପାଇଁ । ବାଘର ହେଣ୍ଟାଳ ନୀରବ ହୋଇ ଯାଇଛି । ମାତ୍ର ସେମାନେ କ୍ଷୁଧା ଓ ପଥଶ୍ରମରେ ବଡ଼ କ୍ଳାନ୍ତ ହୋଇ ପଡ଼ିଛନ୍ତି । ସାମାନ୍ୟ ଅଭୟ, ଆଶ୍ରୟ ଓ ବିଶ୍ରାମ ଆଶାରେ ଉପନନ୍ଦ ଓ କ୍ଷେମା ଲତାପତ୍ରର ସେହି ଗହ୍ୱର ପାଖକୁ ଆସିଲେ । କ୍ଷେମା ଆଗକୁ ଯିବାପାଇଁ ଭରସି ପାରୁ ନଥିଲା । କିନ୍ତୁ ଉପନନ୍ଦ ଆଶ୍ୱାସନା ଦେଇ କହିଲା, ‘‘ଭୟ କରନାହିଁ କ୍ଷେମା ! ଇଏ ବୋଧହୁଏ ଜଣେ ଆଜୀବକ ସାଧୁ ! ତଥାଗତ ବୃଦ୍ଧ, କିଛିକାଳ ଏଇମାନଙ୍କ ସଂପ୍ରଦାୟରେ ରହିଥିଲେ । କିନ୍ତୁ ଏମାନଙ୍କ ମାର୍ଗରେ ଗୌତମ ବୁଦ୍ଧଙ୍କର ମନଃପୂତ ନ ହେବାରୁ ସେ ବୋଧିଲାଭ ପାଇଁ ତପସ୍ୟା ଆଚରଣ କଲେ । ଏମାନଙ୍କର ବେଶବାସ ପ୍ରାୟ ଏହିପରି ! ଏମାନେ ଉଲ୍ଲଙ୍ଗ ! କେଶହିଁ ଏମାନଙ୍କର କମ୍ବଳ ! ଏହିପରି ଥିଲେ, ଆଜୀବକ ଆଚାର୍ଯ୍ୟ ଅଜିତ କେଶ କମ୍ବଳୀ !’’

 

ଉପନନ୍ଦ ଓ କ୍ଷେମା ସନ୍ନ୍ୟାସୀଙ୍କର ନିକଟତର ହେବାମାତ୍ରେ ସେ କୋମଳ କଣ୍ଠରେ ଡାକିଲେ, ‘‘ଭୟ ନାହିଁ, ଆସ.......ଆସ !’’ ସେ ସେମାନଙ୍କୁ ପ୍ରଥମେ କିଛି ଫଳମୂଳ ଖାଇବାକୁ ଦେଲେ । ବହୁ ବେଳର ଆତଙ୍କପୀଡ଼ିତ ଉଦ୍‌ବେଗ ପରେ ଫଳମୂଳ ଖାଇ କିଛିଟା ଆଶ୍ୱସ୍ତ ହୋଇ ଉଠିଲେ କ୍ଷେମା ଓ ଉପନନ୍ଦ । ସନ୍ନ୍ୟାସୀଙ୍କ ସହିତ କ’ଣ କିପରି କଥା ଆରମ୍ଭ କରିବେ ସେମାନେ ସ୍ଥିର କରି ପାରୁନଥିଲେ !

 

ଆଜୀବନ ସନ୍ନ୍ୟାସୀ ପଚାରିଲେ, ‘‘ତୁମେ ଦୁହେଁ ବୋଧହୁଏ କୌଣସି ସଂଘାରାମର ଭିକ୍ଷୁ, ଭିକ୍ଷୁଣୀ ! କିନ୍ତୁ ସଂଘାରାମ ଛାଡ଼ି, ଏ ଅରଣ୍ୟରେ କୁଆଡ଼େ ଚାଲିଛ ?’’

 

କିଛିକ୍ଷଣ ନୀରବ ରହିବା ପରେ ଉପନନ୍ଦ ଉତ୍ତର ଦେଲା, ‘ଆପଣଙ୍କ ଅନୁମାନ ଯଥାର୍ଥ, ଯତିରାଜ ।’.......

 

ଆଜୀବକ ସନ୍ନ୍ୟାସୀ ପଚାରିଲେ, ‘‘ତୁମେ ଦୁହେଁ ବୋଧେ ସଂଘରୁ ବିତାଡ଼ିତ ହୋଇଛ । ନୁହେଁ ?’’

 

ଆଜୀବକ ସନ୍ନ୍ୟାସୀଙ୍କ ମୁହଁରେ କିନ୍ତୁ ଘୃଣା ବା କ୍ରୋଧର କୌଣସି ଲକ୍ଷଣ ନାହିଁ । ତାଙ୍କର ଦୁଇ ଆଖି ସହାନୁଭୂତିରେ କୋମଳ ।

 

ଉପନନ୍ଦ କିଛିଟା ସାହସ ଖୋଜି ପାଇ ପଚାରିଲା ‘‘କିନ୍ତୁ, ଆପଣ ଆମକୁ ଦେଖି ସେହି ଭୟଙ୍କର ମୁହୂର୍ତ୍ତରେ ଅଟ୍ଟହାସ କଲେ କାହିଁକି ?’’

 

ଆଜୀବକ କ୍ଷେମାକୁ ନିଜର ଲମ୍ବ ଲମ୍ବ ଆଙ୍ଗୁଠିରେ କୌତୁକରେ ଠେଲି ଦେଇ କହିଲେ ‘‘ଏହାର ଉତ୍ତର ତୁମେ ବରଂ ଦିଅ ଶ୍ରମଣେରୀ ।’’

 

କ୍ଷେମା ଭୟରେ ପଛକୁ ଘୁଞ୍ଚି ଯାଇଁ ନୀରବରେ ନିର୍ବାକ ଆଖିରେ ଆଜୀବନଙ୍କ ଆଡ଼େ ଚାହିଁ ରହିଲା, ନିର୍ବୋଧ ପରି !

 

ଉପନନ୍ଦ ମଧ୍ୟ ନୀରବ ।

 

ଆଜୀବକ ସେହି ନୀରବତା ଭଙ୍ଗ କରି ପଚାରିଲେ, ‘‘ତୁମେ ଦୁହେଁ ପରସ୍ପରକୁ ସେପରି ନିବିଡ଼ ଭାବରେ ଆଲିଙ୍ଗନ କଲ କାହିଁକି ?’’

 

କ୍ଷେମା ଉତ୍ତର ଦେଲା, ‘‘ଭୟରେ’’ ।

 

‘‘ସେତେବେଳେ କେଉଁ ତାଡ଼ନାରେ ତୁମେ ଦୁହେଁ ନିଜର ଅସ୍ମିତାବୋଧ ଭୁଲି ପରସ୍ପରକୁ ଏପରି ଗାଢ଼ ଆଲିଙ୍ଗନ କଲ ?’’

 

ଉପନନ୍ଦ ଉତ୍ତର ଦେଲା, ‘‘ଆତ୍ମରକ୍ଷାର ସହଜ ପ୍ରବୃତ୍ତିରେ ଆସନ୍ନ ମୃତ୍ୟୁର ଆଶଙ୍କାରେ ଜଣେ ଅନ୍ୟଠାରୁ ସାହସ ଖୋଜି ପାଇବାର ଉଦ୍ଦେଶ୍ୟ ବ୍ୟତୀତ ଆମର ସେତେବେଳେ ଅନ୍ୟ ଉଦ୍ଦେଶ୍ୟ ନଥିଲା । କିନ୍ତୁ, ଏଥିରେ ଅଟ୍ଟହାସ୍ୟର ବା କ’ଣ ଥିଲା ?’’

 

ଆଜୀବକ ସନ୍ନ୍ୟାସୀ ଉତ୍ତର ଦେଲେ, ‘‘ମୁଁ ଅଟ୍ଟହାସ କରୁଥିଲି, ତୁମ ଦୁହିଁଙ୍କୁ ଦେଖି ସତ୍ୟ କିନ୍ତୁ ତାହା ତୁମ ପ୍ରତି ଉଦ୍ଦିଷ୍ଟ ନଥିଲା ।’’

 

କ୍ଷେମା ପଚାରିଲା, ‘‘କିନ୍ତୁ କାହିଁକି ?’’

 

ଆଜୀବନ ଓଲଟି ପଚାରିଲେ, ‘‘ତା’ହେଲେ ମନୁଷ୍ୟର ସହଜାତ ପ୍ରବୃତ୍ତି କ’ଣ ତା’ର ସଂଯମ, ସାଧନା ଓ ସିଦ୍ଧିଠାରୁ ଆଉରି ଶକ୍ତିଶାଳୀ ?’’

 

ଉପନନ୍ଦ ଉତ୍ତର ଦେଲା, ‘‘ଏଇ ଘଟଣାରୁ ତାହା ହିଁ ତ ପ୍ରମାଣିତ’’ ହୋଇଗଲା ।’’

 

‘‘ତା’ ହେଲେ ?...........’’

 

ଆଜୀବନ ସନ୍ନ୍ୟାସୀ ପୁଣି ନୀରବ ହୋଇଗଲେ ।

 

ଉପନନ୍ଦ ଓ କ୍ଷେମା ମଧ୍ୟ ନୀରବ ।

 

ଗଭୀର ଅରଣ୍ୟରେ ପକ୍ଷୀମାନଙ୍କର କାକଳି ଓ ଝିଙ୍କାରୀମାନଙ୍କର ଝିଙ୍କାର ବ୍ୟତୀତ ଅନ୍ୟ କୌଣସି ଶବ୍ଦ ନଥିଲା ।

 

ଉପନନ୍ଦ ପୁଣି ପଚାରିଲା, ‘‘କିନ୍ତୁ ତଥାଗତ ବୁଦ୍ଧଙ୍କୁ ସ୍ମରଣ କରି ଆପଣ ଅଟ୍ଟହାସ କରୁଥିଲେ କାହିଁକି ?’’

 

ଆଜୀବକ ସନ୍ନ୍ୟାସୀ ଏ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ଓଲଟି ପ୍ରଶ୍ନ କଲେ, ‘‘ସଂଘାରାମରେ ତୁମେ ନିଭୃତରେ ପରସ୍ପରକୁ ଆଲିଙ୍ଗନ କଲାବେଳେ, କେଉଁ ତାଡ଼ନାରେ ତାଡ଼ିତ ହୋଇଥିଲ ?’’

 

ଉପନନ୍ଦ ଓ କ୍ଷେମା ଆଜୀବକଙ୍କ ଏ ଆକସ୍ମିକ ପ୍ରଶ୍ନରେ ବିସ୍ମିତ ହୋଇଗଲେ । ସେ କଥା ଇଏ ବା ଜାଣିଲେ କିପରି ?

 

ସନ୍ନ୍ୟାସୀଙ୍କର ପ୍ରଶ୍ନର ହଠାତ୍‌ କୌଣସି ଉତ୍ତର ଦେଇନପାରି, ଉପନନ୍ଦ ଓ କ୍ଷେମା ପରସ୍ପର ଆଡ଼େ ନୀରବରେ ଚାହାଁଚାହିଁ ହେଲେ ।

 

ସନ୍ନ୍ୟାସୀ ହସି ହସି କହିଲେ, ‘‘ସେ ମଧ୍ୟ ଥିଲା, ପରସ୍ପର ସହିତ ମିଳନର ଅପ୍ରତିରୋଧ୍ୟ ସହଜ ପ୍ରବୃତ୍ତି ! ନୁହେଁ ?’’

 

ଉପନନ୍ଦ ଓ କ୍ଷେମା ନୀରବ । ହଁ, ସେଇ ପ୍ରବୃତ୍ତିର ତାଡ଼ନାରେ ସେମାନେ ସବୁ ସଂଯମ ଓ ନିଗ୍ରହ ଭୁଲି ସଂଘାରାମ ଉପକଣ୍ଠର ଶାଳ ବୀଥିକାରେ ଯେ ପରସ୍ପରକୁ ଆଲିଙ୍ଗନ କରିଥିଲେ, ତାହା ଅସ୍ୱୀକାର କରିବେ ବା କିପରି ?

 

ସନ୍ନ୍ୟାସୀ ପୁଣି ପଚାରିଲେ, ‘‘ଏ ତାଡ଼ନା ନିଶ୍ଚୟ ଥିଲା ଇନ୍ଦ୍ରିୟଜ । ଯାହା କ୍ରମେ ତୁମର ମନ, ବୁଦ୍ଧି ଓ ସଂସ୍କାରକୁ ଅତିକ୍ରମ କରିଥିଲା ! ନୁହେଁ ?’’

 

ଉପନନ୍ଦ ଓ କ୍ଷେମା ଏଥର ନିଃସଂକୋଚରେ ଏକ ସଙ୍ଗରେ ଉତ୍ତର ଦେଲେ, ‘‘ନିଶ୍ଚୟ ! ସେଥିରେ ସନ୍ଦେହ ନାହିଁ ।’’

 

ସନ୍ନ୍ୟାସୀ କହିଲେ, ‘‘ସେଥିପାଇଁ ମୁଁ ଅଟ୍ଟହାସ କରୁଥିଲି, ଗୌତମବୁଦ୍ଧଙ୍କ ଉଦ୍ଦେଶ୍ୟରେ, ସେ ମହାପ୍ରାଜ୍ଞ ବୁଦ୍ଧ ହୋଇ ସୁଦ୍ଧା ଏହି ସରଳ ସତ୍ୟଟିକୁ ବୁଝିପାରିଲେ ନାହିଁ ଯେ, ପ୍ରବୃତ୍ତି ଆଗରେ ନିବୃତ୍ତିର ସବୁ ସଂଯମ ଶୃଙ୍ଖଳା ଦିନେ ଭୁଷୁଡ଼ି ପଡ଼େ ! ପ୍ରବୃତ୍ତି ହେଉଛି ପ୍ରାକୃତିକ, କିନ୍ତୁ ନିବୃତ୍ତି ହେଉଛି କୃତ୍ରିମ । କୃତ୍ରିମ ନିବୃତ୍ତି ବ୍ରହ୍ମଚର୍ଯ୍ୟ ନୁହେଁ । ତାହା ଯଦି ବ୍ରହ୍ମଚର୍ଯ୍ୟ ହୋଇଥାନ୍ତା, ତା’ ହେଲେ ପ୍ରତ୍ୟେକ ବଳଦ କେବେଠାରୁ ବ୍ରହ୍ମଚାରୀ ହୋଇ ମୋକ୍ଷର ଅଧିକାରୀ ହୋଇ ସାରିନ୍ତାଣି । ଆଚାର୍ଯ୍ୟ କେଶକମ୍ବଳୀ କହିଥିଲେ, ମୁଣ୍ଡକୁ ଲଣ୍ଡା କରିଦେଲେ ଯଦି ମୋକ୍ଷ ମିଳୁଥାନ୍ତା, ତା’ହେଲେ ନାରୀର ନିତମ୍ବ କେବେଠାରୁ ମୋକ୍ଷ ଲାଭ କରି ସାରନ୍ତାଣି । ସେଥିପାଇଁ ଗୌତମ ବୁଦ୍ଧଙ୍କର ସବୁ କୃତ୍ରିମ ଅନୁଶାସନକୁ ସ୍ମରଣ କରି ମୁଁ ହସୁଥିଲି । ପ୍ରବୃତ୍ତିକୁ ନିଗୃହୀତ କରି ଯେଉଁ ନିବୃତ୍ତି ମିଳେ, ତାହା କିନ୍ତୁ ନିବୃତ୍ତି ନୁହେଁ, ତାହା ନିବୃତ୍ତିର ସୁନ୍ଦର ମୁଖା ମାତ୍ର । ଯେଉଁଦିନ ସେ ମୁଖାଟି ଖସି ପଡ଼େ, ସେଦିନ ଫିଟିପଡ଼େ ପ୍ରବୃତ୍ତିର ଲୋଳ ଜିହ୍ନା । ଗୌତମ ବୁଦ୍ଧ କିନ୍ତୁ ଏହି ସରଳ ସତ୍ୟଟିକୁ ବୁଝି ପାରିଲେ ନାହିଁ-।’’

 

ପାଗଳ ପରି ଆଜୀବନ ସନ୍ନାସୀଙ୍କ ଅଟ୍ଟହାସରେ, ନିର୍ଜନ ବନଭୂମି ପ୍ରତିଧ୍ୱନିତ ହୋଇ ଉଠିଲା ।

 

ଉପନନ୍ଦ ଓ କ୍ଷେମା ବନପଥରେ, ପୁଣି ସେଇ ଅନିର୍ଦ୍ଦିଷ୍ଟ ପଥରେ ବାହାରିଗଲେ । ସେମାନଙ୍କ ପଛେ ପଛେ ଆଜୀବକର ଅଟ୍ଟହାସ ଛୁଟିଥିଲା ଗୋଟାଏ ଆଦିମ ସରୀସୃପ ପରି ।

 

 

ସଭାପତି

ଓଡ଼ିଶା ସାହିତ୍ୟ ଏକାଡ଼େମୀ

ଭୁବନେଶ୍ୱର

***

 

ଭାରତୀୟ ପୃଷ୍ଠଭୂମିରେ କବି ଓମର ଓ ଫିଜ୍‌ରାଲ୍‌ଡ଼

ଶ୍ରୀ ଗୋପୀନାଥ ମିଶ୍ର

 

ଭାରତୀୟ ଓ ପାରସିକମାନଙ୍କ ନିକଟରେ ଏଡ଼ଓ୍ୟାର୍ଡ ଫିଜ୍‌ରାଲ୍‌ଡ କେବଳ ଓମାର ଖୈୟାମଙ୍କ ରୁବାଇୟାତର ଇଂରାଜୀ ଅନୁବାଦକ ଭାବରେ ସୁପରିଚିତା ମାତ୍ର ସେ ଏକାଧାରରେ ଥିଲେ କବି, ଦାର୍ଶନିକ, ଅନୁବାଦକ, ବହୁ ଭାଷାବିତ୍‌ ଓ ସ୍ୱତନ୍ତ୍ର ଭାବରେ ପ୍ରାଚ୍ୟ ଦର୍ଶନବିତ୍‌ । ବହୁ ପୁସ୍ତକର ଭୂମିକା ରଚନାରେ ତାଙ୍କର ଅସାଧାରଣ ବିଦ୍‌ବତ୍ତା ଓ ଆଲୋଚନାର ଗୁରୁତ୍ୱ ଅନୁରୂପ ଭାଷା ବିଦଗ୍‌ଧତା ପ୍ରକଟିତ । ଇଂରାଜୀ ସାହିତ୍ୟରେ ଭିକ୍ଟୋରିଆ ଯୁଗର ଠିକ୍‌ ପରେ ପରେ ସେଣ୍ଟପଲ୍‌ କାଥେଡ୍ରାଲ୍‌ ଯେତେବେଳେ ଦୋହଲି ଯାଉଛି, ସେ ସ୍ପଷ୍ଟ ଦେଖି ପାରିଥିଲେ ବିଶ୍ୱାସରୁ ଦୋହଲି ଯାଉଥିବା ଆଉ ଏକ ମଣିଷର ମନ । ତାକୁ ସେ ରୂପଦେଲେ ଇଂରାଜୀ ଅନୁବାଦରେ । ପାର୍ସୀ ଓ ପୁରାତନ ପହଲ୍‌ଭି ତଥା ସଂସ୍କୃତ ଭାଷାର ଅନୁଶୀଳନ କରି ଭାରତର ସମୃଦ୍ଧ ଗନ୍ତାଘରର ଏକ ପରିଚୟ ଉପନିବେଶ ତଥା ମୂଳ ଭୂଖଣ୍ଡବାସୀ ଇଂରାଜୀ, ଫରାସୀ ଓ ଜର୍ମାନୀଗଣ ପାଇପାରିଛନ୍ତି । ତା’ ପୂର୍ବରୁ ସଂସ୍କୃତ ଆରବୀ ଓ ଫାରସୀ ସ୍ଥଳ ଓ ଜଳପଥ ଦେଇ ସ୍ପେନରେ ସଞ୍ଚରି ଇଉରୋପ ମହାଦେଶରେ ବ୍ୟାପ୍ତ ହୋଇ ଏକ ସମୃଦ୍ଧ ଏଲିଜାବେଥ୍‌ ସାହିତ୍ୟ ଯୁଗକୁ ପ୍ରଭାବିତ କରିଛି ବୋଲି କେତେକ ଆଲୋଚକଙ୍କ ମତ । କଳା, ସଂସ୍କୃତି ଓ ଧର୍ମ କୌଣସି ଭୌଗୋଳିକ, ରାଜନୈତିକ ବା ପ୍ରାକୃତିକ ବନ୍ଧନ ମାନିନାହିଁ । ପୂର୍ବ, ପଶ୍ଚିମ, ଉତ୍ତର ଏପରିକି ବହୁ ସାଗର, ଉତ୍ତୁଙ୍ଗ ହିମାଳୟ ଲଂଘନ କରି ତାହା ବଣିକ, ବାଟୋଇ, ବିଦ୍ୟାର୍ଥୀ, ରାଜପୁରୁଷ ଓ ପ୍ରଚାରକମାନଙ୍କ ଦ୍ୱାରା ବଳୟ ବିସ୍ତାର କରିଛି । ଏହି ବଳୟରେଖା ପାରସ୍ୟ ଦେଶକୁ ବିସ୍ତୃତ ବା ଆର୍ଯ୍ୟର ପାରସ୍ୟଭୂମିରୁ ଭାରତ ଯାତ୍ରା କାଳରେ ଭାରତକୁ ବିସ୍ତୁତ । ତାହାରି ଏକ ଫଳ ହେଉଛନ୍ତି ଓମର ଖୈୟାମ୍‌ । ଭାରତୀୟ ଇତିହାସ, ଦର୍ଶନ ଓ ସଂସ୍କୃତିମନନ ସେ କରିଥିଲେ । ଜଣେ ବିଶିଷ୍ଟ ଗଣିତ ଜ୍ୟୋତିଷୀ ଭାବରେ ଭାରତୀୟ ଗଣିତ ଜ୍ୟୋତିଷ ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସମ୍ଭବ, କାରଣ ତାଙ୍କ ସମୟକୁ ଭାସ୍କରାଚାର୍ଯ୍ୟଙ୍କ ଗଣିତ ଜ୍ୟୋତିଷ ବିଚାର ବହୁ ପ୍ରସିଦ୍ଧି ଲାଭ କରିଲାଣି । ତାଙ୍କର ରୁବାଇଗୁଡ଼ିକରେ ଜ୍ୟୋତିଷ ଜ୍ଞାନର ଏକ ପ୍ରତିଫଳନ ହୋଇଛି । ୩୪ତମ ରୁବାଇର ଇଂରାଜୀ ଅନୁବାଦରୁ ଲକ୍ଷିତ ହୁଏ ଯେ ସେ ଶନିଗ୍ରହଙ୍କୁ ୭ମ ସ୍ୱର୍ଗର ଅଧିପତି ଭାବରେ ଜାଣିଛନ୍ତି । ଭାରତର ଇତିହାସ ଉପରେ ତାଙ୍କର ଧାରଣା ଥିଲା । ତାଙ୍କର ୬୨ତମ ରୁବାଇରେ ସୁଲତାନ ମାମୁଦଙ୍କ ଭାରତ ଆକ୍ରମଣ ସୂଚିତ । ତାଙ୍କର ରାଜକୀୟ ତରବାରୀର ଘୂର୍ଣ୍ଣନକୁ ଓମର ଧର୍ମବିଶ୍ୱାସୀ ବା ଅବିଶ୍ୱାସୀ କୃଷ୍ଣକାୟ ଲୋକମାନଙ୍କ ଉପରେ ଦୈବଖର୍ପର ପ୍ରହାର ସଦୃଶ ସେ ବର୍ଣ୍ଣନା କରିଛନ୍ତି । ୮୯ରୁ ୯୭ତମ ରୁବାଇରେ ବେଦାନ୍ତ ଦର୍ଶନ ଆଲୋଚିତ ସଦସତ୍‌ ବିଷୟ ଓ ବ୍ରହ୍ମଜିଜ୍ଞାସା କଥା ଗୁପ୍ତ ରହିଛି । ବେଦାନ୍ତ ଦର୍ଶନର ଆଲୋଚନାରେ ‘ଘଟ’ ଓ ‘ପଟ’ର ବହୁ ଉଦାହରଣ ଦେଖିବାକୁ ମିଳେ । ମୃଦ୍‌ଘଟ ଓ ଜୀର୍ଣ୍ଣପଟର ଅନିତ୍ୟତା ଉଦାହରଣ ଯୁକ୍ତହୋଇ ଭାରତୀୟ ବେଦାନ୍ତ ଦର୍ଶନରେ ବହୁ ଆଲୋଡ଼ିତ । ଏହି ‘ଘଟ’ର ବର୍ଣ୍ଣନା ଦାର୍ଶନିକ ଓମର ତାଙ୍କର କୁମ୍ଭକାର, କୁମ୍ଭାରଚକ ତଥା ଘଟଧାରୀ ଜୀବମାନଙ୍କର କଥୋପକଥନ ବର୍ଣ୍ଣନାରେ ପ୍ରକାଶ କରି ଈଶ୍ୱରଙ୍କ ସର୍ବକାରଣତ୍ୱ ପ୍ରକଟନ କରିଛନ୍ତି । ସଂସାରର ଅନିତ୍ୟତା, ଜୀବର ମାଟିରୁ ଜାତ ହୋଇ ମାଟିରେ ମିଶିବା କଥା, ମୃଦ୍‌ଘଟର ଭଙ୍ଗ ପ୍ରବଣତା, କୁମ୍ଭକାରର ଖିଆଲି ସୃଷ୍ଟି ପ୍ରଭୃତି ‘ଘଟ’ ସାକ୍ଷ୍ୟ ରଖି ସେ କହିଛନ୍ତି ।

 

ବର୍ତ୍ତମାନ-ସର୍ବସ୍ୱ ହୋଇ ପୁନର୍ଜନ୍ମ, ପରଜନ୍ମ ଚିନ୍ତନ ଅପେକ୍ଷା ବର୍ତ୍ତମାନକୁ ସାର୍ଥକ ଓ ଉପଭୋଗ କରିବାର ବହୁ ରୁବାଇ ସେ ଚାର୍ବାକ୍‌ ଦର୍ଶନ ମଧ୍ୟରୁ ପାଇ ପାରିଛନ୍ତି । ଏକ ଅଦେଖା ହାତର ଇଙ୍ଗିତ, ଶକ୍ତିମାନ ଭାଗ୍ୟର କରାଳତା ଓ ଏକ ମୂଳବସ୍ତୁରୁ ଆଭାସମୟ ଏହି ଅନିତ୍ୟ ଜୀବନକଥା କହିବା ପାଇଁ ସେ ବେଦାନ୍ତ ଦର୍ଶନ ମଧ୍ୟରୁ ପ୍ରେରଣା ଲାଭ କରିଛନ୍ତି । କାରଣ ପୁରାତନ ପହଲଭୀ ଭାଷା ମଧ୍ୟଦେଇ ସେ ‘ଜିନ୍ଦାଭେସ୍ତା’ ନାମକ ପାର୍ସୀ ଧର୍ମଗ୍ରନ୍ଥ ନିଶ୍ଚିତ ଅଧ୍ୟୟନ କରିଥିବେ । ତା’ ନୋହିଲେ ଜଣେ ଦର୍ଶନବିତ୍‌ ହେବାର ସୁଯୋଗ ସେ ପାଇଲେ କେଉଁଠୁ ? ଏହି ‘ଜିନ୍ଦାଭେସ୍ତା’ ଧର୍ମଗ୍ରନ୍ଥର ବହୁ ପଦ ଓ ଚରଣ ତଥା ବହୁ ଅଂଶ ବେଦବାଣୀକୁ ଯଥାବତ୍‌ଧାରଣ କରିଛି । ବୈଦିକ ସଂସ୍କୃତର ଭାଷାକୁ ଅତ୍ରତତ୍ର ସାମାନ୍ୟତଃ ଇତସ୍ତତ କରିଦେଲେ ପୁରାତନ ପହଲ୍‌ଭୀ ବା ପାର୍ସୀ ଧର୍ମଗ୍ରନ୍ଥ ‘ଜିନ୍ଦାଭେସ୍ତା’ର ଭାଷା ସହ ତାହାର ଅତି ନିକଟତମ ସଂପର୍କ ଦୃଶ୍ୟହେବ ।

 

ପାର୍ସୀ ଭାଷାରେ ‘ଜାମି’ଙ୍କ ଲିଖିତ ‘ସାଲାମନ୍‌ ଓ ଆବ୍‌ସାଲ୍‌’ ରୂପକର ଅନୁବାଦକ ଫିଜ୍‌ରାଲ୍‌ଡ ତାଙ୍କ ଅନୁବାଦିତ ଗ୍ରନ୍ଥର ପରିଶିଷ୍ଟରେ ଭାରତୀୟ-ଦର୍ଶନର ଅତି ସୂକ୍ଷ୍ମ ବିଷୟଗୁଡ଼ିକ ସମ୍ବନ୍ଧରେ କହିଛନ୍ତି । ନୂତନ ପ୍ଳାଟୋ ପନ୍ଥୀଙ୍କ ସୂତ୍ର ଧରି ସେ କହନ୍ତି ଯେ ବସ୍ତୁ ଓ ସ୍ରଷ୍ଟା ପୁରୁଷଙ୍କ ମିଳନରୁ ସୃଷ୍ଟି । ସ୍ରଷ୍ଟା ପୁରୁଷ ଏକାକୀ ସୃଷ୍ଟି କରିବାକୁ ଅକ୍ଷମ । ଉଭୟଙ୍କ ମଧ୍ୟରେ ମିଳନ ସଂପର୍କ ଜାତ ହେବାପାଇଁ ଦଶଟି ବୁଦ୍ଧିର ସ୍ତର ପ୍ରୟୋଜନ । ତାହା ହେଲେ ହିଁ କେବଳ ଏହି ମିଳନ ସଂପର୍କ ଓ ସୃଷ୍ଟି ସମ୍ଭବ । ଏ ପ୍ରସଙ୍ଗ ମନେ ରଖି ଭାରତୀୟ ସାଂଖ୍ୟଦର୍ଶନ ସହ ଏହାର ସମ୍ପର୍କ ଅବଧାର୍ଯ୍ୟ । କ୍ଳୁପ୍ତତଃ ସାଂଖ୍ୟଦର୍ଶନରେ ପୁରୁଷ ପ୍ରକୃତି ତତ୍ତ୍ୱ ବିସ୍ତାରିତ ଭାବରେ ଆଲୋଚିତ । ପୁରୁଷ ନିଜେ ନିଜେ ସୃଷ୍ଟି କରିବାକୁ ଅକ୍ଷମ । ତେଣୁ ପ୍ରକୃତି ଶକ୍ତିର ଅବତାରଣା । କିନ୍ତୁ ଏହି ପ୍ରକୃତି ଅହଙ୍କାର, ବୁଦ୍ଧି, ମନ ଓ ଇନ୍ଦ୍ରିୟାଦିରେ କ୍ରମଶଃ ରୂପାନ୍ତରିତ ହୋଇ ଇନ୍ଦ୍ରିୟ ଜଗତ୍‌ ସୃଷ୍ଟି କରେ । ନୂତନ ପ୍ଳାଟୋ-ପନ୍ଥୀମାନେ ଈଶ୍ୱରଙ୍କୁ ‘AETOS PURUS’ (ସାଂଖ୍ୟୋକ୍ତ ‘ଏତତ୍‌ ପୁରୁଷ’) ବୋଲି କହନ୍ତି । ଏହି ‘ଏଟସ୍‌ ପୁରୁସ୍‌’ ସୃଷ୍ଟି ବାଞ୍ଛାରେ ‘Aeon’ (ଅହଙ୍କାର) ସୃଷ୍ଟି କରେ, ଅର୍ଥାତ୍‌ ‘ଏକରୁ ବହୁ ହେବି’-ପୁରୁଷର ଏଇଭଳି ଏକ ବାଞ୍ଛା ଜାତ ହୁଅନ୍ତେ ଏହି ‘Aeon’ ବା ଅହଙ୍କାର କ୍ରମଶଃ ଦଶଟି ବୁଦ୍ଧିରେ ରୂପାନ୍ତରିତ ହୋଇ ଇନ୍ଦ୍ରିୟ ଜଗତ ସୃଷ୍ଟି କରିବାକୁ ସମର୍ଥ ହୁଏ । ନୂତନ ପ୍ଳାଟୋ-ପନ୍ଥୀଙ୍କର ଏହି ସୃଷ୍ଟି ତତ୍ତ୍ୱ କଥା ଆମ ସାଂଖ୍ୟଦର୍ଶନର ଏକ ପ୍ରକାଶମାତ୍ର । ପାର୍ସୀ ଧର୍ମଦର୍ଶନରେ ଏହି ସୃଷ୍ଟିତତ୍ତ୍ୱ କଥା ଅବଧୃତ ବୋଲି ଫିଜ୍‌ରାଲ୍‌ଡ଼ କହନ୍ତି । ଅର୍ଥାତ୍‌ ଭାରତୀୟ ସାଂଖ୍ୟଦର୍ଶନ ଅନ୍ତର୍ଗତ ପୁରୁଷ, ପ୍ରକୃତି ତତ୍ତ୍ୱ ଓ ଇନ୍ଦ୍ରିୟ ଜଗତ ସୃଷ୍ଟି ପ୍ରସଙ୍ଗ ଆଶ୍ଚର୍ଯ୍ୟଜନକ ଭାବରେ ପାରସ୍ୟ ଓ ଗ୍ରୀସ୍‌ଦେଶକୁ ଯାଇଛି । ତାହା ‘ଜାମି’ଙ୍କ ଲିଖିତ ଅନ୍ୟତ୍ର କଥିତ କାବ୍ୟରେ ବିଶେଷ ଭାବରେ ଓ ଓମର କବିତାରେ ଆଭାସ ମାତ୍ରରେ ପ୍ରଦତ୍ତ । ଉଭୟ କାବ୍ୟ ଫିଜରାଲ୍‌ଡଙ୍କ ଦ୍ୱାରା ଅନୁବାଦିତ ଓ ଆବଶ୍ୟକ ସ୍ଥଳେ ପାଶ୍ଚାତ୍ୟ ପାଠକମାନଙ୍କ ପାଇଁ ପ୍ରାଚ୍ୟ ଧର୍ମଦର୍ଶନ ଉପରେ ଟୀକା ଓ ବିଶଦଟୀକା ଯୁକ୍ତ ।

 

ଫିଜ୍‌ରାଲଡ଼ ସାହେବ ନଅଗୋଟି ଆକାଶ ମଣ୍ଡଳ କଥା ଓ ଗ୍ରହଗଣଙ୍କର ସ୍ୱ-ଗୃହ ଓ ସଞ୍ଚାର ଗୃହ କଥା ପାର୍ସୀ ସାହିତ୍ୟରେ ଥିବା ଉଲ୍ଲେଖ କରନ୍ତି । ଭାରତୀୟ ଜ୍ୟୋତିଷ ଗ୍ରନ୍ଥରେ ନବଗ୍ରହ ଓ ଆକାଶମଣ୍ଡଳରେ ସେମାନଙ୍କର ସ୍ୱ-ଗୃହ ଓ ସଞ୍ଚାର ଗୃହ କଥା ଉଲ୍ଲିଖିତ ଏବଂ ତା’ର ସୂକ୍ଷ୍ମ ଗଣନା ଉପରେ ବହୁ ଜ୍ୟୋତିଷ ତଥ୍ୟ ମଧ୍ୟ ପ୍ରକଟିତ । ପାର୍ଥକ୍ୟ ଏତିକି ଯେ ପାର୍ସୀ ଜ୍ୟୋତିଷରେ ସଞ୍ଚାରମଣ୍ଡଳକୁ ଦଶଟି ‘ବୁଦ୍ଧି ମଣ୍ଡଳ’ ବୋଲି କୁହା ହୋଇଥିବା ବେଳେ ଆମ ଜ୍ୟୋତିଷଶାସ୍ତ୍ର ବାରଗୋଟି ସଞ୍ଚାର ଗୃହର ଉଲ୍ଲେଖ କରେ । ପାର୍ସୀ ଜ୍ୟୋତିଷ ଶାସ୍ତ୍ରମତେ ନଦୀ, ଆକାଶମଣ୍ଡଳ ସର୍ବୋପରି ବିରାଜମାନ-ଏହି ଆକାଶମଣ୍ଡଳ ଗ୍ରହମାନଙ୍କର କକ୍ଷର ସୂଚକତା କରେ ଓ ଗ୍ରହଗଣ ଆକାଶମଣ୍ଡଳଗୁଡ଼ିକର ଅଧିଦେବତା । ଏ ବିଷୟଗତ ଆଲୋଚନା ଅଧିକତର ସୂକ୍ଷ୍ମତା ଓ ବିଷଦତାର ସହ ଫିଜରାଲଡ଼ କରିଛନ୍ତି । ଓମର ବୀଜଗଣିତ ଓ ଜ୍ୟୋତିଷତତ୍ତ୍ୱ ଅତି କ୍ଳୁପ୍ତତଃ ଓ ସଂକ୍ଷିପ୍ତତଃ ତାଙ୍କ ରୁବାଇରେ ସ୍ଥଳେ ସ୍ଥଳେ ଦେଇଥିବାରୁ ଫିଜ୍‌ରାଲ୍‌ଡ ‘ଜାମି’ଙ୍କ ଲିଖିତ କାବ୍ୟାଦିରେ ଏହାର ଆଲୋଚନାରେ ପ୍ରବୃତ୍ତ ହୋଇଛନ୍ତି । ଏ ଆଲୋଚନାରୁ ପ୍ରତିପାଦିତ ହୁଏ ଯେ ଭାରତ ଓ ପାରସ୍ୟ ମଧ୍ୟରେ ଏକ ସାଂସ୍କୃତିକ ଓ ବୌଦ୍ଧିକ ବିନିମୟ ହୋଇଛି । ପାରସ୍ୟ ଦେଇ ଆର୍ଯ୍ୟଗଣ ଭାରତଭୂମିରେ ପ୍ରବେଶ କରିଥିବା କାରଣରୁ ଯୁକ୍ତି ସ୍ୱରୂପ ଗ୍ରହଣ କରି କେତେକ ଆଲୋଚକ ମତ ପ୍ରକାଶ କରନ୍ତି ଯେ, ଷଟ୍‌ଦର୍ଶନର ବିଚାରଧାରା ଓ ଗଣିତ ଜ୍ୟୋତିଷ ଚର୍ଚ୍ଚା ଆର୍ଯ୍ୟମାନଙ୍କର ‘କାଶ୍ୟପ’ ହ୍ରଦ ନିକଟରୁ ପାରସ୍ୟ ଦେଇ ଯାତ୍ରା କରିବା କାଳରୁ ସୃଷ୍ଟ । ଏହା କ୍ରମଶଃ ଏକ ମାର୍ଜିତ ରୂପ ଧାରଣ କରିଛି ଭାରତବର୍ଷରେ । ପାହାଡ଼, ନଦୀ ଅତିକ୍ରମ କରି ଭାରତକୁ ପ୍ରବେଶ କରିବା କାଳରେ ଏହି ବେଦାନ୍ତ ଦର୍ଶନ ବା ସାଂଖ୍ୟ ଦର୍ଶନର ଧାରା ବା ଗଣିତ ଜ୍ୟୋତିଷର ବିଚାର ଆର୍ଯ୍ୟମାନେ ପାରସ୍ୟ ଭୂମିରେ ଛାଡ଼ି ଆସିଛନ୍ତି । ତେଣୁ ଭାରତରେ ଏହାର ପରିପୂର୍ଣ୍ଣ ବିକାଶ ସହ ସେଠାରେ ଥିବା ଏ ଗୁଡ଼ିକର ଖଣ୍ଡିତ ବିକାଶ ତୁଳନା କଲେ କିଛି ବୈଷମ୍ୟ ପ୍ରକଟିତ ହେବା ସ୍ୱାଭାବିକ । ଉଭୟ ପାର୍ସୀ ଓ ଭାରତୀୟ ଆର୍ଯ୍ୟ ଉଭୟ ସ୍ଥଳରେ ରହି ଏହି ଦର୍ଶନର ଅଧିକ ବିଶ୍ଳେଷଣ ଓ ଅନୁଶୀଳନ କାଳକ୍ରମେ କରି ଆସିଥିବା ହେତୁ, ଉଭୟଙ୍କ ଚିନ୍ତାଧାରାରେ ଶାଖା ପ୍ରଶାଖା କିଞ୍ଚିତ ଭିନ୍ନ ଭିନ୍ନ ହୋଇ ପ୍ରକଟିତ, ଯଦିଓ ଦର୍ଶନର ମୂଳଗଣ୍ଡିଟି ସମାନ ।

 

ପୁନଶ୍ଚ, ପୃଥିବୀର ସୃଷ୍ଟି ପ୍ରସଙ୍ଗ ବିଷୟରେ ଫିଜ୍‌ରାଲ୍‌ଡ ସାହେବ ‘ପେନ୍ଦ୍ ନାମା’ (ଦେ’ ସାସିଙ୍କ ଅନୁବାଦିତ) ଗ୍ରନ୍ଥର ଉଲ୍ଲେଖ କରି କହନ୍ତି ‘ଗୌ’ ଓ ‘ମାହି’ ଅର୍ଥାତ୍‌ ଗୋ ଓ ମାଛ (Bull & Fish) ପୃଥିବୀର ପ୍ରଥମ ସତ୍ତାଯୁକ୍ତ ପଦାର୍ଥ । ଈଶ୍ୱର ପ୍ରଥମେ ପ୍ରଳୟ ପୟୋଧି ଜଳରେ ପର୍ବତ ସୃଷ୍ଟି କରି କ୍ରମଶଃ ଜଳଭାଗ ଆଡ଼େଇ ଏହାକୁ ଊର୍ଦ୍ଧ୍ୱମୁଖ କଲେ । ଏହି ପର୍ବତ ବା ସ୍ଥଳଭାଗଟିକୁ ଭାସମାନ ଅବସ୍ଥାରେ ‘ଗୌ’ ସହ ସଂଯୁକ୍ତ କଲେ । ଏହି ‘ଗୌ’ କୁ ’ମାହି’ ବା ମାଛ ଉପରେ ରଖିଲେ । ଏହି ‘ମାହି’ ଜଳଭାଗରୁ ଉତ୍‌ଥିତ ହୋଇ ‘ବାୟୁ’ ଉପରେ ରହିଲା । ‘ଅତର’ ନାମକ ଦାର୍ଶନିକ ଏହି ବାୟୁମଣ୍ଡଳ କାହା ଉପରେ ରହିଲା ବୋଲି କହିବାକୁ ଯାଇ କହିଲେ-‘ନାହିଁ ଉପରେ ନାହିଁ ରହିଲା, ସବୁଟା ହିଁ ନାହିଁ ।’ ଏହି ଦାର୍ଶନିକ ବ୍ୟାଖ୍ୟା ଜଗତର ନାସ୍ତିତ୍ୱ ପ୍ରତିପାଦନ କରେ । ଭାରତୀୟ ଦାର୍ଶନିକ ଦୃଷ୍ଟିରୁ ସମସ୍ତ ସୃଷ୍ଟି ସେହିପରି ଆଭାସ ମାତ୍ର ଓ ନାସ୍ତିତ୍ୱର ପରିଚାୟକ । କିନ୍ତୁ ପ୍ରଳୟ ପୟୋଧିଜଳରୁ ସୃଷ୍ଟି ହେବା ପ୍ରସଙ୍ଗ ଆମର ପୁରାଣ ବର୍ଣ୍ଣିତ ସୃଷ୍ଟି ପ୍ରସଙ୍ଗ ସହ ସାମ୍ୟ ପ୍ରଦର୍ଶନ କରେ । ଆର୍ଯ୍ୟମାନେ ପାରସ୍ୟ ଛାଡ଼ି ଭାରତ ଆସିଲା ବେଳକୁ ଏହି ସୃଷ୍ଟି ଉପାଖ୍ୟାନ ଏକ ସ୍ଥିରତର ରୂପ ନେଇ ସାରିଲାଣି । ଏ ବିଷୟରେ କାରଣାର୍ଣ୍ଣବଶାୟୀ ନାରାୟଣଙ୍କ ନାଭିରୁ ପଦ୍ମ, ପଦ୍ମୋପରି ବ୍ରହ୍ମା ଓ ତାଙ୍କ ସୃଷ୍ଟିକ୍ରିୟା ଅନୁଧ୍ୟାନଯୋଗ୍ୟ ।

 

ଆମର ପୌରାଣିକ ମତରେ ଈଶ୍ୱର କାଳପୁରୁଷ (Time Personified) ସୃଷ୍ଟି କରିବା ଓ ଦେହର ମଳକୁଟିରୁ ଆୟତନଯୁକ୍ତ ଭୂଖଣ୍ଡ (Space) ସୃଷ୍ଟି କରିବା କଥାଟିକୁ ମିଳାଇ ଦେଖା ଯାଇପାରେ । ‘ଗୌ’କୁ ପାରସ୍ୟ ଦେଶରେ ଏହି ପ୍ରଥମ space ବୋଲି କୁହାଯାଉଥିବାର ଅନୁମାନ କରାଯାଏ । ଫିଜରାଲଡ଼ଙ୍କ ‘ଗୌ’ ଶବ୍ଦକୁ ସଂସ୍କୃତ ‘ଗୋ’ ବା ପୃଥିବୀର ବାଚକ ଶବ୍ଦ ରୂପେ ଓ ‘ମାହି’ ବା ମାଛକୁ ଆମର ମତ୍ସ୍ୟାବତାର ପ୍ରସଙ୍ଗରେ ମିଳାଇ ଅର୍ଥ କରାଯାଇ ପାରେ ।

 

ଯାହାହେଉ, ଭାରତୀୟ ଧର୍ମ ଓ ପୁରାଣ ତଥା ଦର୍ଶନର ଧାରା ପାରସ୍ୟ ଦେଶରେ ଏକାଦଶରୁ ଦ୍ୱାଦଶ ଶତାବ୍ଦୀର ଚଉଠ ଅଂଶ ପର୍ଯ୍ୟନ୍ତ ବେଶ୍‌ ପ୍ରଚଳିତ । ଏହା ଓମ୍‌ରଙ୍କ କାଳ । ସେ ଏଥିରୁ ପ୍ରେରଣା ପାଇ ନିଜର ଧର୍ମ ଦର୍ଶନ ସ୍ଥିର କରିଛନ୍ତି । ତାଙ୍କର ଏହି ଦର୍ଶନ ଓ ଗଣିତ ଜ୍ୟୋତିଷ ଜ୍ଞାନ ଭାରତୀୟ ଦର୍ଶନ ଓ ଗଣିତ ଜ୍ୟୋତିଷର ପ୍ରଭାବ ବୋଲି କହି ହେବ ବା ହଜାର ହଜାର ବର୍ଷ ତଳେ ପାରସ୍ୟ ଭୂଇଁରେ ଛାଡ଼ି ଆସିଥିବା ଆର୍ଯ୍ୟ ଦର୍ଶନ ଓ ଗଣିତ ଜ୍ୟୋତିଷ ଚର୍ଚ୍ଚାର ରୂପ ବୋଲି କହି ହେବ ।

 

ତେବେ, ବର୍ତ୍ତମାନକାଳ-ସର୍ବସ୍ୱ ହୋଇ ପାର୍ଥିବବସ୍ତୁ ଆସକ୍ତ ଓ ସୁରାସାକୀ ପ୍ରମୋଦିତ ହୋଇ ରହିବା ପ୍ରସଙ୍ଗ ବା ଭାଗ୍ୟବାଦୀ ହୋଇ ଈଶ୍ୱରଙ୍କୁ ଏପିକିଉରସ୍‌ଙ୍କ ଦୃଷ୍ଟିରେ ଦେଖିବା କଥା ଓମର କବିତାରେ ଯାହା ଦେଖାଯାଏ, ତାହା ଅଭାରତୀୟ ଓ ଆର୍ଯ୍ୟପରମ୍ପରା ବିରୁଦ୍ଧ ବୋଲି ବା ଭାରତୀୟ ଦାର୍ଶନିକ ଦୃଷ୍ଟିଭଙ୍ଗୀର ବିରୋଧୀ ବୋଲି ମନେ ହୋଇ ପାରେ । କିନ୍ତୁ ଭାରତରେ ଚାର୍ବାକପନ୍ଥୀ ନାସ୍ତିକମାନଙ୍କ ଭଳି ସମ୍ପ୍ରଦାୟମାନେ ପରବର୍ତ୍ତୀ ତନ୍ତ୍ରଯୁଗ ପର୍ଯ୍ୟନ୍ତ ରହିଥିବାର ଆମ୍ଭେମାନେ ଦେଖୁ । ପାରସ୍ୟ ଦେଶରେ ସୁଫୀସମ୍ପ୍ରଦାୟ ନାସ୍ତିକ ନ ହେଲେ ହେଁ ଭଗବତ୍‌ ତନ୍ମୟତ୍ତା ନିମିତ୍ତ ମୈରେୟ ମଦ୍ୟର ଏକ ମହମ୍ମଦୀୟ ପରିହାର୍ଯ୍ୟତା ଅନୁଭବ କରି ନାହାନ୍ତି ।

 

ଏହି ସୁଫୀମାନେ ଆନୁଷ୍ଠାନିକ ଧର୍ମାଚରଣକୁ ସର୍ବାନ୍ତକରଣରେ ମଧ୍ୟ ଗ୍ରହଣ କରିନାହାନ୍ତି-। ତେଣୁ ଉତ୍କଟ ମହମ୍ମଦୀୟ ଆଚାରବାଦୀମାନେ ଏହି ସୁଫୀମାନଙ୍କୁ ସ୍ୱ-ଅନୁଷ୍ଠାନଭୁକ୍ତ କରିବାରେ ପରାଙ୍‍ମୁଖ । ସୁଫୀମାନେ ମଧ୍ୟ ସେମାନଙ୍କ କବଳରୁ ନିଜକୁ ମୁକ୍ତ ରଖିବାକୁ ନିଜକୁ ରହସ୍ୟବାଦୀ କରି ତୋଳିଲେ ।

 

ତେବେ ଚାର୍ବାକ, ଏପିକିଉରସ୍‌, ସୁଫୀ-ଯାହା କୁହ, ସେମାନେ ଏକ ଏକ ସଂପ୍ରଦାୟ । ଏମାନଙ୍କୁ ଏକାବେଳେକେ ନାସ୍ତିକ ବୋଲି କହିହେବ ନାହିଁ ମଧ୍ୟ । ତାହାହେଲେ ବୁଦ୍ଧଦେବଙ୍କୁ ମଧ୍ୟ ନାସ୍ତିକ କହିହେବ । ଏମାନେ ବରଂ ଭଗବାନ୍‌ଙ୍କ ଅସ୍ତିତ୍ୱ ବା ଅନସ୍ଥିତ୍ୱରେ ବାନ୍ଧିହୋଇ ନ ଯାଇ ନିଜର ଏକ ସ୍ୱତନ୍ତ୍ର ଅସ୍ତିତ୍ୱବାଦ ଦର୍ଶନ ପ୍ରଚାର କରୁଥିଲେ । ଏ ସମସ୍ତ ପରିପ୍ରେକ୍ଷୀରେ ସୁରାସାକୀ ପ୍ରମତ୍ତ ଦାର୍ଶନିକ ଦୃଷ୍ଟିକୁ ଅଭାରତୀୟ କହିହେବ ନାହିଁ । ବରଂ ୧୦ମ-୧୧ଶ ଶତାବ୍ଦୀରୁ ଏକ ରହସ୍ୟବାଦିତା ପୃଥିବୀର ଧର୍ମଦର୍ଶନ ଓ ସାହିତ୍ୟକୁ ଯେ ଆଚ୍ଛନ୍ନ କରିଛି, ତାହା ଜାଣି ଆମେ ସୁରାସାକୀ ପ୍ରସଙ୍ଗକୁ ଅଭାରତୀୟ ନ କହି ଭାରତରେ ତତ୍‌କାଳ ପ୍ରଚଳିତ ତନ୍ତ୍ରୋକ୍ତ ଅର୍ଥରେ ତାହା ଗ୍ରହଣ କରିବା । ନିଜେ ଫିଜ୍‌ରାଲ୍‌ଡ଼ ତାଙ୍କର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ଦୃଷ୍ଟିକୁ ମସିୟେଁ ନିକୋଲାସଙ୍କ ଏକ ଫରାସୀ ସଂସ୍କରଣ ଆସିଛି । ସେଥିରେ ୪୬୪ ସଂଖ୍ୟକ ରୁବାଇ ସ୍ଥାନ ପାଇଛି । ନିକୋଲାସ ଓମର୍‌ଙ୍କୁ ଆଦୌ ଏପିକିଉରୀୟ ଦୃଷ୍ଟି ଭଙ୍ଗୀରେ ନ ଦେଖି ତାଙ୍କର ସୁରାସାକୀ ଦର୍ଶନର ଏକ ପାରମାର୍ଥିକ ରହସ୍ୟଯୁକ୍ତ ଅର୍ଥ ଦେଇଛନ୍ତି । ଫିଲରାଲ୍‌ଡ଼ କିନ୍ତୁ ସୁରାସାକୀଯୁକ୍ତ ବର୍ତ୍ତମାନ-ସର୍ବସ୍ୱତା ଯାହାକି ଚାର୍ବାକ୍‌ ଓ ଏପିକିଉରୀୟ ଦୃଷ୍ଟି କୋଣର ପରିଚାୟକ ତାକୁ ସମର୍ଥନ କରିଛନ୍ତି; କିନ୍ତୁ ଏହାର ରହସ୍ୟବାଦୀ ଅର୍ଥକୁ ପରିହାର କରି ନାହାନ୍ତି ।

 

ଯେଉଁ ଅର୍ଥରେ ଯିଏ ରୁବାଇଗୁଡ଼ିକର ବିଶ୍ଳେଷଣ କରୁନା କାହିଁକି ଭାରତୀୟ ଦର୍ଶନର ପ୍ରଭାବରୁ ଓମର ବଞ୍ଚିତ ବୋଲି କେହି କହିପାରିବେ ନାହିଁ । ଫିଜରାଲ୍‌ଡ଼ଙ୍କ ଗୃହୀତ ଅର୍ଥ ଭାରତୀୟ ଦର୍ଶନରେ ଯେମିତି ଅଛି ନିକୋଲାସ୍‌ଙ୍କ ଗୃହୀତ ରହସ୍ୟବାଦ ମଧ୍ୟ ସେମିତି ଅଛି । ଉପନିଷଦୀୟ ଭଗବତ୍‌ ଅସ୍ତିତ୍ୱ ଓ ଏକତ୍ୱବାଦ ମଧ୍ୟ ଓମର କବିତାରେ ସୁଦୂର ପରାହତ ନୁହେଁ । ତେଣୁ ଓମର ଭାରତୀୟ ଧର୍ମ ଦର୍ଶନ-ବେଦାନ୍ତ, ସାଂଖ୍ୟ, ଉପନିଷଦୀୟ ଚେତନାସହ ଚାର୍ବାକୀୟ ଦର୍ଶନକୁ ରୁବାଇମାନଙ୍କରେ ପ୍ରତିଷ୍ଠା କରିବା କାରଣରୁ ତାଙ୍କର ମୂଳପୁଞ୍ଜି ଭାରତୀୟ ଆସ୍ତିକ୍ୟବାଦ ଓ ଏକବ୍ରହ୍ମବାଦ ବୋଲି କହିବା ସହିତ ଆମେ ଏହା କହିବା ଯେ ସେ ଚାର୍ବାକଙ୍କ ଶକ୍ତିଶାଳୀ ଯୁକ୍ତିକୁ ସମ୍ମାନ ମଧ୍ୟ ଦେଇଛନ୍ତି । ଭାରତୀୟ ପୁରାଣ, ଇତିହାସକୁ ମଧ୍ୟ ସେ ଯୁଗରେ କବି ‘ଜାମି’ ସମ୍ମାନ କରିଛନ୍ତି । ନିଜେ ଫିଜ୍‌ରାଲଡ଼ ‘ସାଲମନ୍‌ ଓ ଆବାସିଲ’ ଅନୁବାଦ କାଳରେ ରାହୁ, କେତୁ, ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଗ୍ରାସ କରିବା ପ୍ରସଙ୍ଗ ‘ଜାମି’ଙ୍କ କାବ୍ୟରେ ଦେଖିଛନ୍ତି । ତେଣୁ ଓମର ବା ଜାମି, ରୁବାଇ ବା ରୂପକ ଯାହା କିଛି ରଚନା କରନ୍ତୁ ସେଥିରେ ପାରସ୍ୟ ଓ ଭାରତର ଧର୍ମମତର ବହୁ ସାମ୍ୟ ଲକ୍ଷିତ । କବି ଓମର ବିଶେଷତଃ ଭାରତୀୟ ମାର୍କା ବହନ କରିଛନ୍ତି ।

 

ଓମରଙ୍କ ରୁବାଇର ପ୍ରଚାର ତେଣୁ ସବୁ ଭୌଗୋଳିକ ସୀମା ଟପି ଭାରତକୁ ଆଗ ଆସିଛି-। ଗ୍ରନ୍ଥପ୍ରାପ୍ତି, କଲିକତାକୁ କେନ୍ଦ୍ର କରି ତାହାର ପ୍ରଥମ ପ୍ରକାଶ-ପ୍ରକାଶନରେ ସଂସ୍କୃତ ଓ ପାର୍ସୀ ଅଧ୍ୟାପକ କୋଓ୍ୟେଲ୍‌ଙ୍କ ସହ (ପ୍ରେସିଡେନ୍‌ସି କଲେଜର ଇତିହାସ ଓ ପରେ ହିନ୍ଦୁ କଲେଜର ସଂସ୍କୃତ ଅଧ୍ୟାପକ) ଫିଜରାଲ୍‌ଡ଼ଙ୍କ ଯୋଗାଯୋଗ ପ୍ରଭୃତି ଘଟଣାର ଅନୁଶୀଳନ କଲେ ମନେହୁଏ ଯେମିତି ଭାରତ ଦେଶର ଦୁର୍ବାକ୍ଷତ ୟା’ ଉପରେ ପଡ଼ିନଥିଲେ ଓମର ବା ଫିଜରାଲ୍‌ଡ଼ କେହି ବିଶ୍ୱବିଶ୍ରୁତ ହୋଇ ନଥାନ୍ତେ । ଏଡ଼ଓ୍ୟାର୍ଡ଼ ଫିଜରାଲ୍‌ଡ଼ଙ୍କ ଏହି ଓମର ରୁବାଇଗୁଡ଼ିକର ଅନୁବାଦ ମୂଳରେ ଏହି ଭାରତ ଭୂମିର ପ୍ରେରଣା କିପରି ରହିଛି ତାହା ଦର୍ଶାଇବା ।

 

ଫିଜରାଲ୍‌ଡ଼ଙ୍କ ଅନୁବାଦ ମୂଳରେ ରହିଛି ପାର୍ସୀ ଓ ସଂସ୍କୃତ ଭାଷା ବିଶେଷଜ୍ଞ ତାଙ୍କର ବନ୍ଧୁପ୍ରତିମ ପ୍ରଫେସର ଏଡ଼ଓ୍ୟାର୍ଡ଼ ବାଇଲ୍‌ସ ଓ କୋଓ୍ୟେଲ (E. B. Cowell)ଙ୍କ ମହତ୍ୱପୂର୍ଣ୍ଣ ଅବଦାନ । ଫିଜରାଲ୍‌ଡ଼ କେମ୍ବ୍ରିଜ୍‌ର ଛାତ୍ର ଥିଲାବେଳେ ପ୍ରଫେସର କୋଓ୍ୟେଲ ଥିଲେ ଅକସ୍‌ଫୋର୍ଡରେ । ସେ କେମ୍ବ୍ରିଜ୍‌ରୁ ଅକ୍‌ସଫୋର୍ଡ଼ ଯାଇ ତାଙ୍କୁ ସାକ୍ଷାତ୍‌ କରିଥିଲେ ।

 

ପାର୍ସୀ ସାହିତ୍ୟ ପ୍ରତି ତାଙ୍କର ଶ୍ରଦ୍ଧା ଦେଖି ପ୍ରଫେସର କୋୱେଲ୍‌ ତାଙ୍କୁ ପାର୍ସୀ କବି ‘ହାଫିଜ୍‌’ଙ୍କୁ ପାଠ କରିବାକୁ କହିଲେ । ଇଂଲଣ୍ଡର କବି ସତ୍ତମ ଫ୍ରେଡ୍‌ରିକ ଟେନିସନ୍‌ଙ୍କୁ ୧୮୫୩ ମସିହାରେ ଫିଜ୍‌ରାଲ୍‌ଡ଼ ପତ୍ର ଲେଖିଥିଲେ -

 

‘‘I amuse myself with poking out some Persian, which E. Cowell would inaugurate me with, I go on with it because is a point in common with him and enables us a little together.’’

 

ଏଥିରୁ ଜଣାଯାଏ, ପାର୍ସୀ ଓ ସଂସ୍କୃତ ପଣ୍ଡିତ ପ୍ରଫେସର କୋୱେଲଙ୍କ ସହିତ ସେ ଏକାଠି ମିଶି ପାର୍ସୀସାହିତ୍ୟ ଅଧ୍ୟୟନ କରୁଥିଲେ । ଫଳତଃ ୧୮୫୬ ମସିହାରେ ଫିଜରାଲ୍‌ଡ଼ ‘ଜାମି’ଙ୍କ ଲିଖିତ ‘ସାଲମନ୍‌ ଓ ଆବାସିଲ୍‌’ ରୂପକଟିକୁ ଅନୁବାଦ କରିବାକୁ ସମର୍ଥ ହୋଇଥିଲେ । ଏହି ୧୮୫୬ ମସିହାରେ ପ୍ରଫେସର କୋୱେଲ ଭାରତବର୍ଷ ଆସିବା ପୂର୍ବରୁ ଆବିଷ୍କାର କରିଥିଲେ ଓମରଖୈୟାମ୍‌ଙ୍କ ଅମର ରୁବିୟାତ୍‌ ଅକ୍‌ସଫୋର୍ଡର ବୋଦଲିୟାନ୍‌ ପୁସ୍ତକାଗାରରୁ । ଏଥିରେ ୧୫୮ଟି ରୁବାଇ ଥିଲା । ପୁସ୍ତକାଗାରର ଅପ୍ରକାଶିତ ଗ୍ରନ୍ଥମାନଙ୍କର ଅଳିଆଗଦାରେ ଏହା ବିନା ସୂଚୀରେ ପଡ଼ି ରହିଥିଲା । ଏହା ୧୪୬୦ ମସିହାରୁ ୧୪୬୧ ମଧ୍ୟରେ କେଉଁ ଅଖ୍ୟାତ ଲିଖିନକାରର ହସ୍ତାଙ୍କିତ ଥିଲା । ଓମରଙ୍କ ମୃତ୍ୟୁର ୩୩୮ ବର୍ଷ ପରେ ଏହା ଲେଖା ଯାଇଥିଲା । ଏହି ଗ୍ରନ୍ଥ ଖଣ୍ଡିତ ଫିଜରାଲ୍‌ଙ୍କ ହାତରେ ଦେଇ ପ୍ରଫେସର କୋୱେଲ କଲିକତା ଆସିଲେ ପ୍ରେସିଡେନ୍‌ସି କଲେଜର ଇତିହାସ ଅଧ୍ୟାପକ ହୋଇ । ବିଲାତରୁ ଫିଜରାଲ୍‌ଡ଼ ତାଙ୍କୁ ପତ୍ର ଲେଖିଲେ ୧୮୫୭ ମସିହା ଅଧାରେ । ଏଥିସହ ତାଙ୍କ ଅନୁବାଦ ପାଣ୍ଡୁଲିପି ସେ କଲିକତା ପଠାଇ ବନ୍ଧୁଙ୍କୁ ଲେଖିଲେ-

 

‘‘My translation Will interest you from its form, and also in many respects in its detail, very unliteral as it is.’’ ଆହୁରି ମଧ୍ୟ ଲେଖିଥିଲେ ଯେ, ସେ ୭୫ଟି ରୁବାଇ ଅନୁବାଦ କଲେ ମାତ୍ର । କିନ୍ତୁ ପ୍ରକାଶକ ନ ମିଳିବାରୁ ନିଜ ପଇସାରେ ଛପାଇ ଗ୍ରନ୍ଥର ପ୍ରଥମ ସଂସ୍କରଣର ସେ ମାତ୍ର ୨୪୦ ଖଣ୍ଡ କାଢ଼ିଲେ । ଦୁଇବର୍ଷ ଏଥିପାଇଁ ତାଙ୍କୁ ଅପେକ୍ଷା କରିବାକୁ ହୋଇଛି । ଗ୍ରନ୍ଥ ପ୍ରକାଶ ହେଲା ୧୮୫୯ ମସିହାରେ । ଆଜି ଓମରଙ୍କ ରୁବାଇୟାତ୍‌ ସାରା ପୃଥିବୀର ସମସ୍ତ ଭାଷାରେ ପ୍ରକାଶିତ ହୋଇ ଶୋଭନ ସଂସ୍କରଣ ରୂପେ ବିକ୍ରି ହେଲାଣି । କିନ୍ତୁ ୨୪ ପୃଷ୍ଠିଆ ୨୩୭ ଖଣ୍ଡ ବହିରୁ ଅଧିକାଂଶ ଅବିକ୍ରି ଅବସ୍ଥାରେ ପଡ଼ି ରହିଲା । ଏକ ପେନି ଦରରେ ମଧ୍ୟ ତାହା ବିକ୍ରୟ ହୋଇ ପାରିନଥିଲା । ମନ ଦୁଃଖରେ, ବନ୍ଧୁମାନଙ୍କୁ ଦେବାକୁ ଯେଉଁ ୪୦ ଖଣ୍ଡ ବହି ସେ ରଖିଥିଲେ, ସେଥିରୁ ମାତ୍ର ସେ ତିନି ଖଣ୍ଡି ଦେଇ ବାକି ସବୁ ଦୋକାନରେ ଦେଇ ଦେଇଥିଲେ । ତିନି ଖଣ୍ଡରୁ ଖଣ୍ଡେ ପଠେଇଲେ କଲିକତା, ବନ୍ଧୁ କୋୱେଲଙ୍କ ନିକଟକୁ । ଖଣ୍ଡେ ଉପହାର ଦେଲେ ‘ଜର୍ଜ ବରୋ’ଙ୍କୁ ଓ ଆଉଖଣ୍ଡେ ବନ୍ଧୁ ‘ଡୋନି’ଙ୍କୁ । ଆଉ ଉପହାର ଦେଇନାହାନ୍ତି । କାଗଜ ଓଜନରେ ବିକ୍ରି ହେବା ଅସମ୍ମାନରୁ କେବଳ ରକ୍ଷା ପାଇଗଲା ପ୍ରକାଶନ ଖଣ୍ଡିକ । ତାଙ୍କ ସ୍ୱହସ୍ତ ସମ୍ପାଦିତ ୫ମ ସଂସ୍କରଣ ୧୯୨୯ ମସିହାରେ ଦୁଷ୍ପ୍ରାପ୍ୟ ପୁସ୍ତକ ରୂପେ ୮,୦୦୦ ଡଲାର ଓ ୧୪୧୦ ପାଉଣ୍ଡରେ ବିକ୍ରି ହୋଇଥିବା ସ୍ଥଳେ ପ୍ରଥମ ସଂସ୍କରଣର ଅନାଦର ଦେଖି ସେ ବନ୍ଧୁ କୋୱେଲକୁ ଲେଖିଥିଲେ-

 

‘‘I hardly know why I print any of these things, which nobody buys. I suppose, very few people have ever taken such pains in translation as I have. It is a desperate sort of thing’’.

 

ପ୍ରଥମ ଅନୁବାଦିତ ଇଂରାଜୀ ସଂସ୍କରଣ ଭଳି ହୁଏତ ଓମରଙ୍କ ରଚିତ ରୁବାଇଗୁଡ଼ିକ ପାରସ୍ୟ ଦେଶରେ ପ୍ରଥମେ ଆଦୃତ ହୋଇନଥିଲା । କାରଣ ଓମରଙ୍କ ଗ୍ରନ୍ଥ ରଚନାର ୩୩୮ ବର୍ଷ ପରେ ଖଣ୍ଡେ ହାତଲେଖା ଗ୍ରନ୍ଥକୁ କୋୱେଲ ଅଳିଆଗଦାରୁ ୧୮୫୬ ମସିହାରେ ଆବିଷ୍କାର କରି ଫିଜରାଲ୍‌ଡ଼ଙ୍କୁ ଦେଇଥିଲେ । ତାଙ୍କ ନିଜ ଦେଶରେ ଏ ଗ୍ରନ୍ଥ ମିଳିନଥିଲା । କିନ୍ତୁ ଗୁଣୀଗୁଣଗ୍ରାହୀ ଓ ଉଦାର ଆର୍ଯ୍ୟଧର୍ମୀ ଭାରତ ବର୍ଷରେ ଖୋଜା ହେବାର ମାତ୍ର ୧୦ ବର୍ଷ ଭିତରେ ଏହି କବିତା ଗ୍ରନ୍ଥର ୩ ଖଣ୍ଡି ବୃହଦାକାର କପି ହସ୍ତଗତ ହୋଇଥିଲା ଓ ଖଣ୍ଡିଏ ତନ୍ମଧ୍ୟରୁ ୧୮୩୬ ମସିହାରେ ମୁଦ୍ରାଯନ୍ତ୍ରରେ ଛପା ହୋଇଥିଲା ଖୋଦ୍‌ ଭାରତର କଲିକତା ସହରରେ । ଇଣ୍ଡିଆ ହାଉସ୍‌ର ରାଶିକୃତ ପାର୍ସୀ ଗ୍ରନ୍ଥାମାନଙ୍କ ମଧ୍ୟରେ ଓମର ରୁବାଇୟାତ୍‌ ମିଳେନା । ଅଥଚ ପ୍ରଫେସର କୋୱେଲ କଲିକତାର ଏସିଆଟିକ୍‌ ସୋସାଇଟି ଗ୍ରନ୍ଥାଳୟରୁ ଏହାର ଯେଉଁ ପ୍ରତିଲିପିଟି ପାଇଲେ ତାହା ପୃଥିବୀରେ ପ୍ରାପ୍ତ ଓମର ରୁବାଇୟାତମାନଙ୍କ ମଧ୍ୟରେ ସବୁଠାରୁ ବଡ଼ । କାରଣ ଏଥିରେ ୫୧୬ ଗୋଟି ରୁବାଇ ଥିଲା । ତୃତୀୟ ପ୍ରତିଲିପିଟି ଲକ୍ଷ୍ନୌ (ଭାରତ)ରୁ ପ୍ରାପ୍ତ । ଡଃ ସ୍ପ୍ରେଞ୍ଜର ଏହା ଉଦ୍ଧାର କରିଥିଲେ । ଏଥିରେ ରୁବାଇ ସଂଖ୍ୟା ପ୍ରାୟ ୪୦୦ । ୧୮୩୬ ମସିହାର ଏକ ମୁଦ୍ରାଯନ୍ତ୍ରରେ ଛାପା ହୋଇଥିବା ରୁବାଇ କଥା ଯାହା ଆଗରୁ କୁହାଗଲା, ସେଥିରେ ଥିଲା ୪୩୮ ସଂଖ୍ୟକ ରୁବାଇ ଓ ପରିଶିଷ୍ଟରେ ଯୋଡ଼ା ହୋଇଥିଲା ଆହୁରି ୫୪ ଗୋଟି । ଏହା କଲିକତାରୁ ପ୍ରାପ୍ତ ହୋଇଥିଲା । ଭାରତରୁ ଏତେ ସଂଖ୍ୟକ ଓମର ରୁବାଇୟାତ୍‌ ପ୍ରତିଲିପି ପ୍ରାପ୍ତ ହୋଇଥିଲା କେବଳ ହିନ୍ଦୁ କଲେଜର ସଂସ୍କୃତ ପ୍ରଫେସର ପାର୍ସୀ ବିଦ୍ୱାନ୍‌ କୋୱେଲଙ୍କ ଚେଷ୍ଟା ଫଳରେ । ଡଃ କୋୱେଲ ପ୍ରଥମ ଓମର ରୁବାଇ ଗ୍ରନ୍ଥ ଆବିଷ୍କାର କରି ୧୮୫୬ ମସିହାରେ ଫିଜରାଲ୍‌ଡ଼ଙ୍କୁ ଅନୁବାଦବ୍ରତୀ କରି ଆସିଲେ ଇଂଲଣ୍ଡରେ । କିନ୍ତୁ ଗୋଟିଏ ବର୍ଷ ବା ଦୁଇବର୍ଷ ଅପେକ୍ଷା କରିଥିଲେ ହୁଏତ ଫିଜରାଲ୍‌ଡ଼ଙ୍କ ମୂଳ ଓମର ରୁବାଇ ଗ୍ରନ୍ଥ ଭାରତରୁ ଯୋଗାଇ ଦିଆଯାଇଥାନ୍ତା ଓ ୧୧୦ଟି ପରିବର୍ତ୍ତରେ ୫୧୬ରୁବାଇର ଓମର କବିତା ସଂକଳନ (ଅନୁବାଦ) ପୃଥିବୀ ଦେଖିଥା’ନ୍ତା ।

 

ଭାରତ ଉଦାର ଧର୍ମ ଦର୍ଶନର ଭୂମି ଓ ଏଠି ସ୍ୱତନ୍ତ୍ର ମତର ଆଦର ଅଛି । ପୁଣି ପାର୍ସୀ ଭାଷାର ପ୍ରଥମ ଆଦର ଭୂମି ପାରସ୍ୟ ଓ ପୃଥିବୀର ଏହି ଭାଷାର ଦ୍ୱିତୀୟ ଆଦର ଭୂମି ଭାରତ । କିନ୍ତୁ ପାରସ୍ୟ ଦେଶରେ ଇସ୍‌ଲାମୀୟ ସଂକୀର୍ଣ୍ଣତା ଓ ସୁଫୀ ମତ ସହ ଅମେଳନ ହେତୁ ସେ ଦେଶରେ ତା’ର କୌଣସି ସଂସ୍କରଣ ମିଳି ନାହିଁ । ୧୯୫୨ ମସିହାରେ ଯେଉଁ ତେହେରାନ ସଂସ୍କରଣ ମିଳିଛି ବୋଲି ଶୁଣାଯାଏ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ପ୍ରଫେସର ଆର୍ବରୀ ଯାହାର ଇଂରାଜୀ ଅନୁବାଦ କରିଛନ୍ତି ସେଥିରେ ମୂଳ ରୁବାଇ ସଂଖ୍ୟା ୪୬୪ ବୋଲି କୁହାଯାଇଛି । ପ୍ରଫେସର ଆର୍ବରୀ ଏଥିରୁ ଅନୁବାଦ ପାଇଁ ୨୫୨ଟି ଗ୍ରହଣ କରିଥିଲେ । ଖଣ୍ଡିଏ ଓମର ରୁବାଇ ଗ୍ରନ୍ଥ (ମୂଳ ନୁହେଁ ଲିଥୋଗ୍ରାଫ୍‌ ପ୍ରତିଲିପି) ଫରାସୀ ଭାଷାରେ ୧୮୬୮ ମସିହାରେ ନିକୋଲାସ୍‌ଙ୍କ ଦ୍ୱାରା ଅନୁବାଦିତ । ମୂଳଟି ତେହେରାନ୍‌ରୁ ମିଳିଥିଲା । ମନେହୁଏ, ୧୯୫୨ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ସଂସ୍କରଣ ବା ୧୮୬୮ର ଫରାସୀ ସଂସ୍କରଣ ଉଭୟ ଭାରତରୁ ଯାଇଛି । କାରଣ ସଂଖ୍ୟା ଦୃଷ୍ଟିରୁ ଭାରତରେ ପ୍ରାପ୍ତ ରୁବାଇ ପ୍ରତିଲିପିରେ ଥିବା ରୁବାଇ ସଂଖ୍ୟା ସର୍ବାଧିକ ବୋଲି ୧୮୬୮ ସୁଦ୍ଧା ଜଣା ପଡ଼ିଲାଣି ଓ ପ୍ରଫେସର କୋୱେଲ କଲିକତା ଛାଡ଼ି ୧୮୬୮ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସଂସ୍କୃତ ପ୍ରଫେସର ହୋଇ ଚାଲିଗଲେଣି । ପ୍ରଫେସର କୋୱେଲଙ୍କ ଚେଷ୍ଟାରେ ଭାରତରୁ ଓମର ରୁବାଇ ପ୍ରତିଲିପି ସଂଗ୍ରହ କରାଯାଇଥିଲା । ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ଭାରତରୁ ଏହି ରୁବାଇ ଗ୍ରନ୍ଥ ପ୍ରାପ୍ତି ପରେ ଯାଇଥିବାରୁ କେମ୍ବ୍ରିଜ ସଂସ୍କରଣ ବୋଲି ଯେଉଁ ତେହେରାନ୍‌ ମୂଳ କପିକୁ ଧରାଯାଏ, ତାହା ପ୍ରଫେସର କୋୱେଲ ହୁଏତ ଭାରତରୁ ବହନ କରି ନେଇଥିବେ-ତେହେରାନ୍‌ରେ ଏହା ତିଆରି ହୋଇଥିଲେ ବି ମୋଗଲ ଓ ଭାରତୀୟ କୌଣସି ନବାବ୍‌ ସାହିଙ୍କ ଦ୍ୱାରା ଭାରତ ଆସିଛି ଓ ଏଠୁ କୋୱେଲ ତାହା ପାଇ କେମ୍ବ୍ରିଜ ନେଇଛନ୍ତି । ମୋଗଲମାନଙ୍କ ବେଳେ ପାରସ୍ୟର ଅମିର ଓମରାହମାନେ ଭାରତରେ ଖୁବ୍‌ ଭିଡ଼ ଜମାଇଥିଲେ । ପାରସୀ କବି, ସାହିତ୍ୟିକମାନଙ୍କର ଆଦର ବଢ଼ିଥିଲା । ପାର୍ସୀୟାନ୍‌ ସ୍ତପତିମାନଙ୍କର କଦର୍‌ ବଢ଼ିଥିଲା । ସେହି ସୂତ୍ରରେ ତେହେରାନ୍‌ରୁ ଓମରଙ୍କ ରୁବାଇର ପ୍ରତିଲିପି ମୋଗଲ ବାଦଶାହ, ଅମିର, ଓମରାହମାନଙ୍କ ଚିତ୍ତ ବିନୋଦନାର୍ଥେ ଆସି ୧୮୫୭ ସିପାହୀ ବିଦ୍ରୋହରେ ଲାଲକିଲ୍ଲା ଜୁର ହେବା ପରେ ଇଂରେଜମାନଙ୍କ ହାତରେ ପଡ଼ିଛି ଓ କୋୱେଲ ସାହେବ ୧୮୫୬ରୁ ୧୮୬୮ ମସିହା ପର୍ଯ୍ୟନ୍ତ ଭାରତରୁ ଏହି ଗ୍ରନ୍ଥ ସଂଗ୍ରହ କରିବାରେ ସଫଳ ହୋଇ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ସଂସ୍କୃତ ଅଧ୍ୟାପକ ହୋଇ ଯିବା କାଳରେ ନେଇ ଯାଇଥିବା ଆଶା ।

 

ଭାରତରେ ଏହି ଓମର ରୁବାଇର ଲୋକପ୍ରିୟତା ଓ ଆଲୋଚନା ଖୁବ୍‌ ବଢ଼ି ଉଠିଥିଲା । ପ୍ରଫେସର କୋୱେଲ୍‌ ନିଜ ଦେଶରେ ଏହି ପାରସ୍ୟ କବିତା ପୂଜା ନପାଇ ବିଦେଶରେ ପୂଜା ପାଇବା କଥା Calcutta Reviewର ଏକ ଆଲୋଚନାରେ ଲେଖିଛନ୍ତି । ତାଙ୍କର ଖେଦୋକ୍ତି ହେଉଛି- ‘‘Though the Sultan showered favour upon him, OMAR'S epicurean audacity of thought and speech caused him to be regarded askance in his own time and Country.’’ ଏତଦ୍ୱାରା ପ୍ରକାରାନ୍ତରେ ବିଦେଶ ବିଭୂଇଁ ଏହି ଭାରତ ବର୍ଷରେ ଓମର ରୁବାଇର ଲୋକପ୍ରିୟତା ହିଁ ସେ ସନ୍ଦର୍ଶନ କରିଛନ୍ତି ।

 

ପ୍ରଫେସର କୋୱେଲ୍‌ ହିନ୍ଦୁ କଲେଜ ଛାଡ଼ି କେମ୍ବ୍ରିଜ ଗଲା ପରେ ହିଁ ଫିଜ୍‌ରାଲଡ଼ଙ୍କ ଦ୍ୱିତୀୟ ସଂସ୍କରଣ ପ୍ରକାଶିତ-କିନ୍ତୁ ଫିଜ୍‌ରାଲ୍‌ଡ଼ କୌଣସି ନୂତନ ପ୍ରତିଲିପି ଗ୍ରହଣ ନକରି ଅକ୍‌ସଫୋର୍ଡ ପ୍ରତିଲିପି ଉପରେ ତାଙ୍କର ୨ୟ/୩ୟ ସଂସ୍କରଣ ଅନୁବାଦ ଜାରି ରଖିଛନ୍ତି । କିନ୍ତୁ ଭାରତରୁ ପ୍ରାପ୍ତ ବୃହଦାକାର ରୁବାଇୟାତ୍‌କୁ ଧରି କୋୱେଲ୍‌ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ଚେଷ୍ଟାରେ ନିକୋଲାସ୍‌ଙ୍କ ଫରାସୀ ଅନୁବାଦର ପୃଷ୍ଠପୋଷକତା କରିଛନ୍ତି । ଫିଜରାଲ୍‌ଡ ତାଙ୍କର ୩ୟ ସଂସ୍କରଣର ଭୂମିକାରେ ଏହି ଫରାସୀ ସଂସ୍କରଣ ରହସ୍ୟବାଦ ପ୍ରାଧାନ୍ୟମୂଳକତାକୁ କଠୋର ସମାଲୋଚନା କରିଛନ୍ତି । ଫରାସୀ ଅନୁବାଦର ରହସ୍ୟବାଦଯୁକ୍ତ ଆସ୍ତିକ୍ୟ ଦୃଷ୍ଟିଭଙ୍ଗୀରେ ଭାରତୀୟ ଅବଦାନ ଅନୁମେୟ । କୋୱେଲ ସାହେବ ‘Calcutta Review’ରେ ଓମର୍‌ଙ୍କ ଉପରେ ଓ ତା’ର ଅନୁବାଦକ ଫିଜରାଲ୍‌ଡଙ୍କ ଉପରେ ପାଣ୍ଡିତ୍ୱପୂର୍ଣ୍ଣ ନିବନ୍ଧ ଲେଖିବାର ଏକ କାରଣ ଯାହା ଉଲ୍ଲେଖ କରିଛନ୍ତି, ତାହା ତାଙ୍କର ବେଦନାବିଦ୍ଧ ସ୍ପର୍ଶକାତର ପ୍ରାଣର ପରିଚୟ ଦିଏ ।

 

ଓମର ତାଙ୍କ ଶିଷ୍ୟ ‘ଖ୍ୱାଜା ନିଜାମି’ଙ୍କୁ ଦିନେ ପାଖକୁ ଡାକି ଭବିଷ୍ୟତ ବାଣୀ କରିଥିଲେ ଯେ ତାଙ୍କର କବର ଏପରି ଏକ ସ୍ଥାନରେ ତିଆରି ହେବ ଯେଉଁଠି କି ଉତ୍ତରାପବନ ସବୁଦିନେ ଗୋଲାପ ଫୁଲ ବିଞ୍ଚିଦେଇ ଯାଉଥିବ । ଓମରଙ୍କ ମୃତ୍ୟୁର ବହୁଦିନ ପରେ ଖ୍ୱାଜା ନିଜାମି ନୈଶାପୁର ଯାଇ ଗୁରୁଙ୍କ କବର ସ୍ଥାନରେ ପୂଜାଦେଲେ । ବଗିଚା ବାହାରେ ଗୋଟିଏ କାନ୍ଥ କଡ଼ରେ ଓମରଙ୍କ କବର ସ୍ଥାନ । ବଗିଚା କାନ୍ଥର ଉପର ଦେଇ ପୁଷ୍ପଭରା ବୃକ୍ଷରୁ ପୁଷ୍ପ ଝଡ଼ି ତାଙ୍କର କବର ସ୍ଥାନକୁ ଆସ୍ତୁତ କରୁଛି । ଖ୍ୱାଜା ଗୁରୁଙ୍କର ଭବିଷ୍ୟତ ବାଣୀ ସ୍ମରଣ କରି ଚକ୍ଷୁ ଅଶ୍ରୁ ପୂର୍ଣ୍ଣ କଲେ । କୋୱେଲ ସାହେବ ଏହି ବିବରଣୀ ଶୁଣି ଅଭିଭୂତ ହୋଇ ପଡ଼ିଥିଲେ ଓ ଓମରଙ୍କ ସ୍ମୃତିରେ ଦୁଇବିନ୍ଦୁ ଅଶ୍ରୁ ତର୍ପଣ କରି 'Calcutta Review'ରେ ତାଙ୍କ ଉପରେ ଆଲୋଚନାତ୍ମକ ଲେଖା ଲେଖିଥିଲେ । ଏଇ କଥା ଫିଜରାଲ୍‌ଡ ତାଙ୍କ ଅନୁବାଦର ଭୂମିକାରେ କହିଛନ୍ତି । 'Calcutta Review' ପାଠକରି ଫିଲରାଲ୍‌ଡ କୋୱେଲଙ୍କୁ କଲିକତା ଠିକଣାରେ ଲେଖିଥିଲେ-

 

‘‘ଜୁନ୍‌ ଚାଲିଗଲା । ଓମର୍‌ଙ୍କ ଭଳି ହୃଦୟ ସନ୍ତାପ ଭରି ମୁଁ ଦେଖୁଛି

ଗୋଲାପ ଫୁଟୁଛି ଓ ଝରିଯାଇଛି ଯେମିତି ରାଶି ରାଶି ଗୋଲାପ

 

ପାରସ୍ୟରେ ଫୁଟେ ଓ ଝରେ । ମୁଁ ଜେଲେଡ୍‌ ଷ୍ଟୋନ୍‌ରେ ଥିବା ମୋର ଘରର ଖୋଲା

ଝରକା ଦେଇ, ହେ ବନ୍ଧୁ ! ଦେଖୁଛି ତୁମ ଭୂମିଠାରୁ ସବୁଜ ଆହୁରି ଏକ ଭୂମିକୁ ।’’

 

୧୮୮୩ ମସିହା ଜୁନ୍‌୧୪ ତାରିଖ । ଇଂଲଣ୍ଡରେ ବସନ୍ତ ଶେଷ ହେବ । ଫିଜ୍‌ରାଲଡ଼ ଯନ୍ତ୍ରଣା, ରୋଗ ନ ଭୋଗି ଶାନ୍ତିମୟ ଶେଷ ନିଃଶ୍ୱାସ ତ୍ୟାଗ କଲେ ଠିକ୍‌ ତାଙ୍କରି କବିତାର ଭାଷାଭଳି-

 

‘‘Yet Ah, that Spring should Vanish with the Rose !

 

That Youth's Sweet-Scented manuscript should close !

 

The Nightingale that in the branches sang,

 

Ah whence, and whither flown again, who knows ।’’

 

ଠିକ୍‌ ଯେମିତି ଓମରଙ୍କ ସମାଧିରେ ଗୋଲାପ ଫୁଲ ବିଞ୍ଚିହୋଇ ଯାଉଥିବାର ଛବି ଖ୍ୱାଜା ନିଜାମି ଦେଖିଛନ୍ତି ବୋଲି ଫିଜରାଲଡ଼୍‌ ଲେଖିଛନ୍ତି, ତାଙ୍କ ମୃତ୍ୟୁର ବହୁବର୍ଷ ପରେ ଦେଖାଯାଇଥିଲା ଯେ ତାଙ୍କ ସମାଧି ସେମିତି ପୁଷ୍ପାସ୍ତୃତ ହେଉଛି । ଉଇଲିୟମ୍‌ ସିମ୍ପସନ୍‌ ନୈଶା ପୁରସ୍ଥ ଓମର ସମାଧି ସ୍ଥଳରୁ ଗୋଲାପର ଚାରା ଆଣି ଫିଜରାଲ୍‌ଡଙ୍କ ସମାଧିରେ ତାଙ୍କର ପ୍ରଥମ ମୃତ୍ୟୁବାର୍ଷିକୀରେ ରୋପଣ କଲେ । ୧୮୯୩ ମସିହାରେ ତାଙ୍କ ସମାଧିରେ ସେମିତି ଫୁଲ ଝରି ପଡ଼ୁଥିଲା, ଲୋକେ ଦେଖିଛନ୍ତି ଯେମିତି ଖ୍ୱାଜା ନିଜାମି ଓମର ସମାଧିରେ ଦେଖି ଅଭିଭୂତ ହୋଇଥିଲେ ।

 

ଭାରତର ପ୍ରତ୍ୟେକ ଭାଷାରେ ଏକାଧିକ ସଂସ୍କରଣରେ ଭିନ୍ନ ଭିନ୍ନ କବିଙ୍କ ଦ୍ୱାରା ଓମର ଆଜି ଫଜରାଲ୍‌ଡ଼ଙ୍କ ମାଧ୍ୟମରେ ଅନୂଦିତ । ପୃଥିବୀର ଗୋଲାପ ବଗିଚାରେ ଜୀବନର ଗୀତ ଗାଇବାକୁ ତାଙ୍କୁ ଉଡ଼େଇ ଦେଇଛନ୍ତି । ଭାରତବିତ୍‌ ପାର୍ସୀ ଓ ସଂସ୍କୃତ ପଣ୍ଡିତ ଇକବଲ ।

 

ସହାୟକ ଗ୍ରନ୍ଥ ସୂଚୀ

 

1.

Edward Fitzgerald

The man and his works

G.F. Maine

 

2.

Euphranor - A dialogue

on youth –

Edward Fitzgerald

Edited by

G. F. Maine

3.

Salaman & Absil

allegorical poem translated

form Persian

Do

 

4.

Omer Khayam (life) by

Fitzgerald

 

5.

Introduction to Rubaiyats of Omer Khayam

(Collins Sons & Co. Ltd. London)

By Lawrence House-man & Fitzgerald

 

 

 

 

ଉପନିର୍ଦ୍ଦେଶକ

ଶିକ୍ଷା ବିଭାଗ

ଓଡ଼ିଶା

 

***

 

Unknown

ପହରିଆ ସଂସ୍କୃତି, ଭାଷା ଓ ସହିତ୍ୟ

ଶ୍ରୀ ମହେନ୍ଦ୍ର କୁମାର ମିଶ୍ର

 

ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ଓ ତନ୍ମଧ୍ୟରୁ କଳାହାଣ୍ଡି ଏକ ଆଦିବାସୀ ବହୁଳ ଜିଲ୍ଲା । କଳାହାଣ୍ଡି ଜିଲ୍ଲାର ପଶ୍ଚିମ ସୀମାନ୍ତରେ ଥିବା କାଠଫାର-ପୁରୁବାଦୀ ପର୍ବତମାଳାର ଭୌଗୋଳିକ ସ୍ଥିତ ନୂଆପଡ଼ା ସବ୍‌ଡ଼ିଭିଜନକୁ ଓଡ଼ିଶା ମଧ୍ୟପ୍ରଦେଶ ସୀମା ରୂପେ ବିଚ୍ଛିନ୍ନ କରିଅଛି । ଏହି ପର୍ବତମାଳା ଅଦ୍ୟାପି ନିଘଞ୍ଚ ଜଙ୍ଗଲ ବେଷ୍ଟିତ ତଥା ଦୁରଧ୍ୱଗମ୍ୟ ହେତୁ ଏହି ପର୍ବତ ଶ୍ରେଣୀର ପାଦ ଦେଶରେ ଅବସ୍ଥିତ ଆଦିବାସୀ ଗୋଷ୍ଠୀମାନଙ୍କର ଜୀବନଯାପନ ପ୍ରଣାଳୀ ପରମ୍ପରା କ୍ରମେ ଯଥାସର୍ବସ୍ୱ ହୋଇ ରହିଅଛି । ମାରାଗୁଡ଼ା ଉପତ୍ୟକା ଠାରୁ ଆରମ୍ଭ କରି ସୁନାବେଡ଼ା ଉପତ୍ୟକା, ଘଟଦରା ଉପତ୍ୟକା ତଥା ନଙ୍ଗଲବୋଡ଼ ଅଞ୍ଚଳ (ପ୍ରାୟ ଏକଶତ କିଲୋମିଟରବ୍ୟାପୀ କାଠଫାର-ପୁରୁବାଦୀ ପର୍ବତମାଳା ଓ ଅରଣ୍ୟ ଅଞ୍ଚଳର) କୋଳରେ ଯେଉଁ ଆଦୀବାସୀମାନେ ରହି ଆସୁଛନ୍ତି ସେମାନେ ଭୁଞ୍ଜିଆ, ପହରିଆ (କମାର), ଗଣ୍ଡ, ଦଳ, ସଉରା ପ୍ରମୁଖ ଛବିଶଟି ଆଦିବାସୀ ଗୋଷ୍ଠୀ ଅଟନ୍ତି । ଏହି ଗୋଷ୍ଠୀମାନଙ୍କ ମଧ୍ୟରୁ ‘ପହରିଆ’ ବା ଆଞ୍ଚଳିକ ଭାଷାରେ ‘କମାର’ ନାମରେ ଏକ ଆଦିବାସୀ ଗୋଷ୍ଠୀଙ୍କର ଚଳଣି ତଥା ସେମାନଙ୍କର ଭାଷା ଓ ସାହିତ୍ୟ ସମ୍ପର୍କରେ କିୟତ୍‌ ଆଲୋକପାତ କରିବା ଏହି ପ୍ରବନ୍ଧର ଉଦ୍ଦେଶ୍ୟ । ଏହି ଗୋଷ୍ଠୀଙ୍କୁ ଏ ଅଞ୍ଚଳରେ ‘କମାର’ କହନ୍ତି; ତେଣୁ ପାଠକ ଲୌହକାର ‘କମାର’ ରୂପେ ପହରିଆମାନଙ୍କୁ ମନେ କରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଏହି ପହରିଆ ବା କମାର ଗୋଷ୍ଠୀ ଓଡ଼ିଶାର ଅନ୍ୟତ୍ର ଦେଖାଯା’ନ୍ତି ନାହିଁ; କେବଳ କଳାହାଣ୍ଡି ଜିଲ୍ଲାର ନୂଆପଡ଼ା ସବ୍‌ଡ଼ିଭିଜନ ଅନ୍ତର୍ଗତ ପଶ୍ଚିମ ପର୍ବତମାଳା ଅଞ୍ଚଳରେ ହିଁ ଦେଖାଯାନ୍ତି । ଏମାନଙ୍କ ଲୋକସଂଖ୍ୟା ପ୍ରାୟ ଦୁଇହଜାର ହେବ । ଇତିହାସ ପୃଷ୍ଠାରୁ ଏମାନଙ୍କ ସମ୍ବନ୍ଧରେ କିଛି ଜଣାପଡ଼ି ନାହିଁ । ଗବେଷକ ଫଣୀନ୍ଦମ ଦେଓ ଏମାନଙ୍କ ସମ୍ପର୍କରେ କହନ୍ତି- Like the Bhunjias there was no references to Paharia in the ancient and mediaval literature. It is again in the British records that for the first time we come across the 'Kamar' (Paharia) । (1) ଏହି ପହରିଆମାନେ ଅଶିକ୍ଷିତ ଥିବା ହେତୁ ସରକାରଙ୍କ ନିକଟରେ ସେମାନେ ନିଜକୁ ତଫସିଲଭୁକ୍ତ ଉପଜାତି (scheduled Tribes) ରୂପେ ତାଲିକାଭୁକ୍ତ କରିବା ପାଇଁ ପ୍ରୟାସ କରି ନାହାନ୍ତି ଯଦିଓ ଏମାନେ ମଧ୍ୟପ୍ରଦେଶରେ ଆଦିବାସୀ ରୂପେ ପରିଚିତ ।

 

ଏହି ଗୋଷ୍ଠୀର ଜୀବନ ଯାପନ ପ୍ରଣାଳୀ ତଥା ଆର୍ଥିକ ଓ ସାମାଜିକ ସ୍ଥିତିକୁ ଉପଜୀବ୍ୟ କରି ହିଁ ଏମାନଙ୍କ ମାନସିକ ଭିତ୍ତିରେ ଆମୋଦ ପ୍ରମୋଦରୂପୀ ଇମାରତ ଛିଡ଼ା ହୋଇଅଛି । ଏହା ସେମାନଙ୍କ କବିତା ଆଲୋଚନା କଲେ ଉପଲବ୍‌ଧ ହେବ । କାରଣ ସେମାନଙ୍କ ଜୀବିକା ସହିତ ସେମାନଙ୍କ ଚୈତ୍ତିକ ବିକାଶ ପହରିଆ କବିତାରେ ନିର୍ଜିତ ହୋଇଅଛି ।

 

ଏକ ବିଶୁଦ୍ଧ ଆଦିବାସୀ ତଥା ଭୂମିପୁତ୍ର ରୂପେ ସେମାନେ ନିଜକୁ ଏହି ଅଞ୍ଚଳର autochthones ବୋଲି ଦାବୀ କରନ୍ତି । ତେଣୁ ସେମାନଙ୍କର ସଂସ୍କୃତିର ଓ ଗୋଷ୍ଠୀଗତ ଶୃଙ୍ଖଳା ତଥା ନିୟମ କଡ଼ାକଡ଼ି ଭାବରେ ପାଳିତ ହୁଏ । ଏମାନେ ଏକତ୍ର ଗୋଷ୍ଠୀବଦ୍ଧ ହୋଇ ପାହାଡ଼ ତଳେ ଜଙ୍ଗଲ ଭିତରେ ରହିବାକୁ ପସନ୍ଦ କରନ୍ତି । ଅନ୍ୟ କୌଣସି ଜାତିର ବସତି ନିକଟରେ ଏମାନେ ରହିବାକୁ ମୋଟେ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଗୋଟିଏ ଦଳ ବା ଗୋଷ୍ଠୀରେ ପାଞ୍ଚ ଛଅଟି କିମ୍ବା ୧୦।୧୫ଟି ପହରିଆ ପରିବାର ରହନ୍ତି । ଚଳଣି ଦୃଷ୍ଟିରୁ ଏମାନେ ସମ୍ପୂର୍ଣ୍ଣ ରକ୍ଷଣଶୀଳ । ଗ୍ରାମର ମୁଖିଆ, ଦିହାରୀ, ଝାଙ୍କର ପ୍ରଭୃତି ପୁରୁଷାନୁକ୍ରମେ ନିର୍ବାଚିତ ହୋଇଥାନ୍ତି । ଚାଳ ବାଉଁଶ, ନଡ଼ା, ଖପରଲି ଘର ଏମାନଙ୍କର ବାସଗୃହ । ଦେବା-ଦେବୀ-ପୂଜା ପାଇଁ ତଥା ରୋଷେଇ ପାଇଁ ଏମାନଙ୍କର ସ୍ୱତନ୍ତ୍ର ଘର ଥାଏ । ସ୍ତ୍ରୀର ମାସିକ ଋତୁ ହେଲେ ଦଶଦିନ ପର୍ଯ୍ୟନ୍ତ ରୋଷେଇ ଘରେ କିମ୍ବା ଦେବତା ଘରକୁ ସେହି ନାରୀକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଏ ନାହିଁ । ଏଣୁ ସେ ସ୍ୱତନ୍ତ୍ର ଘରେ ରହେ । କୌଣସି ନାରୀ ଗର୍ଭବତୀ ହେଲେ ସେ ପ୍ରସୂତୀ ହେବା ପୂର୍ବରୁ ତାହା ପାଇଁ ଏକ ସ୍ୱତନ୍ତ୍ର ଗୃହ ନିର୍ମାଣ କରାଯାଏ ଓ ସେହି ଗୃହରେ ସେ ପ୍ରସୂତି ହୁଏ-। ପ୍ରସୂତିକୁ ପ୍ରାୟ ଦୁଇ ମାସ ସେହି ସ୍ୱତନ୍ତ୍ର ଘରେ ରହିବାକୁ ପଡ଼ିଥାଏ । ଶିଶୁର ନାମକରଣ ଗୃହଦେବତା ପାଖରେ ହୋଇଥାଏ । ଶିଶୁର ବଂଶର ପୂର୍ବପୁରୁଷ କୌଣସି ମୃତବ୍ୟକ୍ତିର ‘ଡୁମା’ (soul) ସେହି ଶିଶୁଟି ଦେହରେ ଅବତରଣ କରିଛି ଓ ଜନ୍ମ ହୋଇଛି ବୋଲି ଏମାନଙ୍କ ବିଶ୍ୱାସ । ଶିଶୁର ନାମକରଣ ପ୍ରକୃତି, ଅବସ୍ଥା, ପରିସ୍ଥିତି ଅନୁସାରେ ହୋଇଥାଏ । ଯଥା : ଆଷାଢ଼ ମାସରେ ଜନ୍ମିଲେ ଆଷାଢ଼ୁ, ସୋମବାର ଦିନ ଜନ୍ମିଲେ ସୋମବାରୁ ଇତ୍ୟାଦି ।

 

ପହରିଆ ଗୋଷ୍ଠୀର ଦୁଇଟି ବର୍ଗ ଯଥା : ସଭରି ଓ ନେତାମ । ଗୋଟିଏ ବର୍ଗର ଝିଅ ଓ ପୁଅଙ୍କର ମଧ୍ୟରେ ବିବାହ ହୋଇ ପାରେ ନାହିଁ । ଏମାନଙ୍କର ବାଲ୍ୟ ବିବାହ ପ୍ରଥା ନାହିଁ । ରୀତି-ସମ୍ମତ ବିବାହ, ପ୍ରେମ (ଉଦୁଲିଆ) ବିବାହ, ଘିଚା ବିବାହ, ବିଧବା ବିବାହ, ପଇସା ମୁଡ଼ି (ପୁଅ ପାଇଁ ଝିଅ ପଳାଇବା) ଆଦି ବିବାହ ଏହି ସମ୍ପ୍ରଦାୟରେ ପ୍ରଚଳିତ ଅଛି । ବିଧି- ସମ୍ମତ ବିବାହରେ ବର ପକ୍ଷ କନ୍ୟା ପକ୍ଷକୁ ସମସ୍ତ ସାହାଯ୍ୟ ଦିଏ ଓ ବିବାହ କାର୍ଯ୍ୟ ସମ୍ପାଦନ ହୁଏ । ମାମୁଁର ଝିଅକୁ ବିବାହ କରିବା ଏମାନଙ୍କର ଏକ ପ୍ରକାର ରୀତି-ସମ୍ମତ । ବିବାହ ଉତ୍ସବ ତିନିଦିନ ଧରି ଚାଲେ । ବିବାହରେ ମଦପିଆ, ଭୋଜି ଭାତ ତଥା ନୃତ୍ୟ ଗୀତର ବ୍ୟବସ୍ଥା ଥାଏ । ବିବାହ କାଳୀନ ଶୃଙ୍ଗାରଧର୍ମୀ ଗୀତ ଓ ନୃତ୍ୟ ତଥା ମନୋହାରୀ ବାଦ୍ୟ ହୃଦୟ ଉଲ୍ଲାସକ ହୋଇଥାଏ । କୌଣସି ଗୀତ ପୂର୍ବ ରଚିତ ନୁହେଁ ବରଂ ଏହି ପହରିଆମାନେ ଆଶୁକବି ରୂପେ ସାଙ୍ଗେ ସାଙ୍ଗେ ମନରୁ ଗୀତ ରଚନା କରି ଗାନ କରନ୍ତି । ତେଣୁ ଏମାନଙ୍କର ଲିଖିତ ସାହିତ୍ୟ ନାହିଁ । ଉତ୍ତର-ପ୍ରତ୍ୟୁତ୍ତରମୂଳକ ଗୀତ ଓ ନୃତ୍ୟ ଆବାଳବୃଦ୍ଧ ବନିତା ସମସ୍ତଙ୍କ ଦ୍ୱାରା ରାତି ସାରା ଚାଲେ । ଗୀତ ଗାୟକ ଓ ରଚକମାନଙ୍କୁ ଗୀତକୋଡ଼ିଆ କୁହାଯାଏ । ଏମାନେ ପହରିଆ ସମାଜ ଦ୍ୱାରା ବହୁ ସମ୍ମାନିତ ହୋଇଥାନ୍ତି ।

 

ଏହି ଗୋଷ୍ଠୀର କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ମୃତ୍ୟୁ ଦିନଠାରୁ ୫ମୀ ଦିନରେ ‘ଡିବି’ ବା ତେଲ କ୍ରିୟା ହୁଏ । ଦଶମ ଦିନରେ ‘ଦଶାହ କ୍ରିୟା’ ହୁଏ । ଦଶାହ ଦିନ ମୃତବ୍ୟକ୍ତିର ‘ଜୀ’ (Soul) ବା ଡୁମାକୁ ଅଣା ହୋଇ ଘରେ ରଖାହୁଏ । ଏହି ‘ଜୀ’ ବା (Soul) ଆତ୍ମାକୁ ସମ୍ମାନ ଦେବା ପାଇଁ କୁକୁଡ଼ା, ଛାଗ, ମଦ୍ୟ ଆଦି ଦେବତା ପାଖରେ ଦେଇ ସମାଜରେ ଭୋଜି ଦିଆହୁଏ । ଆତ୍ମାର ମରଣୋତ୍ତର ସ୍ଥିତି ଓ ପୁନର୍ଜନ୍ମ ବିଶ୍ୱାସ ଏହି ସମ୍ପ୍ରଦାୟରେ ଅଛି ବୋଲି ଏହି ପ୍ରକ୍ରିୟାରୁ ଜଣାଯାଇଥାଏ ।

 

ପହରିଆମାନେ ବିଭିନ୍ନ ଦେବାଦେବୀ ପୂଜା କରନ୍ତି । ଏମାନଙ୍କର ପ୍ରଧାନ ଦେବୀ ‘ପାହାର ଭଣାର’ ଚାର ଚୌରାଶୀ, ପାହାର୍‌ ପହରେନ୍‌, ଗୋପାଗଛିଏନ୍‌, ଗଢ଼ିଏନ୍‌ ଦେବୀ ଓ ଭୀମା ଦେବତା । ଭୀମା ଦେବତା ୧୨ ଭାଇ ଓ ବଡ଼ ଭୀମାର ନାମ ମଣ୍ଡଳ ଭୀମା । ଏହା ଛଡ଼ା ୧୬ ଗଙ୍ଗାଦି ଭଉଣୀ ବି ପୂଜିତା ହୁଅନ୍ତି । ପୃଥିବୀର ସବୁ ପାହାଡ଼ ଗୋଟିଏ ଗୋଟିଏ ଦେବୀ ଓ ଦେବତା ଅଟନ୍ତି ବୋଲି ଏମାନଙ୍କର ବିଶ୍ୱାସ ଏମାନଙ୍କର ଗ୍ରାମରେ କୌଣସି ‘ଦେବତା ଗୁଡ଼ି’ (ଦେବତା ମନ୍ଦିର) ନ ଥାଏ । ଗ୍ରାମ ନିକଟବର୍ତ୍ତୀ ପାହାଡ଼ରେ ଏମାନଙ୍କର ‘ଦେବତା ଗୁଡ଼ି’ ରହିଥାଏ । ବର୍ଷକୁ ବର୍ଷ ବିଭିନ୍ନ ପୂଜା ଯଥା : ଶେମି ଯାତ୍‌ରା, ଆମ୍‌ଯାତରା, ନୂଆଖାଇ, ଚାଉଲଧୂଆ ପରବ, ପୁଷପୁନି, ଚଇତ୍‌ ଯାତରା ଆଦି ପାଳନ କରିବା ବ୍ୟତୀତ ଭୀମା ଦେବତାଙ୍କର କନ୍ଧେନୀ ଦେବୀ ସହିତ ବାରବର୍ଷରେ ଥରେ ବିବାହ ଉତ୍ସବ ପାଳିତ ହୁଏ । ଭୀମା ବର୍ଷାର ଦେବତା ରୂପେ ପରିଚିତ-। ପୁଣି ପାହାର ପହରେନ୍‌ ଓ ଚାର ଚୌରାଶୀ ଦେବତା ପ୍ରକୃତିରକ୍ଷକ ଦେବତା । ଏହି ଦେବୀ ଦେବତା ପ୍ରସନ୍ନ ଥିଲେ ପ୍ରକୃତି ରକ୍ଷାପାଏ ଓ ପ୍ରକୃତିରୁ ମଣିଷ ଜୀବିକା ଅର୍ଜନ କରି ବଞ୍ଚିବ ବୋଲି ଏମାନଙ୍କର ବିଶ୍ୱାସ । ଏମାନଙ୍କ ଦେବୀ ଦେବତାଙ୍କ ନିକଟରେ ଆବୃତ୍ତି କରୁଥିବା ମନ୍ତ୍ର ଏକାନ୍ତ ଗୋପନୀୟ ତଥା ପ୍ରକାଶ କରିଦେଲେ ସେମାନଙ୍କର କ୍ଷତି ହେବ ବୋଲି ବିଶ୍ୱାସ ଥିବା ହେତୁ ଏହା ସଂଗ୍ରହ ହୋଇ ପାରିନାହିଁ । ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଦେବୀପୂଜା, ଫୁଙ୍କା ଝଡ଼ା, ଗୁଣି ଗାରେଡ଼ି ପ୍ରଭୃତି ପ୍ରଥା ଏମାନଙ୍କ ସମାଜରେ ପ୍ରଚଳିତ ଅଛି ।

 

ପହରିଆମାନେ କାନ୍ଦୁଲ, ଧାନ, ମୁଗ, ବିରି, କାଙ୍ଗୁ, କୋଶଲା, ମାଣ୍ଡିଆ, ମକା, କାଙ୍କଡ଼, ଶିମ୍ବ, ଜହ୍ନା ଆଦି ଚାଷ କରନ୍ତି । ପାହାଡ଼ର ଢାଲୁ ସମତଳ ଅଞ୍ଚଳ ଦେଖି ଏମାନେ ଲଟା ପତ୍ର ହାଣି ପୋଡ଼ୁ ଚାଷ କରନ୍ତି । ପାହାଡ଼ର ପାଦ ଦେଶରେ ସମତଳ ଅଞ୍ଚଳରେ ଧାନ ଚାଷର ସମ୍ଭବ ହୁଏ । ଅନ୍ୟଥା ଏମାନେ ପନିପରିବା ହିଁ ବେଶୀ ଚାଷ କରନ୍ତି । ଚାଷ ଏମାନଙ୍କ ଦ୍ୱାରା ସଫଳ ଭାବେ ହୋଇପାରେନି । ଏଣୁ ଜଙ୍ଗଲଜାତ ଦ୍ରବ୍ୟ ମହୁ, ଚାହାର, କେନ୍ଦୁ, ତିଖୁର (ଜଙ୍ଗଲ ଜାତୀୟ କନ୍ଦମୂଳର ଗୁଣ୍ଡ) ମହୁଲ ଫୁଲ, ମହୁଲ ଫଳ ଟୋଲ ଆଦି ସଂଗ୍ରହ କରିବା ଓ ହାଟରେ ବିକିବା ଏମାନଙ୍କର ଜୀବିକା । ଏହା ଛଡ଼ା ଧନୁଶର ସାହାଯ୍ୟରେ ଠେକୁଆ, ସମ୍ବର ଆଦି ଶିକାର କରନ୍ତି । ମାଛ ବି ଧରନ୍ତି । ଜଙ୍ଗଲରୁ ବାଉଁଶ ହାଣି ବାଉଁଶରେ ପାଛିଆ, ଛେଟ୍‌ନା, ଚୁର୍‌କି, ଭୁର୍‌କି, କୁଲା, ଫେଣ୍ଡରା, ତୁଟି, ଅପା, ଡ଼ଲା, (booket) ଝାପି, (round box) ଖଟା, ମସିଣା ବେଲା, (ବାଉଁଶର ନିର୍ମିତ ରନ୍ଧନ ଉପଯୋଗୀ ଚଟୁ) ଆଦି ତିଆରି କରି ହାଟରେ ବିକ୍ରୟ କରି ଜୀବିକା ଅର୍ଜନ କରନ୍ତି । ଏହା ଛଡ଼ା କେନ୍ଦୁପତ୍ର ସଂଗ୍ରହ, ଶାଳ, ଓ ଶାଗୁଆନ ମଞ୍ଜି ସଂଗ୍ରହ କରି ବିକ୍ରୟ କରନ୍ତି । ବାଉଁଶ ଚାଉଳ ‘ବାଞ୍ଜି’ ସଂଗ୍ରହ କରି ଏମାନେ ଖାଦ୍ୟ ରୂପେ ବ୍ୟବହାର କରନ୍ତି । ଖ୍ରୀ: ୧୮୭୬ ମସିହାରେ V. Ball ନୂଆପଡ଼ା ଅଞ୍ଚଳର ଏହି ପହରିଆ ବା କମାରମାନଙ୍କୁ ଲକ୍ଷ୍ୟକରି ସେମାନଙ୍କର ଜୀବିକା ସଂପର୍କରେ କହିଛନ୍ତି, 'Proceeding along the bed of the vally I came upon the two colonies of a wild race of people called 'Kamar' by their neighbours. They are regular troglodytes in habit, dewelling in caves and existing chiefly on roots & fishes' (2) ତେଣୁ ଏମାନେ ଖାଦ୍ୟ ଉତ୍ପାଦନକାରୀ ରୂପେ ନୁହେଁ ବରଂ ଏବେ ପର୍ଯ୍ୟନ୍ତ ଅଧିକାଂଶ ଖାଦ୍ୟ ସଂଗ୍ରହକାରୀ ସଂପ୍ରଦାୟ ରୂପେ ଚଳି ଆସୁଛନ୍ତି ।

 

ଏମାନଙ୍କର ଜୀବନଯାତ୍ରାରୁ ଜଣାଯାଏ ଯେ, ଏମାନେ ଅତି ସରଳ, ନିରାମୟ ଓ ନିଷ୍କପଟ । ଏମାନଙ୍କ ମନ ଏକଦେଶଦର୍ଶୀ (one dimensional) । ମନକୁ ପାଇଥିଲେ କିମ୍ବା ବୁଝିଥିଲେ ତ ଭଲ ଅନ୍ୟଥା ଏମାନଙ୍କୁ କୌଣସି କଥା ବୁଝାଇବା ଦୁଷ୍କର ଅଟେ । ଏମାନେ ଅତିଥି ପରାୟଣ । ମାତ୍ର ଅତିଥି ସେମାନଙ୍କ ଦୃଷ୍ଟିରେ ସେମାନଙ୍କ ରୁଚି ସମ୍ମତ ଓ ମନ ଅନୁସାରୀ ହେବା ଉଚିତ । ବର୍ତ୍ତମାନ ସୁଦ୍ଧା ପହରିଆମାନେ ସଭ୍ୟ ଶିକ୍ଷିତ ଲୋକଙ୍କୁ ଦେଖିଲେ ସେମାନେ ଏକପ୍ରକାର କୁଣ୍ଠା ଓ ବୀତସ୍ପୃହ ଭାବ ଦେଖାଇଥାନ୍ତି । ପହରିଆ ସ୍ତ୍ରୀଲୋକମାନେ ସାଧାରଣତଃ ସରଳା, ଶୃଙ୍ଗାରପ୍ରିୟା; ବିବାହ, ଯାତ୍ରା, ଉତ୍ସବ ଆଦିରେ ଏମାନେ ଖଗଲା, କାଇଁଚମାଳି, ଚୂଟ୍‌କି, ଦଣ୍ଡି, ଫାଶିଆ ଆଦି ପିନ୍ଧି ସୁଶୋଭିତ ହୋଇଥାନ୍ତି । ପହରିଆ ସ୍ତ୍ରୀମାନଙ୍କ ପ୍ରତି କୌଣସି ଅନ୍ୟଜାତିର ଲୋକ ଦୁର୍ବିନୀତି କିମ୍ବା ଅଶୋଭନୀୟ ଆଚରଣ କଲେ ସେମାନେ କ୍ଷମା ଦିଅନ୍ତି ନାହିଁ-। ବରଂ ସେଠାରେ ପ୍ରାଣହାନି ପର୍ଯ୍ୟନ୍ତ ଘଟିବାର ସମ୍ଭାବନା ଥାଏ । ପୁରୁଷମାନେ କର୍ମଠ । ସେମାନଙ୍କର ନାକ ଚେପ୍‌ଟା ଓ ମୁହଁରେ ନିଶ, ଦାଢ଼ି ଅପେକ୍ଷାକୃତ କମ୍‌ ବାହାରିଥାଏ । ବାଳ କୁଞ୍ଚୁ କୁଞ୍ଚିଆ ଓ ସିଧା-ପୁରୁଷମାନେ ନାରୀମାନଙ୍କ ପ୍ରତି କୌଣସି ଛୋଟ କଥାରେ ସୁଦ୍ଧା ନିଷ୍ଠୁର ଆଚରଣ ଦେଖାଇ ଥାନ୍ତି । ପୁରୁଷମାନେ ଖଟରେ ଶୁଅନ୍ତି ଓ ନାରୀମାନେ ସାରାଜୀବନ ଖଟରେ ଶୁଅନ୍ତି ନାହିଁ-। ସେମାନେ ଭୂମିରେ ଶୟନ କରନ୍ତି । ଆଦିମ ସମାଜ ପ୍ରତି ତଥା ପୂର୍ବ ପୁରୁଷାନୁକ୍ରମେ ଏହି ଗୋଷ୍ଠୀ ପ୍ରଥା ସର୍ବସ୍ୱ ହୋଇଥିବାରୁ ସେମାନଙ୍କ ଚେତନାରେ ଏକ ପ୍ରକାର race memory ସକ୍ରିୟ ଥାଏ । କାରଣ ଆଜିଯାଏଁ ଏମାନେ ସ୍ୱପରଂପରା ଓ ଅବସ୍ଥିତିକୁ ଅକ୍ଷୁର୍ଣ୍ଣ ରଖି ସେମାନଙ୍କର ବିଶୁଦ୍ଧତା ଓ ମୌଳିକ ପ୍ରଥାଗୁଡ଼ିକ ଅବ୍ୟାହତ ରଖିବାରେ ଆଗ୍ରହୀ । ଶିକ୍ଷା ଏମାନଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ।

 

ପହରିଆମାନଙ୍କର ଭାଷା ଅନୁଶୀଳନ କଲେ ଜଣାଯାଏ ଯେ ଏହା ଭାତ୍‌ରୀ, ହାଲ୍‌ବୀ ଓ ଦ୍ରାବିଡ଼ ପ୍ରଭାବିତ ତଥା ଆଞ୍ଚଳିକ ଭାଷାର ରୂପତତ୍ତ୍ୱ ନେଇ ମିଶ୍ରିତ ଏକ ମଧୁର ଉପଭାଷା । ଏ ଭାଷାର ଉଚ୍ଚାରଣଗତ ବୈଶିଷ୍ଟ୍ୟ ସ୍ୱତନ୍ତ୍ର । ତେଣୁ ରୂପତତ୍ତ୍ୱକୁ ନ ଜାଣିଲେ ବୁଝିବା କଷ୍ଟକର । ରୂପତତ୍ତ୍ୱର ସଂପୃର୍ଣ୍ଣ ଅଧ୍ୟୟନ ଏଠାରେ ସମ୍ଭବପର ହେଉ ନଥିବାରୁ ଏ ଭାଷାର ବିଭକ୍ତି ଓ ସ୍ୱରୂପର କିଞ୍ଚିତ୍‌ ଉଦାହରଣ ଦିଆଯାଉଛି :-

 

ବିଭକ୍ତି:

୨ୟା ବିଭକ୍ତି

ମନ୍‌କେ, କେ, ତୋ, ମାକୁ, ମାକେ, ମନ୍‌କେ,

 

୩ୟା ବିଭକ୍ତି

ଦି, ଇଦି, ୟେଦି, ମାନ୍‌, ତନେ

 

୪ର୍ଥୀ ବିଭକ୍ତି

କେ, ମାନ୍‌, ମାନ୍‌କେ

 

୫ମୀ ବିଭକ୍ତି

ଇଦ୍‌, ହୁନ୍‌, ଭନି. ଭନୁ, ହନୁ, ହୁନୋ, ହୁନାଚୋ ଲଗୁନ୍‌

 

୬ଷ୍ଠୀ ବିଭକ୍ତି

ଚୋ, ଚୋଚୋ, ହୁନାଚୋ

 

୭ମୀ ବିଭକ୍ତି

ଏଁ, ନେ, ତନେ, କେ, ଏଁନେ, ଇନେ

 

ସର୍ବନାମ - ମୁଁ, ମଏଁ, ମୋର-ମାଚୋ, ନିଜେ-ଅପନ୍‌ଦି, ଏହାକୁ-ହୁନାକେ, ତାହାକୁ-ହୋନିହାକେ ସେ-ହୁସେ, ଯେ-ଯନ୍‌, ତୁମର-ଚୋନ୍‌ଚୋ, ତୁମେ-ଚୋଚୋ,

 

ଉଚ୍ଚାରଣଗତ ବୈଶିଷ୍ଟ୍ୟ :-ଶବ୍ଦରେ ‘ଳ’ ବର୍ଣ୍ଣର ଲୋପ ।

ଚାଉଳ > ଚାଉ’

ଛେଳି > ଛେଇ

 

ତେତେଲ - (ତେନ୍ତୁଳି) > ତେତେ’

ନ > ଡ ହୋଇଛି ଯଥା - ଜୀବନ > ଜିଉଡ଼ୋ,

ଲ > ଡ ହୋଇଛି ଯଥା - ଉଜ୍ଜଲ > ଉଜୁଡ଼ୋ,

ଟ > ତ ହୋଇଛି ଯଥା - ମାଟି > ମାତି

ର > ଡ ହୋଇଛି ଯଥା - ଘାଗର > ଘାଡ଼ (ମଧ୍ୟ ବର୍ଣ୍ଣଲୋପ)

ଉ > ଅ ହୋଇଛି ଯଥା- ତୁଣ୍ଡ > ଣ୍ଡେ-ତଡ୍‌

ଳ > ଅ ହୋଇଛି ଯଥା -ଡୋଳା > ଡୁଆ (ଅର୍ଥ ଆଖି)

 

ଦ୍ରାବିଡ଼ ଭାଷାର ଡ’ ର’ ଳ’ ର’ ଉଚ୍ଚାରଣ ସ୍ପଷ୍ଟତା ଥିଲାପରି ଏହି ଭାଷାର କଂ, ର, ଳ, ଡ, ତ୍‌ ଆଦିର ମହାପ୍ରାଣ ବର୍ଣ୍ଣର ଉଚ୍ଚାରଣ ସ୍ପଷ୍ଟତା ରହିଛି ।

 

ଓଡ଼ିଆ

ଆଞ୍ଚଳିକ ଭାଷା

ପହରିଆ

ମାଙ୍କଡ଼

ମାକର୍‌

ମାଙ୍କଡ଼

କୁକୁଡ଼ା

କୁକ୍‌ରା

କୁକ୍‌କୁଡ଼ା

ଉଜ୍ଜଳ

ଉଜଲ୍‌

ଉଜୁଡ (ଡ > ଳ)

କଟୁରୀ

କଁଡରି

କଟର

କୁରାଢ଼ୀ

ଟଙ୍ଗିଆ

କୁରାଡ଼

କଙ୍କଡ଼ା

କଁକ୍‌ରା

କାଙ୍କଡ଼ା

 

ଓଡ଼ିଆ ‘ବ’ ଶବ୍ଦଟି ଏହି ଭାଷାରେ ସଂପୂର୍ଣ୍ଣ ଲୋପ ହୋଇ ଉଅ, ବା ‘ଓ୍ୱ’ ଉଚ୍ଚାରଣ ହୁଏ ଯଥା-ବାଟ > ଉଆଟ, ବାଳ > ଉଆଓ, ବିଛା-ଓଁଚୁ, ଆଜି ।

 

ଏହି ପହରିଆମାନଙ୍କର କେତୋଟି ଶବ୍ଦର ତାଲିକା ଦିଆଗଲା । ଏଥିରୁ ସେମାନଙ୍କ ଭାଷାରେ ଅନ୍ୟ ଭାଷାର ପ୍ରଭାବ ତଥା ସେମାନଙ୍କର ଭାଷାର ବୈଶିଷ୍ଟ ଜାଣିହେବ ।

 

ଓଡ଼ିଆ

ଆଞ୍ଚଳିକ ଭାଷା

ପହରିଆ

କଳା

କଲା

ମସିଓ

ମୋଟା

ଭୁସ୍‌କା

ଗାଗର ସୁଦୋ

ଗୋରା

ପଣ୍ଡରା

ପାଣ୍ଡରୁ କାରିଓ

ଉଜ୍ଜ୍ୱଳ

ଉଜଲ

ଉଜୁଡ଼

ସମ୍ବର

ସମର୍‌

ଜୁଆଦ

ମାଙ୍କଡ଼

ମାକର

ମାଙ୍କଡ଼

କଂଚା

କଁଚା

ଅଦଲ

ମକା

ଜହ୍ନା

ଜନ୍ଧର

ପାଚିଲା

ପାଚ୍‌ଲା

ପାକିଅ

ନାକ

ନାକ୍‌

ନାସି

ବେଙ୍ଗ

ବେଙ୍ଗ୍‌

ମେଣ୍ଡକା

କବାଟ

ବେଶ୍‌

ବେଶ୍

ଖୁଣ୍ଟ

ଖୁଟା

ଖଡ଼୍‌ଡ଼ୁ

ମରୁଡ଼ି

ମକାର

ମକାର

ବିଛା

ବେଛୁ

ଓ୍ୱେଚୁଁ

ନିଆଁ

ଯୁଏ

ଆଇଗ୍‌

 

ଏବଂବିଧ ଭାବେ ଭାଷା ବିବିଧତାର ଏକ ମିଶ୍ରିତ ରୂପ ବୋଲି ପହରିଆ ଭାଷାର ସ୍ୱରୂପକୁ ଅନୁଧ୍ୟାନ କରାଯାଇ ପାରେ । ଏମାନଙ୍କ ବ୍ୟବହାରିକ ଅନେକ ଭାଷା ତଥା ରୂପତାତ୍ତ୍ୱିକ ଦୃଷ୍ଟି କୋଣରୁ ଏହା ଆଞ୍ଚଳିକ ଭାଷାର ନିକଟବର୍ତ୍ତୀ । ତୁଳନାତ୍ମକ ଭାଷା, ଉଚ୍ଚାରଣଗତ ବୈଶିଷ୍ଟ୍ୟ ତଥା ଭାଷାଗତ ଅଧ୍ୟୟନରୁ ଏହାର ବିଶେଷ ଗବେଷଣା ହୋଇ ପାରିବ । ଏମାନଙ୍କର ଶବ୍ଦରେ ଚନ୍ଦ୍ରବିନ୍ଦୁର ପ୍ରୟୋଗ, ଅଳ୍ପପ୍ରାଣ ବର୍ଣ୍ଣର ବହୁଳ ବ୍ୟବହାର ବ୍ୟଞ୍ଜନ ବର୍ଣ୍ଣର ସ୍ୱରବର୍ଣ୍ଣରେ ପରିବର୍ତ୍ତିନ, ଅନୁନାସିକ ଉଚ୍ଚାରଣ, ଶବ୍ଦର ଶେଷ ବର୍ଣ୍ଣରେ ଷ୍ଫୋଟଯୁକ୍ତ ଧ୍ୱନିର ବ୍ୟବହାରଯୁକ୍ତ ଭାଷା ଓ କଥା ସହଜରେ ବୁଝି ହୁଏ ନାହିଁ । ଏହି ଭାଷାକୁ ସ୍ଥାନୀୟ ଭାଷାର ଉପଭାଷା କୁହାଯାଇ ପାରେ । କାରଣ ଉପଭାଷା କହିଲେ - a veriety of form of a language peculiar to a district or class specially but not necessarily other than a literary stand form. a peculiar manner of speaking....(20th century chambers dictionary Indian Edition 1964)କୁ ବୁଝାଏ । ତେଣୁ ଏହି ପହରିଆ ଗୋଷ୍ଠୀର ଭାଷାକୁ ଆଞ୍ଚଳିକ ଭାଷା କ୍ଷେତ୍ରର (ସମ୍ବଲପୁରୀ ବା କୋଶଳୀ)ର ଉତ୍ସ ଏକ ଉତ୍ସଭାଷା କୁହାଯାଇ ପାରେ ।

 

ପହରିଆମାନଙ୍କର ସଂଖ୍ୟା ଗଣନାରେ ଦ୍ରାବିଡ଼ ପ୍ରଭାବ ରହିଛି । ଗିଧା, ଶୁଲା, ଅଡ଼ା, ମାନ୍‌, ପୁଟି ଆଦି ଶସ୍ୟ ପରିମାପ ପାଇଁ ତଥା ସଂଖ୍ୟାଗଣନା ପାଇଁ ‘କୋଡ଼ି’ର ବ୍ୟବହାର ସେମାନଙ୍କର ଚଳେ । ଏମାନେ ଟଙ୍କା ପଇସାର ଗଣନା ମୋଟେ ଜାଣନ୍ତି ନାହିଁ । ବର୍ତ୍ତମାନ ସମତଳ ଅଞ୍ଚଳରେ ରହୁଥିବା କେତେକ ଅଳ୍ପସଂଖ୍ୟକ ପହରିଆଙ୍କ ବ୍ୟତୀତ ପାର୍ବତୀୟ ପହରିଆ-ମାନଙ୍କର ଟଙ୍କା ପଇସା ସହିତ ମୋଟେ ସମ୍ପର୍କ ନାହିଁ । କୋଡ଼ିଗଣନା ତାଙ୍କର ଏକ ଗୀତରୁ ଜଣାଯାଏ ।

 

ଏକମ ଦୁକମ ତିକ୍‌କମ ତିଆ

ହାରୁନ୍‌ ଜିଣୁନ୍‌ ଖେଲୁନ୍‌ ଯୁଆ,

ମାମାର କଉଡ଼ି ମାମିକେ ଦିଆ,

ଇସ୍‌ ତିସ୍‌ ଚନା ଠିସ,

ଠୋଠୋଡ଼୍‌ କୋ ଉନେଇଶ୍‌ ବିଶ ।। ୨୦ଟି ଶବ୍ଦ

 

ପହରିଆମାନେ ଏକାନ୍ତ ଭାବେ ଶାନ୍ତିପ୍ରିୟ, ରକ୍ଷଣଶୀଳ, ପରମ୍ପରା ପ୍ରିୟ ଓ ପ୍ରଥାସର୍ବସ୍ୱ । ନିଜ ସଂସ୍କୃତିର ପରିଧି ମଧ୍ୟରେ ଏମାନେ ବିଚରଣଶୀଳ । ଏମାନଙ୍କର ବାହ୍ୟଜଗତ ସହିତ କୌଣସି ସମ୍ବନ୍ଧ ନାହିଁ । ମାତ୍ର ମଣିଷ ପୃଥିବୀର ଯେଉଁ ସ୍ଥାନରେ ଯେପରି ଭାବରେ ରହିଲେ ହେଁ ତା’ର ମୌଳିକ ପ୍ରବୃତ୍ତି ଓ ପ୍ରକାଶ କ୍ରମଟି ସମାନ । ଏହା ସ୍ଥାନ, ରୁଚି, ପରିବେଶ, ଶିକ୍ଷା ଭେଦରେ ଭିନ୍ନ ଭିନ୍ନ ହୋଇଥାଏ ସିନା ଏହାର ମୂଳ ଆବେଦନଟି ଏକ । ଏହି ପରିପ୍ରେକ୍ଷୀରେ ପହରିଆମାନଙ୍କର ଭାବପ୍ରକାଶ ଓ ସେହି ଭାବର ସ୍ୱରୂପ, ସେମନାଙ୍କ ଚିତ୍ତବୃତ୍ତିର ଆତ୍ମପ୍ରକାଶ ତାଙ୍କ ରଚିତ କବିତାମାନଙ୍କରୁ ସ୍ପଷ୍ଟ ଭାବରେ ଉପଲବ୍‌ଧି କରିହୁଏ ।

 

ଆଜି ପର୍ଯ୍ୟନ୍ତ ଏହି ଗୋଷ୍ଠୀ ଖାଦ୍ୟ ସଂଗ୍ରହକାରୀ ଗୋଷ୍ଠୀ ରୂପେ ମୁଖ୍ୟତଃ ଚଳି ଆସୁଥିବାରୁ ଏମାନଙ୍କର ଆର୍ଥିକ ଅବସ୍ଥା ବର୍ଷସାରା ସ୍ୱଚ୍ଛଳ ନୁହେଁ । ହେଲେ ହେଁ ଏମାନଙ୍କର ସୀମିତ ଆୟର ଆଧାରରେ ଜୀବିକା ଅର୍ଜନ ପରି ଏମାନଙ୍କର ଆମୋଦ ପ୍ରମୋଦ ମଧ୍ୟ ପ୍ରଥା ସର୍ବସ୍ୱ ଓ ସୀମିତ । ଏମାନେ କନ୍ଧ, ଭତରା, ପରଜାମାନଙ୍କର ପରି ମାସ ମାସ ଧରି ଚଇତି ପରବ ନୃତ୍ୟ କରିପାରନ୍ତି ନାହିଁ । ଭୀମା ଦେବତାର ବିବାହ ସାତଦିନ ଧରି ଚାଲେ । ବିବାହଗୁଡ଼ିକ ତିନିଦିନ ହୁଏ । ଏହାଛଡ଼ା ନୂଆଖାଇ, ପୁଷ୍‌ପୁନି ଆଦି ପର୍ବ କେତୋଟି ପାଳନ କରିବା ଅବସରରେ ଏହି ଗୋଷ୍ଠୀ ନୃତ୍ୟଗୀତ ଆଦି ଆମୋଦ ପ୍ରମୋଦ କରିବାର ଅବସର ପାଇଥାନ୍ତି । ଏହି ଗୋଷ୍ଠୀର କବି ‘ଗୀତ୍‌କୋଡ଼ିଆ’ଙ୍କ କବିତାରେ କର୍ମ ଓ ପ୍ରେମ, ଜୀବିକା ଓ ପ୍ରେମିକା, କର୍ତ୍ତବ୍ୟ ବୋଧ ଓ ଆନନ୍ଦ ଉପଭୋଗର ଏକ ସମନ୍ୱୟ ରୂପ ଦେଖିବାକୁ ମିଳିଥାଏ । ପହରିଆମାନଙ୍କର ଲୋକଗୀତ ଲୋକ କାହାଣୀ ଓ ଲୋକ ସାହିତ୍ୟରେ ଏକାଦିକ୍ରମେ ଭାବଗଭୀରତାର ପ୍ରାଚୁର୍ଯ୍ୟ ଦେଖିବାକୁ ମିଳେ । ଲୋକଗାଥା ଦୁଇଟି ଏହି ସଂପ୍ରଦାୟରୁ ସଂଗ୍ରହ କରିଅଛି । ତନ୍ମଧ୍ୟରୁ ମରୁଡ଼ି ପ୍ରୀପୀଡ଼ିତ ଜନଜୀବନର କ୍ଷୁଧାର୍ତ୍ତ ସାମାଜିକ ଚିତ୍ର ଏକ ଗାଥାରେ ତଥା ଅନ୍ୟ ଏକ ଗାଥାରେ ସଂପୂର୍ଣ୍ଣ କାହାଣୀଟିଏ ଗୁମ୍ଫିତ ହୋଇ ରହିଅଛି । ଏହି ଗାଥାରେ ଅନ୍ୟ କୌଣସି ଜାତି କିମ୍ବା ଆଦିବାସୀ ସଂପ୍ରଦାୟ ଠାରୁ ସେମାନଙ୍କ ଗୋଷ୍ଠୀର ଶ୍ରେଷ୍ଠତ୍ୱ ତଥା ଅନ୍ୟ ସଂପ୍ରଦାୟ ଠାରୁ ସେମାନେ କିପରି ଚତୁର ଓ ବୁଦ୍ଧିମାନ ତାହା ବର୍ଣ୍ଣିତ ହୋଇଛି । ନିମ୍ନରେ ସେହି ଗାଥାର ସଂକ୍ଷିପ୍ତ ଗଳ୍ପ ରୂପଟି ପ୍ରଦତ୍ତ ହେଲା ।

 

‘‘ଗୋଟିଏ ବିଧବା ପହରିଆ ବୁଢ଼ୀ ଓ ତା’ର ପୁଅଟିଏ ଥିଲେ । ବୁଢ଼ୀର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ତାକୁ ଲକ୍ଷ୍ମୀ ଦୟାକଲେ ଓ ନିଜେ ଗୋଟିଏ ଝିଅ ରୂପ ଧରି ବୁଢ଼ୀ ପାଖରେ ପହଞ୍ଚି ତା’ ଘରେ ରହିଲେ । ବୁଢ଼ୀ ମଧ୍ୟ ସେହି ସୁନ୍ଦରୀ ଝିଅକୁ ନିଜ ପାଖରେ ରଖିଲା । ଝିଅ ବୋଲି ଡାକିଲା । ଝିଅର ମହିମାରୁ ବୁଢ଼ୀର ଘର ଛାଣିରେ ଯେତେ କୁମ୍‌ଡ଼ା (ବୋଇତାଳୁ) ଥିଲା ସେ ସବୁ ଭିତରେ ସୁନାର ମୁଦ୍ରା ପ୍ରଚୁର ଭାବେ ରହିଲା ଓ ସେହି କୁମ୍‌ଡ଼ା ସବୁ ତୋଳି ବୁଢ଼ୀ ସେ ଅଞ୍ଚଳର ବିଶିଷ୍ଟ ଧନୀ ବୋଲି ପରିଚିତ ହେଲା । ବୁଢ଼ୀର ଧନ ସମ୍ପତ୍ତି ଦେଖି ସେହି ଅଞ୍ଚଳର ଗଉନ୍ତିଆ ନିଜ ଝିଅକୁ ବୁଢ଼ୀର ପୁଅକୁ ବିବାହ ଦେବାକୁ ସ୍ଥିର କଲା ଓ ପହରିଆ ବୁଢ଼ୀର ଝିଅ (ଲକ୍ଷ୍ମୀ)କୁ ନିଜ ପୁଅ ପାଇଁ ବୋହୂ କରି ଆଣିବାକୁ ଚାହିଁଲା । ପହରିଆବୁଢ଼ୀ ପ୍ରଥମେ ଝିଅ ଲକ୍ଷ୍ମୀର ସମ୍ମତି କ୍ରମେ ଗଉନ୍ତିଆର ଝିଅ ସହିତ ନିଜ ପୁଅର ବିବାହ କରାଇଦେଲା ଓ ଗଉନ୍ତିଆର ଅନୁରୋଧ କ୍ରମେ ନିଜ ଝିଅ (ଲକ୍ଷ୍ମୀ)କୁ ଗଉନ୍ତିଆର ପୁଅ ପାଇଁ ବିବାହ କରିବାକୁ ଝିଅ ଲକ୍ଷ୍ମୀକୁ କହିଲା । ମାତ୍ର ସେଠାରେ ଲକ୍ଷ୍ମୀ ନିଜ ରୂପ ଧରି ବୁଢ଼ୀକୁ କହିଲେ, ‘‘ତୁ ମୋତେ ମଣିଷ ବୋଲି ଭାବୁଛୁ ମାଁ ? ମୁଁ ତ ଦେବୀ । ତୋର ଦୁଃଖ ଦୁର୍ଦ୍ଦଶା ଦେଖି ଏଠାକୁ ଆସିଥିଲି । ତୋତେ ଦୟା କଲି । ତୋର ପୁଅ ସହିତ ଗଉନ୍ତିଆର ଝିଅ ସହିତ ବିବାହ କରାଇଲି । ମୁଁ ତ ଦେବୀ । ମୋତେ ତୁ ମଣିଷ ସହିତ ବିବାହ କରିବାକୁ ଚାହୁଁଛୁ ? ମୁଁ ତୋତେ ମାଁ ବୋଲି ଡାକିଛି । ଏଣୁ ତୋର କିଛି କ୍ଷତି କରିବିନି । ‘‘ଏହା କହି ଲକ୍ଷ୍ମୀ ଅନ୍ତର୍ଦ୍ଧାନ ହୋଇଗଲେ । ସେଠାରୁ ଗଉନ୍ତିଆ ଦେଖିଲା, ବୁଢ଼ୀର ଘରେ ଝିଅ ନାହିଁ । ତା’ର ମନ ବହୁତ ଦୁଃଖ ହେଲା ।’’ ଏହି ଗାଥା ଗୀତିକାରେ ପହରିଆ ଗୋଷ୍ଠୀ ପ୍ରତି ଦେବାଦେବୀଙ୍କ ପ୍ରସନ୍ନତା, ପହରିଆ ଗୋଷ୍ଠୀ ଅନ୍ୟ ଜାତି ଠାରୁ ଶ୍ରେଷ୍ଠ ଏହା ପ୍ରତିପାଦନ କରାଯାଇଛି ।

 

ଏହିପରି ଅନେକ ଗଳ୍ପ ଓ ଗାଥା, ଗୀତିକା ମଧ୍ୟରୁ ସେମାନଙ୍କର ଅବଚେତନା ଓ ଚେତନସ୍ତର ତଥା race memory ଯାହା କି ତାଙ୍କ ସୃଷ୍ଟିରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ହୋଇ ପ୍ରତିଫଳିତ ହୋଇଅଛି, ବିଶେଷ ଗବେଷଣା ଓ ଅଧ୍ୟୟନରୁ ଏହା ସମ୍ୟକ ଭାବେ ଉପଲବ୍‌ଧି କରି ହେବ ।

 

ପହରିଆମାନଙ୍କର ଲୋକଗୀତ ବହୁ ଭାବ ମାଧୁର୍ଯ୍ୟ ମଣ୍ଡିତ । ଏହି ଗୀତମାନଙ୍କରେ ଆମ୍ଭେ ଏକାଧାରରେ କର୍ମ ପ୍ରବଣତା ସହିତ ପ୍ରେମାନୁରାଗର, ଜୀବିକା ସହିତ ପ୍ରେମିକାର ଓ କର୍ତ୍ତବ୍ୟ ବୋଧ ସହିତ ବିମଳ ଆନନ୍ଦ ଅନୁଭୂତିର ଏକ ମିଶ୍ରରାଗକୁ ଅନୁଭବ କରିପାରିବା । ଏହି କବିମାନଙ୍କର ଇନ୍ଦ୍ରିୟାନୁଭୂତି, ସେମାନଙ୍କର ହୃଦୟ ଓ ମାନସ ପ୍ରସୂତ କବିତାମାନଙ୍କରେ ପ୍ରିୟା ବର୍ଣ୍ଣନାର ପାଟବ ରହିଛି । ପ୍ରିୟା ସହିତ ଉପମା ଦେବା ପାଇଁ ପ୍ରକୃତି ମଧ୍ୟରୁ ଭାବ ଓ ଗୁଣ ସାମ୍ୟ ସହିତ ଉପମେୟ ବସ୍ତୁଟିକୁ ଉଠାଇ ଆଣି ଉପମାନ ସହିତ ତୁଳନା କରିବାର କବି ପ୍ରକ୍ରିୟା ରହିଛି । ପ୍ରିୟାର ରୂପ, ଚକ୍ଷୁ, ଗୁଣ, ସ୍ୱଭାବଦିର ତୁଳନା ପାଇଁ ତଥା ନିଜ ଭାବନାର ମୁକ୍ତ ପ୍ରକାଶ ପାଇଁ ସେମାନେ ଚନ୍ଦ୍ର କିମ୍ବା ନୀଳକଇଁ, ପଦ୍ମ ଓ ଭ୍ରମର ଆଶ୍ରୟ ନେଇ ନାହାନ୍ତି ବରଂ ତାଙ୍କ ଖାଦ୍ୟାନ୍ୱେଷଣ ଓ ଜୀବିକା ନିର୍ବାହକାଳୀନ ଜୀବନର ବିଭିନ୍ନ ବାସ୍ତବ ଅନୁଭୂତିରୁ ହିଁ ଉପମା ସାଉଁଟି ଆଣି ପ୍ରେମିକା ସହିତ ତୁଳନା କରିଛନ୍ତି । ମନୁଷ୍ୟର ମୌଳିକ କବି ଚେତନାର ମନୋଭୂମିରେ ଏହି ଆତ୍ମ ପ୍ରକାଶ ହିଁ ସତ୍ୟ । ଭିନ୍ନ କେବଳ ପରିପ୍ରକାଶର ମାର୍ଗ । ଲକ୍ଷ୍ୟ ରଖିବାର ଅଛି ଯେ ନିମ୍ନରେ ପ୍ରଦତ୍ତ ପହରିଆ କବିଙ୍କ ଠାରୁ ସଂଗୃହିତ କବିତାମାନଙ୍କରେ ତୁଳନାର ସଂଯୋଗ ସେତୁଟି ସୂଚନାତ୍ମକ । ଦୁଇଟି ପଦର ସମ୍ପର୍କୀକରଣ ନିଜେ ପାଠକକୁ ହିଁ କରିବାକୁ ହେବ । ନିମ୍ନରେ ଏହି ଗୋଷ୍ଠୀର କେତୋଟି କବିତାର ଆଲୋଚନା ମାଧ୍ୟମରେ ସେହି ଭାବ ସମୂହର ଉପଲବ୍‌ଧି କରି ହେବ ଓ ଏହି କବିତାବଳୀ ଯେ କୌଣସି କବିର ସ୍ୱଭାବ ସୁଲଭ ପ୍ରକାଶ ରୀତି ଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ, ବରଂ ନିଜ ପ୍ରକାଶ ଭଙ୍ଗୀରେ ଓ ସୂଚନାତ୍ମକତାରେ ଏହା ସ୍ୱତନ୍ତ୍ର ଓ ଅନନ୍ୟ, ଏହା ଅନୁଭବ କରି ହେବ । ପହରିଆ କବିର କବି ମାନସ ତଥା କଳ୍ପନାର ବଳିଷ୍ଠତାକୁ ଆକଳନ କରି ହେବ । ତଳେ କେତୋଟି ଉଦାହରଣ ଅନୁଧ୍ୟେୟ-

 

ଅବିବାହିତ ଯୁବକଟି ପାହାଡ଼ ଉପରେ ଥିବା ଢାଲୁ ଅଞ୍ଚଳର ଗଛଲଟା ହାଣି ସମତଳ କରି ପୋଡ଼ି ଚାଷୋପଯୋଗୀ କରିଛି ଓ କାଙ୍ଗୁ କସଲ ଶସ୍ୟ ବୁଣିଛି । ସେ ମାମୁଁର ଝିଅକୁ ବିବାହ କରିବା ପାଇଁ ଆଶା କରୁଛି । ଟାଙ୍ଗରା ଶୁଷ୍କ ପାହାଡ଼ିଆ ଭୂମି ଯୁବକର ହୃଦୟ । ସେଠାରେ କାଙ୍ଗ କସଲା ବୁଣି ଫସଲ ଫଳେଇବା ପ୍ରକ୍ରିୟା ସହିତ ପ୍ରେମିକର ହୃଦୟ ଆଶାର ଫସଲ ଫଳେଇଛି । ମାମୁଁର ଝିଅକୁ ଚାହୁଁଛି । ପହରିଆ ମୂଳ କବିତାଟା-

 

୧.

ଡାହି ଯ ଗଡ଼ିଭଁ ଭା ବୁନେୟ କସା, ଚିନି ବୁନେୟ କସା, ମାମାଚ ବେଟି ଲାଗୁନ୍‌ କୁଲକେଁ ଅଶା, ତୈବିନ କୁଲୁକେଁ ଅଶା, ଲେଲେ ସୁନ୍ଦର ଫୁନି କୁଲୁକେଁ ଅଶା ।।

 

 

 

 

 

 

ଓଡ଼ିଆ ଭାବାର୍ଥ

-

ଡଙ୍ଗରର ଗଛଲଟା, ହାଣି

ଭୂମିକୁ ପୋଡ଼ିଛିରେ ଚିନି, ପୋଡ଼ିଛି,

ଏବେ ମୁଁ ସେଇଠି କାଙ୍ଗ କସଲା ବୁଣିଛି, ରେ ଚିନି ବୁଣିଛି ।

ମାମୁଁର ଝିଅକୁ ମୁଁ ଆଶା କରୁଛି

ଏ ଚିନି ! ତୁ କେଡ଼େ ସୁନ୍ଦର ଦିଶୁଛୁ

ମୁଁ ତୋତେ ଆଶା କରୁଛି ।।

 

 

 

 

 

ମହୁଲ ଫଳ ‘ଟୋଲ’ର ଆକୃତି ଠିକ୍‌ ଚକ୍ଷୁ ପରି । ଚଇତ୍‌ ମାସରେ ଟୋଲ ସଂଗ୍ରହ କଲାବେଳେ ଅବିବାହିତ ପହରିଆ ଯୁବକର ତା’ର ପ୍ରେମିକାର (କନ୍ଦା ମାଲିଏନ୍‌) ଆଖିକୁ ସ୍ମରଣ କରିଛି । ଟୋଲ ଫଳ ସହିତ ପ୍ରିୟା ଚକ୍ଷୁର ତୁଳନା କରିଛି । ସେହି ଟୋଲ ଫଳ ପରି ସୁଗୋଲ ଚକ୍ଷୁ ଦୁଇଟି ସୁନ୍ଦର ଦିଶୁଛି । ଏଣୁ ସେ କନ୍ଦାମାଲିଏନ୍‌ କେ ସାଜୁନୁ ଆଚେ ବିଚି ବିଚି ଡୁଆ ବୋଲି କହିଛି -

 

 

 

 

 

୨.

 

ଚଇତ୍‌ ମାସେ କାନ୍ଦାମାଲିନ୍‌ ଏଟୁନ୍‌ ଗଲୁନ୍‌ ଟୋଉଆ,

କାନ୍ଦିମାଲିନ୍‌ କେ ସାଜୁନୁ ଆଚ୍ଚେ ବିଚି ବିଚି ଡୁଆ

ଲେଲେ ସୁନ୍ଦର ଫୁନି ବିଚି ବିଚି ଡୁଆ ।।

ବଣରେ କନ୍ଦା ସଂଗ୍ରହ କରୁଥିବା ଯୁମତୀଟି କନ୍ଦାମାଲିନ୍‌ ।

କନ୍ଦା ମାଲିନ୍‌ !

ଚଇତ୍ର ମାସରେ ମୁଁ ଟୋଲ ସଂଗ୍ରହ କରିବାକୁ ଗଲି ।

ମୋର କାନ୍ଦା ମାଲିନ୍‌ର ଆଖି ଯୋଡ଼ିକ ବହୁତ ସୁନ୍ଦର ଦିଶୁଛି

ଏ କାନ୍ଦା ମାଲିନ୍‌ ! ତୁ ବହୁତ ସୁନ୍ଦର ଦିଶୁଛୁ ।।

 

 

 

 

 

୩.

ଜଙ୍ଗଲରେ ମହୁମାଛିକୁ ମାରି ମହୁ ସଂଗ୍ରହ କରିବା ଏକ କଷ୍ଟକର ବ୍ୟାପାର I ମହୁ ସଂଗ୍ରହ କରିବା ପାଇଁ ମହୁ ମାଛି ସହିତ ସଂଗ୍ରହକାରୀ ବଳାତ୍କାର କଲାପରି, ମାମୁଁର ଝିଅକୁ (ପ୍ରେମିକାକୁ) ତା’ର ଅନିଚ୍ଛା ସତ୍ତ୍ୱେ ଘଚିଆଣିବା ଓ ବିବାହ କରିବା ପାଇଁ ପ୍ରେମିକର ଇଚ୍ଛା । ମହୁ ମାରି ମଧୁର ଆସ୍ୱାଦନ କରିବାର ବ୍ୟାପାର ସହିତ ମାମୁଁର ଝିଅ ପ୍ରେମିକାକୁ ପ୍ରେମିକ ବଳପୂର୍ବକ ଘିଚି ବିବାହ କରିବା ପ୍ରକ୍ରିୟାର ସାମ୍ୟଗୁଣଟି ତୁଳନୀୟ । ପହରିଆ କବିତାରେ-

 

 

 

 

 

 

 

ଡଡଗ୍‌ ଯାମାରିଉଁ ଭା ଟେଡୁନ୍‌ କେ ଦେଖା ଚିନି ଟେଡୁନ୍‌ କେ ଦେଖା

ମାମାଚ ବେଟିକେ ମୁଇଁ ଘିଚୁନ୍‌ କେଁ ଦେଖା ଚିନି ଘିଚୁନ୍‌ କେଁ ଦେଖା

ଲେଲେ ସୁନ୍ଦର ଫୁନି ଘୁଚନ୍‌ କେଁ ଦେଖା ।।

 

 

 

 

 

 

ଓଡ଼ିଆ ଭାବାର୍ଥ

ମହୁ ସଂଗ୍ରହ କରିବା ପାଇଁ ମହୁମାଛି ମାରିବି,

ତେଣୁ ମୁଁ ଡୁଙ୍ଗି ଡୁଙ୍ଗି ମହୁଫେଣାକୁ ଦେଖୁଛି

ମାମୁଁର ଝିଅ ପ୍ରେମିକାକୁ ମୁଁ ଘିଚିବି,

ଏଣୁ ତାକୁ (ଉଙ୍କି ମାରି) ଡୁଙ୍ଗି ଡୁଙ୍ଗି ଦେଖୁଛି

ଏ, ସୁନ୍ଦରୀ (ଚିନି), ତୋତେ ଘିଚି ଆଣିବି ।

 

 

 

 

 

୪.

ଜଙ୍ଗଲରେ ମିଳୁଥିବା ଚାହାଁର ଫଳର କଠିନ ଆବରଣ ଭେଦ କଲେ ଯେପରି ସୁସ୍ୱାଦୁ ‘ଚିରଞ୍ଜି’ ଫଳ ଖାଇବାକୁ ମିଳିଥାଏ ତଦ୍ରୂପ ମାମୁଁର ଝିଅ ପ୍ରେମିକାର ବାହ୍ୟମନଟିକୁ ବୁଝାଇ ପାରିଲେ ଯାଇ ତା’ର ହୃଦୟର ଅଭ୍ୟନ୍ତରକୁ ପ୍ରବେଶ କରିହେବ । ଚାହାଁର ଫଳର କଠିନ ଆବରଣ ସହିତ ପ୍ରେମିକାର କଠିନ ହୃଦୟଟି ତୁଳନୀୟ । ଚିରଞ୍ଜି ଫଳର ସ୍ୱାଦ ସହିତ ପ୍ରେମିକାର ପ୍ରେମ ତଦ୍ରୂପ ତୁଳନୀୟ ।

 

 

 

 

 

 

 

 

ଚାହାଁର ଯ ଚିପ ଭା ଚପ୍‌ପୁନ ବଲେ ଖାତେ,

ମାମାଚ ବେଟି ଲାଗୁନ୍‌ ପଟାନ୍‌ ବଲେ ଆନ୍‌ତେ

ଲେଲେ ସୁନ୍ଦର ଫୁନି ପଟାନ୍‌ ବଲେ ଆନ୍‌ତେ ।।

 

 

 

 

 

 

 

ଓଡ଼ିଆ ଭାବାର୍ଥ

ଚା’ର ଫଳକୁ ଭାଙ୍ଗି

ତା ଭିତରେ ଥିବା ଚିରଞ୍ଜି ଫଳକୁ ଖାଇବି ।

ମାମୁଁର ଝିଅକୁ ପଟେଇ (ବୁଝେଇ) ଆଣିବ

ଏ ମାମୁଁ ଝିଅ ସୁନ୍ଦରୀ, ତୁ ସୁନ୍ଦର ଦିଶୁଛୁ

ତୋତେ ମୁଁ ପଟେଇ ଆଣିବି ।।

 

 

 

 

 

 

୫.

ଶିମ୍ବଫୁଲ ଓ ଗନିଆ ଫୁଲ ସହିତ ପ୍ରେମିକାର ସୌନ୍ଦର୍ଯ୍ୟର ତୁଳନା ହୋଇଅଛି ନିମ୍ନୋକ୍ତ କବିତାରେ-

 

 

 

 

 

 

 

ଶେମି ଫୁଲସେ ରାତାରାତା ଗନିଆ ଫୁଲସେ ରାତା,

ଆତି ଚ ବେଟି ସୁନ୍ଦରୀ ଆତି, ନୋହଁ ତାକେ କରଓ୍ୱାଁ ଖେତା ।

ଲେଲେ ସୁନ୍ଦର ଫୁନି, ତାକେ କରଓ୍ୱାଁ ଖେତା ।।

 

 

 

 

 

 

ଓଡ଼ିଆ ଭାବାର୍ଥ

 

ଶିମ୍ବ ଫୁଲଟି ସୁନ୍ଦର

ଗନିଆ ଫୁଲ ତା’ଠାରୁ ଅଧିକ ସୁନ୍ଦର

ତା’ଠାରୁ ବେଶୀ ସୁନ୍ଦର ମୋର ପ୍ରେମିକା,

ମୋର ପ୍ରେମିକାକୁ ମୁଁ ଥଟ୍ଟା ଟାପରା କରିବି,

ଏ ମୋର ସୁନ୍ଦରୀ ! ତୋତେ ମୁଁ ଚିଡ଼େଇବି ।।

 

 

 

 

 

 

୬.

ଜଙ୍ଗଲରେ ବାଉଁଶ ହାଣିଲା ବେଳେ ପ୍ରେମିକର ପ୍ରେମିକାକୁ ପ୍ରତୀକ୍ଷା । ସେ ଆସିଛି କି ଏଣୁ ଚଞ୍ଚଳ ହୃଦୟ ପହରିଆ ଯୁବକ ତା’ର ମାମୁଁର ଝିଅ ପ୍ରେମିକା ଆସୁଛି କି ନାହିଁ ବାରମ୍ବାର ଦେଖୁଛି ଓ ବାଉଁଶ ହାଣୁଛି ।

 

 

 

 

 

 

 

 

ବାଂଶ ଯ ଗଡ଼ିଉଁ ଭା ଖାପାନ୍‌କେ ଦେଖାରେ ଚିନି

ଖାପାନ୍‌ କେ ଦେଖାରେ,

ମାମାଚ ବେଟି ୟେଦି ହୟେଁ ଦେଖୁନ୍‌ କି ଦେଖାରେ

‘‘ରାମ ଜାନି ତକରାପାନି ନେ ଚିନି’’ ।। ଘୋଷା ।।

 

 

 

 

 

 

 

ଓଡ଼ିଆ ଭାବାର୍ଥ

ବାଉଁଶ ହାଣୁଛି,

ତାକୁ ଚିରି ଚିରି ରଖୁଛି ଓ.

ଏପଟ ସେପଟ ଦେଖୁଛି

ମାମୁଁର ଝିଅ ଆସୁଛି କି ନାହିଁ

ସେ ବାରମ୍ବାର ଦେଖୁଛି ।

 

 

 

 

 

 

୭.

ପ୍ରେମିକର ପ୍ରେମିକା ପ୍ରତି ପ୍ରବଳ ଆକର୍ଷଣ । ଦୁହେଁ ଦୁହିଁଙ୍କୁ ଗଭୀର ଭାବରେ ଭଲ ପାଆନ୍ତି । ପ୍ରେମିକଟି କନ୍ୟାସୁନା ଦେବା ପାଇଁ ଅସମର୍ଥ । ତେଣୁ ପ୍ରେମିକାର ପିତା ମାତାଙ୍କୁ ଠକି ଦୁହେଁ ଗୋପନରେ ପଳେଇଯିବା ପାଇଁ ପ୍ରେମିକ ପ୍ରବର୍ତ୍ତାଉ ଅଛି । ନିମ୍ନରେ ସେହି କବିତାଟି-

 

 

 

 

 

 

 

 

ଯଉଁ ଯଉଁ ଯଉଁରେ ଚେଡ଼ି, ରାଜିଲି ବା ନିଙ୍ଗୁ

ଯଉଁ ଯଉଁ ଯଉଁରେ ଚେଡ଼ି, ଦେଶିଲିଭା ଫାଙ୍କୁ

ମାଆବୁଆ ଲାଗୁନ୍‌ ପଲାତେ ଫାଙ୍କୁ ।।

ଲେଲେ ସୁନ୍ଦର ଫୁନି-ପଲାତେ ଫାଙ୍କୁ ।।

 

 

 

 

 

 

 

ଓଡ଼ିଆ ଭାବାର୍ଥ

ଏ ସୁନ୍ଦରୀ ଚାଲ ରାଜ୍ୟ ଛାଡ଼ି ପଳେଇବା,

ଏ ଚେଡ଼ି, ! ଚାଲ ଦେଶ ଛାଡ଼ି ପଳେଇବା

ତୋର ବାପା ମା’ଙ୍କୁ ଠକି ପଳେଇବା,

ଏ ସୁନ୍ଦରୀ ! ପଳେଇ ଯାଇ ଠକି ଦେବା ।।

 

 

 

 

 

 

୮.

ମୈନପୁରୀ ହାଟରେ ପ୍ରେମିକ ବାଉଁଶ ଉପକରଣ ‘ଚୁରୁକି’ ବିକ୍ରୟ କରି ବିକ୍ରୟଲବ୍‌ଧ ଧନରେ ପ୍ରେମିକା ପାଇଁ ରୂପାର କାନଫୁଲ ଓ ଗୋଡ଼ର ଆଙ୍ଗୁଠି ପାଇଁ ଚୁଟକି କିଣି ଦେବାପାଇଁ ପ୍ରେମିକର ଇଚ୍ଛା । ତେଣୁ ସେ ଗାଇଛି-

 

 

 

 

 

 

 

ମୈନପୁରୀ ବଜାରେ କେଁ ବସାଲୁନ୍‌ ଚୁର୍‌କି, ତୈବିନ ବସାଲୁ ଚୁର୍‌କି

କନ୍ଦାମଲିଏନ୍‌ ଲାଗୁନ୍‌ ଘିନୁନ୍‌ ଦେକେଁ ରୂପାଚ ଚୁଟକି ।

ଲଟ୍‌କନିଆ କେରାପାନି ଚିନି ।।

 

 

 

 

 

୯.

ପ୍ରେମିକ ପାଖରେ ପ୍ରେମିକାଟି ବାନ୍ଦୁଚଢ଼େଇ ବସିଥିଲା ପରି (ଉଦାସୀ ମୁହଁକରି) ବସିଥିବାରୁ ପ୍ରେମିକ ତା ମନରେ ସରସତା ଆଣିବା ପାଇଁ ବଜାରରୁ ରୂପାର ‘ଆନ୍ଦୁ’ (ଏକପ୍ରକାର କାନଫୁଲ) ଆଣିଦେବା ପାଇଁ ପ୍ରତିଶ୍ରୁତି ଦେଉଛି-

 

 

 

 

 

 

 

 

ଶୁକିଅ ଯ ଗାଚେ କେଁ ବସିଅ ବାନ୍ଦୁ,

ରାମ ଜାନି ବସିଆ ବାନ୍ଦୁ,

ମାମାଚ ବେଟିଲାଗୁନ୍‌ ଚ ଘେନୁନ୍ଦେ, ରୂପା ଚ ଆନ୍ଦୁ

ରପୋଚକେଁ ଆନ୍ଦୁହୋ, ରାମଜାନି କେରାପାନି ଚିନି ।।

 

 

 

 

 

 

 

ଓଡ଼ିଆ ଭାବାର୍ଥ

ଶୁଖିଲା ଗଛରେ ବାନ୍ଦୁ ଚଢ଼େଇ ବସିଛି

ମୁହଁ ଶୁଖେଇ

ପ୍ରେମିକାଟି ମୁହଁ ଶୁଖେଇ ବସିଥିବାରୁ

ତା ପାଇଁ ରୂପାର ଆନ୍ଦୁ କିଣି ଆଣିଦେବି ।।

 

 

 

 

 

 

୧୦.

ଫଗୁଣମାସରେ ମହୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଗଲାବେଳେ ଯୁବକଟିଏ ସୁନ୍ଦରୀ ପହରିଆ ଯୁବତୀକୁ ଦେଖୁଛି । ତାକୁ ପରିହାସ କରିବାକୁ ଯୁବକଟିର ମନ ଡାକିଛି । ମନର ଲୋଭ ସମ୍ବରଣ କରି ନପାରି ସେ ତାକୁ ଭାଉଜ ବୋଲି ଥଟ୍ଟା କରିଛି ।

 

 

 

 

 

 

ଫଗୁନ୍‌ କୋଏଁ ମାସେ ମୁଇଁ ଏଁ ଟୁନ୍‌ ଗୁଲୁନ୍‌ ମୁହୁ

ଯାଚ ବେଟି ସୁନ୍ଦରୀ ଥାତି, ତାକେ କହୁଆଁ ବହୁ

ହେଲେ ସୁନ୍ଦର ଫୁନି, ତାକେ ବଲୁଆ ବହୁ ।।

ଫଗୁଣମାସରେ ମହୁ ସଂଗ୍ରହ ପାଇଁ ମୁଁ ଜଙ୍ଗଲ ଯାଉଛି

ବାଟରେ ଯାଉଥିବା ଝିଅଟି ସୁନ୍ଦରୀ

ତାକୁ ମୁଁ ଭାଉଜ (ବହୁ) ବୋଲି ଡାକିବି ।

ଏ ସୁନ୍ଦରୀ, ତୋତେ ଭାଉଜ ବୋଲି ଡାକିବି ।।

 

 

 

 

 

 

 

ସୁନ୍ଦରୀ ପହରିଆ ଯୁବତୀଟି ମଧ୍ୟ ଯୁବକକୁ କମ୍‌ ପରିହାସ କରିନାହିଁ । ସେ କହିଛି-

 

 

 

 

 

 

 

କାଦୋ ବସଲା ଆଟେ, ବୁନିଆ କାନ୍ଦୁଲ

ମାମାଚ ବେଟାକେ ସାଜନୁ ଆଚ୍ଚେ,

ଘୁମରି ତି ଲାନ୍‌ଡ଼ୁ ନ୍‌ ।। ଲେଲେ ଭାବି, ଘୁମରି ତି ଲାନଡ଼ ନ ।।

ପାଣିଆ, କାଦୁଆ ଜମିରେ ମହୁଲ ବୁଣିଲି,

ମାମୁଁର ପୁଅଟି ଚାଲି ଆସୁଛି,

ଦେଖ ତାର ଲାନ୍‌ଡ଼ୁନ୍‌ ମାଠିଆଟି ପରି ହୋଇଛି ।

ତାହା ତାକୁ କେଡ଼େ ସୁନ୍ଦର ଦିଶୁଛି ।।

(ଲାନ୍‌ଡ଼ୁନ୍‌-ବୃଷଣ testicle)

 

କବିତାଟିରେ ବିମଳ ଅଶ୍ଳୀଳ ଭାବରେ ପରିପ୍ରକାଶ ରହିଛି । କଥାବାର୍ତ୍ତାରେ ତଥା ହାସ୍ୟ ବ୍ୟଙ୍ଗାଦିରେ, ଗୀତମାନଙ୍କରେ ଏହିପରି ଅଶ୍ଳୀଳାର୍ଥକ ପ୍ରୟୋଗର ବ୍ୟବହାର ଅଳ୍ପେ ବହୁତେ ପ୍ରତ୍ୟେକ ଆଦିବାସୀ କବିତାରେ ଲକ୍ଷ୍ୟ କରାଯାଇ ପାରେ । ତେବେ ଯୌନ କାମନା ଓ ଏହାର ପରିପ୍ରକାଶ ମଣିଷର ଆଦିମ ମୌଳିକ ପ୍ରବୃତ୍ତି । ତେବେ ଏହା କୌଣସି ବିକାର ପ୍ରକାଶ କରିନାହିଁ ବରଂ ବିଶୁଦ୍ଧ ରସିକ ପ୍ରବଣତାରୁ ହିଁ ଏହାର ପ୍ରୟୋଗ ।

 

ଏହିପରି ଭାବେ କର୍ମ ସହିତ ପ୍ରେମର, ଜୀବିକା ସହିତ ପ୍ରେମିକାର ଶ୍ରମ ସହିତ ଆନନ୍ଦର ଜୀବନୋପଭୋଗରେ ଏହି ଆଦିବାସୀ କବିଙ୍କ ହୃଦୟ ପରିପୂରିତ । ଏମାନଙ୍କର ଶିକ୍ଷା, ସଭ୍ୟତା ଓ ସଂସ୍କାର ନାହିଁ । ସଭ୍ୟ ଜଗତର କୌଣସି ପ୍ରଭାବ ଏମାନଙ୍କ ଉପରେ ପଡ଼ିନାହିଁ । ଏମାନଙ୍କ ଜୀବନଧାରାର ପରମ୍ପରାରେ କୌଣସି ପରିବର୍ତ୍ତନ ଏବେସୁଦ୍ଧା ଲକ୍ଷ୍ୟ କରାଯାଇ ନାହିଁ । ତଥାପି ମାନବୀୟ ମୌଳିକ ଗୁଣ ତଥା ହୃଦୟାବେଗର ସ୍ୱତଃସ୍ଫୁର୍ତ୍ତ ପ୍ରକାଶରେ କୌଣସି କୃତ୍ରିମତା ନାହିଁ ବରଂ ବନ୍ୟଝରଣାଟି ପରି ବଡ଼ ସହଜଭାବରେ ତାଙ୍କ କବିତାର ଧାରା ଛଳଛଳ ଓ କଳକଳ । ନିଜକୁ ସମ୍ପୂର୍ଣ୍ଣରୂପେ ପ୍ରକାଶ କରିଦେବାପାଇଁ ଗୀତ, ବାଦ୍ୟ ଓ ନୃତ୍ୟହିଁ ଯଥେଷ୍ଟ । ଏହି ଉପଭୋଗ ପୁଣି ବ୍ୟକ୍ତି କୈନ୍ଦ୍ରିକ ନୁହେଁ ଗୋଷ୍ଠୀ କୈନ୍ଦ୍ରିକ । ସାମୂହିକ ଭାବ ଆଦାନପ୍ରଦାନ ଓ ମନୋରଞ୍ଜନରେ ସେମାନଙ୍କ ଆତ୍ମପ୍ରକାଶ ଓ ହୃଦୟାଭିବ୍ୟକ୍ତି । ପ୍ରକୃତିର ସନ୍ତାନ ଏମାନେ । ତେଣୁ ପ୍ରକୃତି ମଧ୍ୟରେ ହିଁ ଏମାନଙ୍କ ଚୈତ୍ତିକ ଓ ସୌଷମିକ ବିକାଶର ଭାବଟିକୁ ସେମାନଙ୍କର କବିତା ରାଜିରେ ପ୍ରତିଫଳିତ ହୋଇଥିବାର ଦେଖିବାକୁ ମିଳେ । ଏହିପରି ଅସଂଖ୍ୟ ଗଳ୍ପ, ଗାଥା ଓ କବିତାରାଜିର ସୃଷ୍ଟି ଉତ୍ସ ସେମାନଙ୍କର ଅନାବିଳ ହୃଦୟ ଓ ମନ । ତେଣୁ ଆଜିର ସମାଜ ବ୍ୟବସ୍ଥାରେ ସେମାନଙ୍କ ନିକଟକୁ ଶିକ୍ଷା କିମ୍ବା ସଭ୍ୟତା ପହଞ୍ଚି ନଥିଲେ ହେଁ ଏହି ପ୍ରକୃତିର ସନ୍ତାନମାନଙ୍କର ହୃଦୟ କନ୍ଦରରୁ ଯେଉଁ ଭାବଟି ଗୀତ ଆକାରରେ ନିଃସୃତ ହୁଏ ତାହା ଏକାନ୍ତଭାବେ ରସ ସମ୍ପଦ ଦୃଷ୍ଟିରୁ ହୃଦ୍ୟ, ପୁଣି କବିର ମାନସିକ ପ୍ରକ୍ରିୟା ଦୃଷ୍ଟିରୁ ଯେକୌଣସି ସଭ୍ୟ ଶିକ୍ଷିତ କବିର ମାନସ ଭୂମି ଓ ସୃଷ୍ଟି ଉତ୍ସ ସହିତ ମୌଳିକଭାବେ କୌଣସି ତଫାତ୍‌ ନାହିଁ ବରଂ ବିଶ୍ୱର ମାନବର ମୌଳିକ ଆତ୍ମପ୍ରକାଶର ଗୁଣଟି ଯେ ସଭ୍ୟ କିମ୍ବା ଅସଭ୍ୟର ଫରକ୍‌ ରଖେ ନାହିଁ ଓ ଯେକୌଣସି ସ୍ଥାନ ପରିବେଶ ଭେଦରେ ଏହା ସ୍ୱତଃ ନିସୃତ ହୁଏ, ଏକଥା ଅବଶ୍ୟ ସ୍ୱୀକାର କରିବାକୁ ହେବ ।

 

ସହାୟକ ଗ୍ରନ୍ଥ

Deo, Fanindam

1.

Tribal-Non Tribal Interaction among the tribes of Nuwapara Subdivision, in Kalahandi district of Orissa, M. Phil Thesis, Delhi University 1984.

2.

V. Ball. Jungle life in India, 1876 PP. 588.

3.

ଗବେଷଣା କ୍ଷେତ୍ର-କେନ୍ଦୁଗୁଡ଼ା, ପିଢ଼ାପାନି, ଗେଣ୍ଡୁଲ ପାନି, ବୋଡ଼େନ ଓ ସିନାପାଲି ବ୍ଳକର ପହରିଆ ଗ୍ରାମ । ତଥ୍ୟ ଶ୍ରୀ ଅମଲ ଦାସ ପହରିଆ, ଲାଲଧର ପହରିଆ, ବନୁଆ ପହରିଆ ତଥା ଲେସ୍‌ଘରିଆ ପହରିଆ, ଲୁହାପେନ୍‌ କାଠଫାର । ଲେଖକ ଦ୍ୱାରା ଟେପ୍‌ ଓ ପ୍ରତ୍ୟକ୍ଷ କଥାବାର୍ତ୍ତାରୁ ସଂଗୃହୀତ ।

 

 

ଆଞ୍ଚଳିକ ସମ୍ପାଦକ

କଳାହାଣ୍ଡି ଲେଖକ କଳାପରିଷଦ

ଗ୍ରା:ପୋ: ସିନାପାଲି

ଜି: କଳାହାଣ୍ଡି, ଓଡ଼ିଶା

ପିନ୍‌- ୭୬୬୧୦୮

***

 

‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’

-ଏକ ଆଲୋଚନା

ଶ୍ରୀ ରାଧାମୋହନ ଗଡ଼ନାୟକ

 

ଦେବଗଡ଼ କଲେଜର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ରାମଚନ୍ଦ୍ର ବ୍ରହ୍ମା ଉପରୋକ୍ତ ନାମରେ ଖଣ୍ଡିଏ ସାହିତ୍ୟ ଆଲୋଚନା ପୁସ୍ତକ ଆମ ଓଡ଼ିଆ ସାହିତ୍ୟକୁ ଦାନ କରିଛନ୍ତି-। ତାହା ପାଠ କରି ମୋ ମନରେ ଯେଉଁ ଭାବ ଧାରଣା ଜାତ ହୋଇଛି ତାହା ମୋ ଦେଶର ପାଠକ ପାଠିକାମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ଏକ ଜାତୀୟ କର୍ତ୍ତବ୍ୟ ବୋଲି ମୁଁ ମନେ କରୁଛି ।

 

ବିଗତ ୧୯୩୬ର ଏପ୍ରିଲ ପହିଲା ଆମର ଖଣ୍ଡ-ଚ୍ଛିନ୍ନ ଓଡ଼ିଶା ପ୍ରଦେଶ ଏକତ୍ରୀକୃତ ହୋଇଥିଲା । ୧୯୪୭ରେ ପୁଣି ଗଡ଼ଜାତ ଅଞ୍ଚଳ ତା ସହିତ ସାମିଲ ହେଲା । ତେଣୁ ଓଡ଼ିଆ ସାହତ୍ୟ କହିଲେ କଟକ, ପୁରୀ, ବାଲେଶ୍ୱର, ଗଞ୍ଜାମ ଓ ସମ୍ବଲପୁରର ଦାନ ଓ ଅବଦାନକୁ ନେଇ ସଂଗଠିତ ହୋଇଥିଲା । ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା, ଗଡ଼ଜାତ ଓ ଗଡ଼ଜାତମାନଙ୍କ ମଧ୍ୟରେ ଅବସ୍ଥିତ ଅନୁଗୁଳର ସାହିତ୍ୟ ସଂପର୍କରେ ଆଶାନୁରୂପ ସଂଗ୍ରହ ବା ଆଲୋଚନା ହୋଇପାରି ନାହିଁ । କେବଳ ବାମଣ୍ଡା, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳର ସାହିତ୍ୟ କୃତି ଆମ ଓଡ଼ିଶା ସାହିତ୍ୟରେ ଯତ୍‌ କିଞ୍ଚିତ୍‌ ସ୍ଥାନିତ ହୋଇପାରିଛି । ଅନ୍ୟ ଅନ୍ୟ ଅଞ୍ଚଳର ସାହିତ୍ୟ ସୃଷ୍ଟି ପୁଷ୍କଳ ଭାବରେ ଆଲୋଚିତ ହେଲେ ଓଡ଼ିଆ ସାହିତ୍ୟର ଇତିହାସ ପରିପୁଷ୍ଟ ଓ ପରିପୂର୍ଣ୍ଣ ଭାବରେ ଆତ୍ମପ୍ରକାଶ କରିପାରିବ ।

 

ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ ନିଶ୍ଚିତ ଭାବରେ ପ୍ରଶଂସାଯୋଗ୍ୟ । ସମ୍ବଲପୁର-ହିତୈଷିଣୀ, ଉପହାର, ଆଲୋଚନା ଓ ଉତ୍କଳ-ମଧୁପ ସେଠାରୁ ପ୍ରକାଶିତ ହୋଇ ସାରସତ୍ୱ ବାତାବରଣ ସୃଷ୍ଟି କରିବାରେ ଆମକୁ ସାହାଯ୍ୟ କରୁଥିଲା । ପୁନଶ୍ଚ ଯେତେବେଳେ ଉପେନ୍ଦ୍ରଭଞ୍ଜ ଓ ରାଧାନଥ ରାୟଙ୍କୁ ସମର୍ଥନ କରି ତୁମୂଳ ବାଦ ବିସମ୍ବାଦର ସୃଷ୍ଟି ହେଲା, ସେତେବେଳେ ରାଧାନାଥଙ୍କ ସପକ୍ଷରେ ‘ବିଜୁଳି’ ଜନ୍ମଲାଭ କରିଥିଲା । ଶେଷରେ ପୁଣି କବି ମାୟାଧର ମାନସିଂହଙ୍କ ଦ୍ୱାରା ପ୍ରତିଷ୍ଠିତ ଶଙ୍ଖ ସେଠାରୁ ପ୍ରକାଶିତ ହୋଇଥିଲା ।

 

କବିବର ରାଧାନାଥଙ୍କ ଭାଷାରେ ବାମଣ୍ଡା ହୋଇଥିଲା ‘‘ବୁଧହଂସ କେଳିସର’’ ଓ କଥା କାବ୍ୟକାର ଫକୀର ମୋହନଙ୍କ ଲେଖନୀରେ ‘‘ଉତ୍କଳର ଉଜ୍ଜୟିନୀ’’ । ତେଣୁ ସେଇ ବାମଣ୍ଡାର ସାହିତ୍ୟ ଚର୍ଚ୍ଚା ଓ ସାହିତ୍ୟ ଚର୍ଯ୍ୟା ଯଥାଯଥ ଭାବରେ ଦେଶ ଆଗରେ ଉପସ୍ଥାପିତ କରିବା ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ । ଅଧ୍ୟାପକ ବ୍ରହ୍ମା ବାମଣ୍ଡାର ଅଧିବାସୀ ହୋଇଥିବାରୁ ତାହା ଚର୍ଚ୍ଚା କରିବାକୁ ସାହସ ବାନ୍ଧି ପାରିଛନ୍ତି ।

 

‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’

ନା ‘ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’ ?

 

ପ୍ରଥମେ ନାମକରଣରୁ ‘‘ଅୟମାରମ୍ଭ’’ ହେଉ-‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ ।’’ ସେଥିପାଇଁ ଲେଖକ ପ୍ରଥମରୁ ପ୍ରତିପାଦିତ କରିଛନ୍ତି-

 

ଏହି ସମୟରେ ଉତ୍କଳ ଦୀପିକା, ଉତ୍କଳ ବାହିନୀ, ସଂସ୍କାରକ, ନବ ସଂବାଦ, ସମ୍ବଲପୁର ହିତୈଷିଣୀ ପତ୍ର ପତ୍ରିକାମାନେ ଆତ୍ମପ୍ରକାଶ କରି ଏକ ସାହିତ୍ୟିକ ବାତାବରଣ ସୃଷ୍ଟି କଲେ । ‘ସମ୍ବଲପୁର ହିତୈଷିଣୀ’ରେ ଓଡ଼ିଆ ଭାଷା ତଥା ସାହିତ୍ୟର ଉନ୍ନତି ପ୍ରସଙ୍ଗରେ ଯେଉଁ ଆଲୋଚନାମାନ ପ୍ରକାଶିତ ହେଲା, ‘‘ଓଡ଼ିଆ ଓ ନବ ସମ୍ବାଦ’’ (୧୮୯୩) ମଧ୍ୟ ସେ ସବୁ ଗ୍ରହଣ କରି ପ୍ରକାଶ କଲା ।

 

ଏହି ପରିପ୍ରେକ୍ଷୀରେ ବିଚାର କଲେ ଜଣାଯାଏ ଯେ ପାଶ୍ଚାତ୍ୟ ଶିକ୍ଷା, ସଭ୍ୟତା ତଥା ସଂସ୍କୃତିର ସମ୍ମିଶ୍ରଣ ଫଳରେ ଓଡ଼ିଆ ସାହିତ୍ୟ ଏକ ନୂତନ ଦିଗ୍‌ଦର୍ଶନ ନେଇ ଗତିକଲା । ରାଧାନାଥ, ଫକୀରମୋହନ, ବିଶ୍ୱନାଥ, ଗଙ୍ଗାଧର, ମଧୁସୂଦନ, ରାମଶଙ୍କର ପ୍ରଭୃତି ସାହିତ୍ୟିକବୃନ୍ଦ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କଲେ । ରାଧାନାଥ ସ୍ୱକାବ୍ୟ କୃତି ବଳରେ ଯୁଗାନ୍ତର ସୃଷ୍ଟିକଲେ, ଯାହାକି ରାଧାନାଥ ଯୁଗ ପକ୍ଷାନ୍ତରେ ଆଧୁନିକ ଯୁଗ ବୋଲି ପରିଚିତ । (୧୮୭୦ ପରବର୍ତ୍ତୀ) ପୃ ୨ଷ୍ଠା

 

‘‘୧୮୭୦ ପରବର୍ତ୍ତୀ’’ କହିଲେ ୧୯୭୫ ଯାଏ କି । ବୋଧହୁଏ ନୁହେ । ରାଧାନାଥଙ୍କ ଦାନ ବା ବାମଣ୍ଡାର ଦାନ ଆଧୁନିକ ହେବ କି ?

 

ରାଧାନାଥଙ୍କ ପରେ ଓଡ଼ିଆ ସାହିତ୍ୟକୁ କେତେ କ’ଣ ପ୍ରବାହ ଆସି ସାରିଲାଣି, ତାପରେ ଆସିଚି ଲୋହିତ ସାହିତ୍ୟ, ପରେ ପରେ ପୁଣି ସବୁଜ ସାହିତ୍ୟ, ତା’ପରେ ହେଲାଣି ଧୂସର ସାହିତ୍ୟ-। ଉପେନ୍ଦ୍ରଙ୍କ ପରେ ରାଧାନାଥ ଆଧୁନିକ ବୋଲି ଗୃହିତ ହୋଇଥିଲେ, ଆଜି ହୋଇ ପାରିବେ କି ? ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ ବୋଲି କିଛି ହୋଇପାରିବ କି ? ତେଣୁ ‘‘ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ପୁସ୍ତକର ନାମକରଣ ବୋଧହୁଏ ସମୀଚୀନ ହୋଇଥାନ୍ତା ।

 

ପ୍ରେରଣା ଦେଇଛନ୍ତି କେଉଁମାନେ ?

ଅଧ୍ୟାପକ ବ୍ରହ୍ମା ଯେଉଁମାନଙ୍କଠାରୁ ଉତ୍ସାହ ଓ କର୍ମପ୍ରେରଣା ପାଇ ପୁସ୍ତକ ରଚନାରେ ଉତ୍ସାହିତ ହୋଇଛନ୍ତି ସେମାନଙ୍କ ପାଇଁ ତାଙ୍କ ‘‘ବକ୍ତବ୍ୟରୁ ଯତ୍‌କିଞ୍ଚିତ୍‌’’ରେ ଲିପିବଦ୍ଧ କରିଛନ୍ତି-

‘‘ଏ ପ୍ରକାର ସାହିତ୍ୟ କୃତି ସଂପାଦନାରେ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଲବ୍‌ଧ ପ୍ରତିଷ୍ଠ ଲେଖକ, ସ୍ୱନାମଧନ୍ୟ ସାହିତ୍ୟିକ ତଥା ମୋର ପୂଜାସ୍ପଦ ଗୁରୁଦେବ ମହୋଦୟ ଡକ୍ଟର ଜାନକୀ ବଲ୍ଲଭ ମହାନ୍ତିଙ୍କ ସଦୁତ୍ସାହ ଓ କର୍ମପ୍ରେରଣା ବିଶେଷ ସହାୟକ ହୋଇ ପାରିଛି । ତେଣୁ ଲେଖକ ଚିରଦିନ ତାଙ୍କଠାରେ ଋଣୀ ।

ବାମଣ୍ଡାର ଲବ୍‌ଧ ପ୍ରତିଷ୍ଠ ସାହିତ୍ୟିକ ପୂଜାସ୍ପଦ ଗୁରୁଦେବ ଶ୍ରୀଯୁକ୍ତ ବାବା ଶଶିଭୂଷଣ ଦେବଙ୍କ ଆଶୀର୍ବାଣୀ, ସଦୁତ୍ସାହ, କର୍ମପ୍ରେରଣା, ତଥ୍ୟାନୁଶୀଳନ, ଏ କ୍ଷେତ୍ରରେ ବିଶେଷ ସହାୟକ ହେତୁ ସେ ଚିର ନମସ୍ୟ ତଥା ଭକ୍ତିଭାଜନ ହୋଇ ରହିବେ ।

ସାହିତ୍ୟ ଏକାଡ଼େମୀର ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ନାୟକ, ଓଡ଼ିଶାର ଲବ୍‌ଧ ପ୍ରତିଷ୍ଠ ଲେଖକ ଶ୍ରୀ ଶ୍ରଦ୍ଧାକର ସୂପକାର ଏମ. ଏ. ଏଲ୍‌. ଏଲ୍‌. ବି., ଓଡ଼ିଶାର ପର୍ଯ୍ୟଟନ ଓ ସାଂସ୍କୃତିକ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀ ଗୌରୀ କୁମାର ବ୍ରହ୍ମା ପ୍ରମୁଖ ସମ୍ମାନାସ୍ପଦ ଗୁରୁଜନ ବୃନ୍ଦ ସେମାନଙ୍କର ମହାର୍ଘ ଅଭିମତମାନ ପ୍ରଦାନପୂର୍ବକ ଗ୍ରନ୍ଥଟିର ମୂଲ୍ୟ ପରିବର୍ଦ୍ଧନ କରିଥିବାରୁ ଲେଖକ ସେମାନଙ୍କଠାରେ କୃତଜ୍ଞ ।’’

ପ୍ରକୃତରେ ଉପରୋକ୍ତ ସାହିତ୍ୟିକମାନଙ୍କର ଅଭିମତମାନ ଗ୍ରନ୍ଥଟିର ମୂଲ୍ୟ ପରିବଦ୍ଧନରେ ସାହାଯ୍ୟ କରିଚି, ଏଥିରେ ସନ୍ଦେହ ନାହିଁ । ଗ୍ରନ୍ଥଟିର ଆଲୋଚନା ପୂର୍ବରୁ ତାହାର ସ୍ୱରୂପ ଜାଣିବା ପାଠକ ପକ୍ଷରେ କଲ୍ୟାଣକର ବୋଲି ମନେହୁଏ ।

ସେମାନଙ୍କ ଅଭିମତ :-

‘‘ଶ୍ରୀଯୁକ୍ତ ବ୍ରହ୍ମା ଏହି ଗବେଷଣାମୂଳକ ‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ପୁସ୍ତକରେ ପ୍ରଗାଢ଼ ଯତ୍ନ ସହକାରେ ସଂଗ୍ରହ କରି ସମଗ୍ର ବିଷୟ ପରିଷ୍କାର ଭାବେ ଉଲ୍ଲେଖ କରିଛନ୍ତି । ଏଥିରେ ମୋର ବିଶେଷ କିଛି ଲେଖିବାର ଆବଶ୍ୟକତା ନାହିଁ । ବଡ଼ ସୌଭାଗ୍ୟର ବିଷୟ ଏହି ଯେ ବାମଣ୍ଡାର ଶୁଷ୍କ ସାହିତ୍ୟ-ଝରଣା ଶ୍ରୀଯୁକ୍ତ ବ୍ରହ୍ମାଙ୍କ ପ୍ରଗାଢ଼ ଯତ୍ନ ବଳରେ ପୁନର୍ବାର ସତ୍‌ସାହିତ୍ୟ ଝରଣା ରୂପେ ପ୍ରବାହିତ ହୋଇ ଲୋକମାନଙ୍କର ହିତ ସାଧନ କରୁ ।’’

୨୮-୬-୭୫

ଦେବଦୁର୍ଗ

ଶ୍ରୀ ଶଶିଭୂଷଣ ଦେବ

ଅବସରପ୍ରାପ୍ତ ଜିଲା ମାଜିଷ୍ଟ୍ରେଟ ଓ ଜର୍ଜ

ପୁରାତନ ବାମଣ୍ଡା ଷ୍ଟେଟ୍‌

 

‘‘ମୋର ପୂର୍ଣ୍ଣ ବିଶ୍ୱାସ, ଏ ପୁସ୍ତକଟି ସାହିତ୍ୟିକ ଗବେଷଣାର ଏକ ଆଦର୍ଶ ରଚନା । ଏହା ଓଡ଼ିଆ ସାହିତ୍ୟିକ, ସମାଲୋଚକ, ଅଧ୍ୟାପକ, ଛାତ୍ର ଓ ସାଧାରଣ ସୁଧୀସମାଜରେ ବିଶେଷ ଆଦର ଲାଭ କରିବ ବୋଲି ମୋର ବିଶ୍ୱାସ । ପଣ୍ଡିତ ବ୍ରହ୍ମାଙ୍କଠାରୁ ଆମେ ଏହିପରି ଆହୁରି ଅନେକ ଗବେଷଣାତ୍ମକ ପ୍ରବନ୍ଧ ଓ ପୁସ୍ତକ ଆଶା କରୁଁ ।’’ ଇତି ।

ଶ୍ରଦ୍ଧାକର ସୂପକାର

୨୩-୪-୧୯୭୬

 

‘‘ସେଇ ସମ୍ପର୍କୀୟ ପ୍ରବନ୍ଧଗୁଡ଼ିକୁ ଏକ ସୂତ୍ରରେ ଗ୍ରଥିତ କରି ସେ ‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ଶୀର୍ଷକ ଏକ ଉପାଦେୟ, ବହୁ-ତଥ୍ୟ-ସମ୍ବଳିତ ନିବନ୍ଧ ପ୍ରସ୍ତୁତ କରିଅଛନ୍ତି । ଏହା ପାଠକ ଓ ଗବେଷକମାନଙ୍କୁ ଶଂସିତ ବିଷୟରେ ଆଶାନୁରୂପ ଅବହିତ କରିବ, ଏହା ମୋର ଦୃଢ଼ ବିଶ୍ୱାସ ।’’

ଜାନକୀ ବଲ୍ଲଭ ମହାନ୍ତି

ମୁଖ୍ୟ ଅଧ୍ୟାପକ, ଓଡ଼ିଆ ବିଭାଗ,

ରେଭେନ୍‌ସା କଲେଜ, କଟକ

 

‘‘ଅଧ୍ୟାପକ ଶ୍ରୀ ରାମଚନ୍ଦ୍ର ବ୍ରହ୍ମାଙ୍କ ଲିଖିତ ‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ନାମକ ଗ୍ରନ୍ଥର ପାଣ୍ଡୁଲିପି ପାଠକରି ପ୍ରୀତି ହେଲି । ଶ୍ରୀଯୁକ୍ତ ବ୍ରହ୍ମା ବହୁ ଶ୍ରମ ସ୍ୱୀକାର ପୂର୍ବକ ବାମଣ୍ଡାର ସୁପରିଚିତ ଓ ଅପରିଚିତ ବହୁ ଲେଖକଙ୍କ ସମ୍ପର୍କରେ ନାନା ଉପାଦେୟ ତଥ୍ୟ ଏ ଗ୍ରନ୍ଥରେ ସମାବେଶିତ କରିଅଛନ୍ତି ।’’

 

ବଡ଼ଦାଣ୍ଡ

ଭୁବନେଶ୍ୱର

ଶ୍ରୀ ଗୌରୀ କୁମାର ବ୍ରହ୍ମା

୧୩।୪।୭୬

 

‘‘ଅଧ୍ୟାପକ ଶ୍ରୀ ରାମଚନ୍ଦ୍ର ବ୍ରହ୍ମା ବହୁ ଗବେଷଣା ଦ୍ୱାରା ବିସ୍ମୃତ ପ୍ରାୟ ଏହି ଅଧ୍ୟାୟର ପୁନର୍ନିମାଣ କରିବାର ପ୍ରୟାସ କରିଛନ୍ତି । ଉତ୍କଳର ପଶ୍ଚିମ ସୀମାନ୍ତରେ ବାମଣ୍ଡା ଏକ ସାରସ୍ୱତ ସାଧନାର ପୀଠରେ ଯେଉଁ ହୋମାଗ୍ନି ପରିବେଷଣ କରିଥିଲା ତାହାର ସ୍ମରଣିକା ସ୍ୱରୂପ ଏ ଗ୍ରନ୍ଥ ନିଶ୍ଚିତ ସ୍ୱୀକୃତି ଲାଭ କରୁ ।’’

ବିନୋଦଚନ୍ଦ୍ର ନାୟକ

୨୪।୬।୭୫

 

୧୯୨୯ରେ ଦେବଗଡ଼ ହାଇସ୍କୁଲରେ ମୁଁ କେତେ ମାସ ଅଧ୍ୟୟନ କରିଥିଲି । ତେଣୁ ବାମଣ୍ଡା ବଡ଼ ଓ ସାନ ସାହିତ୍ୟିକମାନଙ୍କ ସହିତ ମୋର ହାର୍ଦ୍ଦିକ ପରିଚୟ ଥିଲା । ବାମଣ୍ଡା ପ୍ରତି ମୁଁ ଏକ ପ୍ରକାର ଅନୁରକ୍ତ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଶ୍ରୀ ବ୍ରହ୍ମାଙ୍କର ପୁସ୍ତକ ସମ୍ପର୍କରେ ଉପରୋକ୍ତ ସାହିତ୍ୟିକ ବନ୍ଧୁମାନଙ୍କ ଉଚ୍ଛ୍ୱାସିତ ପ୍ରଶଂସା ମୋତେ ଉତ୍ସାହିତ କରିଥିଲା, ମାତ୍ର ପୁସ୍ତକ ପାଠ ପରେ ମୁଁ ମର୍ମେ ମର୍ମେ ହତାଶ ହେଲି ।

 

ହତାଶର କାରଣ ଦେବାକୁ ବର୍ତ୍ତମାନ ମୁଁ ପୁସ୍ତକଟିର ପ୍ରସଙ୍ଗକୁ ଆସୁଛି ।

 

ରାଧାନାଥ ‘‘ରାୟ ବାହାଦୁର’’ ଉପାଧି କାହା ଠାରୁ ପାଇଥିଲେ ?

ଅଧ୍ୟାପକ ବ୍ରହ୍ମା ତାଙ୍କର ପୁସ୍ତକରେ ଅତ୍ୟନ୍ତ ଅମୂଳକ ଓ ଅସତ୍ୟ ସମ୍ବାଦ ଦେଇଛନ୍ତି ମୁଁ ତାହା ତାଙ୍କ ପୁସ୍ତକରୁ ଉଦ୍ଧାର କରି ପ୍ରତିପାଦିତ କରୁଛି-

 

‘‘ବାମଣ୍ଡାର ଏହି ଆଲୋଚନା ସଭା ରାଧାନାଥ ରାୟଙ୍କୁ ରାୟ ବାହାଦୁର ଉପାଧି ପ୍ରଦାନ ପୂର୍ବକ ଗୌରବ ମଣ୍ଡିତ କରି ପାରିଥିଲା ।’’

 

‘‘ବାମଣ୍ଡା ରାଜସଭାରୁ କବିବର ରାଧାନାଥ ରାୟଙ୍କୁ ରାୟ ବାହାଦୁର ଉପାଧି (୧୮୯୭) ପ୍ରଦାନ ତାଙ୍କ ସାହିତ୍ୟ-ପ୍ରୀତିର ଶ୍ରେଷ୍ଠ ନିଦର୍ଶନ ।’’

 

‘‘ବାମଣ୍ଡା ରାଜଦରବାରରୁ ରାୟ ବାହାଦୁର ଉପାଧି ଲାଭ ଏବଂ ସମ୍ବଲପୁର ହିତୈଷିଣୀରେ ଚିଲିକା, ପାର୍ବତୀ, ଯଯାତି କେଶରୀ ପ୍ରଭୃତିର ପ୍ରକାଶନ ତାଙ୍କର ବାମଣ୍ଡା ସହିତ ଘନିଷ୍ଠତାର ଶ୍ରେଷ୍ଠ ନିଦର୍ଶନ ବୋଲି ମନେ ହୁଏ ।’’

 

ମାତ୍ର ବ୍ରିଟିଶ ଶାସନର ଅଧୀନରେ ଥାଇ ସାର୍‌ ସୁଢ଼ଳଦେବ ବାମଣ୍ଡା ଦରବାରରୁ ‘‘ରାୟ ବାହାଦୁର’’ ଦେଇ ପାରିଥାନ୍ତେ କି ? ତାହା ତାଙ୍କର ଅଧିକାର ମଧ୍ୟରେ ସମ୍ଭବ ଥିଲା କି ?

 

ପ୍ରକୃତ ସତ୍ୟ ଓ ତଥ୍ୟର ଉଲ୍ଲେଖ ନ କରି ରହି ହେଉନାହିଁ-

 

୧୮୯୭ରେ ବାମଣ୍ଡା ଦରବାର ନୁହେଁ । ଭାରତ ସରକାର ମହାରାଣୀ ଭିକ୍ଟୋରିୟାଙ୍କ ହୀରକ ଜୁବୁଲି ଉପଲକ୍ଷ୍ୟରେ କବିବର ରାଧାନାଥ ରାୟଙ୍କୁ ଯୋଗ୍ୟ ମନେକରି ‘‘ରାୟ ବାହାଦୁର’’ ଉପାଧି ପ୍ରଦାନ କରିଥିଲେ-

 

ସନନ୍ଦର ପ୍ରତିଲିପି

"To Babu Radhanath Rai

      Inspector of Schools, ORISSA.

I here by, confer upon you the title of Rai Bahadur as a personal distinction.

Sd. Elgin

Viceroy and Governor General of India

Simla

The 22nd, June 1897."

ରାଧାନାଥ ଜୀବନୀ, ପୃ ୨୮୧ ଷ୍ଠା

 

ଓଡ଼ିଶାରେ ସେ ସମ୍ବାଦ କିପରି ପ୍ରଚାରିତ ହୋଇଥିଲା ଓ ଲୋକ ପ୍ରାଣରେ କିପରି ଆନନ୍ଦ ଦେଇ ପାରିଥିଲା ତା’ର କେତୋଟି ଦୃଷ୍ଟାନ୍ତ ଦେଉଛି-

 

ସମ୍ବଲପୁର ହିତୈଷିଣୀର ସମ୍ପାଦକଙ୍କ ପାଖକୁ ୨୮ ତାରିଖ ଜୁଲାଇ ୧୮୯୭ରେ ରାଙ୍ଗେୟା ନାଇଡ଼ୁଙ୍କର କାକାନାଡ଼ାରୁ ପତ୍ର-

 

‘‘ମହାଶୟ,

ଉତ୍କଳର ସୁବିଖ୍ୟାତ କବି ସର୍ବଗୁଣାଧାର ଶ୍ରୀମାନ୍‌ ବାବୁ ରାଧାନାଥ ରାୟ ମହୋଦୟ ଭାରତେଶ୍ୱରୀ ଭିକ୍ଟୋରିୟାଙ୍କ ହୀରକ ଜୁବୁଲି ଉପଲକ୍ଷରେ ରାୟ ବାହାଦୁର ଉପାଧି ଭୂଷଣରେ ଭାରତ ସରକାରଙ୍କ ଦ୍ୱାରା ଭୂଷିତ ହୋଇଥିବା ଦେଖି ସମଗ୍ର ଉତ୍କଳବାସୀ ଆନନ୍ଦିତ ହୋଇ ଅଛନ୍ତି-।’’

ରାଧାନାଥ ଜୀବନୀ, ପୃ ୨୭୫ ଷ୍ଠା

 

ପାଟଣାର ମହାରାଜା ଶ୍ରୀ ଦଳଗଞ୍ଜ ସିଂହଙ୍କର ପତ୍ରରୁ-

‘‘ଡାଇମଣ୍ଡ ଜୁବୁଲି ସମ୍ବନ୍ଧେ ଆପଣ ମହାମାନ୍ୟ ଭାଇସରୟ ମହୋଦୟଙ୍କ ଛାମୁରୁ ‘‘ରାୟ ବାହାଦୁର’’ ଉପାଧି ପାଇଥିବା ଶୁଭ ସମ୍ବାଦ ପତ୍ରରୁ ଅବଗତ ହୋଇ ଯେତେ ଦୂର ପର୍ଯ୍ୟନ୍ତ ଆନନ୍ଦ କଲ୍ଲୋଳିନୀ ଉଚ୍ଛ୍ୱସିତ ହେଲା, ତହିଁର ସୀମା ନାହିଁ ।’’

 

ରାଧାନାଥ ଜୀବନୀ, ପୃ ୨୬୮ଷ୍ଠା

 

୨୧ ତାରିଖ ଅଗଷ୍ଟ ସନ ୧୮୯୭ର ସମ୍ବଲପୁର ହିତୈଷିଣୀରେ କବି ଚିନ୍ତାମଣି ମହାନ୍ତି କବିତାରେ ‘‘ଆନନ୍ଦ ସମାଚାର’’ ଜଣାଇଛନ୍ତି-

 

ତୁଙ୍ଗ ମାଲ୍ୟଗିରି, ଯେ ଗନ୍ଧମାର୍ଦନ,

ହୋଇଅଛି ଯା’ର ହୃଦୟ ମଣ୍ଡନ,

ସେହି ଉତ୍କଳର ପୁତ୍ର କବି ଶୂର

ଲଭିଛନ୍ତି ଯଦି ‘‘ରାୟ ବାହାଦୂର’’

ରାଜଦ୍ୱାରେ ଶୁଣି ସ୍ୱପୂତ୍ର ସୁଖ୍ୟାତି

ହର୍ଷେ ଫୁଲି ଉଠେ ଉତ୍କଳର ଛାତି ।

ଯା’ର ଯୋଗ୍ୟପୁତ୍ର ରାଧାନାଥ ରାୟ

ବୀଣାପାଣିଙ୍କର ବରପୁତ୍ର ପ୍ରାୟ,

ଭାରତ ଈଶ୍ୱରୀ ଯା’ ଗୁଣେ ପ୍ରସନ୍ନ

ହୋଇ ଦାନ କଲେ ଅଯାଚିତ ଧନ ।

 

ରାୟ ବାହାଦୁର ଉପାଧି ରାଧାନାଥଙ୍କୁ ବାମଣ୍ଡା ଦରବାରର ନୁହେଁ, ଭାରତେଶ୍ୱରୀ ଭିକ୍ଟୋରିୟାଙ୍କର ଦାନ ।

 

ଶ୍ରୀ ରଘୁନାଥ ଶର୍ମା ୧୧ । ୮ । ୧୮୯୬ରେ ଲେଖିଥିଲେ ।

 

‘‘ଭାରତ ଈଶ୍ୱରୀ ଭିକ୍ଟୋରିୟା ରାଣୀ

ଯାହାଙ୍କ ସୁଗୁଣ ନୁହଇ ବଖାଣି ।

ସୌଜନ୍ୟ ସୁଗୁଣ ଗ୍ରହଣେ ଅଗ୍ରଣୀ

ସେଇ ଦେଇଛନ୍ତି ସେ ପଦକ ମଣି ।

ତଥା ରାଧାନାଥ ରାୟ କବିବର

ରାୟ ବାହାଦୁର ପଦରେ ଭାସ୍ୱର ।’’

      ରାଧାନାଥ ଜୀବନୀ, ୨୭୯ ପୃଷ୍ଠା

 

ରାଧାନାଥ ଜୀବନୀରେ ଏ ସମ୍ପର୍କରେ ଯେତେ ଯେତେ ପ୍ରାମାଣିକତା ରହିଛି, ଲେଖକ ଶ୍ରୀ ବ୍ରହ୍ମା ସବୁ ଦେଖି ଆଖି ବୁଜି ଦେଇଛନ୍ତି ।

 

‘‘କୃଷ୍ଣପ୍ରେମ ତରଙ୍ଗିଣୀ’’ର ପ୍ରଣେତା କିଏ ?

ଅଧ୍ୟାପକ ବ୍ରହ୍ମା ତାଙ୍କ ପୁସ୍ତକର ପୃ ୬୮ ଷ୍ଠାରେ ପ୍ରକାଶ କରିଛନ୍ତି-ଏମାନଙ୍କ ମଧ୍ୟର ଥିଲେ ଶ୍ରେଷ୍ଠ ପଣ୍ଡିତ ଭୁବନେଶ୍ୱର ବଡ଼ପଣ୍ଡା । ସେ ଏହି ନବରତ୍ନଙ୍କ ମଧ୍ୟରେ କାଳିଦାସଙ୍କ ସଦୃଶ ଶୋଭା ପାଉଥିଲେ । ତାଙ୍କ ‘‘ଆନନ୍ଦ ଦାମୋଦର ଚମ୍ପୁ’’, ‘‘ବାମଣ୍ଡାରାଜବଂଶାନୁଚରିତ ଚମ୍ପୁ’’ ଓ ‘‘କୃଷ୍ଣପ୍ରେମ ତରଙ୍ଗିଣୀ’’ ତିନିଖଣ୍ଡ ସଂସ୍କୃତ କାବ୍ୟଶ୍ରେଷ୍ଠ ଗ୍ରନ୍ଥ ଯାହାକି ବାମଣ୍ଡାର ସାହିତ୍ୟିକ ବାତାବରଣକୁ ଉଚ୍ଚକୋଟୀର ପରିବେଶରେ ତୋଳିଥିଲା ।’’

 

ପୁଣି ୨୮ ପୃଷ୍ଠାରେ ଶ୍ରୀ ବ୍ରହ୍ମା ଉଲ୍ଲେଖ କରିବାକୁ ଛାଡ଼ି ନାହାନ୍ତି- ‘‘ଭୁବନେଶ୍ୱର ବଡ଼ପଣ୍ଡାଙ୍କର (ତିଗିରିଆ ନିବାସୀ, ପରେ ବାମଣ୍ଡାବାସୀ) ସଂସ୍କୃତ ଜ୍ଞାନର ଶ୍ରେଷ୍ଠ ନିଦର୍ଶନ ସ୍ୱରୂପ (୧) ଆନନ୍ଦ ଦାମୋଦର ଚମ୍ପୂ, (୨) ବାମଣ୍ଡା ରାଜବଂଶାନୁଚରିତମ ଓ (୩) କୃଷ୍ଣ ପ୍ରେମତରଙ୍ଗିଣୀ ତିନୋଟି ସଂସ୍କୃତ କାବ୍ୟର ପରିଚୟ ପ୍ରକାଶିତ ହେଲା ।’’

 

ପ୍ରଥମ ଦୁଇଖଣ୍ଡ କାବ୍ୟ ପଣ୍ଡିତ ଭୁବନେଶ୍ୱର ବଡ଼ପଣ୍ଡାଙ୍କର ରଚନା ମାତ୍ର କୃଷ୍ଣ ପ୍ରେମ ତରଙ୍ଗିଣୀ ତାଙ୍କର ରଚନା ନୁହେଁ । ତା’ର ପ୍ରଣେତା ହେଉଛନ୍ତି ତଦାନୀନ୍ତନ ଭଦ୍ରଖ ହାଇସ୍କୁଲର ହେଡ଼ମାଷ୍ଟର ଶ୍ରୀ ଶରଚ୍ଚନ୍ଦ୍ର ବନ୍ଦୋପାଧ୍ୟାୟ ।

 

ଅଧ୍ୟାପକ ବ୍ରହ୍ମା ନିଜର ବକ୍ତବ୍ୟକୁ ବଳବତ୍ତର କରିବାକୁ ଯାଇ ପୁଣି କହିଛନ୍ତି- ‘‘ତେଣୁ ରାଧାନାଥଙ୍କ ଭାଷାରେ- ‘‘ଆନନ୍ଦ ଦାମୋଦର ଚମ୍ପୂ ଓ କୃଷ୍ଣ ପ୍ରେମତରଙ୍ଗିଣୀ ଉତ୍କୃଷ୍ଟ ସ୍ମରଣୀୟ ସଂସ୍କୃତ ଗ୍ରନ୍ଥ ଉତ୍କଳରେ ରଚିତ ହୋଇଅଛି । ସେମାନଙ୍କର ମୁଦ୍ରଣ ଓ ପ୍ରଚାର ସକାଶେ ଉତ୍କଳୀୟ ଓ ଭାରତୀୟ ସାହିତ୍ୟିକ ଜଗତ କେବଳ ବାମଣ୍ଡାଠାରେ ଋଣୀ ।’’

ରାଧାନାଥ ଜୀବନୀ ପୃ ୨୭୪ଷ୍ଠା

 

ବାମଣ୍ଡା ଆଲୋଚନା ସଭାର ସଭାପତି ଯୁବରାଜ ଶ୍ରୀ ସଚ୍ଚିଦାନନ୍ଦ ଦେବଙ୍କ ନିକଟକୁ ରାଧାନାଥ ରାୟ ୨୧ ତାରିଖ ଜୁଲାଇ ୧୮୯୭ ରେ ରାଧାନାଥ ରାୟ ପତ୍ର ଲେଖି ତହିଁରେ କଥା ପ୍ରସଙ୍ଗରେ ଉତ୍‌ଥାପିତ କରିଥିଲେ ଯେ ଆନନ୍ଦ ଦାମୋଦାର ଚମ୍ପୂ ଓ କୃଷ୍ଣପ୍ରେମ ତରଙ୍ଗିଣୀ ଉତ୍କଳରେ ରଚିତ ହୋଇଅଛି, ମାତ୍ର ଉଭୟ ପୁସ୍ତକ ବଡ଼ପଣ୍ଡାଙ୍କ ଦ୍ୱାରା ରଚିତ ବୋଲି କହିଛନ୍ତି କି ? ତେବେ ଶ୍ରୀ ବ୍ରହ୍ମା ରାଧାନାଥଙ୍କ କେଉଁ କଥାକୁ ନିଜର ଦେଇ କହୁଛନ୍ତି ପଣ୍ଡିତ ଭୁବନେଶ୍ୱର ‘‘କୃଷ୍ଣପ୍ରେମ ତରଙ୍ଗିଣୀ’’ର ପ୍ରଣେତା ?

 

ନୀଳମଣୀ ବିଦ୍ୟାରତ୍ନ ନା ଉଜ୍ଜ୍ୱଳ ନୀଳମଣୀ ବିଦ୍ୟାରତ୍ନ ?

ଶ୍ରୀ ନୀଳମଣୀ ବିଦ୍ୟାରତ୍ନ ଓଡ଼ିଶାର ସାରସ୍ୱତ କ୍ଷେତ୍ରରେ ଅତ୍ୟନ୍ତ ସୁପରିଚିତ । ଲେଖକ ତାଙ୍କୁ ନୂତନ ନାମରେ ନାମିତ କରିଛନ୍ତି ଶ୍ରୀ ଉଜ୍ଜ୍ୱଳ ନୀଳମଣୀ । ବୈଷ୍ଣବ କବି ଶ୍ରୀ ରୂପଗୋସ୍ୱାମୀ ତାଙ୍କ କାବ୍ୟତତ୍ତ୍ୱ ଗ୍ରନ୍ଥର ନାମ ଦେଇଛନ୍ତି ‘‘ଉଜ୍ଜ୍ୱଳ ନୀଳମଣୀ’’ ।

 

ଲେଖକ ନୀଳମଣୀ ପରିବର୍ତ୍ତରେ ‘‘ଉଜ୍ଜ୍ୱଳ ନୀଳମଣୀ’’ ବାରମ୍ବାର ଉଲ୍ଲେଖ କରିବାକୁ ଛାଡ଼ି ନାହାନ୍ତି ।

 

‘‘ଉତ୍କଳ ମଧୁପ-ବାମଣ୍ଡା ରାଜଧାନୀ ଦେବଗଡ଼ରୁ ଆଲୋଚନା ପ୍ରକାଶର ତିନିମାସ ପରେ ୧୯୦୦ ମସିହାର ଜୁନ ମାସରେ ପଣ୍ଡିତ ଉଜ୍ଜ୍ୱଳ ନୀଳମଣୀ ବିଦ୍ୟାରତ୍ନଙ୍କ ତତ୍ତ୍ୱାବଧାନରେ ଆଠପୃଷ୍ଠା ବିଶିଷ୍ଟ ଉତ୍କଳ ମଧୁପ ନାମକ ଅନ୍ୟ ଏକ ମାସିକ ପତ୍ରିକା ପ୍ରକାଶ ଲାଭ କଲା ।’’

ପୃଷ୍ଠା ୩୩ ।

 

‘‘ଏହାର ସମ୍ପାଦକ ଓ ସ୍ୱତ୍ୱାଧିକାରୀ ଥିଲେ ପଣ୍ଡିତ ଉଜ୍ଜ୍ୱଳ ନୀଳମଣୀ ବିଦ୍ୟାରତ୍ନ ।’’       

ପୃଷ୍ଠା ୩୫ ।

‘‘ପଣ୍ଡିତ ଉଜ୍ଜ୍ୱଳ ନୀଳମଣୀ ବିଦ୍ୟାରତ୍ନ ୧୮୮୬ ଠାରୁ ୧୯୦୧ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ କାଳ ଶିକ୍ଷକତା ସମ୍ପାଦନ କରି ୧୯୦୨ ରେ ଅବ୍ୟାହତି ଲାଭ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ।’’

ପୃଷ୍ଠା ୩୪ ।

 

‘‘ସମ୍ବଲପୁର ହିତୈଷିଣୀ ୧୮୮୯ ସାଲରେ ଆତ୍ମପ୍ରକାଶ ଲାଭ କରି ଏକ ଯୁଗାନ୍ତର ଆନୟନ କଲା । ପ୍ରସିଦ୍ଧ ପଣ୍ଡିତ ଉଜ୍ଜ୍ୱଳ ନୀଳମଣୀ ବିଦ୍ୟାରତ୍ନଙ୍କ ସମ୍ପାଦକତ୍ୱରେ ଏହା ମହିମାନ୍ୱିତ ହେଲା ।’’

ପୃଷ୍ଠା ୨୦ ।

 

‘‘ବାଙ୍କି ବୈଦ୍ୟେଶ୍ୱର ନିବାସୀ ପଣ୍ଡିତ ଉଜ୍ଜ୍ୱଳ ନୀଳମଣୀ ବିଦ୍ୟାରତ୍ନଙ୍କ ପ୍ରତ୍ୟାବର୍ତ୍ତନ ପରେ ଦୀନବନ୍ଧୁ ଗଡ଼ନାୟକ ସମ୍ବଲପୁର ହିତୈଷିଣୀ ସପ୍ତାହିକ ପତ୍ରିକାର ସମ୍ପାଦକ ରୂପେ ୧୯୧୦ ଠାରୁ କାର୍ଯ୍ୟ ନିର୍ବାହ କଲେ ।’’

ପୃଷ୍ଠା ୯୩ ।

 

‘‘ପଣ୍ଡିତମାନଙ୍କ ମଧ୍ୟରେ ପଣ୍ଡିତ ଭୁବନେଶ୍ୱର ବଡ଼ପଣ୍ଡା ପଣ୍ଡିତ ସୁଦର୍ଶନ ନ୍ୟାୟରତ୍ନ, ପଣ୍ଡିତ ମଧୁସୂଦନ ମିଶ୍ର ତର୍କ ବାଚସ୍ପତି, ପଣ୍ଡିତ କାଳୀଚରଣ ବିଦ୍ୟାଭୂଷଣ, ପଣ୍ଡିତ ଭାଗୀରଥୀ ରଥ, ପଣ୍ଡିତ ନୀଳକଣ୍ଠ ଷଡ଼ଙ୍ଗୀ, ପଣ୍ଡିତ ଉଜ୍ଜ୍ୱଳ ନୀଳମଣୀ ବିଦ୍ୟାରତ୍ନ, ଚିନ୍ତାମଣି ମିଶ୍ର, ତର୍କବାଚସ୍ପତି, ଦାର୍ଶନିକ ପଣ୍ଡିତ ବାଚା ଓଝା, ଭାରତ ମାର୍କଣ୍ଡ ଶିବ କୁମାରୀ ଶାସ୍ତ୍ରୀ, ଶ୍ରୀକର ଶାସ୍ତ୍ରୀ, ବଳରାମ ବିଦ୍ୟାରତ୍ନ, ମାର୍କଣ୍ଡେୟ ଶାସ୍ତ୍ରୀ ଇତ୍ୟାଦି ପଣ୍ଡିତବୃନ୍ଦ ଶୋଭା ପାଉଥିଲେ ।’’

ପୃଷ୍ଠା ୬୮ ।

 

ଅଧ୍ୟାପକ ମହାଶୟ ନୀଳମଣୀଙ୍କୁ ଯେଉଁ ନୂତନ ନାମରେ ଭୂଷିତ କରିଅଛନ୍ତି, ତା’ର ମୋହ ବା ଲୋଭ ସମ୍ବରଣ କରି ନପାରି ପୁସ୍ତକଟିର ବହୁ ସ୍ଥାନରେ ଗୁମ୍ଫିତ କରିଛନ୍ତି ।

 

ମାତ୍ର ଅଧ୍ୟାପକଙ୍କର ଉଜ୍ଜ୍ୱଳ ନୀଳମଣୀ ପ୍ରକୃତରେ ଥିଲେ ନୀଳମଣୀ, ଫକୀର ମୋହନ ତାଙ୍କର ଗୁଣ ବର୍ଣ୍ଣନା କରି ଉତ୍କଳ ଭ୍ରମଣରେ ପ୍ରକାଶ କରିଥିଲେ-

 

‘‘ମୋହର ବିନତି ଶୁଣ ନୀଳମଣୀ ନନା,

ହିତୈଷିଣୀ ଲେଖିବାକୁ ନ କରିବ ମନା ।’’

 

କବି ଗଙ୍ଗାଧର ‘‘ବିଦ୍ୟାରତ୍ନଙ୍କ ହିତୈଷିଣୀ’’ କବିତାରେ ପ୍ରକାଶ କରିଥିଲେ-

 

‘‘ଧନ୍ୟ ଧନ୍ୟ ବାସୁଦେବ ମହୀପାଳମଣି,

ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି’’

 

ତାଙ୍କର ଗୁଣ ଗାନ କରି ଆମର ଅନ୍ନପୂର୍ଣ୍ଣା ଦେଈ-‘‘ବାବୁ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତି’’ ଲେଖିଛନ୍ତି-

 

‘‘ଉତ୍କଳର ବରପୁତ୍ର ଆହେ ନୀଳମଣି

ବିଦ୍ୟାରତ୍ନ ଉପାଧିରେ ବିଖ୍ୟାତ ଧରଣୀ ।’’

 

ବାମଣ୍ଡାର ଶ୍ରୀ ବୃନ୍ଦାବନନାଥ ଶର୍ମା ‘‘ମୋର ଜଣାଲୋକ’’ରେ କହି ଯାଇଛନ୍ତି-‘‘ବାମଣ୍ଡାକୁ ଆଗତ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟାସକବି ଫକୀର ମୋହନ, ଭକ୍ତକବି ମଧୁସୂଦନ, ବିଶ୍ୱନାଥ କର, ଗୌରୀଶଙ୍କର ରାୟ, ଗଙ୍ଗାଧର ମେହେର, ନୀଳମଣି ବିଦ୍ୟାରତ୍ନ ଓ ଗୋପାଳଚନ୍ଦ୍ର ପ୍ରହରାଜ ପ୍ରମୁଖଙ୍କ ସାକ୍ଷାତ ଲାଭ ଏବଂ ସୁମିଷ୍ଟ ଭାବର ପ୍ରଦାନ ତାଙ୍କର ସାହିତ୍ୟିକ ଜୀବନକୁ ବିଶେଷ ଭାବେ ଅନୁପ୍ରାଣୀତ କରିଥିଲା ।’’

 

‘‘ସମ୍ବଲପୁର ହିତୈଷିଣୀର ସୁଯୋଗ୍ୟ ସଂପାଦକ ‘ନୀଳମଣି ବିଦ୍ୟାରତ୍ନ, ବୃନ୍ଦାବନଙ୍କ ପ୍ରାଥମିକ ପରୀକ୍ଷାରେ ଭୂଗୋଳ ପରୀକ୍ଷକ ଥିଲେ ।’’ (୧୮୯୮)

 

ସାର୍‌ବାସୁଦେବ ସୁଢଳ ଦେବ CIE ଶୀର୍ଷକ ପ୍ରବନ୍ଧରେ କବିବର ରାଧାନାଥ ‘‘ଶ୍ରୀଯୁକ୍ତ ବାବୁ ନୀଳମଣି ବିଦ୍ୟାରତ୍ନ’’ ଓ କବି ମାୟାଧର ମାନସିଂହ ତାଙ୍କ ‘‘ବୈଜ୍ଞାନିକ ସଚ୍ଚିଦା ନନ୍ଦ’’ ପ୍ରବନ୍ଧରେ ‘‘ନୀଳମଣି ବିଦ୍ୟାରତ୍ନଙ୍କ ହିତୈଷିଣୀ’’ ବୋଲି ଉଲ୍ଲେଖ କରିଛନ୍ତି ।

 

ତେଣୁ ଅଧ୍ୟାପକ ଉଜ୍ଜ୍ୱଳ ନୀଳମଣିଠାରୁ ଅନୁଜ୍ଜ୍ୱଳ ନୀଳମଣି ବହୁତ ଉଜ୍ଜ୍ୱଳ ।

 

ପ୍ରଧାନ ପାଟ ପ୍ରପାତ ନା ପ୍ରଧାନ ପ୍ରପାତ ?

ଦେବଗଡ଼ରେ ଯେଉଁ ଜଳପ୍ରପାତ କୈଦନ୍ତା ପାହାଡ଼ରୁ ଝରି ପଡ଼ୁଅଛି, ତାହାର ନାମ ‘‘ପ୍ରଧାନ ପାଟ’’ ଜଳପ୍ରପାତ । ମାତ୍ର ଲେଖକ ତାକୁ ପ୍ରଧାନ ପ୍ରପାତ ବୋଲି ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି-

 

‘‘ବାମଣ୍ଡାର ରାଜଧାନୀ ଦେବଗଡ଼ ଚତୁର୍ଦ୍ଦିଗ ପର୍ବତ ବେଷ୍ଟିତ, ଏକ ଉପତ୍ୟକା ସଦୃଶ୍ୟ ସୁଶୋଭିତ । ଏହାର ଉତ୍ତର ଦିଗରେ ‘‘ପ୍ରଧାନ ପ୍ରପାତ’’ ରମ୍ୟ ନିର୍ଝରିଣୀ ଜଳ କଳ କଳ ନିନାଦରେ ପ୍ରବାହିତ ।’’

 

ପଣ୍ଡିତ ଭୁବନେଶ୍ୱର ବଡ଼ପଣ୍ଡା ‘‘ପ୍ରଧାନ ପାଟ’’ ବୋଲି ଲେଖିଛନ୍ତି ତାଙ୍କର ବାମଣ୍ଡା ରାଜବଂଶାନୁଚରିତ ଚମ୍ପୁରେ । (୧୮୮୯)

 

‘‘ପ୍ରଧାନପଟ୍ଟତ୍ସୁ’’ ହିମଶୈଳଇବ ଶିବାଭିଭୂଷିତେ ରୁଦ୍ରଜଟାଜୁଟ ଇବ ପୁଣି କହିଛନ୍ତି-

 

‘‘ଅଥ ବାମଣ୍ଡା ରାଜଧାନ୍ୟାଂ ଦେବଦୁର୍ଗ ନାମନି ନଗରେ ‘‘ପଧାନେ ପଟ୍ଟାଭିଧାନ’’ ଶୈଳ ନିସରନ୍ନହନ୍ନିର୍ଝର ତରଙ୍ଗ ସେକଃ ।’’

 

‘‘ଧନ୍ୟ ତୁ ପ୍ରଧାନ ପାଟ ନିର୍ଝରିଣୀ

ପଞ୍ଚଖଣ୍ଡା ଗିରି ସୀମାନ୍ତ ରୂପିଣୀ ।’’

ପ୍ରଧାନପାଟ (୧୮୮୮) ଦାମୋଦର ମିଶ୍ର ପଦ୍ୟାଳଙ୍କାର

 

‘‘ବହୁବର୍ଷ ପରେ ଆଜି ଏ ନୟନ

 

 

ଦେଖିଲା ଆବର,

କୈଦନ୍ତା ପର୍ବତ ପ୍ରସ୍ଥେ ତପୋମୂର୍ତ୍ତି

 

 

ପ୍ରଧାନ ପାଟର’’

ମଧୁସୂଦନ ରାଓ

 

‘‘ପ୍ରଧାନ ପାଟ ଈଶ୍ୱରୀ ଦେବୀ ଚାରୁକଣ୍ଠେ

ଲମ୍ବାଇଲେ, କାବ୍ୟ ଦାମ ଗୁନ୍ଥି ସୁଯତନେ

ନିସର୍ଗ ପ୍ରଧାନ ପାଟ ଦେବୀ ମାହେଶ୍ୱରୀ

ବିରାଜିତ ଯାର ପାଦପୀଠ ।’’

ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ

 

‘‘ପୂର୍ବୋକ୍ତ ପ୍ରଧାନ ପାଟ ଜଳପ୍ରପାତ ବାମଣ୍ଡାର ସର୍ବପ୍ରଧାନ ଦୃଶ୍ୟ ।’’

ଭ୍ରମଣକାରୀ ପତ୍ର

      ରାଧାନାଥ ରାୟ

 

‘‘ଏହି ଉଦ୍ୟାନର ତରୁଲତା ପ୍ରଧାନ ପାଟ ପ୍ରପାତର ଜଳଦ୍ୱାରା ପରିପୋଷିତ’’

 

‘‘ଘୋର ଅରଣ୍ୟ ଏ ଗିରିକନ୍ଦର ସୁଲଭ ନିର୍ଜନତାରେ ଏହି ଅପାଶୋରା ଦୃଶ୍ୟ ଦେଖିଲେ ମନ କିପରି ହୁଏ, ତାହା ଯେବେ ତୁମର ଅନୁଭବ କରିବାର ଇଚ୍ଛା ଥାଏ, ଶ୍ରମସ୍ୱୀକାର ପୂର୍ବକ ଥରେ ପ୍ରଧାନ ପାଟ ଦେଖିଆସ ।’’

 

‘‘ବାମଣ୍ଡା ଅବସ୍ଥାନ ମଧ୍ୟରେ ପ୍ରଧାନ ପାଟ ପ୍ରପାତ ମୁଁ ତିନିଥର ଦେଖିଥିଲି ।’’

 

‘‘ଦିବ୍ୟ ଅବଧାନେ ଆସୁ ଏ ଗୀତ ତୁମ୍ଭର

ହେ ରାଜେନ୍ଦ୍ର, ମନ୍ଦ୍ରନାଦ୍ୟ ପ୍ରପାତର ପତି ।

 

ବାମଣ୍ଡା ରାଜ୍ୟର ଅଧୀଶ୍ୱର ମହାରାଜ ଶ୍ରୀଯୁକ୍ତ ସୁଢ଼ଳ ଦେବଙ୍କ ପ୍ରତି ସମ୍ବୋଧନ । ପ୍ରୋକ୍ତ ପ୍ରପାତର ନାମ ପ୍ରଧାନ ପାଟ । ଏହା ବାମଣ୍ଡାର ରାଜଧାନୀ ଦେବଗଡ଼ର ଅତି ନିକଟବର୍ତ୍ତୀ-।’’

ପୃ ୧୯୩ ଷ୍ଠା

 

‘‘ଆହାରେ ପ୍ରଧାନ ପାଟ ନେତ୍ର ପ୍ରୀତିକର

ଭାବୁକର ଭାବମୟ ହୃଦୟ ରଞ୍ଜନ ।’’

ଗଙ୍ଗାଧର ମେହେର

 

‘‘ହରଷ ରସେ ମାତି କରଇ ନାଟ

ଧୀର ଗମ୍ଭୀର ନାଦେ ପ୍ରଧାନ ପାଟ ।’’

ଶଶିଭୂଷଣ ରାୟ

 

ଏତେ ଏତେ କବିଙ୍କର ସତ୍ୟ ସମ୍ଭାଷଣ ଶୁଣିଲାପରେ ପ୍ରଧାନ ପାଟ ଲେଖକଙ୍କର ‘‘ପ୍ରଧାନ ପ୍ରପାତ’’ ସମ୍ବୋଧନ ଶୁଣିବ ଟିକି ?

 

ବାମଣ୍ଡା ରାଜସଭାର ପଣ୍ଡିତ ଶ୍ରୀ ମଧୁସୂଦନ ତର୍କବାଚସ୍ପତି ସଂସ୍କୃତରେ ଖଣ୍ଡିଏ କାବ୍ୟ ରଚନା କରି ଯାଇଛନ୍ତି-ନାମ-ତାରାଶଶାଙ୍କ କାବ୍ୟ ମାତ୍ର ଅଧ୍ୟାପକ ରାମଚନ୍ଦ୍ର ବ୍ରହ୍ମା ତାଙ୍କର ଦାନରେ ଲେଖିଛନ୍ତି କେବଳ ‘‘ତାରା’’ ବୋଲି ।

 

ପଣ୍ଡିତ ଅନନ୍ତ ତ୍ରିପାଠୀ ଶର୍ମାଙ୍କ ‘‘ମନୋରମା’’ ସଂସ୍କୃତ ମାସିକ ପତ୍ରିକାର ୬ଷ୍ଠ ବର୍ଷର ତିନୋଟି ସଂଖ୍ୟାରେ ପ୍ରକାଶିତ ହୋଇଅଛି ।

 

ଲେଖକ ତାଙ୍କ ଦାନ ଗ୍ରନ୍ଥଟିର ୧୩ ପୃଷ୍ଠାରେ ଚତୁର୍ଭୁଜ ପଟ୍ଟନାୟକ ସ୍ଥଳରେ ଚତୁର୍ଭୁଜ ନାୟକ ଓ ୬୩ ପୃଷ୍ଠାରେ ଦୀନବନ୍ଧୁ ଗଡ଼ନାୟକ ସ୍ଥାନରେ ଦୀନବନ୍ଧୁ ନାୟକ ଲେଖିଛନ୍ତି ।

 

ଅଧ୍ୟାପକଙ୍କ ପକ୍ଷରେ ଟିକିଏ ସାବଧାନ ହେବା କରଣୀୟ ନୁହେଁ କି ?

 

ସାହିତ୍ୟରେ ସୃଷ୍ଟି ଥିଲା, ଅଛି ସମ୍ବାଦ ପତ୍ର (ସେ ଯୁଗରେ)ମାନଙ୍କରେ ସମାଲୋଚନା ଥିଲା, ତେଣୁ ଲେଖକ ତାଙ୍କର ପୁସ୍ତକଟିରେ ସାହିତ୍ୟ-ଆଲୋଚନା କରି ନାହାନ୍ତି-କେବଳ ସମ୍ବାଦ ପରିବେଷଣ କରିଛନ୍ତି, ଯଦି କେଉଁଠି ଆଲୋଚନା କରିଛନ୍ତି ତାହା ଗୁଣାତ୍ମକ ହୋଇନାହିଁ ।

 

ଡକ୍ଟର ମାୟାଧର ମାନସିଂହ Eastern State Agencyର Educational Advisor ଥିଲେ (୧୯୪୫-୪୬) ସେତେବେଳେ ତାଙ୍କର ସମ୍ପାଦନାରେ ‘ଶଙ୍ଖ’ ପତ୍ରିକା ପ୍ରକାଶିତ ହେଲା । ମାତ୍ର ଡକ୍ଟର ମାନସିଂହ ସେ ଦାୟିତ୍ୱରୁ ଚାଲିଗଲା ପରେ ଶଙ୍ଖର ସମ୍ପାଦକ ହେଲେ ଶ୍ରୀ ଜଳନ୍ଧର ଦେବ ।

 

ସେଇ ଶଙ୍ଖ ସମ୍ପର୍କରେ ଲେଖକ ଆମକୁ ଯାହା ଦେଇଛନ୍ତି ତାହା ହିଁ ତାଙ୍କର ସମୀକ୍ଷାର ସ୍ୱରୂପ-ଦୃଷ୍ଟାନ୍ତ ଦେବାର ଲୋଭ ସମ୍ବରଣ କରିପାରୁ ନାହିଁ ।

 

‘ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ଏହା (ଶଙ୍ଖ) ଶ୍ରେଷ୍ଠ ଶୁଭସୂଚକ ବସ୍ତୁ ରୂପେ କିଛି କାଳ ଦେଦୀପ୍ୟମାନ ଥିଲା । ଏହା ଏତେ ପ୍ରତିଭାଶାଳୀ ତଥା ପ୍ରଭାବଶାଳୀ ହେଲା ଯେ ପରେ ଶଙ୍ଖ ଓଡ଼ିଶା ଗଭର୍ଣ୍ଣମେଣ୍ଟଙ୍କ ତା ୩/୨/୧୯୪୭ ର ୫୯୬ ନମ୍ବର ଚିଠି ଅନୁସାରେ ଓଡ଼ିଆ ଶିକ୍ଷା ବିଭାଗୀୟ ପ୍ରତ୍ୟେକ ଅନୁଷ୍ଠାନ ପାଇଁ ଗୃହୀତ ହେଲା । ତେଣୁ ଜଳନ୍ଧର ଦେବଙ୍କ ଉକ୍ତିଟି ଶଙ୍ଖ ଭାରତବାସୀଙ୍କର ଶୁଭସୂଚକ ବସ୍ତୁ । ଏହାର ଶବ୍ଦ ଭାରତବାସୀଙ୍କ ହୃଦୟରେ ଶୁଭସୂଚନା ଦିଏ । ପୂର୍ବେ ଶଙ୍ଖଦ୍ୱାରା ସୈନ୍ୟ ଚାଳନା ହେଉଥିଲା । ସେହି ଶଙ୍ଖ ଶବ୍ଦ ଅଦ୍ୟାପି ଭାରତବାସୀର ଶରୀରକୁ ରୋମାଞ୍ଚିତ କରେ । ସେହି ଶଙ୍ଖ ଆଜି ମାସିକ ପତ୍ର ରୂପେ ଉତ୍କଳବାସୀ ସମକ୍ଷରେ ବିଦ୍ୟମାନ । ଦିନେ ଶଙ୍ଖ ଶବ୍ଦ ଆର୍ଯ୍ୟ ଜାତିକୁ ଉଦ୍‌ବୁଦ୍ଧ କରୁଥିଲା । ତେଣୁ ଗ୍ରାହକ ପାଠକ ଓ ଲେଖକ ସଂଖ୍ୟା ବୃଦ୍ଧି ଲାଭ କଲା । ଓଡ଼ିଶାର ବହୁ ଉଚ୍ଚ ଶିକ୍ଷାବିତ୍‌, ଅଧ୍ୟାପକ ଓ ସାହିତ୍ୟିକ ପ୍ରବନ୍ଧାଦି ପ୍ରକାଶ କରି ଉଚ୍ଚକୋଟୀର ସାହିତ୍ୟିକ ବାତାବରଣ ସୃଷ୍ଟି କରିଥିଲେ । ଏହା ୧୯୪୭ ଡିସେମ୍ବର ପର୍ଯ୍ୟନ୍ତ ବାମଣ୍ଡାରୁ ପ୍ରକାଶିତ ଓ ଇଲେକ୍‌ଟ୍ରି ମେସିନ୍‌ପ୍ରେସ୍‌ରେ ମୁଦ୍ରିତ ହୋଇଥିଲା । ଏହାର ବାର୍ଷିକ ମୂଲ୍ୟ ଟ ୫.୦୦ ଓ ଷାଣ୍ମାସିକ ମୂଲ୍ୟ ଥିଲା ଟ ୨.୫୦ । ପ୍ରତ୍ୟେକ ଖଣ୍ଡର ମୂଲ୍ୟ ସାତଅଣା । ଏହା ଅଗ୍ରିମ ଦେବାକୁ ପଡ଼ୁଥିଲା ଭି.ପି.ରେ ପଠାଇବାକୁ ହେଲେ ଉଭୟ ପକ୍ଷକୁ କ୍ଷତି ସହିବାକୁ ପଡ଼ୁଥିବାରୁ ଏହା ନିଷିଦ୍ଧ ଥିଲା ।

 

ଏ ସମ୍ପର୍କରେ କୌଣସି କଥା ଜାଣିବା ନିମିତ୍ତ ‘ଶଙ୍ଖ’ ଅଫିସ୍‌, ଦେବଗଡ଼କୁ ଗ୍ରାହକ ନମ୍ବର ସହିତ ଲେଖିବାକୁ ପଡ଼ୁଥିଲା । ଠିକଣାର ଅସ୍ଥାୟୀ ପରିବର୍ତ୍ତନ ନିମନ୍ତେ ସ୍ଥାନୀୟ ପୋଷ୍ଟଅଫିସ ସହିତ ସୁବିଧା କରିବାକୁ ପଡ଼ୁଥିଲା । ସ୍ଥାୟୀ ପରିବର୍ତ୍ତନ ନିମନ୍ତେ ‘ଶଙ୍ଖ’ ଅଫିସକୁ ଲେଖିବାକୁ ପଡ଼ୁଥିଲା ।

 

ଦେଶର ବିଭିନ୍ନ ସ୍ଥାନରେ ଥିବା ଏଜେଣ୍ଟ ଓ ପ୍ରତିନିଧିମାନଙ୍କୁ ଟ ୨୫.୦୦ ହାରରେ ଲାଭ ଦିଆଯାଉଥିଲା । କେହି ନୂତନ ଏଜେଣ୍ଟ ହେବାକୁ ଇଚ୍ଛା ପ୍ରକାଶ କଲେ ପ୍ରଥମେ ଅଗ୍ରିମ ଟଙ୍କା ପଠାଇ ଏଜେଣ୍ଟ ହେଉଥିଲେ । ବିଜ୍ଞାପନ ପ୍ରକାଶ ନିମନ୍ତେ ତା’ର ଦର, ମାସ ଆକାରରେ ନିର୍ଦ୍ଧାରିତ ଥିଲା ।

 

ଲେଖକମାନେ କବିତା ପ୍ରବନ୍ଧାଦିରେ ନିଜର ନାମ ଓ ପୂରା ଠିକଣା ଲେଖି ଏବଂ ଗୋଟିଏ ନକଲ ନିଜ ପାଖରେ ରଖି ଲେଖା ପଠାଉଥିଲେ । କାରଣ ଅମନୋନୀତ ପ୍ରବନ୍ଧାଦି ଫେରସ୍ତ ସେତେ ସୁବିଧାଜନକ ନଥିଲା । ସୁତରାଂ ଏ ପ୍ରକାର ସୁବିଧା ଓ ସୁଯୋଗ ମାଧ୍ୟମରେ ପତ୍ରିକାଟି ଅଢ଼େଇ ବର୍ଷରୁ ଉର୍ଦ୍ଧ୍ୱ କାଳ ଜୀବିତ ରହି ବାମଣ୍ଡାର ସାହିତ୍ୟିକି ଗୌରବ ବୃଦ୍ଧି କରିପାରି ଥିଲା ।’’

 

ପୃଷ୍ଠା ୩୮-୩୯

‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ପୁସ୍ତକଟିରେ ଏଇପରି ଆଲୋଚନା ଦେଖି ମନେ ହୁଏ-

 

‘‘ଗୋଦର ଗୋଡ଼ରେ            ମାଉଁସ ଲାଗିଲେ

ଦେହର କି ଶୁଭ ଗଣି ?’’

 

ଅଧ୍ୟାପକ ବ୍ରହ୍ମାଙ୍କର ‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ଟି କଅଣ, ତାହା ସହଜରେ ଅନୁମେୟ ।

 

 

ଉପସଭାପତି

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

***

 

ସାଂପ୍ରତିକ ଓଡ଼ିଆ ନିବନ୍ଧ ସାହିତ୍ୟର ଆଭିମୁଖ୍ୟ

ଡକ୍ଟର ଭାବଗ୍ରାହୀ ମିଶ୍ର

 

ଏବେ ‘‘ସାମ୍ପ୍ରତିକ’’ ଶବ୍ଦଟିର ଖୁବ ବ୍ୟବହାର ଚାଲିଛି । ଏଥିରେ ଏକ ସମୟର ସ୍ଥିତି ସମ୍ପର୍କରେ କଳନା କରିବାର ପ୍ରୟାସ ରହିଛି । ଏହି ‘‘ସମୟ ବା ’’କାଳ’’ର ପରିପେକ୍ଷୀରେ ସୃଷ୍ଟ ସାହିତ୍ୟ ସମ୍ଭାରର ମୂଲ୍ୟାୟନ କରିବାର ପ୍ରଚେଷ୍ଟା ଚାଲିଛି-ଏଆରିଭିତରେ ‘‘ନିବନ୍ଧ’’ ଏକ ‘‘ସୃଷ୍ଟିର’’ ଆଙ୍ଗିକ ମାତ୍ର । ଏଇ ‘‘ଅଙ୍ଗ’’ ‘‘ବିକଳାଙ୍ଗ’’ କି ‘‘ସାଙ୍ଗ’’ କି ‘‘ସ୍ୱରୂପ’’ ସେହି କଳନା ଜରିଆରେ ‘‘ନିବନ୍ଧ’’ ସମୂହର ମୂଲ୍ୟାୟନ କରିବାର ଆବଶ୍ୟକତା ଉପଲବ୍‌ଧ ହେଉଛି ।

 

‘‘ନିବନ୍ଧ’’ ପୁଣି ପ୍ରକାର ଭେଦରେ-ଶୈଳୀ ଜନିତ ଓ ବିଷୟାନୁରକ୍ତ ଭାବରେ ବହୁ କିସମର-। କିନ୍ତୁ ଧରିନିଆଯାଉଛି ଯେ ‘‘ନିବନ୍ଧ’’ ‘‘ପ୍ରବନ୍ଧ’’ ନୁହେଁ । କିମ୍ବା ‘‘ନିବନ୍ଧ’’ କହିଲେ ଏଭଳି ଏକ ରଚନାକୁ ବୁଝାଯିବା ଉଚିତ, ଯାହା ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ଗବେଷଣାତ୍ମକ ଉପଲବ୍‌ଧି ଉପରେ ନିର୍ଭରଶୀଳ । ସମାଜ ଜୀବନର ପରିବର୍ତ୍ତନ, ରାଜନୈତିକ ଆଦର୍ଶବାଦର ଗତି ସହିତ ଗବେଷଣାକ୍ଷେତ୍ରରେ ଯେଉଁ ନୂତନ ଦିଗନ୍ତ ଉନ୍ମୋଚିତ ହେଉଛି, ତାହାରି କଳନାକରି ନ ପାରିଲେ ‘‘ମୁଖା’’ ପିନ୍ଧା ସ୍ରଷ୍ଟାଙ୍କୁ ଚିହ୍ନିତ କରିହେବ ସିନା; କିନ୍ତୁ ‘‘ଆଭିମୁଖ୍ୟ’’ ବା ଉଦ୍ଦେଶ୍ୟ କଳନା କରିବା ଦୁରୁହ ବ୍ୟାପାର । ନିବନ୍ଧ ସାହିତ୍ୟର ପରିମାଣାତ୍ମକ ବିଶ୍ଳେଷଣ ଫଳରେ ହିଁ ଗୁଣାତ୍ମକ ଅଭିବୁଦ୍ଧି ବା ପ୍ରଗତିର ସମ୍ୟକ ଅବଧାରଣା ହୁଏତ ସମ୍ଭବ । କନ୍ତୁ ‘‘ଆଭିମୁଖ୍ୟ’’ କଳନା କେବଳ ଏକ ପଞ୍ଜୀକରଣ ପ୍ରକ୍ରିୟା ନୁହେଁ । କିମ୍ବା ‘‘ସାହିତ୍ୟ’’ କେବଳ କଳ୍ପନା ବିଳାସର ସାମଗ୍ରୀ ନୁହେଁ । ତେଣୁ ଓଡ଼ିଆ ସାହିତ୍ୟର ଗତ କେତୋଟି ଦଶନ୍ଧି ମଧ୍ୟରେ ଯେଉଁ ପରିମାଣାତ୍ମକ ଅଭିବୃଦ୍ଧି ଘଟିଛି, ସେଥିରୁ ‘‘ଆଭିମୁଖ୍ୟ’’ର ବୀଜଟିକୁ ଖୋଜି ପାଇବା ସମ୍ଭବ ହେଉନାହିଁ । କାରଣ, ‘‘ନିବନ୍ଧ’’ର ଶୈଳୀଜନିତ ପ୍ରକାର ଭେଦରେ ଏହା କେବଳ ଦୁଇଟି ବିଶେଷ ଧାରା ସମ୍ପର୍କରେ ସୂଚନା ଦେଉଛି । ଗୋଟିଏ ହେଲା, ନିଦା ବିଷୟବସ୍ତୁର ଗବେଷଣାତ୍ମକ ପ୍ରକାଶ ଓ ଅନ୍ୟଟି ହେଲା, ଏକ ବିଶେଷ ଭାବଧାରାକୁ ‘‘ଲଘୁ’’ ଶୈଳୀରେ ପ୍ରକାଶ କରିବାର ଉଦ୍ୟମ । ତେଣୁ ପ୍ରଥମ ପର୍ଯ୍ୟାୟର ରଚନାମାନଙ୍କ ମଧ୍ୟରେ ପୂର୍ବସୂରୀମାନଙ୍କର ମନ୍ତବ୍ୟ ଓ ସ୍ମରଣୀୟ ଉକ୍ତି (ବା ଉଲ୍ଲେଖନୀୟ ବାକ୍ୟାଂଶ)କୁ ଦୃଷ୍ଟାନ୍ତ ବା ସମର୍ଥନଯୋଗ୍ୟ ଭିତ୍ତି ଭାବରେ ଗ୍ରହଣ କରି କୌଣସି ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ସମ୍ପର୍କରେ ଆଲୋକପାତ କରିବାର ପ୍ରଚେଷ୍ଟା ହୋଇଥାଏ ।

 

ପ୍ରଥମ ପର୍ଯ୍ୟାୟରେ ଏହି ନିବନ୍ଧ ସାହିତ୍ୟ ସେଭଳି କୌଣସି ବିଶେଷ ବା ଉଲ୍ଲେଖଯୋଗ୍ୟ ମୁଦ୍ରାଙ୍କନ ସୃଷ୍ଟି କରିପାରିଛି ବୋଲି ମନେହୁଏ ନାହିଁ । ସଂଖ୍ୟା ଦୃଷ୍ଟିରୁ, ବିଷୟବସ୍ତୁର ବ୍ୟାପକତା ଦୃଷ୍ଟିରୁ ଏଭଳି ନିବନ୍ଧ ସୃଷ୍ଟିର ପରିମାଣାତ୍ମକ ଅଭିବୃଦ୍ଧି ଘଟିଛି । କିନ୍ତୁ ଏଇ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ଅନୁକରଣ, ଅନୁସରଣ ଏପରିକି ନକଲ ନବିସ୍‌ର ଧରା ବେଶ ସୁସ୍ପଷ୍ଟ । ଜ୍ଞାନରାଜ୍ୟରେ ବହୁ ‘ବିଷୟଗତ ଶୃଙ୍ଖଳା’ ଦେଖା ଦେଇଛି । ଏଇ ‘ଶୃଙ୍ଖଳା’ ଗୁଡ଼ିକୁ ବିଷୟ ଭେଦରେ ଅର୍ଥନୀତି, ସମାଜଶାସ୍ତ୍ର, ରାଜନୀତି ଆଦି ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି । ଫଳରେ ଏହିସବୁ ବିଷୟ ଉପରେ ବହୁ ରଚନା ସୃଷ୍ଟି ହୋଇଛି । କିନ୍ତୁ ଏହାର ଅନ୍ତରାଳରେ କୌଣସି ବୈପ୍ଳବିକ କିମ୍ବା ନୂତନ ଚିନ୍ତା ଉଦ୍ରେକକାରୀ ଉଦ୍ଦେଶ୍ୟ ଥିବାପରି ଅନୁଭୂତ ହେଉନାହିଁ । ‘କାଳ’ର ପରିପ୍ରେକ୍ଷୀରେ ସମାଜ ଜୀବନର ଯେଉଁ ପରିବର୍ତ୍ତନ ହେଉଛି ବୋଲି ଉପଲବ୍‌ଧି ହେଉଛି-ସେ ଉପଲବ୍‌ଧିକୁ ଗଭୀର ଭାବରେ ସମୀକ୍ଷା କରି ତା’ର ହେତୁବାଦୀ ବା ଭାଗ୍ୟବାଦୀ ବିଚରଣା ଦେଖାଯାଉନାହିଁ । କେବଳ ଅତୀତର ପର୍ଯ୍ୟାଲୋଚନା ଓ ଅହେତୁକ ଭାବପ୍ରବଣତା ଦ୍ୱାରା ଏହି ନିବନ୍ଧ ସମୂହ ଆକ୍ରାନ୍ତ ହେଉଥିବାର ମନେ ହେଉଛି । ପରଂପରାଗତ ଆସକ୍ତି ଓ ଆଧୁନିକତା ପ୍ରତି ଆତ୍ୟନ୍ତିକ ମୋହର ଯେଉଁ ସଂଘର୍ଷ, ଓଡ଼ିଶା ରାଜ୍ୟର, ଓଡ଼ିଆ ଭାଷାରେ, ଓଡ଼ିଆ ଜନଜୀବନରେ ନୂତନ ପ୍ରଶ୍ନମାନ ଉତ୍‌ଥାପନ କରି ସାରିଛି, ସେ ସମ୍ପର୍କରେ ଓଡ଼ିଶାର ନିବନ୍ଧକାରମାନେ ବିଶେଷ ଚିନ୍ତାଶୀଳ ଭଳି ମନେ ହେଉ ନାହାନ୍ତି । ମୋଟାମୋଟି ଭାବରେ ‘ଅନୁକରଣାତ୍ମକ ପ୍ରକ୍ରିୟା’ର ପ୍ଳାବନ ଦେଖା ଦେଇଛି । ନିଜକୁ ଖୋଜି ପାଇବା, ନିଜର ସ୍ଥିତିକୁ ଲୋଡ଼ି ଦେଖିବା ବା ନିଜର ସ୍ଥିତି ସ୍ତାପକତାକୁ କଳନା କରି ତା’ର ଏକ ବିଜ୍ଞାନସମ୍ମତ ମୂଲ୍ୟାୟନ କରିବା ସମ୍ଭବ ହେଉ ନାହିଁ । ବିଷୟବସ୍ତୁର ବ୍ୟାପକତା ଆକର୍ଷଣୀୟ ହୋଇ ପଡ଼ିଛି-ଫଳରେ ଚିନ୍ତାଶୂନ୍ୟତା ମଧ୍ୟରେ ଓଡ଼ିଆ ନିବନ୍ଧ ସାହିତ୍ୟ ତା’ର ଗତି ହରାଇ ବସିଛି । ପରିବେଷଣ କଳା ଦୃଷ୍ଟିରୁ ନୂତନ ନିବନ୍ଧ ଲେଖକମାନେ ପୁରତନୀମାନଙ୍କ ଠାରୁ ଯଥେଷ୍ଟ ଅଗ୍ରଗାମୀ-କାରଣ, ସେମାନଙ୍କ ନିକଟରେ ଜ୍ଞାନଭଣ୍ଡାର ଅଧିକ ପରିମାଣରେ ଉନ୍ମୁକ୍ତ । କିନ୍ତୁ ସେମାନଙ୍କୁ ଏଇ ରଚନାକାଳରେ ବିଜ୍ଞାନସମ୍ମତ ପ୍ରକ୍ରିୟା ସମ୍ପର୍କରେ ଦୋରସ୍ତ କରାଇବା ପାଇଁ, ସେହି ଅମଡ଼ା ବାଟରେ ମାଡ଼ି ଚାଲିବା ପାଇଁ, ଉପାଦାନ ସଂଗ୍ରହ କରି ତା’ର ଏକ ବିଧିବଦ୍ଧ ନକ୍‌ସା ପ୍ରଣୟନ ଜରିଆରେ ନିଜର ‘‘ଉଦ୍ଦେଶ୍ୟ’’କୁ ସୁଚାରୁ ରୂପେ ପରିବେଷଣ କରିବା ପାଇଁ ଯେଉଁ ଶିକ୍ଷାର ପ୍ରୟୋଜନ, ତାହା ସାଂପ୍ରତିକ ଶିକ୍ଷାଜଗତର ପାଠ୍ୟନିର୍ଘଣ୍ଟ ମଧ୍ୟରେ ଦେଖିବାକୁ ମିଳୁନାହିଁ । ତେଣୁ ବହୁ ନିବନ୍ଧକାର ଉଦ୍ଧୃତିର ସମାରୋହ ସୃଷ୍ଟି କରି ଚାଲିଥିଲେ ମଧ୍ୟ ସେମାନଙ୍କର ସ୍ୱକୀୟ ବକ୍ତବ୍ୟ ସମ୍ପର୍କରେ ବା ସେମାନଙ୍କର ନିଜସ୍ୱ ଆବିଷ୍କାର ସମ୍ପର୍କରେ ସଚେତନ ନୁହନ୍ତି । ଇତିହାସର ଧାରାକୁ ଆଖି ଆଗରେ ରଖି ଓଡ଼ିଆ-ସାହିତ୍ୟରେ ନିବନ୍ଧକଳାର ସଂଖ୍ୟା ବହୁଳତା ତୁଳନାତ୍ମକ ଦୃଷ୍ଟିରୁ ଉତ୍ସାହପ୍ରଦ ମନେ ହେଲେ ବି କୌଣସି ନିବନ୍ଧକାର ତାଙ୍କର ସ୍ୱକୀୟତା ଯୋଗୁଁ ସ୍ମରଣଯୋଗ୍ୟ ବୋଲି ମନେ ହେଉ ନାହାନ୍ତି । ତାହାର କାରଣ ହେଲା, ଏଇ ନିବନ୍ଧମାଳା ମଧ୍ୟରେ ବ୍ୟକ୍ତିଗତ ଚିନ୍ତାଶୀଳତା ଓ ଚେତନ ପ୍ରବଣତା, ସାମାଜିକ ପରିବର୍ତ୍ତନୀୟ ଭୂମିକା ସହିତ ସଂଯୋଗ ସ୍ଥାପନ କରିପାରି ନାହିଁ । ସମାଜ ଜୀବନରେ ଯେପରି ଏକ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ପ୍ରତି ଅନୁରକ୍ତିର ଆବଶ୍ୟକତା ରହିଛି, ସାହିତ୍ୟ କ୍ଷେତ୍ରରେ ସେଇଭଳି ମୂଲ୍ୟବୋଧର ଆଦର୍ଶ ସୃଷ୍ଟି ହେବାର ପ୍ରୟୋଜନୀୟତା ରହିଛି । କିନ୍ତୁ ସାଂପ୍ରତିକ କାଳରେ, ଅଥବା ଗତ ଦଶନ୍ଧି ମଧ୍ୟରେ ସେଭଳି କୌଣସି ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଜନଜୀବନକୁ, କିମ୍ବା ପ୍ରଜ୍ଞାଶୀଳ ବ୍ୟକ୍ତିମାନଙ୍କୁ ଆକର୍ଷିତ କରିପାରିନାହିଁ । ମୂଲ୍ୟବୋଧର ଯେଉଁ ପରିବର୍ତ୍ତନ ଘଟିଛି-ସେଥିରେ କୌଣସି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ପରିଲିଖିତ ହେଉ ନ ଥିବାରୁ, ନିବନ୍ଧମାନଙ୍କରେ ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ । ବ୍ୟବସାୟିକତା ଜନଜୀବନକୁ ଯେପରି ଗ୍ରାସ କରି ସାରିଛି, ନିବନ୍ଧ ସୃଷ୍ଟିର ସାହିତ୍ୟକମାନଙ୍କୁ ମଧ୍ୟ ଅନୁରୂପ ଭାବରେ ପ୍ରଭାବନ୍ୱିତ କରିଛି । ବ୍ୟାବସାୟିକତାର ଏକ ପ୍ରଧାନ ଭାବ ହେଉଛି, ମୁନାଫା ବା ‘‘ଲାଭ ହିଁ ଶୁଭ ।’’ ଏହି ‘‘ଲାଭ’’ କେଉଁ ଭାବରେ ନେବାକୁ ହେବ ବା ଉଠେଇବାକୁ ପଡ଼ିବ-ତାହା ବ୍ୟକ୍ତିଗତ ଅଭିରୁଚି ଉପରେ ନିର୍ଭରଶୀଳ । କିନ୍ତୁ ଏକଥା ସତ୍ୟ ଯେ ‘ଲାଭକ୍ଷତି’ର ହିସାବ ନିକାଶ ଭିତରେ ମାର୍ଗ ପ୍ରଦର୍ଶନକାରୀ ଭାବ ସମୂହକୁ ଖୋଜି ପାଇବା ସମ୍ଭବ ନୁହେଁ । ତେଣୁ ‘‘ବ୍ୟାପକତା’’ର ସମାରୋହ ଭିତରେ ଚିନ୍ତାଗତ ଔତ୍କର୍ଷ୍ୟ ହଜି ଯାଉଛି ।

 

ଦ୍ୱିତୀୟ ପର୍ଯ୍ୟାୟର ରଚନାକୁ ବିଭିନ୍ନ ନାମରେ ନାମିତ କରାଯାଇଛି-ଯେପରି ଲଘୁନିବନ୍ଧ ରମ୍ୟରଚନା । ଶୈଳୀ ଦୃଷ୍ଟିରୁ ଏହା ରମଣୀୟ, କମନୀୟ । କିନ୍ତୁ ବକ୍ତବ୍ୟ ଦୃଷ୍ଟିରୁ ଏହାର ସମାଜୋପଯୋଗୀ ଆଲୋଡ଼ନାତ୍ମକ ଆଭିମୁଖ୍ୟ ସୁସ୍ପଷ୍ଟ । ଏହି ବିଭାଗରେ ବିଷୟ ନିର୍ଦ୍ଦିଷ୍ଟ, ବକ୍ତବ୍ୟ ସୁସ୍ପଷ୍ଟ, ଚିନ୍ତ ଉଦ୍ରେକକାରୀ ଉପାଦାନ ପ୍ରଚୁର । ଓଡ଼ିଆ-ସାହିତ୍ୟରେ ଏଇ ପର୍ଯ୍ୟାୟର ଲେଖକମାନଙ୍କର ସଂଖ୍ୟା ସୀମିତ-କିନ୍ତୁ ସ୍ୱଳ୍ପ ହେଲେ ମଧ୍ୟ ଗୁଣାତ୍ମକ ଦୃଷ୍ଟିରୁ ଏହା ବିଶ୍ୱର ଯେ କୌଣସି ସମୃଦ୍ଧ ସାହିତ୍ୟର ସାଂପ୍ରତିକ ଅବସ୍ଥା ସହିତ ତୁଳନୀୟ । ଧର୍ମପ୍ରବଣତା ଓ ଧର୍ମନିରପେକ୍ଷତା ସମ୍ପର୍କରେ ଗତ କେତେ ଦଶନ୍ଧି ଧରି ଯେଉଁ ଅହରହ ତର୍କ ସୃଷ୍ଟି ହୋଇଆସିଛି-ତା’ରି ପ୍ରଭାବ ‘ଲଘୁନିବନ୍ଧ’ରେ ସୁସ୍ପଷ୍ଟ । ବିଜ୍ଞାନ ଓ ଧର୍ମ, ରାଜନୀତି ଓ ନୈତିକତା, ବ୍ୟବସାୟିକତା ଓ ଆଧ୍ୟାତ୍ମିକତା ଭିତରେ ଥିବା ସଂଘର୍ଷର ରୂପାନ୍ତର ଭାବରେ ଓଡ଼ିଆ ସାହିତ୍ୟର ଲଘୁ ନିବନ୍ଧ ବିଭାଗ ସମୃଦ୍ଧ ଓ ଏଇ ସମୃଦ୍ଧି ଉଭୟ ସାଧାରଣ ଜନଜୀବନ ଓ ପ୍ରଜ୍ଞାଶୀଳ ବ୍ୟକ୍ତିମାନଙ୍କ ମଧ୍ୟରେ ଏକ ସଂଯୋଗ ସ୍ଥାପନ କରିପାରିଛି ।

 

‘ସାଂପ୍ରତିକତା’ ଏକ କାଳ । କିନ୍ତୁ ଭାରତୀୟ ସଂସ୍କୃତିକ ଭାବାଦର୍ଶ ଦିଗରୁ ଏଇ ‘କାଳର କୌଣସି ସଂଜ୍ଞା ନିରୂପିତ ହୋଇନାହିଁ । କିନ୍ତୁ ପାଶ୍ଚାତ୍ୟ ଦୃଷ୍ଟିରେ ଏଇ କାଳର ଏକ ବିଶେଷ କଳନୀୟ ବ୍ୟାପକତା ରହିଛି । ‘କାଳ’ର ପ୍ରବାହ ମଧ୍ୟରେ କେତେକ ନିର୍ଦ୍ଦିଷ୍ଟ ବିନ୍ଦୁ, ରହିଛି-ଏଇ ବିନ୍ଦୁମାନଙ୍କ ମଧ୍ୟରେ ‘ଭାବଗତ’ ପାର୍ଥକ୍ୟ ରହିଛି । ଏହି ପାର୍ଥକ୍ୟମାନଙ୍କ ପାଇଁ କାଳର ପରିବର୍ତ୍ତନର ଧରା ସୁସ୍ପଷ୍ଟ ଓ ସେଇଥିପାଇଁ ରଚୟିତାମାନଙ୍କର ବକ୍ତବ୍ୟ ମଧ୍ୟ ସ୍ପଷ୍ଟ । କିନ୍ତୁ ଭାରତୀୟ ଦର୍ଶନ ସମୂହ ଦ୍ୱାରା ଅନୁପ୍ରାଣିତ ଓଡ଼ିଶାର ଦାର୍ଶନିକ ଓ ଲୌକିକ ପରମ୍ପରାରେ ବହୁ ମୌଳିକତା ବିଲୟ ଭଜିଛି ଓ ସଂସ୍କୃତି ଓ ଧର୍ମଧାରଣାର ବିଷୟ ସମୂହ ନୂତନ ଭାବଧାରା ସୃଷ୍ଟି କରିସାରିଛି । କିନ୍ତୁ ଆଧୁନିକତା କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ଆଶାନୁରୂପ ନୁହେଁ । ସେଥିପାଇଁ ଲଘୁନିବନ୍ଧ ମଧ୍ୟରେ ‘ଚିରନ୍ତନତା’ ପାଇଁ ଆତ୍ୟନ୍ତିକ ମୋହ ଦେଖା ଦେଉଥିଲେ ମଧ୍ୟ ସାଂପ୍ରତିକ ଜନମାନସର ପରିଚିତ ସ୍ଥାନ ପାଇନାହିଁ । ମୋଟାମୋଟି ଭାବରେ ଓଡ଼ିଆ-ସାହିତ୍ୟର ନିବନ୍ଧ କଳାରେ କୌଣସି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ସୃଷ୍ଟି ହୋଇପାରି ନାହିଁ । ଇତିହାସ ଓ ପରମ୍ପରାର ବନ୍ଦୀଶାଳାରୁ ଓଡ଼ିଆ ନିବନ୍ଧକାର ମୁକ୍ତ ନୁହନ୍ତି । ଯେଉଁଠି ବ୍ୟକ୍ତି ‘‘ମୁକ୍ତି’’ର ସ୍ୱାଦ ଅନୁଭବ କରିବାକୁ ଆଗ୍ରହ ପ୍ରକାଶ କରେ ନାହିଁ, ନିଜର ସ୍ୱାତନ୍ତ୍ର୍ୟ ବଜାୟ ରଖିବାକୁ ଚେଷ୍ଟା କରିପାରେ ନାହିଁ, ସ୍ୱକୀୟ ମତ ଉପସ୍ଥାପନ କରିବାକୁ ‘‘ଭୟ’’ କରେ, ‘‘ପର ଲୁଗା ପିନ୍ଧି ଯାତକୁ ଯିବାକୁ’’ ଜୀବନର ମହନୀୟ ଉପଲବ୍‌ଧି ବୋଲି ବିଚାର କରେ, ସେ ସମାଜଜୀବନ ଅବକ୍ଷୟଗ୍ରସ୍ତ । ଏହି ଅବକ୍ଷୟତା ଯେତିକି ବଢ଼ିଚାଲିଛି, ସେଥିରେ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ଚିନ୍ତାଶୀଳତା ଆବଶ୍ୟକ, ଓଡ଼ିଆ ନିବନ୍ଧ ସାହିତ୍ୟରେ ସେପରି ଚିନ୍ତାଶୀଳତାର ଅଭାବ ଦେଖାଯାଇଛି । ସେଥିପାଇଁ ଆମର ‘ମୁହଁ ଉଡ଼ଙ୍ଗୀ’’ ଥିଲେ ବି ଆଭିମୁଖ୍ୟ ନାହିଁ । ଆଭିମୁଖ୍ୟ ଖୋଜିପାଇବାର ଅହମିକା ଥାଇପାରେ । ଆଉ ଏଇ ଅହମିକା ‘ପ୍ରଚାରଧର୍ମୀ’’-‘‘ଚିନ୍ତନକାମୀ’’ ନୁହେଁ ।

 

 

ନିର୍ଦ୍ଦେଶକ

ଏସିଆ ଶ୍ରମିକ ବିକାଶ ପ୍ରତିଷ୍ଠାନ, ରାଉରକେଲା

 

***

 

Unknown

ଲେଖିଲାବେଳେ ଭୁଲ୍‌ ?

ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର

 

କୋଣାର୍କର ୫୫ତମ ସଂଖ୍ୟାର ‘ପ୍ରାପ୍ତେଷୁ, ସକ୍ରାନ୍ତରେ ଓ ଅନ୍ୟାନ୍ୟ’ ପ୍ରବନ୍ଧରେ ଶ୍ରୀ ବେଣୁଧର ରାଉତ ‘ପ୍ରଶାସନ ଶବ୍ଦକୋଷ’ ଓ ସରକାରୀ ଭାଷା ସହଚର ନାମକ ଦୁଇଟି ପୁସ୍ତକ ସମ୍ପର୍କରେ ମନୋଜ୍ଞ ଆଲୋଚନା କରି ପୁସ୍ତକଦ୍ୱୟର ସଂଶୋଧନ କଳ୍ପେ କେତେକ ପରାମର୍ଶ ଦେଇଛନ୍ତି । ସରକାରୀ ଭାଷା ସହଚରରେ ବ୍ୟବହୃତ ଉପରୋକ୍ତ, ଉପରଲିଖିତ, ଲେଖିଲାବେଳେ, ସକ୍ରାନ୍ତରେ ଓ ପ୍ରାପ୍ତେଷୁ ଶବ୍ଦଗୁଡ଼ିକ, ଓଡ଼ିଆରେ ସୁପ୍ରଚଳିତ ହେଲେ ସୁଦ୍ଧା, ବ୍ୟକରଣ ବିଚାରରୁ ଅଶୁଦ୍ଧ ବୋଲି ସେ ଦର୍ଶାଇଛନ୍ତି । ପଦଗୁଡ଼ିକ ମଧ୍ୟରୁ ‘ଲେଖିଲା ବେଳେ’ ଦୂଷିତ କି ନିର୍ଦ୍ଦୋଷ, ସେ ବିଷୟ କେହି ବିଚାର ଆଲୋଚନା କରିଥିବା ମୋ ଦୃଷ୍ଟିରେ ପଡ଼ିନାହିଁ । ଏହି ପଦର ଦୋଷାଦୋଷ ଅବଶ୍ୟ ଚିନ୍ତନୀୟ ।

 

ସରକାରୀ ଭାଷା ସହଚରରେ ଲେଖାଅଛି :- (୧) ସମସ୍ତ ସରକାରୀ କାର୍ଯ୍ୟରେ ତାରିଖ ଲେଖିଲାବେଳେ ପ୍ରଥମେ ତାରିଖ ସୂଚକ ‘ତା’ ଚିହ୍ନ ଦେଇ ତାରିଖ ସଂଖ୍ୟା....ଲେଖାଯିବ । (୨) ଓଡ଼ିଆରେ ଲେଖିଲାବେଳେ କେତେକ ସାଧାରଣ ସାବଧାନତା ଅବଲମ୍ବନ କଲେ, ଅଶୁଦ୍ଧିର ମାତ୍ରା ହ୍ରାସପାଇବ ।

 

ଶ୍ରୀ ରାଉତ କହିଛନ୍ତି ଯେ, ଲେଖିବଲାବେଳେ ଅଶୁଦ୍ଧ ପ୍ରୟୋଗ, ଏହା ଲେଖିବାବେଳେ ହୋଇଥିଲେ ଶୁଦ୍ଧ ହୁଅନ୍ତା । ଏପରି ବିଚାର ପାଇଁ ତାଙ୍କରି ଯୁକ୍ତି ହେଲା :- ‘‘ଲେଖିଲା ହେଉଛି ଅତୀତ କାଳ ଲେଖିବା କ୍ରିୟାପଦର । ତା’ ସାଙ୍ଗକୁ ବେଳେ ମିଶାଇ ଲେଖିବାରେ କାର୍ଯ୍ୟର ବା କର୍ମର ନିରବଚ୍ଛିନ୍ନତା ବୁଝାଉଛି । ତେଣୁ ଲେଖିଲାବେଳେ ସ୍ଥାନରେ ଲେଖିବାବେଳେ, କଲାବେଳେ ସ୍ଥାନରେ କରିବାବେଳେ, ଗଲାବେଳେ ସ୍ଥାନରେ ଯିବାବେଳେ ଇତ୍ୟାଦି ସଙ୍ଗତ (ଏଇ ସଂଶୋଧିତ ରୂପଟି ମୁଁ ଶିଖିଥିଲି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ିବାକାଳରୁ-ପଢ଼ିଲାକାଳରୁ ନୁହେଁ-ମୋର ପୂଜ୍ୟପାଦ ସଂସ୍କୃତ ଶିକ୍ଷକ ପଣ୍ଡିତ ରଙ୍ଗାଧର ମିଶ୍ରଙ୍କଠାରୁ, ପୁନଶ୍ଚ ରେଭେନ୍‌ସା କଲେଜରେ ପୂଜନୀୟ ଅଧ୍ୟାପକ ରାମଚନ୍ଦ୍ର ମହାପାତ୍ରଙ୍କଠାରୁ । ନବେ ବର୍ଷରୁ ଅଧିକ ବୟସର ପ୍ରଥମ ଗୁରୁଦେବ ଏବେବି ଜୀବିତ) । ଉଲ୍ଲିଖିତ ଦୂଷିତ ପ୍ରୟୋଗ ଆମେ ଚିନ୍ତା ନକରି ଅଭ୍ୟାସବଶରୁ କରିଥାଉଁ ବୋଲି ଏବେ ଅଭ୍ୟସ୍ତ ଭୁଲଟା ବି ଠିକ୍‌ ଠିକ୍ ଲାଗୁଥିବ ।’’

 

ଶ୍ରୀ ରାଉତ ‘ଲେଖିଲାବେଳେ’ର ଅନ୍ତର୍ଭୁକ୍ତ ଲେଖିଲା ପଦଟି ଲେଖିବା କ୍ରିୟାପଦର ଅତୀତକାଳ ରୂପ ବୋଲି କହିଛନ୍ତି । କିନ୍ତୁ ଏଠାରେ ଲେଖିଲା (ଓ ଲେଖିବାବେଳର ‘ଲେଖିବା’) ଜମାରୁ କ୍ରିୟାପଦ ନୁହେଁ, ଯଦିକ ତାହା କ୍ରିୟାତ୍ମକ ଧାତୁରୁ ଜାତ । ଲେଖିଲା କ୍ରିୟାପଦ ହେଲେ କର୍ତ୍ତା ତୃତୀୟପୁରୁଷ ଏକବଚନ ହୁଅନ୍ତା, ସେହିପରି କର୍ତ୍ତା ପ୍ରଥମ ପୁରୁଷ ବହୁବଚନ ହେଲେ ହିଁ କ୍ରିୟାପଦ ହେବ ଲେଖିବା । ଏଠାରେ ଲେଖିଲା (ଓ ଲେଖିବା) ବିଶେଷର ପଦ; ଏହା ବେଳକୁ ବିଶେଷିତ କରୁଛି । ଶ୍ରୀ ରାଉତଙ୍କ ଉଭୟ ଗୁରୁଦେବ ସ୍କୁଲରେ ପଢ଼ୁଥିଲା ବେଳେ ରାଧାନାଥ ରାୟଙ୍କ ‘ବ୍ୟାକରଣ ପ୍ରବେଶ’ ଚଳୁଥିଲା । ବ୍ୟାକରଣ ପ୍ରବେଶରେ ବିଶେଷଣର ଲକ୍ଷଣ ବର୍ଣ୍ଣିତ ଅଛି :- ‘‘ଗୁଣ ଅବସ୍ଥା ପ୍ରଭୃତି ପ୍ରକାଶ କରିବା ସକାଶେ ଯେଉଁ ପଦ ପ୍ରୟୋଗ ହୁଏ, ତାହାକୁ ବିଶେଷଣ କହି, ଯଥା:କୋମଳ ଅଙ୍ଗ, ମୃଦୁ ଗମନ, ଶୁଭ୍ର, ବସ୍ତ୍ର, ଗଲା କଥା; ଏହି ସ୍ଥଳମାଙ୍କରେ କୋମଳ, ମୃଦୁ, ଶୁଭ୍ର, ଗଲା ବିଶେଷଣ ପଦ ।’’ ଗଲା କଥାରେ ଗଲାପରି ‘ଲେଖିଲାବେଳ’ର ଲେଖିଲା ବିଶେଷଣ ପଦ; କ୍ରିୟାପଦ ନୁହେଁ । ପଣ୍ଡିତ ନାରାୟଣ ମହାପାତ୍ର ଓଗେରଙ୍କ ‘ସର୍ବସାର ବ୍ୟାକରଣ’ରେ ଏ ବିଷୟଟି ସ୍ପଷ୍ଟତର ହୋଇଛି; କେତେକ ବିଶେଷଣ ପଦ କ୍ରିୟାପଦରୁ ଉତ୍ପନ୍ନ ହୋଇଥାଆନ୍ତି, ଯଥା :-ଉଡ଼ନ୍ତା ଚଢ଼େଇ, ଚଳନ୍ତା ଶଗଡ଼, ଜଳନ୍ତା ଅଙ୍ଗାର, ଖାଇଲା ଭାତ, ଶୋଇଲା ପୁଅ, ଚାଲୁଥିବା ଗାଡ଼ି ।’’ ଗୋପୀନାଥ ନନ୍ଦ ଏହାକୁ ‘କ୍ରିୟାବାଚକ ବିଶେଷଣ’ କହିଛନ୍ତି । (ଓଡ଼ିଆ ଭାଷାତତ୍ତ୍ୱ ପୃ,୩୬୪)

 

ଓଡ଼ିଆରେ –

ଇଲା, ଲା ପ୍ରତ୍ୟୟ ଯୁକ୍ତ କୃଦନ୍ତ ପଦ କର୍ତ୍ତୃବାଚ୍ୟ, କର୍ମବାଚ୍ୟ, ଅଧିକରଣ ବାଚ୍ୟ ଆଦିରେ ଓ ଭାବବାଚ୍ୟରେ ଖୁବ୍‌ ଚଳେ (ଅନୁରୂପ ଅର୍ଥରେ ‘ଇବା’ ପ୍ରତ୍ୟୟଯୁକ୍ତ କୃଦନ୍ତ ପଦ ମଧ୍ୟ ଚଳେ) । କେତୋଟି ଉଦାହରଣ :-

 

କର୍ତ୍ତୃବାଚ୍ୟ

ବଢ଼ିଲା ଝିଅ, ପାରିଲା ଲୋକ, ପାଚିଲା ଆମ୍ବ

କର୍ମବାଚ୍ୟ

ଖାଇଲା ଭାତ, ପିନ୍ଧିଲା ଲୁଗା, ଯାଚିଲା ଧନ

ଅଧିକରଣ ବାଚ୍ୟ

ବସିଲା ଠାବ, ଶୋଇଲା ଶେଯ, ମଲା ଘର

ଭାବ ବାଚ୍ୟ

ପାରିଲା ପଣ, ଦେଲା, ମାଗିଲା

 

(ଯଥା :-ଦେଲାଠାରୁ ପୁଣ୍ୟ ନାହିଁ କି ମାଗିଲାଠାରୁ ହୀନ ନାହିଁ।)

 

ଶୋଇଲା ଶେଯର ଶୋଇଲା ପରି ଲେଖିଲାବେଳର ଲେଖିଲା ଅଧିକରଣ ବାଚ୍ୟରେ ନିଷ୍ପନ୍ନ କୃଦନ୍ତ ପଦ । ଶେଯ ସ୍ଥାନାଧିକରଣର ଓ ବେଳ କାଳାଧିକରଣର ସୂଚକ । ଭାବବାଚ୍ୟର ପଦ ବିଶେଷ୍ୟ ଭାବରେ ଚଳେ, ଅନ୍ୟାନ୍ୟ ବାଚ୍ୟର ପଦ ବିଶେଷଣ ରୂପେ ବ୍ୟବହୃତ ଲୌକିକ ଭାଷାରେ ମଧ୍ୟ ଏହି ପ୍ରୟୋଗ ବିଶେଷ ହୁଏ । ତଳେ କେତୋଟି ଗାଉଁଲି ଭାଷାର ଉଦାହରଣ ଦେଉଛି :-

 

୧.

ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ ।

ଚରଜିଲା ମେଘ ବରଷେ ନାହିଁ ।

ଚାଲିଲା ଶଗଡ଼ରେ ହାତ ଦେବା ଭଲ ନୁହେଁ ।

ଛାଡ଼ିଲା ମାଇପର ପାଡ଼ିଲା ଚିନ୍ତା କାହିଁକି ?

ଜଳିଲା ଦୀପ ତଳ ଅନ୍ଧାର ।

ଥିଲା ଘର ପୁଅଝିଅ ରଙ୍କ ।

ନ ଦେଖିଲା ଓଉ ଛ ଫଡ଼ା ।

ଫଳିଲା ଗଛ ଫୋପଡ଼ା ସହେ ।

ଭୁକିଲା କୁକୁର କାମୁଡ଼େ ନାହିଁ ।

୧୦

ମଲା ଘୋଡ଼ାର ଟାଙ୍କ ମାପି କି ଲାଭ ?

୧୧

ମାଗି ଆଣିଲା ତିଅଣ ହାପୁରାଏ ।

୧୨

ଯାଚିଲା ମଣ୍ଡା ରୁଚଇ ନାହିଁ, ମାଗିଲା ମଣ୍ଡା ଗଳଗଳ ଯାଇ ।

୧୩

ଯାହା ହୋଇନାହିଁ ବାଳୁତ କାଳେ, ତାହା କି ହୋଇବ ପାଚିଲା ବାଳେ ।

୧୪

ଶୋଇଲା ପୁଅର ଭାଗ ନାହିଁ ।

୧୫

ହନୁ ମଲାବେଳକୁ ସତ କହିଲା ।

୧୬

ହଲିଲା ପାଣିକି ଗୋଡ଼ ବଢ଼ାଇବା ।

 

ଇଲା, ଲା ପ୍ରତ୍ୟୟ ଲଗାଇ ପଦ ଗଢ଼ିବା ପରି ଇବା ପ୍ରତ୍ୟୟ ଲଗାଇ ମଧ୍ୟ ପଦ ଗଢ଼ିହୁଏ-। ‘ଗଲା କଥା’ ବଦଳେ ‘ଯିବା କଥା’ କେତେଠି ଚଳିଯାଇପାରେ; କିନ୍ତୁ ସବୁଠି ନୁହେଁ । ଗ ଚମ୍ପୂରେ ବଳଦେବ ରଥେ କହିଲେ ‘ଗଲାଣି ତ ଗଲାକଥାରେ ସଙ୍ଗାତ’ । ଗଲାବେଳେ ସ୍ଥାନରେ ଯିବାବେଳେ ସଙ୍ଗତ ବୋଲି ଶ୍ରୀ ରାଉତ ମତ ଦେଇଛନ୍ତି । ତେବେ, ଏହି ପଦଟିର ‘ସଙ୍ଗତ ରୂପ’ ହେବ :-ଗଲାଣି ତ ଯିବା କଥାରେ ସଙ୍ଗାତ । କିନ୍ତୁ ଗଲାକୁ ବଦଳାଇ ଗଲାଣିକୁ ନ ବଦଳାଇଲେ ବାକ୍ୟର ଭାରସାମ୍ୟ ବ୍ୟାହତ ହେଉଛି । ତେଣୁ ଯିବା ପଦକୁ ରଖିବା ପାଇଁ ଗଲାଣି ବଦଳେ ଯାଇଛି ଚଳାଇବା ଆବଶ୍ୟକ ହେବ : ‘ଯାଇଛି ତ ଯିବାକଥାରେ ସଙ୍ଗାତ’ । ଏହା କ’ଣ ସଙ୍ଗତ ହେଲା ? କେବଳ ‘ଗ’ ଚମ୍ପୂର ଆରମ୍ଭ ‘ଯ’ରେ ହେବା ଅସଙ୍ଗତି ନୁହେଁ, ଭାଷାର ଅର୍ଥହାନି ରୂପ ଅସଙ୍ଗତିକୁ ମଧ୍ୟ ବରଣ କରିବାକୁ ହେଉଛି !

ବିଶେଷ୍ୟ ପଦରେ ଷଷ୍ଠୀ ବିଭକ୍ତିର ପ୍ରତ୍ୟୟ ଯୋଡ଼ି ବିଶେଷଣ ପଦ ଗଢ଼ିବାର ବିଧି ଓଡ଼ିଆରେ ଚଳେ :-ଗୁଣର ପିଲା, ପେଟର ଭାଇ, ଆଦରର ସାଙ୍ଗ । ଗଲା, ଯିବା ଆଦି ପଦକୁ ଅଧିକରଣ ବାଚ୍ୟର ବିଶେଷଣ ପଦ ରୂପେ ଗ୍ରହଣ ନକରି, ଭାବବାଚ୍ୟରେ ବିଶେଷ୍ୟ ପଦ ରୂପେ ଗ୍ରହଣ କରାଗଲେ ଗଲାବେଳେ ବା ଯିବାବେଳେର ପ୍ରତିଶବ୍ଦ ଭାବରେ ଗଲାର ବେଳେ ବା ଯିବାର ବେଳେ ମଧ୍ୟ ଚଳିପାରିବ । ଏକା ଓଡ଼ିଆ ନୁହେଁ ଅନ୍ୟାନ୍ୟ ଭାଷାରେ ମଧ୍ୟ ଏକା ଭାବ ଅନେକ ଢଙ୍ଗରେ ବ୍ୟକ୍ତ ହୋଇପାରେ :-

ଶୁଣିଲା ଦିନ = ଶୁଣିବା ଦିନ = ଶୁଣିବାର ଦିନ = ଶୁଣିଲାର ଦିନ

(ଲାବଣ୍ୟବତୀର ଶୋଭା ଶୁଣିଲାର ଦିନୁ-ଲାବଣ୍ୟବତୀ ୧୭।୬)

 

ଗରଜିଲା ମେଘ = ଗରଜିବା ମେଘ = ଗର୍ଜନ୍ତା ମେଘ

ଭୁକିଲା କୁକୁର = ଭୁକିବା କୁକୁର = ଭୁକନ୍ତା କୁକୁର = ଭୁକା କୁକୁର

ଜଳିଲା ଦୀପ = ଜଳିବା ଦୀପ = ଜଳନ୍ତା ଦୀପ

ଇଲା ବା ଲା ପ୍ରତ୍ୟୟର ବିକଳ୍ପ ଅବଶ୍ୟ ରହିଛି; କିନ୍ତୁ ବିକଳ୍ପ ହିଁ ଶୁଦ୍ଧ ବୋଲି ମନେ କରିବା; ଲାଗି କାରଣ ନାହିଁ । ଶ୍ରୀ ରାଉତ ଲେଖିଲାବେଳେ, କଲାବେଳେ, ଗଲାବେଳେ ଆଦି ପଦ ଅଶୁଦ୍ଧ ଓ ତାହାର ଶୁଦ୍ଧରୂପ ଲେଖିବା ବେଳେ, କରିବା ବେଳେ, ଯିବାବେଳେ ବୋଲି ଜଣାଇଛନ୍ତି । କିନ୍ତୁ ଭାଷା ବିଷୟରେ ସଚେତନ ଲେଖକମାନେ ମଧ୍ୟ ଅନ୍ୟଥା ପ୍ରୟୋଗ କରି ଆସିଛନ୍ତି । ସଚ୍ଚା ବ୍ୟାକରଣକର୍ତ୍ତାମାନେ ସର୍ବଦା ଓ ସର୍ବଥା ପ୍ରୟୋଗର ଆଶ୍ରୟ ଗ୍ରହଣ କରିଥାନ୍ତି । ପ୍ରୟୋଗଶରଣା ବୈୟାକରଣାଃ । ଶ୍ରୀ ରାଉତଙ୍କ ଆପତ୍ତି ପ୍ରୟୋଗ ଦୃଷ୍ଟିରୁତ ଗ୍ରହଣୀୟ ନୁହେଁ-ସେ ମାନିଛନ୍ତି ଯେ, ଏପରି ପ୍ରୟୋଗ ସୁପ୍ରଚଳିତ-ବ୍ୟାକରଣ ଦୃଷ୍ଟିରୁ ମଧ୍ୟ ସମର୍ଥନୀୟ ନୁହେଁ । ପ୍ରାଚୀନ ଓ ଆଧୁନିକ ଯୁଗର ପ୍ରମୁଖ ସାହିତ୍ୟିକମାନେ ଏପରି ପ୍ରୟୋଗ ପ୍ରାୟ ସର୍ବତ୍ର କରି ଆସିଛନ୍ତି । କେବଳ ସ୍ଥାନାଧିକରଣ ବାଚ୍ୟରେ ଲା, ଇଲା ପ୍ରତ୍ୟୟ ଯୁକ୍ତ ବିଶେଷଣ ପଦର କେତୋଟି ଉଦାହରଣ ନିମ୍ନରେ ଉଦ୍ଧାର କରୁଛି ।

୧.

ଉପେନ୍ଦ୍ର ଭଞ୍ଜ

:–

ଯାହା ସମେ ବ୍ରହ୍ମାଣ୍ଡ ଉଦରେ ବର ନାହିଁ ଜଳିଗଲା ଦିନୁ ପଞ୍ଚଶର

(ଲାବଣ୍ୟବତୀ ୭/୫୫)

 

 

 

 

 

 

 

ଉଞ୍ଚ ଘଞ୍ଚ କୁଚ ବେନି, ହେଲାଦିନୁ ଯଉବନୀ,

ଦେଖି ତ ନାହିଁ ଅବନୀ, ଲୋଚନ ବେନି ।

(ଲାବଣ୍ୟବତୀ ୧୩ ।୧୦)

 

 

 

 

 

 

 

ତୁମ୍ଭର ଭାଗ୍ୟ ଅତି ବଳୀୟାର, ଶୁଣିଲାକ୍ଷଣି ହେଲା ସୀଉକାର ।।

(ଲାବଣ୍ୟବତୀ ୧୮।୩୦)

 

 

 

 

୨.

କୃଷ୍ଣ ଦାସ

:–

ଗଜରାଜକୁ ଜଳେ ଗ୍ରାହ ଗ୍ରାସିଲା କାଳେ ଡାକିଲା ରଖ ଆଦିମୂଳ ।

(ଆର୍ତ୍ତତ୍ରାଣ ଚଉତିଶା)

 

 

 

 

 

 

 

କର୍ଣ୍ଣେ ଶୁଣିଲା ଦିନୁ ପୁଅଙ୍କ ଜନ୍ମ । କରୁଥାଇ ଆସିବାକୁ ନିତି ମନ ।।

(ରସକଲ୍ଲୋଳ ୪/୧୯)

 

 

 

 

୩.

ବିଶ୍ୱନାଥ ଖୁଣ୍ଟିଆ

:–

ମଲାବେଳକୁ ଯେ ଯାହା ସଦଭାବେ ରହି ଭୟ ତେଜି ନିଶ୍ଚିନ୍ତେ ରହିଲେ ।

(ବିଚିତ୍ର ରାମାୟଣ)

 

 

 

 

୪.

ଅଭିମନ୍ୟୁ ସାମନ୍ତ ସିଂହାର

:–

ପୋଡ଼ିଲା ହୃଦୟ ପଡ଼ିଲା ଦିନୁ ମୋ କର୍ଣ୍ଣଗତେ

(ବିଦ୍‌ଗଧ ଚିନ୍ତାମଣି ୧୩।୬)

 

 

 

 

 

 

 

ଗୁଣ ଶୁଣିଲା ଦିନୁ ବିକି ହୋଇଛି (ବିଦ୍‌ଗଧ ଚିନ୍ତାମଣି ୫୪।୮)

 

 

 

ହେଲାବେଳେ ହୋଏ ଯେଉଁପରି (ବିଦ୍‌ଗଧ ଚିନ୍ତାମଣି ୬୯.୫)

 

 

 

 

ବଳଦେବ ରଥ

:–

ଦିଶିଲାଣି କି ତନୁ ନମାନି ଗଲାଦିନୁ

ବଂଶୀବଟ ନିକଟ ଭେଟକୁ ଗୋ (ଚଉପଦୀ)

ଲବେ ନ ବିଚାରି ଅନୁରୋଧକୁ ବିଜେ କଲାବେଳେ ଅବରୋଧକୁ

(ଚନ୍ଦ୍ରକଳା ୮।୪୩)

 

 

 

 

୬.

ମାଦଳାପାଞ୍ଜି

:–

ଏ ଝିଅଙ୍କୁ ଏ ରୂପେ ଚଳାଇଲା ବେଳକୁ ରାଜ୍ୟ ଲୋକେ

ଶୁଣି ବହୁତ ଉପହାସ କଲେ (ଗଙ୍ଗେଶ୍ୱରଙ୍କ ବିବରଣ)

 

 

 

 

୭.

ଗୋପୀନାଥ ନନ୍ଦ

:–

ଏହି ସାତଗୋଟି ସ୍ୱରକୁ ଉଚ୍ଚାରଣ କଲା ସମୟରେ ମୁଖଯନ୍ତ୍ର

ବିଦାର୍ଯ୍ୟମାଣପ୍ରାୟ ବିସ୍ତୃତ ହୁଏ ବୋଲି ଏଗୁଡ଼ିକ ଦୀର୍ଘ ନାମରେ ଅଭିହିତ ।

(ଓଡ଼ିଆ ଭାଷାତତ୍ତ୍ୱ ପୃ-୪)

 

 

 

 

 

ଭାଷାର ସ୍ୱାଭାବିକ ବଳରେ ‘ଜ’ କାରକୁ ଉଚ୍ଚାରଣ କରି ଲେଖିଲାବେଳେ ମୂଳ ରୂପର ‘ଯ’ କାର ଲେଖନ୍ତି ।

(ଓଡ଼ିଆ ଭାଷାତତ୍ତ୍ୱ ପୃ;୧୨)

 

 

 

 

୮.

ନୀଳକଣ୍ଠ ଦାସ

:–

ଓଡ଼ିଆ ଭାଷାର ବର୍ଣ୍ଣବିଚାର ସମ୍ବନ୍ଧରେ କିଛି କହିବାକୁ ଗଲାବେଳେ.....

(ଓଡ଼ିଆ ଭାଷା ଓ ସାହିତ୍ୟ ପୃ:୨)

 

ହରଚଣ୍ଡୀ ରାତିର ଶାଢ଼ୀଟିଏ ପିନ୍ଧି, ଦୀପଟିଏ ଧରି ଗାଁରେ ବୁଲିଯାଉଥିବା ବେଳେ କେତେ ବୁଢ଼ା ଆଖିରେ ଦେଖିଥିବାର ମୋତେ କହିଛନ୍ତି । ତାଙ୍କ ଦେଖିବାରେ ପୁଣି ହରଚଣ୍ଡୀଙ୍କ ଗୋଡ଼ ତଳେ ଲାଗେ ନାଇ । ବୁଲିଲାବେଳେ ପାଦ ତଳୁ ଚାଖଣ୍ଡେ ଖଣ୍ଡେ ଛାଡ଼ିକରି ଥାଏ ।

(ଆତ୍ମଜୀବନୀ ପୃ:୪୮)

 

ଶ୍ରୀ ରାଉତଙ୍କ ଆପତ୍ତିରୁ ଅନୁମାନ କରାଯାଇପାରେ ଯେ, ‘ଲେଖିଲା’ ଅତୀତ କାଳର କ୍ରିୟା ହୋଇଥିବାରୁ ଅଶୁଦ୍ଧ; କିନ୍ତୁ ବର୍ତ୍ତମାନ କାଳର ‘ଲେଖିବା’ ଶୁଦ୍ଧ । ଏପରି ମତ ରାଧାନାଥଙ୍କ ବ୍ୟାକରଣ ପ୍ରବେଶରେ ସ୍ଥାନ ପାଇଥିବା ପରି ବୋଧ ହେଉଛି । ବ୍ୟାକରଣ ପ୍ରବେଶର କୃଦନ୍ତ ପ୍ରକରଣରେ ଲେଖାଅଛି : ‘‘ବର୍ତ୍ତମାନ କାଳରେ କର୍ତ୍ତୃ ଓ କର୍ମବାଚ୍ୟରେ ଆ, ଅନ୍ତା, ଇବା ଏବଂ ଭୂତକାଳରେ ଲା, ଇଲା, ଇଥିବା, ଉଥିବା, ଇଥିଲା, ଉଥିଲା ଇତ୍ୟାଦି ପ୍ରତ୍ୟୟ ହୁଏ । ଯଥା :-ଭଗାରିହସା କଥା, ଚଳନ୍ତା ଶଗଡ଼, ବହନ୍ତା ନଦୀ, ମରିବା ବେଳ, ନେଲା ଲୋକ, ଗରଜିଲା ମେଘ, ନେଇଥିବା ଚୋର, ବହୁଥିବା ପାଣି, ଥୁଆ ଧାନ, କଲା କାର୍ଯ୍ୟ, ହେବା ପଦାର୍ଥ ଇତ୍ୟାଦି ।’’ ରାଧାନାଥ ଭାବବାଚ୍ୟ ଓ ଅଧିକରଣ ବାଚ୍ୟ ବିଷୟରେ କିଛି ହିଁ କହିନାହାନ୍ତି । କିନ୍ତୁ କର୍ତ୍ତୃ ଓ କର୍ମବାଚ୍ୟ ସମ୍ପର୍କିତ ବିଧିକୁ ଅଧିକରଣ ବାଚ୍ୟକୁ ମଧ୍ୟ ପ୍ରସାରିତ କରାଯାଇପାରେ । ଉଦାହୃତ ପଦଗୁଡ଼ିକର ମଧ୍ୟରୁ ‘ବହନ୍ତା ନଦୀ’ର ବହନ୍ତା ବର୍ତ୍ତମାନ କାଳର ଅଥଚ ‘ବହୁଥିବା ପାଣି’ର ବହୁଥିବା ଭୂତକାଳର ବୋଲି କୁହାଯାଉଛି । କାହିଁକି ? ଏପରି କାଳ ନିରୂପଣ ଅତ୍ୟନ୍ତ ଅଯୁକ୍ତିକର । ଗୋପୀନାଥ ନନ୍ଦ ଓଡ଼ିଆ ଭାଷାତତ୍ତ୍ୱ (ପୃ. ୬୬୧)ରେ ଏ ବିଷୟରେ ଭିନ୍ନ ମତ ଦେଇ ଲେଖିଛନ୍ତି ଯେ, ଇଥିବା, ଇଥିଲା, ଉଥିବା, ଉଥିଲା ଏହି ‘‘ଚାରିଗୋଟି ପ୍ରତ୍ୟୟ ସୁଦ୍ଧା ଭୂତାର୍ଥ ଓ ବର୍ତ୍ତମାନର୍ଥ କ୍ରିୟା ବିଭକ୍ତିକର ଅନୁକରଣରେ ସୃଷ୍ଟ ହୋଇ କୃଦନ୍ତ ପ୍ରତ୍ୟୟ ରୂପେ କର୍ତ୍ତୃ, କର୍ମ ଓ ଭାବବାଚ୍ୟରେ ଭୂତ ଓ ବର୍ତ୍ତମାନ ଅର୍ଥରେ ପ୍ରଯୋଜିତ ହେଲେ’’ । ନନ୍ଦେ ମଧ୍ୟ ଅଧିକରଣ ବାଚ୍ୟ ବିଷୟରେ କିଛି କହିନାହାନ୍ତି । ଇଲା ଓ ଲା ପ୍ରତ୍ୟୟ ଧାତୁର ଉତ୍ତର ‘‘ଭୂତାର୍ଥରେ ଭାବ, କର୍ତ୍ତୃ ଓ କର୍ମବାଚ୍ୟରେ ପ୍ରଯୋଜିତ ହେଲେ’’ ବୋଲି କହିଛନ୍ତି

(ଓଡ଼ିଆ ଭାଷାତତ୍ତ୍ୱ ପୃ. ୬୬୦) ।

 

ରାଧାନାଥ ରାୟ ଓ ଗୋପୀନାଥ ନନ୍ଦ କର୍ତ୍ତୃ ଓ କର୍ମବାଚ୍ୟରେ ଇଲା ଓ ଲା ପ୍ରତ୍ୟୟ ଅତୀତ କାଳର ସୂଚକ ବୋଲି କହିଛନ୍ତି । କ୍ରିୟାର କାଳ ନିର୍ଣ୍ଣୟ ଓ କ୍ରିୟାବାଚକ ବିଶେଷଣର କାଳ ନିର୍ଣ୍ଣୟ ମଧ୍ୟରେ ପାର୍ଥକ୍ୟ ରହିଛି । ପୁଅର ଶୋଇବା କ୍ରିୟା ଆରମ୍ଭ ହୋଇଗଲେ ସେ ‘ଶୋଇଲା ପୁଅ’ ହୋଇଯାଏ ଶୋଇଲା ପୁଅ ହେବା ପାଇଁ ଶୋଇବା କ୍ରିୟା ଶେଷହେବା ଅନାବଶ୍ୟକ । ସେହିପରି ମେଘ ଗର୍ଜିବା ଆରମ୍ଭ କଲେ ଓ କୁକୁର ଭୁକିବା ଆରମ୍ଭ କଲେ, ଗରଜିଲା ମେଘ ଓ ଭୁକିଲା କୁକୁର ବୋଲାନ୍ତି । ଶୋଇବା, ଗରଜିବା ଓ ଭୁକିବା କ୍ରିୟା ଚାଲୁଥିଲେ ବି ଶୋଇଲା ପୁଅ, ଗରଜିଲା ମେଘ ଓ ଭୁକିଲା କୁକୁର ପ୍ରୟୋଗ ଶୁଦ୍ଧ । ‘ଜଳିଲା ଦୀପ ତଳ ଅନ୍ଧାରରେ’ ଏହି ନିୟମଟି ସୁସ୍ପଷ୍ଟ । ଦୀପ ଜଳିବା କ୍ରିୟା ଆରମ୍ଭ କଲାମାତ୍ରେ ତାହା ଜଳିଲା ଦୀପ । ଜଳିଲା ଦୀପର ଜଳିବା କ୍ରିୟା ଅତୀତ ହୋଇଛି ବୋଲି ମନେକଲେ ଢଗଟି ଅର୍ଥହୀନ ହୋଇପଡ଼ିବ । ଏଣୁ ବାକ୍ୟର କ୍ରିୟାର କାଳ ବର୍ତ୍ତମାନ ଏପରିକି ଭବିଷ୍ୟତ୍‌ ହେଲେ ମଧ୍ୟ କ୍ରିୟାବାଚକ ବିଶେଷଣର କାଳ ଅତୀତ ହେବା ସମ୍ଭବପର ହୁଏ । ଓଡ଼ିଆ ବ୍ୟାକରଣ ବିଷୟରେ ଗୋପୀନାଥ ନନ୍ଦ ଓ ନୀଳକଣ୍ଠ ଦାଶ ଖୁବ୍‌ ସଚେତନ । ଏହି ଉଭୟ ଲେଖକଙ୍କ ପୂର୍ବଦ୍ଧୃତ ବାକ୍ୟରେ ବାକ୍ୟର କ୍ରିୟା ବର୍ତ୍ତମାନ କାଳର ହେଲେ ମଧ୍ୟ କ୍ରିୟାବାଚକ ବିଶେଷଣର ପ୍ରତ୍ୟୟ ଲା ଓ ଇଲା ରହିଛି । ଶ୍ରୀ ରାଉତ ଅଶୁଦ୍ଧ ବୋଲି ଚିହ୍ନାଇ ଦେଇଥିବା ‘ଲେଖିଲା ବେଳେ’ ଖୋଦ୍‌ ନନ୍ଦେ ‘ଓଡ଼ିଆ ଭାଷାତତ୍ତ୍ୱ’ରେ ବ୍ୟବହାର କରିଛନ୍ତି । ଏଥିରେ ଲେଖିବା କ୍ରିୟାଟି ଆରମ୍ଭ ହୋଇ ସାରିଥିବା ସମୟର ବିଷୟ କୁହାଯାଉଛି । କ୍ରିୟାର କାଳ ସରିଗଲେ, ତାହା ଅତୀତ ରୂପ ଗ୍ରହଣ କରେ; କିନ୍ତୁ କ୍ରିୟାବାଚକ ବିଶେଷଣ କ୍ଷେତ୍ରରେ କ୍ରିୟା ଆରମ୍ଭ ହୋଇ ସାରିଥିଲେ ହେଲା । କ୍ରିୟାବାଚକ ବିଶେଷଣର ଅତୀତ ପୁଣି ତ୍ରିବିଧ ହୋଇପାରେ :-ଅତୀତରେ ଅତୀତ; ବର୍ତ୍ତମାନ ଅତୀତ ଓ ଭିବଷ୍ୟତକୁ ଅତୀତ । ଗୋଟିଏ ଉଦାହରଣ ଦେଖନ୍ତୁ :-

 

୧.

ଅତୀତରେ ଅତୀତ

:–

ରାତି ପାହିଲା ବେଳକୁ ଗାଡ଼ି ବାଲେଶ୍ୱର ଟପି ଯାଇଥିଲା ।

୨.

ବର୍ତ୍ତମାନରେ ଅତୀତ

:–

ରଘୁ ଅନ୍ୟର ଖାଇଲା ଭାତରେ ଧୂଳି ପକାଉଛି ।

୩.

ଭବିଷ୍ୟତରେ ଅତୀତ

:–

ରାତି ପାହିଲା ବେଳକୁ ଗାଡ଼ି ବାଲେଶ୍ୱର ଟପି ଯାଇଥିବ ।

 

କ୍ରିୟାବାଚକ ବିଶେଷଣରେ ଏପରି ପ୍ରୟୋଗ ସାଧୁ ଓ ନିର୍ଦ୍ଦୋଷ । ତେଣୁ ଲେଖିଲାବେଳେ, କଲାବେଳେ, ଗଲାବେଳେ ଆଦି ଅଶୁଦ୍ଧ ବୋଲି କହିବା ସଙ୍ଗତବୋଧ ହୁଏନାହିଁ-

 

 

ଡେପୁଟି ସେକ୍ରେଟରୀ

ଆଇନ ବିଭାଗ

ଓଡ଼ିଶା ସେକ୍ରେଟେରିଏଟ

***

 

ସମାଲୋଚନାର ଭୂମିକା

ଡଃ ହେମନ୍ତ କୁମାର ଦାସ

 

ସମାଲୋଚନା-ସାହିତ୍ୟର ଭଲ ଏବଂ ମନ୍ଦ ଦିଗ ସମ୍ପର୍କରେ ପାଠକମାନଙ୍କୁ ସମ୍ୟକ୍‌ ସୂଚନା ଦେବା ନିମନ୍ତେ ଉଦ୍ଦିଷ୍ଟ । ସମ୍ପ୍ରତି ଏହା ସାହିତ୍ୟର ଏକ ବିଶେଷ ବିଭାଗ ରୂପରେ ସ୍ୱୀକୃତି ଲାଭ କରିଥିଲେ ହେଁ, ଏହାକୁ ଅଦ୍ୟାବଧି ସୃଜନୀଶୀଳ ସାହିତ୍ୟର ମର୍ଯ୍ୟାଦା ଦିଆଯାଇ ପାରି ନାହିଁ-। ସାହିତ୍ୟ କ୍ଷେତ୍ରରେ ଏଥି ନିମନ୍ତେ କୌଣସି ବିଶେଷ ସ୍ୱୀକୃତୀର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ସାହିତ୍ୟ ପାଇଁ ଯେଉଁସବୁ ସର୍ବୋଚ୍ଚ ପୁରସ୍କାର ମାନ ଦିଆଯାଉଛି, ତହିଁରେ ସମାଲୋଚନା ପ୍ରାୟ ଅବହେଳିତ ହିଁ ରହିଛି । ସ୍ରଷ୍ଟାମାନସର ସର୍ଜନଶୀଳ ବୃତ୍ତି ସମାଲୋଚନା ସମ୍ପର୍କରେ ଅତ୍ୟନ୍ତ ସ୍ପର୍ଶକାତର । ସାହିତ୍ୟରେ ଏହାକୁ ଯେତେ ଉଚ୍ଚସ୍ଥାନ ଦିଆଗଲେ ମଧ୍ୟ, ଚଳଣିରେ ଏହା ନାସିକାକୁଞ୍ଚନ, ଉପେକ୍ଷା ଏବଂ କ୍ଷେତ୍ର ବିଶେଷରେ ଅନୁକମ୍ପା ବ୍ୟତୀତ ଅନ୍ୟ କିଛି ଲାଭ କରିଥିଲା ପରି ମନେ ହେଉନାହିଁ । ସମଗ୍ର ବିଶ୍ୱ-ସାହିତ୍ୟରେ ସମାଲୋଚକର ଭୂମିକା କେବଳ ‘ନମସ୍କାରଂ’ ସହସ୍ରାଣି, ଖଡ଼ାପତ୍ର ନଦୀୟତେ’ରେ ଆବଦ୍ଧ ରହିଛି । ଏ ସମ୍ପର୍କରେ ଗୋଟିଏ ଆମୋଦ ଦାୟକ ମନ୍ତବ୍ୟର ଉଲ୍ଲେଖ ଏଠାରେ ବୋଧହୁଏ ଅପ୍ରାସଙ୍ଗିକ ହେବନାହିଁ । ପ୍ରସଙ୍ଗଟି ରହିଛି ଏ କାଳର ସର୍ବାଧୁନିକ ଆବସର୍ଡ଼ ନାଟକ Waiting for Godotରେ । ଏହି ନାଟକରି ଦୁଇଟି ଚରିତ୍ର ଭ୍ଲାଡ଼ିମିର୍‌ ଏବଂ ଏସ୍‌ଟ୍ରାଶନ୍‌ ପରସ୍ପରକୁ ଭର୍ତ୍ସନା କରୁଛନ୍ତି । ଇଡ଼ିଅଟ୍‌, ହିପୋତ୍ରାଟ ପ୍ରଭୃତି ବଛାବଛା ଗାଳି ପ୍ରୟୋଗ କରାଗଲା ପରେ ଜଣେ ଅପରକୁ ‘Critic’ ବୋଲି କହି ମନର କ୍ଷୋଭ ପ୍ରକାଶ କରିଛି । ଏହି ଗୋଟିଏ ଶବ୍ଦ ମଧ୍ୟରେ ସମାଲୋଚକ ସମ୍ପର୍କରେ ସେ ଦେଶର ସର୍ଜନଶୀଳ ସ୍ରଷ୍ଟାମନର ପ୍ରକୃତ ମନୋଭାବ ପ୍ରକାଶ ପାଇଯାଇଛି । କେବଳ ସେତିକି ନୁହେଁ, ଜଣେ ବ୍ୟାସ କିମ୍ବା ବାଲ୍ମୀକି ହଜାର ହଜାର ସମାଲୋଚକ ସୃଷ୍ଟି କରିପାରୁଥିବା ସ୍ଥଳେ, ହଜାର ହଜାର ସମାଲୋଚକ ଜଣେ ବ୍ୟାସ ବା ବାଲ୍ମୀକି ସୃଷ୍ଟି କରିପାରୁ ନଥିବା ବ୍ୟାପାର ପ୍ରତି ଆମର ଦୃଷ୍ଟି ଆକର୍ଷଣ କରାଯାଉଛି । ଏହି ମନ୍ତବ୍ୟକୁ ଲଘୁ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ । କାରଣ ଏଥିରେ ସତ୍ୟତା ରହିଛି । ମୋଟାମୋଟି ଭାବରେ, ସମାଲୋଚକ ଯେତେ ଅଧ୍ୟବସାୟୀ, ନିରପେକ୍ଷ ଏବଂ ମନନଶୀଳ ହୋଇଥିଲେ ମଧ୍ୟ, ତାହାକୁ ଯେ ଯଥାର୍ଥ ସ୍ରଷ୍ଟାର ମର୍ଯ୍ୟଦା ଦିଆଯାଇପାରିବ ନାହିଁ, ଏଥିରୁ ଏହାହିଁ ପ୍ରମାଣିତ ହେଉଛି । ତାହା ସହିତ, ଏହା ମଧ୍ୟ କହିବାକୁ ପଡ଼ୁଛି ଯେ, ସାହିତ୍ୟ ପାଇଁ ସମାଲୋଚନାର ଭୂମିକା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ । ସମାଲୋଚକ ପାଠକକୁ କେତେ ପରିମାଣରେ ବାଟ ଦେଖାଇପାରେ । ମାତ୍ର ସ୍ରଷ୍ଟାର ଦିଗ୍‌ଦର୍ଶନ ନିମନ୍ତେ ଏହାର କୌଣସି ଭୂମିକା ନାହିଁ । ସ୍ରଷ୍ଟା ନିରଙ୍କୁଶ, କ୍ରାନ୍ତଦର୍ଶୀ, ସେ ଅମଡ଼ା ମାଡ଼ିପାରେ, କଳ୍ପନାର ମୀନାର ତିଆରି କରିପାରେ । ସାହିତ୍ୟର ବଡ଼ଦାଣ୍ଡରେ ସଗର୍ବରେ ନିଜର ନିଶାଣ ଉଡ଼ାଇ ଧାଇଁଯାଇଁ ପାରେ-। ସମାଲୋଚକ କେବଳ ଏହି ପଥଧାରରେ ଦଣ୍ଡାୟମାନ ରହି ବିସ୍ମୟୋତ୍‌ଫୁଲ୍ଲ ଲୋଚନରେ ତାହାର ବିଜୟଯାତ୍ରାକୁ ନିରୀକ୍ଷଣ କରିପାରେ । ଏଥିରେ ଭାଗ ନେବାର କୌଣସି ଅଧିକାର କିନ୍ତୁ ତାହାର ନାହିଁ । ପ୍ରକୃତରେ ଏହା ସତ୍ୟ କି ?

 

ସମାଲୋଚନାର ସାମ୍ପ୍ରତିକ ଗୁଣାତ୍ମକ ତଥା ପରିମାଣାତ୍ମକ ବିକାଶ ଏହାକୁ ସାହିତ୍ୟର ଏକ ଦର୍ଶନୀୟ ବିଭାଗରେ ପରିଣତ କରିଛି । କେବଳ ଦୃଷ୍ଟି ସୁଭଗତା ମଧ୍ୟରେ ଏହାର ପରିସୀମା ଆବଦ୍ଧ ହୋଇ ରହିଛି କହିଲେ ଯଥେଷ୍ଟ ହେଉନାହିଁ । ବରଂ ପାଠକ ନିକଟରେ ସାହିତ୍ୟର ସମ୍ବାଦ ଯଥାଯଥ ଭାବରେ ପହଞ୍ଚାଇ ଦେବାଭଳି ମାଧ୍ୟମ ଏହା ବ୍ୟତୀତ ଅନ୍ୟ କିଛି ନାହିଁ ବୋଲି ମଧ୍ୟ କୁହାଯାଇପାରେ । କବିକର୍ମର ଦୁରୂହ ସଂକୀର୍ଣ୍ଣ ବର୍ତ୍ମ ମଧ୍ୟରେ ସମାଲୋଚକ ହେଉଛି ନିଃସଙ୍ଗ ପତାକାଧାରୀ, ଯେ ସ୍ରଷ୍ଟାର ଚିନ୍ତା ଓ ଚେତନାକୁ ଲାଳନପାଳନ କରେ, ତାହାର ଆଧିବ୍ୟାଧିର ସମ୍ବାଦସ୍ରଷ୍ଟାଙ୍କ ନିକଟରେ ପହଞ୍ଚାଇ ଦିଏ, ଅନସୂୟଭାବରେ । ସୃଷ୍ଟିର ସମୃଦ୍ଧ ଏବଂ ସ୍ୱାସ୍ଥ୍ୟବାନ୍‌ ରୂପ ଦେଖିବାର ଏକମାତ୍ର କାମନା ବ୍ୟତୀତ, ତାହା ମନରେ ଅନ୍ୟ କୌଣସି ଚିନ୍ତା ନଥାଏ । ଏ ଦିଗରୁ ତାହାକୁ ଜଣେ ସମର୍ପିତ ଚିକିତ୍ସକର ସମ୍ମାନ ଅର୍ପଣ କରାଯାଇ ପାରେ । ଅପରର ସୃଷ୍ଟିକୁ ଆପଣାର କରିନେବା, ନିଃସ୍ୱାର୍ଥପର ଭାବରେ ତା’ ଦେହରୁ ଧୂଳି ଝାଡ଼ିଦେଇ ତାକୁ କୋଳେଇ ନେବାର ଉଦାରତା କେବଳ ସମାଲୋଚକର ହିଁ ଥାଏ । ହୁଏତ ଏହି କାରଣରୁ ହିଁ କବି ଦୀନକୃଷ୍ଣ ‘ରସକଲ୍ଲୋଳ’ରେ ‘କହିବାଲୋକ’ ଅର୍ଥାତ୍‌ ଆଲୋଚକକୁ ‘କବିତା ବନିତା’ର ‘ଧାତ୍ରୀ’ ବା ‘ଉପମାତା’ ବୋଲି କହିଛନ୍ତି । ଜନନୀଠାରୁ ଧାତ୍ରୀର ଦାୟିତ୍ୱ ଯେ ଅନେକ କ୍ଷେତ୍ରରେ ଅଧିକ, ଏହା ସମସ୍ତେ ସ୍ୱୀକାର କରିବେ ।

 

ସମ୍ପ୍ରତି ସମାଲୋଚକକୁ ସ୍ରଷ୍ଟାର ପ୍ରତିପକ୍ଷ ବା ଶତ୍ରୁ ରୂପରେ ମୁଖ୍ୟତଃ ଗ୍ରହଣ କରି ନିଆଯାଉଛି । ଏହାର କେତେକ କାରଣ ଅବଶ୍ୟ ରହିଛି । ଅନେକ ସମୟରେ ସମାଲୋଚନା କ୍ଷେତ୍ରରେ ଏଭଳି କେତେକ ରଚନା ଆତ୍ମପ୍ରକାଶ କରୁଛି, ଯେଉଁଠି ସ୍ରଷ୍ଟା ଏବଂ ସମାଲୋଚକଙ୍କର ବ୍ୟକ୍ତିଗତ ସମ୍ପର୍କ ହିଁ ଗୁରୁତ୍ୱ ଲାଭ କରୁଛି । ପରିଣାମରେ ସେଗୁଡ଼ିକ ନିନ୍ଦାପ୍ରଶଂସା ସୂଚକ ଲାମ୍ପୁନ୍‌ ଜାତୀୟ ରଚନା ହିଁ ହୋଇଯାଉଛି । ସମାଲୋଚକ ସେ କ୍ଷେତ୍ରରେ ନିଜର ନିରପେକ୍ଷତା କିମ୍ବା ନୈବ୍ୟକ୍ତିକତା ବଜାୟ ରଖିପାରୁ ନାହିଁ । ମାତ୍ର ପ୍ରକୃତରେ ଦେଖିବାକୁ ଗଲେ କବି ଏବଂ ସମାଲୋଚକର ମାନସିକ ଏକାତ୍ମତା ମଧ୍ୟରେ ହିଁ କାବ୍ୟ ସ୍ୱରୂପ ନିର୍ଣ୍ଣୟର ବୀଜ ନିହିତ । କାବ୍ୟ ଏକ ସାଧନା ସାପେକ୍ଷ କର୍ମ । ଜାତିର ଐତିହ୍ୟ ସହିତ ଏହାର ନିବିଡ଼ ସମ୍ପର୍କ । ଦାୟିତ୍ୱବାନ୍‌ ବ୍ୟକ୍ତି ହିସାବରେ କବି ଏକ ଲକ୍ଷ୍ୟରେ ହିଁ କାବ୍ୟ ରଚନାରେ ପ୍ରବୃତ୍ତ ହୁଅନ୍ତି । ସମାଲୋଚକ ପ୍ରଥମେ ଏହାକୁ ହୃଦୟଙ୍ଗମ କରି କବି କର୍ମ ସହିତ ସମ୍ପର୍କ ସ୍ଥାପନ କଲେ, ଚିନ୍ତାରାଜ୍ୟରେ କବିଙ୍କର ଅତି ନିକଟବର୍ତ୍ତୀ ହୋଇଯାଆନ୍ତି । ମନେ ରଖିବାକୁ ହେବ ଯେ, ଉଭୟଙ୍କର ସୁ-ସମ୍ପର୍କ ହିଁ ସୁସ୍ଥ ସମାଲୋଚନା ପାଇଁ ଅପରିହାର୍ଯ୍ୟ । ଠିକ୍‌ ଏହି କଥାଟିକୁ ଟି.ଏସ. ଏଲିଅଟ୍‌ (T. S. Eliot) କହିଛନ୍ତି । ତାଙ୍କ ମତରେ, ‘‘The critical activity finds its highest, its true fulfilment in a kind of unions with creation, in the labour of the artist-’’ ସ୍ରଷ୍ଟା ଏବଂ ସମାଲୋଚକ ଏ ଉଭୟଙ୍କର ମଣିକାଞ୍ଚନ ସଂଯୋଗ ସମାଲୋଚନା ପାଇଁ ପ୍ରୟୋଜନ । ମାତ୍ର ସମାଲୋଚକ ସ୍ରଷ୍ଟାଠାରୁ କୌଣସି ଗୁଣରେ ନ୍ୟୂନ ନୁହନ୍ତି ବା ତାଙ୍କର ସ୍ତାବକ ମଧ୍ୟ ନୁହନ୍ତି । ଜ୍ଞାନରେ, ମନନରେ, ବିଶ୍ଳେଷଣରେ ଏବଂ ଚିନ୍ତାରେ ସେ ସ୍ରଷ୍ଟାଙ୍କର ସମସ୍ତରୀୟ । ସୃଷ୍ଟିର ଅସ୍ପଷ୍ଟତାକୁ ସେ ଦୂର କରିଦେଇ ପାରନ୍ତି । ପାଠକକୁ ସଚେତନ କରିଦେଇ ପାରନ୍ତି, କବି କର୍ମର ସାମାଜିକ ମୂଲ୍ୟବୋଧ ସମ୍ପର୍କରେ । ସାହିତ୍ୟର ଭାଷା, ଭାବ ଏବଂ ଶୈଳୀ ପ୍ରଭୃତିର ସମ୍ୟକ୍‌ ବିଶ୍ଳେଷଣ କରି ତାହାର ପ୍ରକୃତ ସ୍ୱରୂପ ଉଦ୍‌ଘାଟନ କରିପାରନ୍ତି । ତେଣୁ ସମାଲୋଚକ ରିଚାର୍ଡସ୍‌ (I. A. Richards) ଏମାନଙ୍କୁ ‘ବିଚାରକ’ର ସମ୍ମାନ ଦେଇ ଲେଖିଛନ୍ତି, ‘‘To set up as a critic is to set up as a judge of values’’- ସମାଲୋଚକ ବିଚାର କାଳରେ, ସୃଷ୍ଟିର କେବଳମାତ୍ର ଆଙ୍ଗିକ ବା ଆତ୍ମିକ ଦିଗକୁ ସ୍ୱତନ୍ତ୍ର ଭାବରେ ବିଚାରକୁ ନନେଇ, Forms ଏବଂ Contentsକୁ ଦୁଇଟି ସ୍ୱତନ୍ତ୍ର ବିଭାବ ରୂପରେ ଗଣନା ନକରି, ଏ ଉଭୟର ସମନ୍ୱୟରେ ନିଜର ମନ୍ତବ୍ୟ ପ୍ରସ୍ତୁତ କଲେ, ସୃଷ୍ଟିପ୍ରତି ଯଥାର୍ଥ ବିଚାରଶୀଳ ହୋଇପାରିବେ । ମନେରଖିବାକୁ ହେବ ଯେ, କବି କର୍ମ କେବଳ ମାତ୍ର ବାକ୍‌ବୈଚିତ୍ର୍ୟ ଏବଂ ପ୍ରକାଶ ଚାତୁର୍ଯ୍ୟ ମଧ୍ୟରେ ସୀମିତ ନୁହେଁ । କାବ୍ୟ ସଫଳତାର ଭାଷାର ଏକ ସୀମାବଦ୍ଧ ଭୂମିକା ରହିଛି । ମାତ୍ର ଶାଶ୍ୱତ କାବ୍ୟ ସୃଷ୍ଟିରେ ମୂଲ୍ୟବୋଧ ସଚେତନତାର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏହାକୁ ଏଡ଼ାଇ ଗଲେ ଚଳିବ ନାହିଁ ।

 

ମକ୍ଷିକା ବୃତ୍ତି ସମାଲୋଚକର ଧର୍ମ ନୁହେଁ । ତାକୁ ଉଦ୍ଦେଶ୍ୟ ପୋଷଣ କରି ଯେଉଁମାନେ ଏଥିରେ ପ୍ରବୃତ୍ତ ହୁଅନ୍ତି ବହୁକାଳ ପୂର୍ବେ ‘ରାଜଶେଖର’ ସେମାନଙ୍କୁ ‘ମତ୍ସରୀ ସମାଲୋଚକ’ର ଆଖ୍ୟା ଦେଇଅଛନ୍ତି । ସମାଲୋଚନା ଏକ କଠିନ କର୍ମ । ତିକ୍ଷ୍‌ଣ ଅସୀ ଧାରରେ ପଥ ଚାଲିବା ଭଳି ସମାଲୋଚକ ପଦେ ପଦେ ସଚେତନ ସଶଙ୍କ ପଦପାତରେ ଅଗ୍ରସର ହେଉଥାଏ । ପଦ୍ମପତ୍ରରେ ବାରିବିନ୍ଦୁ ଭଳି ତା’ର ସ୍ଥିତି । ସାହିତ୍ୟର ଅତଳାନ୍ତ ସମୁଦ୍ର ମଧ୍ୟରେ ତାକୁ ନିମଜ୍ଜିତ ହେବାକୁ ପଡ଼ିବ, ଅଥଚ ବିନ୍ଦୁଏ ମାତ୍ର ପାଣି ତା’ ଦେହରେ ଲାଗିଲେ ଚଳିବ ନାହିଁ । ଏହା ସାଧାରଣ ପକ୍ଷରେ ସମ୍ଭବପର ନୁହେଁ । ଅସାଧାରଣତ୍ୱ ହାସଲ କରିବାକୁ ହେଲେ, ସମାଲୋଚକକୁ ପ୍ରଥମେ ବହୁ ପାଠୀ ହେବାକୁ ପଡ଼ିବ । ପ୍ରସାରିତ ଜ୍ଞାନର ଦିଗନ୍ତ ହିଁ ତାହାର ବିଚାର ଶକ୍ତିକୁ ଶାଣିତ ତଥା ମାର୍ଜିତ କରିବାରେ ସହାୟକ ହେବ । ପ୍ରାଗାଢ଼ ମନନଶୀଳତା ପୁଣି ତାହାର ବିଶ୍ଳେଷଣ ଶକ୍ତିକୁ ଜାଗ୍ରତ କରାଇବ । ସର୍ବୋପରି ତାହାର ଦୃଷ୍ଟିକୋଣ ହେବ ବ୍ୟାପକ ତଥା ଉଦାର । ଏହାକୁ ହିଁ ବଙ୍ଗୀୟ ସମାଲୋଚକ ଶ୍ରୀଶଚନ୍ଦ୍ର ଦାଶ ‘ସହୃଦୟତା’ ତଥା ‘ଉଦାରତା’ ବୋଲି କହିଛନ୍ତି । ତାଙ୍କ ମତରେ ‘‘ସହୃଦୟତା ଓ ଉଦାରତା ସମାଲୋଚକର ସର୍ବଶ୍ରଷ୍ଠ ଗୁଣ । ସହୃଦୟତା ବ୍ୟତୀତ କୌଣସି କବି ବା ସାହିତ୍ୟିକ ଜୀବନର ରୂପକୁ ଯେପରି ଭାବରେ ଦେଖିଛନ୍ତି, ତାହା ଅନୁରୂପ ଭାବରେ ଦେଖିବା ସମ୍ଭବ ନୁହେଁ । ଉଦାରତା ନଥିଲେ କୌଣସି ସାହିତ୍ୟର ମର୍ମ ମୂଳରେ ଦୃଷ୍ଟି ନିକ୍ଷେପ କରିବା ସହଜସାଧ୍ୟ ହୋଇପାରେ ନାହିଁ । ଏତଦ୍‌ବ୍ୟତୀତ ସମାଲୋଚକ ଶିକ୍ଷିତ, ସଂସ୍କୃତିମାନ୍‌ ଓ ସାହିତ୍ୟବୋଧ ସମ୍ପନ୍ନ ହେବା କାମ୍ୟ । ଏହି ସାହିତ୍ୟବୋଧ ସାଧାରଣତଃ ଶିକ୍ଷାଦ୍ୱାରା ସଂଚାରିତ ହୁଏ ନାହିଁ, ଏହା ଅନେକାଂଶରେ ପ୍ରାକ୍ତନ ।’’ ସମାଲୋଚନାରେ ଯେ କେବଳ ସମାଲୋଚକର ବ୍ୟକ୍ତିଗତ ଦୃଷ୍ଟିକୋଣଟି ପ୍ରତିଫଳିତ ହୋଇଥାଏ ଏଭଳି ନୁହେଁ । ବରଂ ତାହାର ସାର୍ବଜନୀନ ଦୃଷ୍ଟିକୋଣ ହିଁ ଯେ ଆଲୋଚନାକୁ ସରସ କରେ, ଏଥିରେ ସନ୍ଦେହ ନାହିଁ । ଏ ସମ୍ପର୍କରେ ଆଲୋଚକ ଦାସ ଆହୁରି କହନ୍ତି, ‘‘ଯେଉଁ ସମାଲୋଚନାରେ ଗ୍ରନ୍ଥ ବିଶେଷ ସମାଲୋଚକକୁ କିପରି ଲାଗିଛି-ଏହାହିଁ ବଡ଼ କଥା ତାହାକୁ ବ୍ୟକ୍ତିଗତ ସମାଲୋଚନା କୁହାଯାଏ । ସାହିତ୍ୟ ବିଚାରରେ ସମାଲୋଚକର ବ୍ୟକ୍ତିଗତ ପସନ୍ଦ ବା ନାପସନ୍ଦ ଅବଶ୍ୟ ଉପେକ୍ଷଣୀୟ ନୁହେଁ, କିନ୍ତୁ ସମାଲୋଚକର ଶିକ୍ଷା ସଂସ୍କୃତି, ଦୃଷ୍ଟି, ଉଦାରତା ଓ ସାହିତ୍ୟବୋଧ ଅଛି କି ନାହିଁ, ତାହା ଦେଖିବାକୁ ହେବ । ଅଧିକାର ହୀନ ସମାଲୋଚକର ସାହିତ୍ୟ ବିଚାର ଅନେକ ସମୟରେ ଲାଞ୍ଛନାରେ ପର୍ଯ୍ୟବସିତ ହୋଇପାରେ ଏବଂ ବ୍ୟକ୍ତିଗତ ସମାଲୋଚନା ଅଧିକାଂଶ ସମୟରେ ଅତିରଞ୍ଜନକୁ ପ୍ରଶୟ ଦେଇଥାଏ-’’ (ସାହିତ୍ୟ ସନ୍ଦର୍ଶନ) ଶ୍ରୀଶଚନ୍ଦ୍ର ଦାସ ଶ୍ରୀ ଦାସଙ୍କ ମନ୍ତବ୍ୟରୁ ଗୋଟିଏ କଥା ବିଶେଷ ସ୍ପଷ୍ଟ ଭାବରେ ଜଣାଯାଇ ଥାଏ । ତାହା ହେଉଛି ଯେ, ସମାଲୋଚନା ନିମନ୍ତେ ବ୍ୟକ୍ତିର ସାହିତ୍ୟବୋଧ ହେଉଛି ଏକାନ୍ତ ପ୍ରୟୋଜନନୀୟ । ତାଙ୍କ ମତରେ ଏହା ପୁଣି ପ୍ରାକ୍ତନ । ଏ ବିଷୟରେ ତର୍କର ଅବକାଶ ଥାଇପାରେ । ମାତ୍ର ତାଙ୍କ ମତର ପ୍ରଥମାର୍ଦ୍ଧ ହେଉଛି ସମ୍ପୂର୍ଣ୍ଣ ଅଭ୍ରାନ୍ତ । ସାହିତ୍ୟ ବୋଧ ହିଁ ସମାଲୋଚକଠାରେ ଭଲମନ୍ଦ ବିଚାରର ଶକ୍ତି ସୃଷ୍ଟି କରିଥାଏ-। ତେଣୁ ସେତକ ବାଦ୍‌ ଦେଲେ ସମାଲୋଚକର ସ୍ଥିତି ଦୁର୍ବଳ ହୋଇ ପଡ଼ିବା ସ୍ୱାଭାବିକ । କହିବା ବାହୁଲ୍ୟ ଯେ ଶ୍ରୀ ଦାସଙ୍କ ମନ୍ତବ୍ୟ ମୁଖ୍ୟତଃ ‘ରାଜଶେଖର’ଙ୍କ ମନ୍ତବ୍ୟ ଉପରେ ହିଁ ଆଧାରିତ ।

 

ସାହିତ୍ୟ ପାଇଁ ସମାଲୋଚନାର ଭୂମିକା ସର୍ବଦା ଗଠନମୂଳକ ହୋଇଥିବା ଏକାନ୍ତ ଆବଶ୍ୟକ । କାରଣ ସମାଲୋଚକର ବିଚାର ଧାରାରେ ସ୍ପଷ୍ଟତା, ଅଭିବ୍ୟକ୍ତିର ସ୍ପଷ୍ଟତା ତଥା ନୈବ୍ୟକ୍ତିକତା ସ୍ରଷ୍ଟାର ଦିଗ୍‌ଦର୍ଶକ ହୋଇପାରେ । ଉଚ୍ଚକୋଟୀର ସର୍ଜନଶୀଳ କର୍ମ ସହିତ ସ୍ରଷ୍ଟାର ମନନଶୀଳତା ଓ ପ୍ରଜ୍ଞାର ନିବିଡ଼ ସମ୍ପର୍କ ରହିଛି । ସମାଲୋଚକ ଜୀବନାନୁଭୂତିର ଏହି ସ୍ତରରେ ସ୍ରଷ୍ଟା ସହିତ ସମପାଦ ହୋଇ ନ ପାରିଲେ ମଧ୍ୟ ତାହାଠାରୁ ଖୁବ୍‌ ଦୂରବର୍ତ୍ତୀ ହେଲେ ଚଳିବ ନାହିଁ । ଜୀବନାନୁଭୂତିର ମନନ ଏବଂ ଚିନ୍ତନ ତଥା ବିଶ୍ଳେଷଣ ଅବଶ୍ୟ ସ୍ରଷ୍ଟାର ମୁଖ୍ୟ ଦାୟିତ୍ୱ, ମାତ୍ର ଏ ଦୃଷ୍ଟିରୁ ସମାଲୋଚକର ଦାୟିତ୍ୱ ସୁଦ୍ଧା ଗୁରୁତ୍ୱହୀନ ନୁହେଁ । ଏ କ୍ଷେତ୍ରରେ ସମାଲୋଚକ ସ୍ରଷ୍ଟାକୁ ସାବଧାନତାର ସହିତ ଅନୁସରଣ କରିବା ଆବଶ୍ୟକ । ଅନୁଭୂତିର ବିଶ୍ଳେଷଣରେ ସ୍ରଷ୍ଟାର ମାନସିକତାକୁ ସହୃଦୟତାର ସହିତ ବିଚାର କରିବାକୁ ହେବ । ଏଥିପାଇଁ ହିଁ ଚିନ୍ତାର ଗଭୀରତମ ସ୍ତରରେ ତାହାର ଅନୁସନ୍ଧିତ୍ସା ସଦାଜାଗ୍ରତ ରହିଥିବା ପ୍ରୟୋଜନ । ଏହାକୁ ହିଁ ଆଲୋଚକ ଶ୍ରୀ ଦାଶ ସମାଲୋଚକର ‘ସାହିତ୍ୟବୋଧ’ ବୋଲି କହିଛନ୍ତି ଏବଂ ଏହି ରୀତିକୁ ଆମ ପ୍ରବନ୍ଧର ପ୍ରଥମାଂଶରେ ‘ସାହିତ୍ୟିକ ସମାଲୋଚକର ଏକାତ୍ମତା’ ବୋଲି ସୂଚାଇଛୁ । ଏସବୁ ମନ୍ତବ୍ୟର ମୂଳ ରାଜଶେଖରଙ୍କ ବିଶ୍ଳେଷଣରେ ହିଁ ରହିଛି ।

 

ନବନବ ଉନ୍ମେଷଶାଳିନୀ ପ୍ରଜ୍ଞା ସ୍ରଷ୍ଟା ମନରେ ସୃଷ୍ଟିର ପ୍ରେରଣା ଜାଗ୍ରତ କରାଏ । ଏହି ସୃଷ୍ଟି ପ୍ରକ୍ରିୟା ପ୍ରାଚ୍ୟରୀତିରେ ଏକ ଦିବ୍ୟ, ଯୋଗସ୍ଥ ଅବସ୍ଥା । ଏତେବେଳେ ସ୍ରଷ୍ଟା ଅନୁଭୂତିର ଏକ ଗଭୀରତର, ନୈବ୍ୟକ୍ତିକ ଅବସ୍ଥାରେ ଉପଗତ ହୁଏ । ଏହି ସୃଷ୍ଟି ପ୍ରକ୍ରିୟା ବିଧାତା ଭଳି ଅନ୍ତର୍ଦୃଷ୍ଟି ସମ୍ପନ୍ନ ଏକ ବ୍ୟକ୍ତି ବିଶେଷର ଲୋକୋତ୍ତର କ୍ରିୟା-ବୋଲି କୁହାଯାଇଥାଏ । ପରମ୍ପରାରେ ତେଣୁ ‘କବି’ ମନୀଷୀ, ସ୍ୱୟମ୍ଭୁ, ଦ୍ରଷ୍ଟା, ଋଷି ପ୍ରଭୃତି ବହୁ ବିଶେଷଣରେ ଭୂଷିତ । ଚଳଣିରେ କବିକୁ ‘ଅଲୋକସାମାନ୍ୟ’ ଏବଂ ‘ନୈସର୍ଗିକ’ ଶକ୍ତିର ଅଧିକାରୀ ବୋଲି ମଧ୍ୟ ଗ୍ରହଣ କରି ନିଆଯାଇଛି । ଯାହାହେଉ, କବି ସୃଷ୍ଟି କରେ ଏବଂ ପାଠକ ତାହାକୁ ଆସ୍ୱାଦନ କରେ । କବିର ଅଭିବ୍ୟକ୍ତି ସହିତ ପାଦ ମିଳାଇ ଚାଲିବାକୁ ହେଲେ, ରୂପପାୟୀ ସ୍ରଷ୍ଟା ଚକ୍ଷୁର ନିବିଡ଼ତା ବୁଡ଼ିଯିବାକୁ ହେଲେ ତାହାକୁ ବର୍ଣ୍ଣନା ସହିତ ଏକାତ୍ମ ହେବାକୁ ପଡ଼ିବ । ମାତ୍ର ସାଧାରଣ ବ୍ୟକ୍ତିର ଅନୁଭୁତିର ନିବିଡ଼ତମ ପ୍ରଦେଶରେ ହୁଏତ କବିର ମାନସିକତାର ପ୍ରତିଫଳନ ଘଟି ପାରେନାହିଁ । ଉଭୟ କ୍ଷେତ୍ରରେ ମନନ, ଚିନ୍ତନ, ଅଧ୍ୟୟନ, ବିଶ୍ଳେଷଣ ମଧ୍ୟରେ ଦୂରଗତ ପାର୍ଥକ୍ୟ ଆସିଯିବା ସ୍ୱାଭାବିକ । ତେବେ ସୃଷ୍ଟିର ଏହି ବିପୁଳ ଆୟୋଜନ ବ୍ୟର୍ଥ ହୋଇଯିବ । ସ୍ରଷ୍ଟା ତଥା ତାହାର ପାଠକ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇବ । ଏହିଭଳି ଏକ ଜଟିଳତମ ପରିସ୍ଥିତିରେ ହିଁ ଏକ ମଧ୍ୟସ୍ଥର, ଏହି ଶୂନ୍ୟତାର ପରିପୁର୍ତ୍ତି ନିମନ୍ତେ ଏକ ସେତୁର ପ୍ରୟୋଜନ ହୋଇଥାଏ, ଯେ କି ସାଧାରଣ ପାଠକର ଚେତନାର କିଛି ଉର୍ଦ୍ଧ୍ୱରେ ରହି ସାହିତ୍ୟିକ, କବି, ଚିତ୍ରକରର ଚିନ୍ତାଧାରା ସହିତ ଅନୁଭୂତିର ଜଗତ୍‌ରେ ଏକାତ୍ମ ହୋଇ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ଘଟାଇ ଦିଏ । ଏହିଠାରେ ତାହାର ଦାୟିତ୍ୱ ଶେଷ ହୋଇଯାଏ । ଏହା କିନ୍ତୁ ଏତେ ସହଜ ନୁହେଁ । ଏଥିପାଇଁ ପ୍ରୟୋଜନ ହୁଏ ସର୍ବ ପ୍ରଥମେ ସମାଲୋଚକର ‘ଅହଂକାରର’ ବିସର୍ଜନ । ଯେ ପର୍ଯ୍ୟନ୍ତ ସେ ‘ବ୍ୟକ୍ତୀୟ ସ୍ଥିତି’କୁ ବିଦାୟ ଦେଇ ନିଜର ଅନୁଭୂତିକୁ ସାର୍ବଜନୀନ ରୂପ ନ ଦେଇଛି, ସେ ପର୍ଯ୍ୟନ୍ତ ତାହାର ଦାୟିତ୍ୱ ସମାପ୍ତ ହୋଇଛି ବୋଲି କୁହାଯାଇ ନ ପାରେ ।

 

ସୃଷ୍ଟିକୁ ସାଧାରଣତଃ ସାଧନା ବୋଲି କୁହା ଯାଇଥିଲେ ମଧ୍ୟ ସମାଲୋଚନା ଏ ଦୃଷ୍ଟିରୁ ହେୟ ନୁହେଁ । ଅନୁଦାର, ସଂକୀର୍ଣ୍ଣ ଏକ ଦୃଷ୍ଟିକୋଣ ନେଇ କେହି ସୁସମାଲୋଚକ ହୋଇପାରିବ ନାହିଁ । ବ୍ୟକ୍ତିସ୍ୱାର୍ଥର ଉର୍ଦ୍ଧ୍ୱକୁ ନ ଉଠିଲେ, ଏହି କାର୍ଯ୍ୟ ସମ୍ଭବ ନୁହେଁ । ତେଣୁ ଗୋଟିଏ ଦୃଷ୍ଟିରୁ ସମାଲୋଚକକୁ ମଧ୍ୟ ସାଧକ କୁହାଯାଇପାରେ ।

 

ସମ୍ପ୍ରତି ପ୍ରୟୋଜନ ଦୃଷ୍ଟିରୁ ସମାଲୋଚନା ଏକ ପେଷାଦାରୀ ବୃତ୍ତିରେ ପରିଣତ ହୋଇଗଲାଣି । ଏହି ଧରଣର ସମାଲୋଚକମାନେ ସାଧାରଣତଃ ପତ୍ରପତ୍ରିକାର ନିୟମିତ ସ୍ତମ୍ଭରେ ସାହିତ୍ୟ, ସଂଗୀତ, କଳା, ସ୍ଥାପତ୍ୟ, ନାଟକ, ଚଳଚ୍ଚିତ୍ରାଦି-ସମ୍ପର୍କରେ ଆଲୋଚନା କରିଥାନ୍ତି । ନିରପେକ୍ଷ ସମାଲୋଚନା ଦୃଷ୍ଟିରୁ ଏସବୁ ଆଲୋଚନାର ମାନ ଯେ କିଞ୍ଚିତ୍‌ ନିମ୍ନ ଏହା ନ କହିଲେ ମଧ୍ୟ ଚଳିବ । କାରଣ ଏଗୁଡ଼ିକ ଠିକ୍‌ Criticism ନ ହୋଇ Review ହୋଇଥାଏ । ଏ ସବୁକ୍ଷେତ୍ରରେ ଉଦ୍ଦିଷ୍ଟ ସଂସ୍ଥାମାନଙ୍କର ଏକ ଗୃହୀତ ନୀତି ଥିବାରୁ ଏବଂ ସମାଲୋଚକ ସଂସ୍ଥାର ବୃତ୍ତିଭୋଗୀ ହୋଇଥିବାରୁ ସେମାନଙ୍କର ପ୍ରକୃତ ମତାମତ ପ୍ରକାଶ କରିବାର ସ୍ୱାଧୀନତା ନ ଥାଏ ।

 

ଆଉ ଏକ ଧରଣର ସମାଲୋଚକ ଅଛନ୍ତି, ଯେଉଁମାନେ କ୍ଷେତ୍ର ବିଶେଷରେ ଅଜ୍ଞାତ ସୃଷ୍ଟି ପ୍ରତି ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଉପେକ୍ଷିତ ସ୍ରଷ୍ଟା ଏହାଙ୍କର ଆନ୍ତରିକ ଉଦ୍ୟମ ବଳରେ ହିଁ ସ୍ୱୀକୃତି ଲାଭ କରିଥାଏ । ଏଠାରେ ଇଂରେଜୀ ଔପନ୍ୟାସିକ ସାମୁଏଲବଟଲର୍‌ଙ୍କ କରୁଣ କାହାଣୀକୁ ଉଦାହରଣ ସ୍ୱରୂପ ବ୍ୟବହାର କରାଯାଉଛି । ୧୮୮୦ ମସିହା ବେଳକୁ ତାଙ୍କର ଅନ୍ୟୁନ ଛ’ଖଣ୍ଡ ଉପନ୍ୟାସ ପ୍ରକାଶିତ ହୋଇସାରିଥିଲେ ହେଁ କୌଣସି ପାଠକ ସେସବୁ ପଢ଼ୁ ନଥିଲେ । ଫଳରେ ସେ ସାହିତ୍ୟ କ୍ଷେତ୍ରରେ ଅଜ୍ଞାତ ହିଁ ରହିଥିଲେ । ବନ୍ଧୁମାନେ ବଟଲରଙ୍କୁ ଯେ କୌଣସି ମତେ ସମାଲୋଚକମାନଙ୍କର ସହାନୁଭୂତି ଆକର୍ଷଣ କରିବା ନିମନ୍ତେ ଉପଦେଶ ଦେଲେ-। ମାତ୍ର ବିଟଲର୍‌ ଥିଲେ ସ୍ୱାଧୀନଚେତା । ନିଜର ଶକ୍ତି ଉପରେ ତାଙ୍କର ପ୍ରଚଣ୍ଡ ଆସ୍ଥା ରହିଥିଲା । ସମ୍ପାଦକମାନଙ୍କୁ ତୋଷାମଦ୍‌ କରି ଅନୁକୂଳ ସମାଲୋଚନାଟିଏ ପ୍ରକାଶ କରାଇବାକୁ ସେ ମନେ କରୁଥିଲେ Guinea-pig success । ଏଥିରେ ତାଙ୍କର ଆଗ୍ରହ ନଥିଲା । ତେଣୁ ୧୯୦୨ ମସିହାରେ ତାଙ୍କର ମୃତ୍ୟୁ ବେଳକୁ ସାହିତ୍ୟ କ୍ଷେତ୍ରରେ ସେ ଅଜ୍ଞାତ ହିଁ ରହିଯାଇଥିଲେ । ତାଙ୍କ ନୋଟ ବୁକ୍‌ରେ ସେ ମୃତ୍ୟୁ ପୂର୍ବରୁ ଲେଖିଥିଲେ, ‘‘I am too fond of indepndence to get on with the leader of literature and science. independence is essential to permanent but fatal to immediate success’’ ସ୍ୱାଧୀନତାକୁ ବଡ଼ବୋଲି ମନେକରି, ଆତ୍ମସମ୍ମାନକୁ ସାମୟିକ ଖ୍ୟାତିଲାଭଠାରୁ ଗୁରୁତ୍ୱ ଦେଇ ଏହି ଲେଖକ ନୀରବରେ ବିଦାୟ ନେଇଗଲେ । ସୌଭାଗ୍ୟକୁ ଏହାଙ୍କର ରଚନା ବର୍ଣ୍ଣାଡସଙ୍କ ଆଖିରେ ପଡ଼ିଲା ଠିକ ବଟଲରଙ୍କ ମୃତ୍ୟୁର ଅବ୍ୟବହିତ ପୂର୍ବରୁ । ସ’ ଏହାଙ୍କର କିଛି ରଚନା ପଢ଼ି ଏଭଳି ମୁଗ୍‌ଧ ହୋଇପଡ଼ିଲେ ଯେ, ସେ ଏହିସବୁ ରଚନାର ଉଚ୍ଛ୍ୱାସିତ ପ୍ରଶଂସା କରି ପ୍ରବନ୍ଧ ଲେଖିଲେ । ଏହାପରେ ବଟ୍‌ଲରଙ୍କ ଭାଗ୍ୟ ବଦଳିଗଲା । ତାଙ୍କର ବହି ହୁହୁ କରି ବିକ୍ରି ହେବାକୁ ଲାଗିଲା । ବଟଲର ହୋଇଗଲେ ଜଣେ ପ୍ରଖ୍ୟାତ ଔପନ୍ୟାସିକ । କେବଳ ବଟଲର ନୁହେଁ, ଅନ୍ୟ ବହୁ ପ୍ରଖ୍ୟାତ ଲେଖକଙ୍କ କ୍ଷେତ୍ରରେ ମଧ୍ୟ ଏହିଭଳି ଘଟଣାର ପୁନରାବୃତ୍ତି ହୋଇଥିବାର ଜଣାଯାଇଛି । ଏ କ୍ଷେତ୍ରରେ ଆମେ ସମାଲୋଚକକୁ ସାର୍ବଭୌମ କ୍ଷମତାର ଅଧିକାରୀ ବୋଲି ଅବଶ୍ୟ କହିପାରୁ ନାହୁଁ । ତେବେ ଏହିଭଳି ପୃଷ୍ଠପୋଷକମାନଙ୍କର ଅଭାବରେ ସାହିତ୍ୟ ସଂସାର ଯେ, ଅଭିନବତାର ଅଭାବରେ ରିକ୍ତହୋଇ ରୁହନ୍ତା, ଏଥିରେ ଅନ୍ତତଃ ସନ୍ଦେହ କରିବାର କିଛି ନାହିଁ । ଏଥିରୁ କିନ୍ତୁ ଏହା ମନେ କରିବାର କୌଣସି କାରଣ ନାହିଁ ଯେ, ସାହିତ୍ୟିକର କୌଣସି ନିଜସ୍ୱ ପ୍ରତିଭା ନାହିଁ ବୋଲି । ଏମିତି ମଧ୍ୟ ଦେଖାଯାଇଛି ଯେ, ଗୋଟିଏ ସମୟରେ ଏକାଧିକ ପ୍ରତିଭା ସାହିତ୍ୟ କ୍ଷେତ୍ରରେ ଆତ୍ମପ୍ରକାଶ କରିଛନ୍ତି । ଜଣକପାଖରେ ଅନ୍ୟମାନେ ହୁଏତ ମ୍ଳାନହୋଇ ଯାଇଛନ୍ତି କିମ୍ବା ଉପେକ୍ଷିତ ହୋଇ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ସମାଲୋଚକର ଦାୟିତ୍ୱ ବଢ଼ିଯାଏ । ତା’ପାଖରେ ସ୍ରଷ୍ଟା ମାତ୍ରେ ହିଁ ଅମୃତଭଣ୍ଡାର । ସେଥିରୁ ଅମୃତ ଆଣି ସମାଜରେ ବିତରଣ କରିବା ହେଉଛି ତାହାର ପବିତ୍ର ଦାୟିତ୍ୱ । ସେଠି ସାନବଡ଼, ଧନୀ ଦରିଦ୍ର, ଜାତି ଅଜାତି ଏ ସବୁର କୌଣସି ମୂଲ୍ୟ ନଥାଏ, ସମାଲୋଚକ ଏ ବିଷୟରେ ସଚେତନ ହେବା ଉଚିତ ।

 

ମତ୍ସରୀ ସମାଲୋଚକର ଉଦ୍ଦେଶ୍ୟପୂର୍ଣ୍ଣ ତିକ୍ତବାଣୀ ଅନେକ ସମୟରେ ସମ୍ବେଦନଶୀଳ ସ୍ରଷ୍ଟା ମନକୁ ବେଦନାର୍ଦ୍ର କରିପକାଉ ଥିବାର ଘଟଣା ଖୁବ୍‌ ବିରଳ ନୁହେଁ । ମାତ୍ର ତହିଁରେ ସ୍ରଷ୍ଟା ବିଚଳିତ ହେବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ସ୍ରଷ୍ଟାଙ୍କର ଉପକାର ହିଁ ହୋଇଥାଏ । ‘ବିଦ୍‌’ ଧାତୁରୁ ବେଦନା, ଯାହାର ଅର୍ଥ ଜ୍ଞାନ । ଶବ୍ଦଟିର ପ୍ରକୃତି ପ୍ରତ୍ୟୟ ଏହିଭଳି ବିଦ୍‌-ଅନ+ଆ, ଅର୍ଥାତ୍‌ ଯେଉଁଥିରୁ ଜ୍ଞାନ ସଂଗ୍ରହ କରାଯାଏ । ସମାଲୋଚକ ଯେଉଁ ବେଦନା ସ୍ରଷ୍ଟାଙ୍କୁ ଦିଅନ୍ତି, ତାହାହିଁ ପ୍ରଜ୍ଞାର ସମୁଜ୍ଜ୍ୱଳ ଦୃଷ୍ଟିରେ ସ୍ରଷ୍ଟା ଚିତ୍ତର ସକଳ ମାଳିନ୍ୟ ଦୂର କରିଦିଏ । ସାମୁଏଲ ଜନସନ୍‌ଙ୍କ ମତରେ Every Man has a right to say what he thinks truth and every other man has a right to knock him down for it-’’ ସ୍ରଷ୍ଟା ଏହି ଦୃଷ୍ଟିକୋଣରୁ ସକଳ ସମ୍ମାନକୁ ବିଷଜ୍ଞାନ କରି, ଅପମାନକୁ ଅମୃତ ଜ୍ଞାନରେ ଗ୍ରହଣ କରିବାର ଶକ୍ତିହାସଲ କରି ପାରିଲେ ହିଁ ସ୍ୱୟଂ ଚିରନ୍ତନ ହୋଇଯିବେ । ସମାଲୋଚକ ଅନ୍ତତଃ ପ୍ରକାରାନ୍ତରେ ତାଙ୍କଠାରେ ଏହି ଶକ୍ତିର ସଂଚାର କରାଇ ଦେଉଥିବାରୁ ତାଙ୍କର ଉପକାର ହିଁ କରନ୍ତି ବୋଲି କହିବାକୁ ପଡ଼ୁଛି ।

 

ଏହାର ବିପରୀତ ଦୃଷ୍ଟାନ୍ତର ମଧ୍ୟ ସଂସାରରେ ଅଭାବ ନାହିଁ । ମନ୍ଦକବି ଯଶପ୍ରାର୍ଥୀ । ସ୍ରଷ୍ଟା ଅନେକ ସମୟରେ କୌଣସି ଉପାୟରେ ସମାଲୋଚକମାନଙ୍କୁ ପ୍ରଭାବିତ କରି ନିଜର ପ୍ରାପ୍ୟଠାରୁ ଅଧିକ ତତ୍କାଳୀନ ଲାଭ ହାସଲ କରି ନିଅନ୍ତି ଏବଂ ଏହାକୁ ନିଜର ପାରିବାର ପଣ ବୋଲି ମନେକରି ଆତ୍ମପ୍ରସାଦ ଅନୁଭବ କରନ୍ତି । ମାତ୍ର ମନେ ରଖିବାକୁ ହେବ ଯେ, ମହାକାଳର ଆଇନ୍‌ରେ କୌଣସି ଫାଙ୍କି ଚଳେ ନାହିଁ । ଅବୁଝା ସବୁଜକୁ ସେ ଅନୁକମ୍ପାର ଦୃଷ୍ଟିରେ ଦେଖେ ସତ୍ୟ, ମାତ୍ର ପରିଣତ ପାଇଁ ହିଁ ସମ୍ମାନର ସିଂହଦ୍ୱାର ଉନ୍ମୁକ୍ତ କରିଦିଏ । ଏ ପ୍ରସଙ୍ଗରେ ରବୀନ୍ଦ୍ରନାଥଙ୍କର ଗୋଟିଏ ଉକ୍ତି ଏଠାରେ ଉଦ୍ଧାର କରାଯାଉଛି । ସେ ଲେଖିଛନ୍ତି, ‘‘ସଂସାରରେ ଅନେକ ଜିନିଷ ପାଙ୍କିଦେଇପାରି ମଧ୍ୟ ତାହା ରକ୍ଷା କରାଯାଇ ପାରେ । ଅନେକେ ପରକୁ ଫାଙ୍କିଦେଇ ଧନୀ ହେଇଛନ୍ତି, ଏଭଳି ଦୃଷ୍ଟାନ୍ତ ରହିଛି । ଯଶରେ ସେ ସୁବିଧା ନାହିଁ । ସେ କ୍ଷେତ୍ରରେ ତମାଦିର ଆଇନ୍ ଖଟେ ନାହିଁ । ଫାଙ୍କି ଧରାପଡ଼ିଲେ ତାହା ବାଜ୍ୟାପ୍ତି ହେବ, ମହାକାଳର ଏଇ ବିଧ୍ୱ-। ତେଣୁ ଜୀବିତ ଅବସ୍ଥାରେ କବି ଯେଉଁ ସମ୍ମାନ ଲାଭ କଲା, ସେ ସମ୍ବନ୍ଧରେ ନିଶ୍ଚିତ ହେବାର ଉପାୟ ନାହିଁ ।’’ ତେଣୁ ଯେଉଁ ସ୍ରଷ୍ଟା ଏହି ଉପାୟରେ ସମ୍ମାନ ସଂଗ୍ରହ କରନ୍ତି, ସମାଲୋଚକର ମନ୍ତବ୍ୟକୁ ସାରସ୍ୱତ ସତ୍ୟର ମର୍ଯ୍ୟାଦା ଦେଇ ନିଶ୍ଚିତ ରୁହନ୍ତି, ସମୟ ଆସିଲେ ସେମାନେ ଯେ ଠକିଯାଆନ୍ତି, ଏଥିରେ ସନ୍ଦେହ ନାହିଁ । ସମାଲୋଚକର ବିଦ୍‌ବତ୍ତା, ସ୍ୱମତ ପ୍ରତିଷ୍ଠାର ବିଦଗ୍‌ଧଶୈଳୀ, ପାଣ୍ଡିତ୍ୟ କିଛି ହିଁ ତାଙ୍କୁ ଏଥିରୁ ରକ୍ଷା କରିପାରେ ନାହିଁ ।

 

ସାମାଜିକ ପ୍ରତିରୋଧର ସମ୍ମୁଖୀନ ହୋଇ ଅନେକ ସମୟରେ ସମାଲୋଚକକୁ ମଧ୍ୟ ଶିଳ୍ପୀ ଭଳି ଯନ୍ତ୍ରଣାର ଶରଶଯ୍ୟାରେ ଅଭିଶପ୍ତର ଜୀବନ କଟାଇବାକୁ ପଡ଼େ । ଯନ୍ତ୍ରଣା ସହ୍ୟ କରି କରି ଅବଶ୍ୟ ଏହାର ତୀବ୍ରତା ସେ ଆଉ ଅନୁଭବ କରିପାରେ ନାହିଁ । ଏହାପରେ ସେ ସକଳ ଯନ୍ତ୍ରଣାର ଊର୍ଦ୍ଧ୍ୱକୁ ଉଠି, ଆନନ୍ଦଲୋକରେ ପହଞ୍ଚିଯାଏ । ଅନୁଭୂତିର ଜଗତରେ ମଧ୍ୟ ଗୋଟିଏ ସ୍ତରଥାଏ, ଯେଉଁଠି ପହଞ୍ଚିଲେ, ଚରମ ଯନ୍ତ୍ରଣା ଏବଂ ଚରମ ଆନନ୍ଦ ଗୋଟିଏ ରୂପ ପରିଗ୍ରହ କରେ-। ଯନ୍ତ୍ରଣାରୁ ଯନ୍ତ୍ରଣାର ଉର୍ଦ୍ଧ୍ୱକୁ ଉଠିବାର ଏହି ଯେ ପ୍ରକ୍ରିୟା, ଏହା କିନ୍ତୁ ସମୟ ସାପେକ୍ଷ । ଯାହାହେଉ, ଥରେ ସେଇ ଦିବ୍ୟଲୋକରେ ପହଞ୍ଚିଗଲେ, ବ୍ୟକ୍ତି ‘ବ୍ରହ୍ମାନନ୍ଦ ସହୋଦର’ ଲାଭକରେ-। ସେଠାରେ ବ୍ୟକ୍ତି ସମ୍ପର୍କର କୌଣସି ମୂଲ୍ୟ ରୁହେନାହିଁ ଏବଂ ସମାଲୋଚକ ଅଖଣ୍ଡ ସ୍ୱାଧୀନତା ଉପଭୋଗ କରେ । ଏଥିପାଇଁ କିନ୍ତୁ ତାଙ୍କୁ ସଂଯତ ଚିତ୍ତରେ ସାଧନା କରିବାକୁ ପଡ଼ିବ । ଧୈର୍ଯ୍ୟଧରି ଅପେକ୍ଷା କରିବାକୁ ପଡ଼ିବ ଏବଂ ପରିଣାମରେ ହିଁ ସେ ସିଦ୍ଧିର ଅଧିକାରୀ ହୋଇପାରିବ । ମନେ ରଖିବାକୁ ହେବ ଯେ, ବ୍ୟକ୍ତିଗତ ଜୀବନରେ ସମାଲୋଚକ ଜଣେ ସାଧାରଣ ସଂସାରୀ ହୋଇଥିଲେ ମଧ୍ୟ କେବଳମାତ୍ର ତାହାର ସାମାଜିକ ଦାୟିତ୍ୱ ହେତୁରୁ ତାହାକୁ ନିରାସକ୍ତ ସଂଯତ ଜୀବନଯାପନ କରିବାକୁ ପଡ଼ିବ ଏବଂ ସକଳ ପ୍ରଲୋଭନଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ । ଅନଳସ ପରିଶ୍ରମ, ବୈଜ୍ଞାନିକ ଆନୁପାତିକତା ଏବଂ ସମ୍ବେଦନଶୀଳ ଦୃଷ୍ଟିଭଙ୍ଗୀ ହିଁ ତାହାକୁ ନିନ୍ଦା ପ୍ରଶଂସା ସମ୍ପର୍କରେ ନିର୍ଲିପ୍ତ ରହିବାର ଶକ୍ତି ଯୋଗାଇ ଦେବ ।

 

ସମାଲୋଚକର ଦାୟିତ୍ୱ ଅତ୍ୟନ୍ତ ପବିତ୍ର । ସେ କେବଳ ଦେଇଯାଏ, ଅନ୍ୟ କାହାଠାରୁ ତାହାର ବିଶେଷ କୌଣସି ପ୍ରାପ୍ତିର ଆଶା ନଥାଏ । ତେଣୁ ଏ ଜୀବନ ଆପଣାର କରିନେବା ପୂର୍ବରୁ ଏ ବିଷୟରେ ସତର୍କ ଚିନ୍ତାର ଆବଶ୍ୟକତା ରହିଛି । ନିରପେକ୍ଷ ସମାଲୋଚକ ସମାଜର ଉଦାରତା ଏବଂ ସହନଶୀଳତା ଆଶା କରିବା ସ୍ୱାଭାବିକ । ମନେ ରଖିବାକୁ ହେବ ଯେ, ସମାଲୋଚକ ମଧ୍ୟ ରକ୍ତ ମାଂସଧାରୀ ଜଣେ ସାଧାରଣ ମଣିଷ । ଦୋଷ ତ୍ରୁଟି ତାହାଠାରେ ମଧ୍ୟ ସମ୍ଭବପର । ଏହି କାରଣରୁ ସଂସାରରେ ସମ୍ପୂର୍ଣ୍ଣ ନିର୍ଭୁଲ ମଣିଷ କୌଣସିଠାରେ ନ ଥାନ୍ତି । ସମାଲୋଚକ ଯାହା କହିଲା, ତାକୁ ତେଣୁ ସମ୍ପୂର୍ଣ୍ଣ ଅଭ୍ରାନ୍ତ ବୋଲି ଗ୍ରହଣ କରିନେବା ଉଚିତ, ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ । କାରଣ ସଂସାରରେ ସର୍ବଶେଷ ବୋଲି କୌଣସି କଥା ନାହିଁ, ଯାହା ଶେଷ, ତାହା ଶେଷର ଆରମ୍ଭ ମାତ୍ର ।

 

 

ହୀରାମଣି ନିବାସ

ଦେଉଳସାହି

କଟକ-୮

***

 

ତେଲୁଗୁ-ସାହିତ୍ୟର ଆଭିମୁଖ୍ୟ-ଏକ ବିହଙ୍ଗ ଦୃଷ୍ଟିପାତ୍‌

ଡଃ ଡି. ଆଞ୍ଜାନେୟୁଲୁ

 

କେବଳ ସଂଖ୍ୟାଗତ ଦୃଷ୍ଟିରୁ ତେଲୁଗୁ ଭାରତୀୟ ଭାଷାମାନଙ୍କ ମଧ୍ୟରେ ଦ୍ୱିତୀୟସ୍ଥାନ ଅଧିକାର କରିଅଛି । କେବଳ ହିନ୍ଦୀଭାଷା ତଳକୁ ଏହାର ସ୍ଥାନ । ଏହି ଭାଷାଭାଷୀ ଲୋକଙ୍କ ସଂଖ୍ୟା ପ୍ରାୟ ଛଅକୋଟି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି, ଦାକ୍ଷିଣାତ୍ୟ ମାଳଭୂମିର ବାସିନ୍ଦା । ଏହି ଦାକ୍ଷିଣାତ୍ୟ ମାଳଭୂମି ସୁଦୂର ଅତୀତରୁ ବିଭିନ୍ନ ଜାତି, ଧର୍ମ, ଭାଷା ଓ ସଂସ୍କୃତିର ମିଳନ କେନ୍ଦ୍ରରୂପେ ଏକ କ୍ଷୁଦ୍ରାକାର ଭାରତ ବର୍ଷ ପରି ପ୍ରତୀତ ହୋଇ ଆସିଛି । ତେଲୁଗୁ ଭାଷା ‘ତେନୁଗୁ’, ‘ତେଲୁଙ୍ଗୁ’ ଏବଂ ‘ଆନ୍ଧ୍ର’ ଭାଷା ନାମରେ ମଧ୍ୟ ଅଭିହିତ ହୋଇଥାଏ । ଦ୍ରାବିଡ଼, ଆର୍ଯ୍ୟ ଓ ପ୍ରାକୃତ ଭାଷା ମଧ୍ୟରୁ ତେଲୁଗୁ ଭାଷା କେଉଁ ବର୍ଗର ବୋଲି ଯଦି ବିଚାର କରାଯାଏ, ତାହେଲେ ଜଣାଯିବ ଯେ, ଏ ତିନି ଭାଷାର ପ୍ରଭାବ ବିଭିନ୍ନ ରୂପରେ ତେଲୁଗୁ ଭାଷାରେ ରହିଛି । ଏଣୁ ଏହା ଏକ ମିଶ୍ରିତ ଭାଷାବୋଲି କୁହାଯାଇପାରେ । ଇଂରାଜୀ ଭାଷାପରି ଏହା ବିଭିନ୍ନ ଭାଷାରୁ ଉପାଦେୟତା ଆହରଣ କରି ନିଜକୁ ପରିପୁଷ୍ଟ କରିଛି ।

 

ବିଶପ୍‌ ରବର୍ଟ୍‌ କାଲ୍‌ଡ୍ୱେଲ୍ 'Comparative grammar of the Indian Languages' ରଚନା କରିବା ପରଠାରୁ ପ୍ରଭାବଶାଳୀ ଭାଷାବିଦ୍‌ବୃନ୍ଦ ‘ତେଲୁଗୁ’କୁ ଦ୍ରାବିଡ଼ଭାଷା ବର୍ଗଭୁକ୍ତ ଏକ ଭାରତୀୟ ଭାଷାରୂପେ ଗ୍ରହଣ କରିଆସିଛନ୍ତି ।

 

ଏ ସଂପର୍କରେ ଅନ୍ୟ ଏକ ମତ ମଧ୍ୟ ରହିଛି । ଏହାର ପ୍ରବକ୍ତା ହେଉଛନ୍ତି, ସ୍ୱର୍ଗତ ଡଃ. ସି. ନାରାୟଣା ରାଓ । ତାଙ୍କ ମତରେ ‘ଆନ୍ଧ୍ର’ ହେଉଛି, ‘ପ୍ରାକୃତ ପୈଶାଚୀ’ ବର୍ଗଭୁକ୍ତ ଏକ ଭାଷା ଏବଂ ଏହି ଭାଷାରେ ‘ଗୁଣାଢ଼୍ୟ’ ତାଙ୍କର ‘ବୃହତ୍‌କଥା’ ଏବଂ ଆନ୍ଧ୍ରର ସାତବାହାନ ବଂଶଜ ରାଜା ‘ହାନ୍ଦ’ ତାଙ୍କର ‘ଗାଥା ସପ୍ତସତୀ’ ରଚନା କରିଥିଲେ । ବର୍ତ୍ତମାନ ଏହି ଭାଷାର ଉତ୍ପତ୍ତି ସଂପର୍କରେ ପ୍ରତିଷ୍ଠିତ ମତାନୁଯାୟୀ ଏହା ଦ୍ରାବିଡ଼ ଭାଷାର ମୂଳଦୁଆ ଉପରେ ପ୍ରତିଷ୍ଠିତ ହେଲେ ମଧ୍ୟ ଏହାର ବାହ୍ୟ ସୌଧରେ ସଂସ୍କୃତ ଭାଷାର ପ୍ରାଧାନ୍ୟ ଏବଂ ଅଙ୍ଗୀକତାରେ ପ୍ରାକୃତ ଭାଷାର ଉପାଦାନ ନିହିତ ରହିଛି ବୋଲି କୁହାଯାଇପାରେ । ଏହି କାରଣରୁ ଏ ଭାଷା ପ୍ରଗତିଶୀଳ, ନୂତନ ଶକ୍ତି ପ୍ରତି ସୁଗ୍ରାହୀ, ନୂତନ ପ୍ରଭାବ ପ୍ରତି ସଂବେଦନଶୀଳ ଏବଂ ଯେତେବେଳେ ଯେଉଁ ସୂତ୍ରରୁ ବ୍ୟବହାର୍ଯ୍ୟ ଉପାଦାନ ମିଳିଛି, ତାହାକୁ ସାଦରେ ଗ୍ରହଣ କରିଆସିଛି ।

 

ପ୍ରାଚୀନ ତେଲୁଗୁ-ସାହିତ୍ୟ !

ଲୋକଗୀତ ଓ ପତ୍ନ ଶିଳାଲେଖକୁ ବାଦ୍‌ଦେଲେ, ‘ତେଲୁଗୁ’ ପ୍ରାୟ ଏକହଜାର ବର୍ଷ ପୂର୍ବରୁ ଏକ ସ୍ୱତନ୍ତ୍ର ଭାଷା ଭାବରେ ବିକାଶ ଲାଭ କରିଥିବା ଜଣାଯାଏ । ବାଲ୍ମୀକିଙ୍କୁ ଯେପରି ସଂସ୍କୃତ ଭାଷାର ଆଦିକବି ବୋଲି କୁହାଯାଏ । ନାରାୟଣା ଭଟ୍ଟୁଙ୍କୁ ସେହିପରି କୁହାଯାଏ, ତେଲୁଗୁ ଭାଷାର ଆଦିକବି । ସେ ରାଜମହେନ୍ଦ୍ରୀର ପୂର୍ବ ଚାଲୁକ୍ୟ ବଂଶୋଦ୍ଭବ ରାଜା ରାଜନରେନ୍ଦ୍ର (୧୦୨୨-୧୦୬୩)ଙ୍କର ସଭା ମଣ୍ଡନ କରିଥିଲେ ଏବଂ କନ୍ନଡ଼ କବି ନାରାୟଣ ଭଟ୍ଟ ହେଉଛନ୍ତି, ତାଙ୍କର ସମସାମୟିକ । ସେ ହେଉଛନ୍ତି, ତେଲୁଗୁ ମହାଭାରତର ରଚୟିତା ଏବଂ ତାଙ୍କର ଏହି ମହାଭାରତ ସଂସ୍କୃତ ମହାଭାରତ ଉପରେ ଆଧାରିତ ଏକ ନିଜସ୍ୱ ସ୍ୱତନ୍ତ୍ର ସୃଷ୍ଟି । ଏହି ମହାଭାରତର ଅଠରଟି ପର୍ବ ମଧ୍ୟରୁ ସେ କେବଳ ପ୍ରଥମ ଦୁଇଟି ବା ତିନୋଟି ପର୍ବ ସଂପୂର୍ଣ୍ଣ କରିଥିଲେ । ଅନ୍ୟପର୍ବଗୁଡ଼ିକ ପରବର୍ତ୍ତୀ ତିନି ଶତକ ମଧ୍ୟରେ ଟିକ୍‌କାନା ଏବଂ ଏରା ପ୍ରାଗଡ଼ାଙ୍କ ଦ୍ୱାରା ରଚିତ ହୋଇଥିଲା । ନରାୟଣା, ଟିକ୍‌କାନା ଏବଂ ଏରାନା ପ୍ରାଚୀନ ତେଲୁଗୁ ସାହିତ୍ୟର ‘କବିତ୍ରୟମ୍‌’ ଭାବରେ ବିଦିତ ।

 

ରାମାୟଣର ଅନୁବାଦ :

ଅନ୍ୟତମ ବିଶିଷ୍ଟ ଭାରତୀୟ ମହାପୁରାଣ ରାମାୟଣ ମଧ୍ୟ ପ୍ରାଚୀନ ତେଲୁଗୁ କବିମାନଙ୍କ ଦ୍ୱାରା ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀରେ ତେଲୁଗୁ ଭାଷାରେ ଅନୁଦିତ ହୋଇଥିଲା । ଏହି ସମୟରେ ‘ରଙ୍ଗନାଥ ରାମାୟଣ’, ‘ଭାସ୍କର ରାମାୟଣ’, ‘ମୋଲ୍ଲା ରାମାୟଣ’ ଓ ‘ଉତ୍ତର ରାମାୟଣ’ ପ୍ରଭୃତି ରାମାୟଣର ବିଭିନ୍ନ ଭାଷାନ୍ତର ତେଲୁଗୁ ଭାଷାରେ ପ୍ରକାଶିତ ହୋଇଥିଲା । ଏସବୁ ଅନୁବାଦ ସଂପୂର୍ଣ୍ଣ ଏବଂ ସବୁଗୁଡ଼ିକ ଅତ୍ୟନ୍ତ ନିଷ୍ଠାର ସହିତ ସଂପନ୍ନ କରାଯାଇଛି । ରାମାୟଣର ଏହି ଭାଷାନ୍ତରଗୁଡ଼ିକ ପ୍ରତ୍ୟେକେ ନିଜ ନିଜର ବୈଶିଷ୍ଟ୍ୟ ପାଇଁ ଲୋକମାନଙ୍କର ଆଦରଲାଭ କରି ଆସୁଥିଲେ ମଧ୍ୟ ଏଗୁଡ଼ିକ ମଧ୍ୟରୁ କୌଣସିଟି ହେଲେ ‘କବିତ୍ରୟମ’ଙ୍କ ପ୍ରଣୀତ ‘ମହାଭାରତମ୍’ ତୁଲ୍ୟ ମର୍ଯ୍ୟାଦା ଲାଭ କରିପାରି ନାହିଁ । ଅବଶ୍ୟ ବୋମ୍ମେରା ପୋଟାନାଙ୍କ ରଚିତ ‘ଆନ୍ଧ୍ର ଭାଗବତମ୍’ ଏହାର ସାଙ୍ଗିତିକ ମୂଲ୍ୟ ଓ ଉତ୍କୃଷ୍ଟ ଭକ୍ତିରସ ପାଇଁ ଲୋକମାନଙ୍କ ହୃଦୟରେ ଉଚ୍ଚ ଆସନ ଅଧିକାର କରିଛି । କିନ୍ତୁ ମହାଭାରତ ହେଉଛି, ତେଲୁଗୁ ସାହିତ୍ୟର ଏକ ଚିରନ୍ତନ ସୃଷ୍ଟି ।

 

ସଂସ୍କୃତ ମହାକବିମାନଙ୍କ ରଚନାର ଅବଲମ୍ବନ ଓ ଅନୁବାଦ ବ୍ୟତୀତ ପ୍ରାଚୀନ ତେଲୁଗୁ ସାହିତ୍ୟର ଏକ ଶ୍ରେଣୀର ନିଜସ୍ୱ ରଚନା ରହିଛି, ଯାହାକୁ ‘ପ୍ରବନ୍ଧ’ ବୋଲି କୁହାଯାଏ । ଏହି ପର୍ଯ୍ୟାୟର ରଚନା ‘ବିଜୟ ନଗର’ ଶାସନ କାଳରୁ ପ୍ରଚଳିତ ହୋଇ ଆସୁଛି । ନାୟକ ନାୟିକାଙ୍କର ଜୀବନ ଓ ପରସ୍ପର ପ୍ରେମ ବିଷୟକ ଆଂଶିକ ବା ସଂପୂର୍ଣ୍ଣ କାଳ୍ପନିକ । ଏହି ଶ୍ରେଣୀର ରଚନାଗୁଡ଼ିକର ବୈଶିଷ୍ଟ୍ୟ ହେଲା, ବର୍ଣ୍ଣନାଶୈଳୀର ଉତ୍କର୍ଷ, କଳ୍ପନା ପ୍ରାଚୁର୍ଯ୍ୟ ଓ ବିଭିନ୍ନ ଛନ୍ଦର ପ୍ରୟୋଗ । ଏହି ପର୍ଯ୍ୟାୟର ରଚନାଗୁଡ଼ିକ ମଧ୍ୟରେ ଆଲ୍ଲାସାନି ପେଦାନାଙ୍କର ‘ମନୁ ଚରିତ୍ର’ ଏବଂ ପିଙ୍ଗଳି ସୁରାନାଙ୍କର ‘କଳାପୂର୍ଣ୍ଣୋଦୟମ୍’ ହେଉଛି, ଦୁଇଟି ଉଲ୍ଲେଖଯୋଗ୍ୟ ରଚନା ।

 

ସଂସ୍କୃତ ସାହିତ୍ୟର ‘ପଞ୍ଚକାବ୍ୟ’ ସଦୃଶ ତେଲୁଗୁ-ସାହିତ୍ୟରେ ମଧ୍ୟ ‘ପଞ୍ଚକାବ୍ୟମ୍’ ବା ପାଞ୍ଚଗୋଟି ଶ୍ରେଷ୍ଠକାବ୍ୟ ନିର୍ଣ୍ଣୟ କରାଯାଇଛି । ସେଗୁଡ଼ିକ ହେଲା, ପେଦାନାଙ୍କ ‘ମନୁ ଚରିତ୍ର’, କୃଷ୍ଣଦେବ ରାୟଙ୍କ ‘ଆମୁକ୍ତା ମାଲ୍ୟଦା’, ରାମରାଜ ଭୂଷଣଙ୍କ ‘ବସୁ ଚରିତ୍ର’, ଶ୍ରୀନାଥଙ୍କ ‘ଶୃଙ୍ଗାର ନୈଷଧମ୍’ ଏବଂ ଚେମାକୁର ଭେଙ୍କଟ କବିଙ୍କର ‘ବିଜୟ ବିଳାସମ୍’ । କବିମାନଙ୍କ ମଧ୍ୟରେ ରାଜା ଏବଂ ରାଜାମାନଙ୍କ ମଧ୍ୟରେ କବି ଭାବରେ ପ୍ରସିଦ୍ଧି ରାଜା କୃଷ୍ଣଦେବ ରାୟଙ୍କ ସମୟରେ ତେଲୁଗୁ ସାହିତ୍ୟର ଅତୁଳନୀୟ ବିକାଶ ଘଟିଥିଲା । ସେ ପେଦାନାଙ୍କ ଯୁଗର ‘ଅଷ୍ଟଦିଗ୍‌ଗଜ’ଙ୍କ ସମେତ ସବୁ କବି ପଣ୍ଡିତଙ୍କର ପୃଷ୍ଠପୋଷକ ଥିଲେ ।

 

ମାର୍ଗୀ ଓ ଦେଶୀ ପରଂପରା :

ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ତାଞ୍ଜାଭୂର, ମୁଦୁରାଇ ଏବଂ ପୁଡ଼ୁକ୍‌କୋଟ୍ଟାଇ ତଥା ମହୀଶୂରରେ ରାଜତ୍ୱ କରୁଥିବା ନାୟକ ରାଜାମାନଙ୍କର ପୃଷ୍ଠପୋଷକତାରେ ସମଗ୍ର ତେଲୁଗୁ-ସାହିତ୍ୟ ଏବଂ ବିଶେଷକରି ତେଲୁଗୁ-କାବ୍ୟ-ସାହିତ୍ୟର ପ୍ରଭୂତ ବିକାଶ ଘଟିଥିଲା । ଏହି ସମୟର ଏ ସମସ୍ତ ସାହିତ୍ୟ ସୃଷ୍ଟି ତେଲୁଗୁ-ସାହିତ୍ୟର ଦକ୍ଷିଣଶାଖା ଭାବରେ ବିଦିତ ହୋଇଥାଏ । ଦ୍ୱିପଦ କାବ୍ୟ, ଯକ୍ଷଗାନ ତଥା ଉକ୍ତି ଓ ଶୃଙ୍ଗାର ରସାପ୍ଲୁତ ବିଭିନ୍ନ ରଚନା ଏହି ସମୟର ସୃଷ୍ଟି । ମଧୁରବାଣୀ, ରଙ୍ଗାଜାମ୍ମା ଏବଂ ମାଡ଼ୁ ପାଲାନି ପ୍ରଭୃତି ବିଶିଷ୍ଟ ନାରୀକବିମାନଙ୍କର ମଧ୍ୟ ଏହା ହେଉଛି, ଅଭ୍ୟୁଦୟର ସମୟ । କ୍ଷେତ୍ରଜ୍ଞ ଓ ତ୍ୟାଗରାଜ ପ୍ରଭୃତି ସଙ୍ଗୀତଜ୍ଞମାନଙ୍କର ମଧ୍ୟ ଏହି ସମୟରେ ଆବିର୍ଭାବ ଘଟିଥିଲା ।

 

ସଂସ୍କୃତ ସାହିତ୍ୟର ପ୍ରାଧାନ୍ୟ ସ୍ୱୀକାର କରୁଥିବା ‘ମାର୍ଗ’ ସାହିତ୍ୟ ପରମ୍ପରା, ସେ କାଳର ଶିକ୍ଷିତ ସଂପ୍ରଦାୟର ପୃଷ୍ଠପୋଷକତା ଲାଭ କରିଥିବାବେଳେ ପାଲ୍‌କୁରକି ସୋମନାଥଙ୍କ ପରି ଶୈବ କବି ସନ୍ଥ ତଥା ଗାୟକବୃନ୍ଦ ‘ଦେଶୀ’ ପରମ୍ପରାର ଲୋକଗୀତ ଶୈଳୀରେ ସେମାନଙ୍କର ସାହିତ୍ୟ ରଚନାକରି ସାଧାରଣ ପାଠକଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିଥିଲେ । କନ୍ନଡ଼-ସାହିତ୍ୟର ସର୍ବଜ୍ଞ ଏବଂ ତାମିଲ୍ ସାହିତ୍ୟର ଭଲ୍ଲୁଭରଙ୍କ ପରି ସନ୍ଥ ଲୋକକବି ବେମାନା ବ୍ୟଙ୍ଗ ଓ ପରିହାସ ଶୈଳୀକୁ ତାଙ୍କ ବାର୍ତ୍ତା ପ୍ରଚାରର ମାଧ୍ୟମ ରୂପେ ଗ୍ରହଣ କରିଥିଲେ । ତାଙ୍କ ପ୍ରଚାରିତ ବାର୍ତ୍ତାର ସାରମର୍ମ ହେଲା ଯେ, ସବୁ ମଣିଷ ସମାନ ଏବଂ ଜାତି ଓ ସଂପ୍ରଦାୟରୂପୀ କୃତ୍ରିମ ପ୍ରତିବନ୍ଧକର କୌଣସି ଆବଶ୍ୟକତା ନାହିଁ ।

 

ଅତ୍ୟନ୍ତ କୌତୂହଳର ବିଷୟ ଯେ, ଚାର୍ଲସ୍ ଫିଲିପ୍‌ବ୍ରାଉନ୍ (୧୭୯୮-୧୮୮୪) ନାମକ ମାଡ୍ରାସ୍ ବେସାମରିକ ପ୍ରଶାସନ ବିଭାଗର ଜଣେ ଇଂରେଜ କର୍ମଚାରୀ ଅବହେଳିତ ଓ ଇତସ୍ତତଃ ହୋଇ ରହିଥିବା ବେସାନଙ୍କ ରଚିତ ଦୁଇହଜାରଟି ପଦାବଳୀର ଏକ ପ୍ରାମାଣିକ ସଂକଳନ ସର୍ବ ପ୍ରଥମେ ପ୍ରକାଶ କରିଥିଲେ । ଏଗୁଡ଼ିକ ମଧ୍ୟରୁ କେତେଙ୍କର ଇଂରାଜୀ ଅନୁବାଦ ମଧ୍ୟ ଏହି ସଂକଳନରେ ପ୍ରକାଶିତ ହୋଇଥିଲା । ପ୍ରାଚୀନ ତେଲୁଗୁ-ସାହିତ୍ୟ ପ୍ରତି ଲୋକମାନଙ୍କର ଦୃଷ୍ଟି ଫେରାଇ ଆଣିବା ଏବଂ ତେଲୁଗୁ ଭାଷା ଓ ସାହିତ୍ୟର ବିକାଶ ପାଇଁ ପଥ ପରିଷ୍କାର କରିବା କ୍ଷେତ୍ରରେ ମଧ୍ୟ ଏହି ଇଂରେଜ ନାଗରିକଙ୍କର ଯଥେଷ୍ଟ ଅବଦାନ ରହିଛି । ସ୍ଥାନୀୟ ପଣ୍ଡିତମାନଙ୍କ ସହାୟତାରେ ବହୁ ପ୍ରାଚୀନ ରଚନାବଳୀର ପ୍ରଥମ ମୁଦ୍ରଣ ସେ ପ୍ରକାଶିତ କରାଇଥିଲେ ଏବଂ ‘ଇଂରାଜୀରୁ ତେଲୁଗୁ’, ‘ତେଲୁଗୁରୁ ଇଂରାଜୀ’ ଓ ‘ସମ୍ମିଶ୍ରିତ କଥିତ ଭାଷା’ ଏପରି ତିନିଗୋଟି ଶବ୍ଦକୋଷ ପ୍ରକାଶ କରିଥିଲେ । ଏହି ତିନିଗୋଟି ଯୁଗାନ୍ତକାରୀ ଶବ୍ଦକୋଷରେ କଥିତ ଭାଷା ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରାଯାଇଥିଲା ଏବଂ ଏଗୁଡ଼ିକ ଏ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇ ରହିଛି । ଏ କ୍ଷେତ୍ରରେ ତାଙ୍କର ପ୍ରାଥମିକ ଉଦ୍ୟମ ସମୟର ଅଭିଜ୍ଞତା ବର୍ଣ୍ଣନା କରି ଚାର୍ଲସ୍ ଫିଲିପ୍ ବ୍ରାଉନ୍ ଲେଖିଛନ୍ତି- ‘‘ମୁଁ ଏସବୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତେଲୁଗୁ-ସାହିତ୍ୟ ମୁମୂର୍ଷୁ ଅବସ୍ଥାରେ ରହିଥିଲା ଏବଂ ଏହାର ଜୀବନ ପ୍ରଦୀପ ମିଞ୍ଜି ମିଞ୍ଜି ହୋଇ ଲିଭି ଆସୁଥିଲା ।’’ ତାଙ୍କର ଉଦ୍ୟମ ଫଳରେ ଏହି ପ୍ରଦୀପର ଶିଖା କ୍ରମଶଃ ଦୀପ୍ତିମାନ ହୋଇଥିବା ଲକ୍ଷ୍ୟକରି ସେ ସନ୍ତୋଷ ଲାଭ କରିଥିଲେ ।

 

ଆଧୁନିକ ତେଲୁଗୁ-ସାହିତ୍ୟର ଆଦିପର୍ବ :

ଊନବିଂଶ ଶତକର ଉତ୍ତର ଭାଗରେ ସମଗ୍ର ଦେଶରେ ସାମାଜିକ ଓ ରାଜନୀତିକ ଆନ୍ଦୋଳନ ମାଧ୍ୟମରେ ଭାରତୀୟ ସଂସ୍କୃତିର ପୁନର୍ଭ୍ୟୁଦୟର ସମୟ ହିଁ ଆଧୁନିକ ତେଲୁଗୁ ସାହିତ୍ୟର ଉନ୍ମେଷ କାଳ । ନିର୍ଭୀକ ସମାଜ ସଂସ୍କାରକ ଏବଂ ନାରୀଶିକ୍ଷା ଓ ବିଧବା ବିବାହ ଆନ୍ଦୋଳନର ନେତା କନ୍ଦୁରୀ ବୀରେଶଲିଙ୍ଗମ୍ ପାନ୍ତୁଲୁ (୧୮୪୮-୧୯୧୯) ହେଉଛନ୍ତି, ଆଧୁନିକ ତେଲୁଗୁ-ସାହିତ୍ୟରେ ବିଭିନ୍ନ ଧାରାର ପ୍ରବର୍ତ୍ତକ । ତେଲୁଗୁ-ସାହିତ୍ୟର ପ୍ରଥମ ସାର୍ଥକ ଉପନ୍ୟାସ ‘ରାଜଶେଖର ରଚିତ’ ତାଙ୍କରି ଲେଖନୀ ନିସୃତ ଏବଂ ଏହି ସାହିତ୍ୟର ପ୍ରଥମ ଜୀବନୀ, ପ୍ରଥମ ଆତ୍ମଜୀବନୀ, ପ୍ରଥମ ସାମାଜିକ ବ୍ୟଙ୍ଗ ରଚନା ଓ ପ୍ରଥମ ପ୍ରହସନର ରଚୟିତା ଭାବରେ ସେ ଗୌରବାନ୍ୱିତ । ଏସବୁ ବ୍ୟତୀତ ତାଙ୍କର ଅନ୍ୟାନ୍ୟ ରଚନା ମଧ୍ୟ ରହିଛି । ସମୟକ୍ରମେ ଏ ସମସ୍ତ କ୍ଷେତ୍ରରେ ଅନ୍ୟମାନେ ହୁଏତ ତାଙ୍କୁ ଟପି ଯାଇଛନ୍ତି, କିନ୍ତୁ ସେ ହେଉଛନ୍ତି; ମୂଳଭିତ୍ତି ପ୍ରତିଷ୍ଠାତା । ବୀରେଶ ଲିଙ୍ଗମଙ୍କ ରଚନାର ଭାଷା ବ୍ୟାବହାରିକ ନହେଲେ ମଧ୍ୟ ସରଳ ‘ସୁଲଭ ଗ୍ରନ୍ଥିକ’ । ଜୀବନର ଶେଷ ଭାଗରେ ସେ ତାଙ୍କର ଭାଷା ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ଜଣାପଡ଼େ । କିନ୍ତୁ ଏଥିପାଇଁ ତାଙ୍କର ଆୟୁଷ ନଥିଲା । ବର୍ତ୍ତମାନ ପ୍ରାୟ ସବୁ ଲେଖକ କଥିତ ବା ବ୍ୟାବହାରିକ ଭାଷାରେ ଲେଖୁଛନ୍ତି । କଥିତ ଭାଷା ବ୍ୟବହାର କରାଯିବାର ଏ ଯେଉଁ ପରିବର୍ତ୍ତିତ ଆଭିମୁଖ୍ୟ ପ୍ରବର୍ତ୍ତିତ ହୋଇଛି, ତା ମୂଳରେ ରହିଛି; ଗିଡ଼ୁଗୁ ରାମମୂର୍ତ୍ତି ପାନ୍ତୁଲୁ (୧୮୬୩-୧୯୪୦)ଙ୍କ ଉଦ୍ୟମ ଓ ଅବଦାନ । କାରଣ, ସେ ହିଁ ପ୍ରଥମେ କଥିତଭାଷାକୁ ସାହିତ୍ୟ ରଚନାର ମାଧ୍ୟମଭାବେ ଗ୍ରହଣ କରାଯିବାପାଇଁ ଆନ୍ଦୋଳନର ସୂତ୍ରପାତ କରିଥିଲେ ।

 

କାବ୍ୟ-କବିତା ଓ ନାଟକ :

ନାଟକ ରଚନା କ୍ଷେତ୍ରରେ ଗୁରାଜ୍ଜାଦା ଆପ୍‌ପାରାଓଙ୍କ ସାମାଜିକ ନାଟକ ‘କନ୍ୟାଶୁଳ୍‌କମ୍’ (୧୮୯୭) ହେଉଛି, ଏକ ନୂତନ ଯୁଗର ପ୍ରବର୍ତ୍ତକ । ଏହା ବୋଧହୁଏ ସମ୍ପୂର୍ଣ୍ଣ କଥିତଭାଷାରେ ଚରିତ ହୋଇଥିବା ପ୍ରଥମ ମଞ୍ଚୋପଯୋଗୀ ନାଟକ । ତାଙ୍କ ପୂର୍ବରୁ ପାତ୍ରୋଚିତ ଭାଷାରେ ରଚିତ ବେଦାମ୍ ଭେଙ୍କଟରାୟ ଶାସ୍ତ୍ରୀୟ ରଚିତ ‘ପ୍ରତାପରୂଦ୍ରୀୟମ୍’ ନାଟକର କେତେକ ଚରିତ୍ର ମୁଖରେ କଥିତଭାଷାର ପ୍ରୟୋଗ କରାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ନାଟକ କଥିତଭଷାରେ ରଚନା କରିବାରେ ଗୁରାଜ୍ଜାଦା ହିଁ ପ୍ରଥମେ ସଫଳ ହୋଇଥିଲେ । ତାଙ୍କର ସଫଳତା ପରେ ଏହି ଶୈଳୀ ଦାବାଗ୍ନି ସଦୃଶ ପରିବ୍ୟାପ୍ତ ହୋଇଥିଲା ।

 

କାବ୍ୟ-ସାହିତ୍ୟକୁ ଲୋକପ୍ରିୟ କରିବା ତଥା ଏ କ୍ଷେତ୍ରରେ ଆଧୁନିକତାର ପ୍ରବର୍ତ୍ତନର ମୂଳରେ ବିଭିନ୍ନ ପ୍ରଭାବ ତଥା ବହୁ ପ୍ରତିଭାବାନ୍ ସାହିତ୍ୟିକକଙ୍କର ଅବଦାନ ରହିଛି । ଯମଜ କବି ତିରୁପତି ଭେଙ୍କଟ କାଭୁଲୁ ପାରମ୍ପରିକ ରୀତିରେ ସେମାନଙ୍କର ସାହିତ୍ୟ ରଚନା କରିଥିଲେ ମଧ୍ୟ ଆଶୁ କବିତା ରଚନାରେ ସେମାନଙ୍କର ବିଚକ୍ଷଣତା ତେଲୁଗୁ-କବିତାକୁ ଲୋକପ୍ରିୟ କରିବାରେ ସହାୟକ ହୋଇଥିଲା । ପାରମ୍ପରିକ ରଚନାଶୈଳୀ ଅନୁସରଣ କରୁଥିବା ସି. ଆର. ରେଡ଼ଡ଼ୀ ନାମକ ଅନ୍ୟଜଣେ କବି ବିଂଶ ଶତକର ଆରମ୍ଭରେ ରଚିତ ‘ମୁସଲ୍ଲାମ୍ମା ମରଣମ୍’ ଶୀର୍ଷକ ତାଙ୍କର ଏକ ଶୋକଗାଥା (elegy)ରେ ପରୀକ୍ଷାମୂଳକ ଭାବେ ଏକ ନୂତନ ବିଷୟବସ୍ତୁର ଅବତାରଣା କରିଥିଲେ । ଜଣେ ସ୍ୱାଧ୍ୱୀ ରମଣୀ ତାଙ୍କ ଗ୍ରାମର କଲ୍ୟାଣ ପାଇଁ ଆତ୍ମବଳି ଦେବା ହେଉଛି, ଏହି ଗାଥାର ବିଷୟବସ୍ତୁ । କିନ୍ତୁ ପ୍ରକୃତରେ ଦେଖିବାକୁଗଲେ, ଗୁରାଜ୍ଜାଦା ଆପ୍‌ପାରାଓ ଏବଂ ରୋୟାପ୍ରୋଲୁ ସୁବ୍‌ବାରାଓ ହେଉଛନ୍ତି, ତେଲୁଗୁ-କାବ୍ୟ-ସାହିତ୍ୟରେ ଆଧୁନିକତାର ଆଦି ପ୍ରବର୍ତ୍ତକ-। ଗୁରାଜ୍ଜାଦାଙ୍କର ‘ମୁତ୍ୟାଲା ସାରାଲୁ’ (ମୁକ୍ତାମାଳା) ଏବଂ ରୋୟାପ୍ରୋଲୁଙ୍କର ‘ଲଲିତା’ ଓ ‘ତ୍ରିନାକଙ୍କନମ୍’ (କାଚକଙ୍କଣ) ବିଷୟବସ୍ତୁ । ରଚନା କୌଶଳ, ଭାଷା ଓ ଶୈଳୀ ଦୃଷ୍ଟିରୁ ନିଛକ ଆଧୁନିକ ।

 

୧୯୧୦ ରୁ ୧୯୧୨ ମଧ୍ୟରେ ରଚିତ ରୋୟାପ୍ରୋଲୁଙ୍କ ଗୀତି-କବିତା ଗୁଡ଼ିକରେ ଗତାନୁଗତିକ ଶୃଙ୍ଗାରରସର ଅବତାରଣା ପରିବର୍ତ୍ତେ ଗ୍ରୀକ୍ ଦାର୍ଶନିକ ପ୍ଳାଟୋଙ୍କ କଳ୍ପିତ ଆଦର୍ଶ ଆଧ୍ୟାତ୍ମିକ ପ୍ରେମର କଳ୍ପନା କରାଯାଇଛି । ତାଙ୍କର ଦେଶାତ୍ମବୋଧ କବିତା ଗୁଡ଼ିକରେ ଇଂରାଜୀ କବି ଗୋଲଡ଼୍‌ସ୍ମିଥ୍‌ଙ୍କର ପ୍ରଭାବ ପ୍ରତିଫଳିତ ହୋଇଥିବା ବେଳେ, ରହସ୍ୟବାଦୀ ରୋମାଣ୍ଟିକ୍ କବିତାରେ ରବିନ୍ଦ୍ରନାଥଙ୍କର ଅନୁପ୍ରେରଣା ସୁସ୍ପଷ୍ଟ । ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ (୧୯୧୮-୧୯୩୯)ର ମଧ୍ୟବର୍ତ୍ତୀ ସମୟ ହେଉଛି, ତେଲୁଗୁ ସାହିତ୍ୟରେ ରୋମାଣ୍ଟିକ୍‌ ଚିନ୍ତାଧାରାର ଅଭ୍ୟୁତ୍‌ଥାନର କାଳ । ଏହି ସମୟରେ ତେଲୁଗୁ-କବି ଦେବୁଲାପାଲ୍ଲି ଭେଙ୍କଟକୃଷ୍ଣ ଶାସ୍ତ୍ରୀ (୧୮୯୭-୧୯୮୧) ତାଙ୍କ କଳାସୃଷ୍ଟି ଚରମ ସୋପାନରେ ଉପନୀତ ହୋଇଥିଲେ । ବଳିଷ୍ଠ ଭାବୋଚ୍ଛ୍ୱାସ ଓ କଳ୍ପନା ସହିତ ସ୍ୱତସ୍ଫୁର୍ତ୍ତ ପ୍ରକାଶଶୈଳୀର ସଂଯୋଜନ ହେଉଛି, ତାଙ୍କ ରଚନାର ବିଶେଷତ୍ୱ । ଇଂରେଜ କବି କିଟ୍‌ସ୍‌ ଏବଂ ସେଲୀଙ୍କର କାବ୍ୟିକ ଅବବୋଧ । ପାରସ୍ୟ କବି ଓମର୍ ଖୟମ୍‌ଙ୍କର ସୁସ୍ପଷ୍ଟ ଚିତ୍ରକଳ୍ପ ଏବଂ ରବୀନ୍ଦ୍ରନାଥଙ୍କ ଉଚ୍ଚ ଆଦର୍ଶ, କୃଷ୍ଣଶାସ୍ତ୍ରୀଙ୍କ ରହସ୍ୟବାଦୀ ଚିନ୍ତାଧାରାରେ ସ୍ଥାନେ ସ୍ଥାନେ ପ୍ରତିଫଳିତ ହୋଇଥିବା ଦେଖାଯାଏ । ତାଙ୍କ ରଚିତ The song of freedomରେ ସେ ଲେଖିଛନ୍ତି :

 

‘‘Let them laugh if they like

Why can't I do just as I please ?

I shall float on the wings of singing birds

and like a star amidst the shars

Vanish in the sweetness of my song !

Let them laugh if they like.’’

 

ତାଙ୍କର ‘ଉର୍ବଶୀ’, ‘ପ୍ରଭାସମ୍’ ଓ କୃଷ୍ଣପକ୍ଷମ୍’ ଶୀର୍ଷକ ତିନିଗୋଟି ଗୀତି-କବିତା ସଙ୍କଳନ ରୋମାଣ୍ଟିକ୍ ପରମ୍ପରାର ଶ୍ରେଷ୍ଠ କୃତି ମଧ୍ୟରେ ଅନ୍ତର୍ଭୁକ୍ତ । ଏ ଯୁଗର ଅନ୍ୟ କବିମାନଙ୍କ ମଧ୍ୟରେ ଟି. ଶିବଶଙ୍କର ଶାସ୍ତ୍ରୀ (ହୃଦୟେଶ୍ୱରୀ), ବେଦୁଲା ସତ୍ୟନାରାୟଣ ଶାସ୍ତ୍ରୀ (ଦୀପାବଳୀ), ନୟନୀ ସୁବାରାଓ (ସୌଭାଦୃଣୀ ପ୍ରଣୟଯାତ୍ରା) ଏବଂ ଅନ୍ୟ କତିପୟ କନିଷ୍ଠଙ୍କର ନାମ ଉଲ୍ଲେଖ ଯୋଗ୍ୟ ।

ଏହି ଗୋଷ୍ଠୀର ସୁଖ୍ୟାତ ଗୀତିକବିମାନେ ହେଲେ, ନାନ୍ଦୁରୀ ସୁବାରାଓ (ଏଙ୍କି ପାତାଲୁ), ବାସବରାଜୁ ଆପ୍‌ପାରାଓ (ସେଲାୟେତି ଗାନମୁ ବା ପାହାଡ଼ର ସଙ୍ଗୀତ) ଏବଂ ଆଦିବି ବାପିରାଜୁ (ପାଲାନିତି ୟେଲାମାଣ୍ଡା ପରି ଲୋକଶୈଳୀରେ ରଚିତ ବହୁ ଗୀତି-କବିତାର ଲେଖକ)

ଏହି ସମୟରେ ବିଶ୍ୱନାଥ ସତ୍ୟନାରାୟଣା (‘କିନ୍ମେରଶାନି ପାତାଲୁ’, ‘ଗିରି କୁମ୍ମାରୁନି’ ପ୍ରେମଗୀତାଲୁ ଏବଂ ତାଙ୍କର ମହାନ୍ ରଚନା ‘ରାମାୟଣ କଳ୍ପବୃକ୍ଷାମୁ’) ଗୁରୁରାମ ଯୋଶୁଆ (ଗବ୍‌ବିଲମ୍, ଫିରଦୌଉସି, ମମ୍‌ତାଜ ମହଲ) କାଟୁରୀ, ପିଙ୍ଗଲି (ତୋଲକରି ଏବଂ ସୌନ୍ଦର ଆନନ୍ଦମ୍), ଜନ୍ଧ୍ୟାଲା ପାପାୟା ଶାସ୍ତ୍ରୀ ‘କରୁଣାଶ୍ରୀ’ (କୁନ୍ତୀ କୁମାରୀ, ପୁଷ୍ପ ବିଳାପମ୍ ଇତ୍ୟାଦି) ପ୍ରଭୃତି ନବ୍ୟ-ପରମ୍ପରାବାଦୀ ପ୍ରତିଭାଶାଳୀ କବିମାନେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଥିଲେ ।

ଦ୍ୱିତୀୟ ବିଶ୍ୱୁଯୁଦ୍ଧ ଶେଷହୋଇ ଆସିବା ବେଳକୁ ‘ରୋମାଣ୍ଟିକ୍’ ତଥା ‘ଶାସ୍ତ୍ରୀୟ ପରମ୍ପରା’ ବିରୁଦ୍ଧରେ ପ୍ରବଳ ପ୍ରତିକ୍ରିୟାର ସୂତ୍ରପାତ ହୋଇଥିଲା । ଆର୍ଥନୀତିକ ନ୍ୟାୟ ଏକ ସାମାଜିକ ଦାୟିତ୍ୱବୋଧ ପ୍ରଭୃତି ନୂତନ ମୂଲ୍ୟବୋଧରେ ଅନୁପ୍ରାଣିତ ଏକ ନୂତନ ପୀଢ଼ି ପାଇଁ କବିର ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ପିପାସା, ମୁକ୍ତିର କାମନା ବା ସିଦ୍ଧିଲାଭ ପାଇଁ ପ୍ରୟାସର କୌଣସି ପ୍ରାସଙ୍ଗିକତା ରହିଲା ନାହିଁ । ସେମାନଙ୍କର ନୂତନ ଭଗବାନ ହେଲେ, ‘ମାର୍କସ୍’ । ରୁଷିଆ ହେଲା, ସେମାନଙ୍କ ପାଇଁ ନୂତନ ସ୍ୱର୍ଗ ଏବଂ ‘ଶ୍ରୀ ଶ୍ରୀ’ ହେଲେ, ସେମାନଙ୍କ ପ୍ରଗତିବାଦୀ ଆନ୍ଦୋଳନର ବାର୍ତ୍ତାବହ । ଏକ ନିର୍ଭୀକ, ନୂତନ ପୃଥିବୀର କଳ୍ପନାରେ ଉଦ୍‌ବୁଦ୍ଧ ହୋଇ ‘ଶ୍ରୀ ଶ୍ରୀ’ ତାଙ୍କର ‘ମହାପ୍ରସ୍ଥାନମ୍‌’ ଶୀର୍ଷକ କବିତାରେ ଗୁରୁଗମ୍ଭୀର ସ୍ୱରରେ ଗାଇଛନ୍ତି :

The waves are rolling

The bells are tolling

The vioce of another world is calling

Another, another, another world

Is rolling, tolling, calling on

Forward March

Oh onward forge

Ahead ahead let us surge

 

[ ମର୍ମାନୁବାଦ-

ତରଙ୍ଗର ନିନାଦରେ

ଘଣ୍ଟାର ଢଙ୍କାରେ

ଅନ୍ୟ ଏକ ପୃଥିବୀର ଡାକ

ଅନ୍ୟ ଏକ ପୃଥିବୀର

ଢେଉ ଓ ଢଙ୍କାରର ଡାକ

ଆଗେଇ ଚାଲ

ଆଗୁଆନ୍ ହୁଅ

ଚାଲ ଆମେ ମାଡ଼ିଯିବା ଆଗକୁ ଆଗକୁ ]

 

ଅରୁଦ୍ର, ଅଜନ୍ତା, ସୋମାସୁନ୍ଦରମ୍’ ଏବଂ ଅନ୍ୟ ପ୍ରତିଭାବାନ୍ କବିମାନେ ମଧ୍ୟ ମାର୍କସ୍‌ବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ ।

 

ପ୍ରଗତୀବାଦୀ ପ୍ରଭାବ -

ସଂପୂର୍ଣ୍ଣ ବିପ୍ଳବ ଓ ପ୍ରଗତିବାଦୀଶୈଳୀର ପ୍ରଥମ ଝଲକ୍‌ପରେ କେତେକ ଚିନ୍ତାଶୀଳ କବି ପୂର୍ବ ପରମ୍ପରାର ପୁନର୍ମୂଲ୍ୟାୟନରେ ପ୍ରୟାସୀ ହୋଇ ପୂରାତନ ଓ ନୂତନର ସମନ୍ୱୟରେ ଏକ ମନୋଜ୍ଞଶୈଳୀର ପ୍ରବର୍ତ୍ତନ କରିଥିଲେ । ଏମାନଙ୍କ ମଧ୍ୟରେ ତେଲେଙ୍ଗାନାର କବି ଦାଶରଥି ଓ ନାରାୟଣା ରେଡ୍‌ଡ଼ୀଙ୍କ ନାମ ଉଲ୍ଲେଖଯୋଗ୍ୟ । ପୁରାତନ ଶକ୍ତି ସହିତ ସାଂପ୍ରତିକ ଅବବୋଧର ସମନ୍ୱୟ ରକ୍ଷାକରି ଆବେଗପୂର୍ଣ୍ଣ ସାବଲୀଳଶୈଳୀରେ ଏମାନେ ଏକ ନୂତନ ମାନବବାଦୀ ମୂଲ୍ୟବୋଧର ମହିମା ପ୍ରଚାର କରିବାରେ ସାର୍ଥକହୋଇଛନ୍ତି ।

ଷଷ୍ଠ-ଦଶକର ମଧ୍ୟ ଭାଗରେ ‘ଦିଗମ୍ବର’ କବିମାନଙ୍କର ଆବିର୍ଭାବ ହେବା ପରେ ତେଲୁଗୁ ସାହିତ୍ୟ ଏକ ଆହ୍ୱାନର ସମ୍ମୁଖୀନ ହୋଇଥିଲା । ବର୍ତ୍ତମାନ ଏହି ଗୋଷ୍ଠୀର କବିମାନେ ଛତ୍ରଭଙ୍ଗ ଦେଇଛନ୍ତି ଏବଂ ସାମାଜିକ ପ୍ରତିଷ୍ଠାନ (‘ଦୁର୍ନୀତି’ ଓ ‘ସ୍ଖଳନ’ ଇତ୍ୟାଦି) ବିରୁଦ୍ଧରେ ଉତ୍ତୋଳିତ ଏମାନଙ୍କର ଶାଣିତ ତରବାରୀ ଏହାର ତୀକ୍ଷ୍‌ଣତା ହରାଇଛି । ଏହି ଗୋଷ୍ଠୀର କେତେକ କବି ‘ଅରସମ୍’ (ଅଭ୍ୟୁଦୟ ରଚୟିତାଲା ସଙ୍ଘମ୍)ର ବିରୋଧ କରୁଥିବା ‘ବିରସମ୍’ (ବିପ୍ଳବୀ ରଚୟିତାଲା ସଙ୍ଘମ୍) ସହିତ ସଂପ୍ରତି ସାମିଲ୍ ହୋଇଯାଇଛନ୍ତି ।

ସଂପ୍ରତି ତରୁଣ ଲେଖକମାନଙ୍କର ‘ମିନି କବିତା’ ପ୍ରତି ଝୁଙ୍କ ଦେଖାଦେଇଛି । ଜାପାନର ହାଇକୁ (Haiku) ପର୍ଯ୍ୟାୟର କବିତା ସହିତ ଏହି ‘ମିନି’ କବିତା ଗୁଡ଼ିକର ପାରିବାରିକ ସମ୍ପର୍କ ରହିଛି । ଏ କିବିତାଗୁଡ଼ିକ ଅତ୍ୟନ୍ତ ସଂକ୍ଷିପ୍ତ, ତୀକ୍ଷ୍‍ଣ ଏବଂ ଚାତୁର୍ଯ୍ୟପୂର୍ଣ୍ଣ । କିନ୍ତୁ ଏସବୁ ସତ୍ତ୍ୱେ ମନେ ରଖିବାକୁ ହେବ ଯେ, ଏ କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିରାଜମାନ କରୁଛି ଯଦିଓ ଶାସ୍ତ୍ରୀୟ ଓ ରୋମାଣ୍ଟିକ୍ ପରମ୍ପରା ପ୍ରଗତିବାଦୀ ତଥା ବୈପ୍ଳବିକ ଧାରା, ଛନ୍ଦୋବଦ୍ଧ ଓ ମୁକ୍ତଛନ୍ଦଶୈଳୀ, ପୌରାଣିକ କାବ୍ୟଧାରା ଏବଂ ମିନି-କବିତା ପ୍ରଭୃତି ଧାରା, ଶୈଳୀ ଓ ପରମ୍ପରା ମଧ୍ୟରେ ତଥାପି ସାଲିସ୍ ହୋଇପାରି ନାହିଁ ।

ବିକାଶୋନ୍ମୁଖୀ ଆଦର୍ଶ -

ଏକ ନୂତନ ପରିସ୍ଥିତିର ଅଭ୍ୟୁଦୟ ତେଲୁଗୁ ଜନସାଧାରଣଙ୍କ ମଧ୍ୟରେ ଯେପରି ନୂତନ ଆଶା ଓ ଉତ୍ସାହର ସଞ୍ଚାର କରିଛି, ତେଲୁଗୁ-ସାହିତ୍ୟ ମୃଷ୍ଟି ତଥା ବିଦ୍ୟାଚର୍ଚ୍ଚା ଓ ସାହିତ୍ୟିକ ଗବେଷଣା କ୍ଷେତ୍ରରେ ମଧ୍ୟ ତଦନୁରୂପ ପ୍ରେରଣାର ସଞ୍ଚାର କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ସାହିତ୍ୟ ସମାଲୋଚନାର ଗୁଣାତ୍ମକ ବିକାଶ ଯଥେଷ୍ଟ ହୋଇନାହିଁ । ଏହାର କାରଣ ହେଉଛି, ଏ କ୍ଷେତ୍ରରେ ଆଦର୍ଶ ଓ ଲକ୍ଷ୍ୟ ଆଭିମୁଖୀ ଆତ୍ମସମୀକ୍ଷା ପାଇଁ ଆବଶ୍ୟକ ହେଉଥିବା ସ୍ୱଦେଶାନୁରାଗୀ ଅନ୍ତର୍ଦୃଷ୍ଟି ଓ ଆଭିମୁଖ୍ୟର ଅଭାବ ।

ସାମ୍ପ୍ରତିକ ସାହିତ୍ୟରେ ଗଦ୍ୟଶୈଳୀୟ କଥା-ସାହିତ୍ୟର ପ୍ରଭାବ ଅପ୍ରତିହତ ରହିଛି । ଏହାର କାରଣ ହେଉଛି, ପୁସ୍ତକ ଓ ସାମୟିକ ପତ୍ର-ପତ୍ରିକାଦିରେ ଏହାର ବହୁଳ ପ୍ରଚାର ଏବଂ ତରୁଣ ପାଠକଗୋଷ୍ଠୀର ଦୃଷ୍ଟି ଆକର୍ଷଣ କରିବାରେ ଏ ସାହିତ୍ୟର ସଫଳତା । ପ୍ରକାଶକମାକଙ୍କର ସଂକ୍ଷିପ୍ତ ଉପନ୍ୟାସ ଅପେକ୍ଷା ଦୀର୍ଘ ଉପନ୍ୟାସ ପାଇଁ ଅଧିକ ଚାହିଦା ରହିଛି ।

ତିନିଗୋଟି ବିଭାଗ -

ସିଧା ସଳଖ ପୁସ୍ତକ ଆକାରରେ ଅଥବା ପତ୍ର-ପତ୍ରିକାରେ କ୍ରମଶଃ ପ୍ରକାଶିତ ହେଉଥିବା ଉପନ୍ୟାସଗୁଡ଼ିକ ମଧ୍ୟରେ ଦୁଇ ବା ତିନିଗୋଟି ଶ୍ରେଣୀର ଉପନ୍ୟାସ ସ୍ୱୀକୃତି ଲାଭ କରିଛନ୍ତି । ଆଲୋଚନା ସୁବିଧା ଦୃଷ୍ଟିରୁ ପୁରୁଷମାନଙ୍କ ଦ୍ୱାରା ରଚିତ ଉପନ୍ୟାସ ଗୁଡ଼ିକ ବିଷୟରେ ପ୍ରଥମେ ବିଚାର କରାଯାଇପାରେ । ଏଗୁଡ଼ିକ ମଧ୍ୟରେ ‘ଲାଲ୍ଲାଦେବୀ’, ‘ବୀଣାଦେବୀ’ ପ୍ରଭୃତି ସ୍ତ୍ରୀଲିଙ୍ଗବାଚକ ଛଦ୍ମ ନାମରେ ପୁରୁଷମାନଙ୍କର ରଚନା ମଧ୍ୟ ଅନ୍ତର୍ଭୁକ୍ତ (୧୯ଶ ଶତକର ‘ଜର୍ଜ ଇଲିଅଟ୍‌ସ’ ଏବଂ ‘ଜର୍ଜ ସାଣ୍ଡ୍‌ସ’ ପ୍ରଭୃତି ଲେଖକ ପୁଂବାଚନକ ଉଦ୍ମନାମର ଆଶ୍ରୟ ଗ୍ରହଣ କରିଥିଲେ । ଏବେ, ସେମାନଙ୍କର ଯଥୋଚିତ ପ୍ରତିଶୋଧ ନିଆଗଲା) ।

ଏକ ଶ୍ରେଣୀର ଔପନ୍ୟାସିକ ଅତୀତର ବିସ୍ମୃତ ବା କଳ୍ପନା ପ୍ରସୂତ ବିଷୟକୁ ଆଧାର କରି ଉପନ୍ୟାସ ରଚନା କରିବାରେ ଅତ୍ୟନ୍ତ ଆଗ୍ରହୀ । ଐତିହାସିକ ତଥା ତତ୍ ସଦୃଶ ପ୍ରେମକାହାଣୀ ଉପରେ ଆଧାରିତ ରଚନାଗୁଡ଼ିକ, ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । କିନ୍ତୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ସୁଦୂର ଅତୀତର ଗୌରବମୟ ଉଚ୍ଚାଦର୍ଶଭିତ୍ତିକ ।

ଏ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରେ ଲାଲ୍ଲାଦେବୀଙ୍କର ‘ଶ୍ୱେତ ନାଥାଗୁ’ ଏବଂ ‘ନାଆଗ ଭୈରବୀ’, ମୁଡ଼ିଗୋଣ୍ଡା ଶିବପ୍ରସାଦଙ୍କ ରଚନାବଳୀ ଏବଂ ଅନ୍ୟ କେଇଜଣଙ୍କର ରଚନା ବିଷୟ ସ୍ୱତଃ ମନକୁ ଆସେ । ଅନ୍ୟ ଏକ ଶ୍ରେଣୀ ଶ୍ରେଣୀର ଲେଖକ ‘କିମିଆଁ’ ଗୁଣିଗାରେଡ଼ି ପ୍ରଭୃତି ଗୁପ୍ତବିଦ୍ୟା ସମ୍ପର୍କରେ ପ୍ରଚଳିତ ଅନ୍ଧବିଶ୍ୱାସ ଉପରେ ଆଧାରିତ ଉପନ୍ୟାସ ରଚନା କରିବାରେ ସଫଳତା ଅର୍ଜନ କରିଛନ୍ତି । ଏହି ଶ୍ରେଣୀର ଲେଖକମାନଙ୍କ ମଧ୍ୟରେ ୟେନ୍ଦାମୁରୀ ବୀରେନ୍ଦ୍ରନାଥଙ୍କ ନାମ ଉଲ୍ଲେଖଯୋଗ୍ୟ । ତାଙ୍କର ଉପନ୍ୟାସଗୁଡ଼ିକ ମଧ୍ୟରେ ‘ତୁଳସୀ’ ଏବଂ ‘ତୁଳସୀଦଳମ୍’ ପୁସ୍ତକ ଦୁଇଟି ବ୍ୟାବସାୟିକ ଦୃଷ୍ଟିରୁ ଯଥେଷ୍ଟ ଲାଭପ୍ରଦ ହୋଇଛି । ଅବାସ୍ତବ କଳ୍ପନା-ବିଳାଷୀ ଅବିବାହିତା ଯୁବତୀମାନଙ୍କ ମହଲରେ ଏ ଉପନ୍ୟାସ ଦୁଇଟିର ଯଥେଷ୍ଟ କାଟ୍‌ତି ରହିଛି । ତୃତୀୟ ପର୍ଯ୍ୟାୟର ଉପନ୍ୟାସଗୁଡ଼ିକ ବାସ୍ତବବାଦୀ ହେଲେ ମଧ୍ୟ ତେଲେଙ୍ଗାନା, ରୟଲ୍‌ସୀମା, ବିଶାଖାପାଟଣା ଓ ଶ୍ରୀକାକୁଲମ୍‌ର ମାଳଅଞ୍ଚଳ ପ୍ରଭୃତି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜୀବନଧାରା ଉପରେ ପର୍ଯ୍ୟବେସିତ-। ଏହି ଶ୍ରେଣୀର ଲେଖକ ମଧ୍ୟରୁ ଆଲମ୍ ରାଜେୟାଙ୍କ ଉପନ୍ୟାସର ଗଳ୍ପଗୁଡ଼ିକ ତେଲେଙ୍ଗାନାର ଗ୍ରାମ୍ୟଜୀବନ ଆଧାରିତ ଏବଂ ତେଲେଙ୍ଗାନା ଅଞ୍ଚଳର ଉର୍ଦ୍ଦୁମିଶା ଭାଷାରେ ରଚିତ-

ଔପନ୍ୟାସିକାମାନେ ସେମାନଙ୍କର ଲୋକପ୍ରିୟତା ବଜାୟ ରଖି ଆସୁଅଛନ୍ତି । ସେମାନଙ୍କ ଲୋକପ୍ରିୟତାର କାରଣ ହେଲା, ଅବାସ୍ତବ ସ୍ୱପ୍ନ (ଦିବାସ୍ୱପ୍ନ !)ର ସଫଳ ରୂପାୟନ କରିବାରେ ସେମାନଙ୍କର ବିଚକ୍ଷଣତା, ଏହି ଶ୍ରେଣୀର ଉପନ୍ୟାସଗୁଡ଼ିକ ସୃଷ୍ଟି କରିଥିବା ପଳାୟନପନ୍ଥୀ ସାହିତ୍ୟର ଏକ ସଦାପ୍ରବର୍ଦ୍ଧମାନ ପ୍ରମୋଦ ଉଦ୍ୟାନରେ ବିଚରଣ କରି ଅପେକ୍ଷାକୃତ ସରଳ ପାଠକ ତା’ର ବାସ୍ତବ ଜୀବନର ଦୁଃଖ-ଜଞ୍ଜାଳରୁ ଅନ୍ତତଃ ସାମୟିକ ଭାବେ ନିସ୍ତାର ଲାଭ କରିବାକୁ ସକ୍ଷମ ହୋଇଥାଏ । ଏହି ଉପନ୍ୟାସଗୁଡ଼ିକ ଏନିଡ଼୍ ବ୍ଳିଟନ୍, ମିଲ୍ ବା ବୁନ୍‌ଙ୍କ ସଦୃଶ ନ ହେଲେ ମଧ୍ୟ ଅନ୍ତତଃ ବାର୍ବାରା କାର୍ଟଲାଣ୍ଡ୍‌ଙ୍କ ତୁଲ୍ୟ ଚମତ୍କାର ସଫଳତା ହାସଲ କରିଛନ୍ତି । ୟେଦାନାପୁଦୀ ସୁଲୋଚନା ରାଣୀ ଏହି ଶ୍ରେଣୀର ଲେଖିକାମାନଙ୍କ ମଧ୍ୟରେ ସର୍ବାଧିକ ଲୋକପ୍ରିୟ । ମାଦିରେଡ୍‌ଡ଼ୀ ସୁଲୋଚନା (୧୯୮୩ ମସିହାର ପ୍ରଥମ ଭାଗରେ ଏକ ଗ୍ୟାସ୍ ସିଲେଣ୍ଡର ବିସ୍ଫୋରଣରେ ମୃତ୍ୟୁବରଣ କରିଛନ୍ତି)ଙ୍କର ମୃତ୍ୟୁ ପୂର୍ବରୁ ରଚିତ ହୋଇଥିବା ଅପ୍ରକାଶିତ ଉପନ୍ୟାସଗୁଡ଼ିକ ତାଙ୍କ ମୃତ୍ୟୁ ପରେ ବର୍ଷେ ଦୁଇବର୍ଷ ଧରି ବିଭିନ୍ନ ସଚିତ୍ର ସାମୟିକ ପତ୍ର-ପତ୍ରିକାରେ କ୍ରମଶଃ ପ୍ରକାଶିତ ହୋଇଛି । (ତାଙ୍କର ‘ଯକ୍ଷାଗାନମ୍’ ଉପନ୍ୟାସ ଏହି ରଚନାଗୁଡ଼ିକ ମଧ୍ୟରେ ଅନ୍ୟତମ) ।

ବିଭିନ୍ନ ସାମଜିକ ସମସ୍ୟା ଉପରେ ଗୁରୁତ୍ୱ ଆରୋପ କରି ବାସ୍ତବବାଦୀଶୈଳୀରେ ଉପନ୍ୟାସ ରଚନା କ୍ଷେତ୍ରରେ ମଧ୍ୟ ଲେଖିକାମାନଙ୍କର ଅବଦାନ ରହିଛି । ଏ କ୍ଷେତ୍ରରେ ଅନ୍ୟମାନଙ୍କ ମଧ୍ୟରେ ମାଳତୀ ଚାନ୍ଦୁର୍, ରାମଲକ୍ଷ୍ମୀ ଅରୁଦ୍ର, ଭାଷୀରେଡ୍‌ଡ଼ୀ ସୀତାଦେବୀ ଏବଂ ସି. ‘ରାଆଗମ୍ ଅନୁରାଆଗମ୍’, ‘ମାନସୁଲୋ ମାନସୁ’ ‘ଭୂମି ପୁତ୍ରୈ’ ଏବଂ ରାମଲକ୍ଷ୍ମୀଙ୍କର ‘ଗୁରୁ ଦକ୍ଷିଣା’, ‘କାଦୁପୁ ତିପି’ ଏବଂ ‘କ୍ରୋଟ୍ଟାପୋଡ଼ୁ’ ପ୍ରଭୃତି ରଚନା ଗୁଡ଼ିକ ଅଧିକ ପ୍ରତିଷ୍ଠା ଲାଭ କରିଛନ୍ତି-। ‘ସୀତାଦେବୀଙ୍କ ‘ମରୀଚିକା’ ଉପନ୍ୟାସର ପ୍ରସାର ଉପରେ ଆନ୍ଧ୍ର ସରକାର ପ୍ରଥମେ ନିଷେଧାଜ୍ଞା ଜାରୀ କରି (ଉଦ୍ଭଟ ଆଦର୍ଶ ଓ ଅଶ୍ରଦ୍ଧାର ପ୍ରଚାର ପାଇଁ ଏଥିରେ ଉପାଦାନ ରହିଥିବା ଅଭିଯୋଗରେ) ପରେ ତାହା ଉଠାଇନେବା ଫଳରେ ଏହି କାରଣରୁ ଏ ଉପନ୍ୟାସଟି ଯେପରି ପ୍ରସିଦ୍ଧି ଲାଭ କରିଛି, ଅନ୍ୟଥା ସେପରି ସମ୍ଭବ ହୋଇପାରି ନଥାନ୍ତା । ଷଷ୍ଠ-ଦଶକରେ କେତେଗୋଟି ମନୋଜ୍ଞ ସାମାଜିକ ଉପନ୍ୟାସ ରଚନା କରିଥିବା ଡ଼ି. ବିଶାଳାକ୍ଷୀଙ୍କର ଗତ କେତେବର୍ଷ ମଧ୍ୟରେ କୌଣସି ନୂତନ ସୃଷ୍ଟି ଆତ୍ମପ୍ରକାଶ କରିନାହିଁ ।

ବର୍ତ୍ତମାନ ଯୁଗରେ ସମସ୍ତଙ୍କର ସମୟର ଅଭାବ ଏବଂ ସମୟ-ସାପେକ୍ଷତା ପାଇଁ କାହାରି ଧୈର୍ଯ୍ୟ ନାହିଁ । ଏପରି ଅବସ୍ଥାରେ ଉପନ୍ୟାସ ତୁଳନାରେ କ୍ଷୁଦ୍ର ଗଳ୍ପ ସଂକଳନ ଗୁଡ଼ିକର କାଟ୍‌ତି ହ୍ରାସ ପାଇବା ଅସଙ୍ଗତ ମନେ ହେବା ସ୍ୱାଭାବିକ । ଭେଲୁରୀ ଶିବରାମ ଶାସ୍ତ୍ରୀ, ଶ୍ରୀପଦ ସୁବ୍ରମନ୍ୟ ଶାସ୍ତ୍ରୀ, ପାଲାଗୁମ୍ମି ପଦ୍ମରାଜୁ ଏବଂ ବୁଚିବାବୁ ପ୍ରଭୃତି ସିଦ୍ଧହସ୍ତ ଗାଳ୍ପିକମାନଙ୍କ ଅବଦାନରେ ଉତ୍କର୍ଷ ଲାଭ କରିଥିବା ଗଳ୍ପ-ସାହିତ୍ୟର ପ୍ରତିଷ୍ଠା କ୍ରମଶଃ ହ୍ରାସ ହେଉଥିବା ପରି ମନେହୁଏ । ଅବଶ୍ୟ ‘ମିନିଗଳ୍ପ’ ଉପରେ ବର୍ତ୍ତମାନ ପରୀକ୍ଷା ନିରୀକ୍ଷା ଅବ୍ୟାହତ ରହିଛି ।

ଆଧୁନିକ ତେଲୁଗୁ-ସାହିତ୍ୟରେ ଲୋକଶୈଳୀ :

ସାହିତ୍ୟର ଅନ୍ୟାନ୍ୟ ବିଭାଗ ତୁଳନାରେ କାବ୍ୟସୃଷ୍ଟି କ୍ଷେତ୍ରରେ ବିଭିନ୍ନ ଯୁଗରୁଚିର ସହାବସ୍ଥାନ ଅଧିକ ସଚରାଚର ପରିଦୁଷ୍ଟ ହୋଇଥାଏ । ପୁରାଣଯୁଗରେ ବହୁ କାଳଧରି ସଂସ୍କୃତ ସାହିତ୍ୟର ଶୈଳି, ଛନ୍ଦ, ମିତ୍ରାକ୍ଷର ତଥା ରୁଚିବୋଧର ବଶ୍ୟତା ସ୍ୱୀକାର କରି ଆସିଥିବା ଏହି ଭାଷାର ସାହିତ୍ୟରେ ବିଗତ କେତେବର୍ଷ ହେଲା ଲୋକଶୈଳୀ ତଥା ଲୋକନାଟକର ପରିଚିତ ଛନ୍ଦକୁ ଫେରିଯିବାର ପ୍ରବୃତ୍ତି ଦେଖା ଦେଇଛି । ସଂପ୍ରତି କବି, କଳାକାର ‘ଗଦ୍ଦାର’, ଏକ ସାମାଜିକ ବିଷୟବସ୍ତୁକୁ ଲୋକ-ସଙ୍ଗୀତ ମାଧ୍ୟମରେ ଉପସ୍ଥାପନ କରି ଯଥେଷ୍ଟ ପ୍ରୋତ୍ସାହନ ଲାଭ କରିଛନ୍ତି । । ଯୁବ କବିମାନେ ‘ମିନି କବିତା’ (ମାତ୍ର କେତେଗୋଟି କ୍ଷୁଦ୍ର ଧାଡ଼ି ବିଶିଷ୍ଟ-ପ୍ରାୟଶଃ ଚାରିରୁ ଦଶ ଧାଡ଼ି ବିଶିଷ୍ଟ) ରଚନାରେ ଅଧିକ ଆଗ୍ରହୀ । ନିଜ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ ସେମାନେ କୁହନ୍ତି ଯେ, ଯୁଗର କ୍ଷିପ୍ରତା କାବ୍ୟ-ସାହିତ୍ୟ ସୃଷ୍ଟିକୁ ମଧ୍ୟ ପ୍ରଭାବିତ କରିଛି; ଯାହା ଫଳରେ କି ସାଂପ୍ରତିକ କବି ତା’ର ବକ୍ତବ୍ୟକୁ ସୁବିସ୍ତୃତ ଭାବେ ଉପସ୍ଥାପନ କରିବାକୁ ସମୟ ପାଉନାହିଁ । ଅଧିକାଂଶ ‘ମନି କବିତା’ର ଶେଷ ଧାଡ଼ିଟି ଅନ୍ୟ ଧାଡ଼ି ଅପେକ୍ଷା ଅଧିକ ବଳିଷ୍ଠ ‘ମନି’ କବିମାନଙ୍କ ମଧ୍ୟରେ ରବି ରାଙ୍ଗାରାଓ ଏବଂ ଆଲିସେଟ୍ଟି ପ୍ରଭାକର ଅଧିକ ବିଖ୍ୟାତ । ବୟୋଜ୍ୟେଷ୍ଠ ପ୍ରବୀଣ କବିବୃନ୍ଦ ସଂପ୍ରତି କ୍ଳାନ୍ତ ହୋଇ ଗଲେଣି ବୋଲି କୁହାଯାଉଥିଲେ ମଧ୍ୟ ସେମାନେ ସ୍ୱ କ୍ଷେତ୍ରରୁ ସମ୍ପୂର୍ଣ୍ଣ ଅପସରି ଗଲେଣି ବୋଲି ଆମେ ନିଶ୍ଚିତ ଭାବେ ପାରିବା ନାହିଁ ।

ନାଗଭୈରବ କୋଟେଶ୍ୱର ରାଓଙ୍କ ଦ୍ୱାରା ପ୍ରଯୋଜିତ ‘କାବନ ବିଜୟମ୍‍’ ଭାବରେ ପରିଚିତ କବିତା ଆବୃତ୍ତି କାର୍ଯ୍ୟକ୍ରମ ଗୁଡ଼ିକ ସଂପ୍ରତି ଲୋକପ୍ରିୟ ହୋଇଛି । ସମଗ୍ର ଆନ୍ଧ୍ରରେ ଏପରି ପ୍ରାୟ ୧୦୦ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସାରିଲାଣି । ଏହି ‘କାବନ୍ ବିଜୟମ୍’ରେ ସାଂପ୍ରତିକ ଦୃଷ୍ଟିକୋଣରୁ ବିଭିନ୍ନ କାବ୍ୟ ସୃଷ୍ଟି ସମ୍ପର୍କରେ ସରସ, ବୌଦ୍ଧିକ ଆଲେଚନା କରାଯାଇଥାଏ ।

ମଞ୍ଚୋପଯୋଗୀ ନାଟକ ଆନ୍ଧ୍ରରେ ସର୍ବଦା ଲୋକପ୍ରିୟ ହୋଇ ଆସିଥିଲେ ମଧ୍ୟ ବର୍ତ୍ତମାନ ନାଟକଗୁଡ଼ିକ କେବଳ ‘ଆନ୍ଧ୍ର ନାଟକ ପରିଷଦ’ ବା ଅନ୍ୟ ସଂସ୍ଥାମାନଙ୍କ ଦ୍ୱାରା ଆୟୋଜିତ ପ୍ରତିଯାଗିତାକୁ ଆଖି ଆଗରେ ରଖି ରଚନା କରାଯାଉଛି । ଏପରିକି, ସାମାଜିକ ନାଟକଗୁଡ଼ିକ ମଧ୍ୟ ବେଳେ ବେଳେ ଶସ୍ତା ଲୋକପ୍ରିୟତାକୁ ଆଖି ଆଗରେ ରଖି ଦର୍ଶକ ଗ୍ୟାଲେରୀରେ ଅଭିନୟ କରାଯାଉଛି । ‘ଓରେଗିମ୍ବୁ’ ପରି କେତେକ ବ୍ୟଙ୍ଗାତ୍ମକ ସାମାଜିକ ନାଟକରେ ରାଜନୀତିର ଅତିରଞ୍ଜନ କରାଯାଇଛି । ଏହି ନାଟକଗୁଡ଼ିକ ପରିବେଷଣ କରିବା ପାଇଁ କୌଣସି ପାରମ୍ପରିକ ରଙ୍ଗମଞ୍ଚର ଆବଶ୍ୟକତା ନାହିଁ । ଏଗୁଡ଼ିକ ମୁକ୍ତାକାଶ ତଳେ ଯେ କୌଣସି ରାସ୍ତାକୋଣରେ ଅଭିନୟ କରାଯାଇପାରେ ।

ତଥ୍ୟ ଓ ଗବେଷଣାତ୍ମକ ପୁସ୍ତକାବଳୀ :

ସରକାରୀ ତଥା ଅର୍ଦ୍ଧ-ସରକାରୀ ଦପ୍ତରମାନଙ୍କ ଦ୍ୱାରା ବହୁ ସଂଖ୍ୟକ ଉପାଦେୟ ତଥ୍ୟ-ପୁସ୍ତକ ପ୍ରକାଶ କରାଯାଇଅଛି । ତିରିଶ ବର୍ଷ ପୂର୍ବେ ‘ତେଲୁଗୁଭାଷା-ସମିତି’ ଦ୍ୱାରା ଆରମ୍ଭ କରାଯାଇଥିବା ‘ତେଲୁଗୁ ଏନ୍‌ସାଇକ୍ଳୋପେଡ଼ିଆ ସିରିଜ୍’ ବର୍ତ୍ତମାନ ଏକ ନୂତନ ଉପଦେଷ୍ଟା ସମିତି ଓ ନୂତନ ସମ୍ପାଦକ ମଣ୍ଡଳୀଙ୍କ ତତ୍ତ୍ୱାବଧାନରେ ପ୍ରକାଶ କରାଯିବା ପାଇଁ ପୁନର୍ବାର ଉଦ୍ୟମ କରାଯାଇଛି । ପୂର୍ବରୁ ଏହି କାର୍ଯ୍ୟ ସହିତ ସମ୍ପୃକ୍ତ ରହି ଆସିଥିବା ଡଃ ମୋତୁରି ସତ୍ୟନାରାୟଣା ପୂର୍ବ ଓ ବର୍ତ୍ତମାନର ସଙ୍କଳନ କାର୍ଯ୍ୟର ସଂଯୋଜକ ହୋଇଛନ୍ତି । ଏହି ଏନସାଇକ୍ଳୋପେଡ଼ିଆର ‘‘ତେଲୁଗୁ ସଂସ୍କୃତି’’ ଭାଗଟି ପ୍ରକାଶିତ ହୋଇ ସାରିଲାଣି । ଏ ଭାଗଟିରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଅନ୍ତର୍ଭୁକ୍ତ ହୋଇଛି । ଅନ୍ୟଭାଗ ଗୁଡ଼ିକ ଖୁବ୍‌ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ।

ତେଲୁଗୁ ଭାଷା ଓ ସାହିତ୍ୟ ସମ୍ପୃକ୍ତ କେତେକ ସ୍ଥାୟୀ ସମସ୍ୟା ସମ୍ପର୍କରେ ବର୍ତ୍ତମାନ ଗବେଷଣା କାର୍ଯ୍ୟ ଅବ୍ୟାହତ ରହିଥିବା ଜଣାଯାଏ । କିନ୍ତୁ ଅନେକ ସ୍ଥଳରେ ଏଗୁଡ଼ିକ ଗୋଷ୍ଠୀଗତ ଆତ୍ମଶାଘା ବା ଗୋଷ୍ଠୀ ମତବାଦ ପ୍ରଭାବରୁ ମୁକ୍ତ ରହିପାରୁ ନାହିଁ । ଗବେଷକ ଓ କବି ଅରୁଦ୍ରଙ୍କ ‘ସମଗ୍ର ଆନ୍ଧ୍ର ସାହିତ୍ୟମ୍’ (ତେଲୁଗୁ ସାହିତ୍ୟର ବିସ୍ତୃତ ଇତିହାସ)ର ବାରଗୋଟି ଭାଗ ପୂର୍ବରୁ ପ୍ରକାଶିତ ହୋଇଥିଲା । ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ର ସମୟ ଉପରେ ଆଧାରିତ (୧୭ଶ ରୁ ୧୯ଶ ଶତକ) ଏହାର ୧୩ଶ ସେ ବର୍ତ୍ତମାନ ରଚନା କରିଛନ୍ତି । ‘ତେଲୁଗୁ’ ଓ ‘ତେନୁଗୁ’ ସମ୍ପର୍କରେ ଉପୁଜିଥିବା ବିବାଦ ସମ୍ପର୍କରେ ମତଦେଇ ସେ କହିଛନ୍ତି ଯେ, ‘ତେନୁଗୁ’ ଶବ୍ଦଟି ଅଧିକ ପ୍ରାଚୀନ । ଏହି ଶବ୍ଦଟି ଖ୍ରୀଷ୍ଟଜନ୍ମର ବହୁ ଶତାବ୍ଦୀ ପୂର୍ବରୁ ମୂଳ ଭାଷା ବର୍ଗରୁ ବିଚ୍ଛିନ୍ନ ଏକ ପ୍ରାକ୍‌ଦ୍ରାବିଡ଼ ଦାକ୍ଷିଣାତ୍ୟ ଭାଷାରୁ ଉତ୍ପନ୍ନ ବୋଲି ସେ ଅନୁମାନ କରିଛନ୍ତି । ତାଙ୍କର ମତ ପ୍ରତିପାଦନ କରିବାପାଇଁ ସେ ଭାରତୀୟ ଏବଂ ବୈଦେଶିକ ପ୍ରତ୍ନତତ୍ତ୍ୱରୁ ଉଦ୍ଧୃତ ମାନ ପ୍ରଦାନ କରିଅଛନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ଏ ସମ୍ପର୍କରେ ଏକ ନିର୍ଦ୍ଦଷ୍ଟ ବିଜ୍ଞାନସମ୍ମତ ସିଦ୍ଧାନ୍ତରେ ଉପନୀତ ହେବା ସମ୍ଭବ ହୋଇନାହିଁ କିମ୍ବା ଯେ ପର୍ଯ୍ୟନ୍ତ ପ୍ରାଚୀନତା ଉପରେ ଗୁରୁତ୍ୱ ଆରୋପ ନକରି ଭାବପ୍ରବଣତା ପରିହାରପୂର୍ବକ ଆମେ ଏ ସମ୍ପର୍କରେ ଖୋଲାମନରେ ବିଚାର ନ କରିଛୁ, ସେ ପର୍ଯ୍ୟନ୍ତ କୌଣସି ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବା ସମ୍ଭବ ହେବନାହିଁ । ବିଭିନ୍ନ ଭାରତୀୟ ବିଷୟ ଉପରେ ବ୍ୟାପକ ଭାବେ ଏବଂ ନିର୍ଦ୍ଦିଷ୍ଟଭାବେ ଭାରତୀୟ ଭାଷା ସମ୍ପର୍କରେ ଗବେଷଣାମାନ ଚାଲିଛି । ସମ୍ପ୍ରତି ପୁନରୁତ୍‌ଥିତ ଆଞ୍ଚଳିକ ଜାତୀୟତାକୁ ସୁହାଇବାଭଳି ରୀତିରେ ଏସବୁ ଗବେଷଣା ହେଉଛି ଏବଂ ଏଥିରେ ବିଦ୍ୟୋଚିତ ଆଭିମୁଖ୍ୟ ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରାଯାଉ ନଥିବା ଦେଖାଯାଉଛି । ବିବକ୍ଷା ନିର୍ବିଶେଷରେ ଗବେଷଣା ନିଷ୍ପନ୍ନ ସିଦ୍ଧାନ୍ତକୁ ମାନିନେବା ପାଇଁ ପ୍ରସ୍ତୁତ ହୋଇ ନିରପେକ୍ଷ ଗବେଷଣାକୁ ସୁହାଇବା ଭଳି ମନୋଭାବ ପୋଷଣ କରିବା ପାଇଁ ଆମକୁ ଆହୁରି ଅନେକ ସମୟ ଲାଗିବ ।

Vivekananda Kendra Patrika

Vol-14, No. 1 ରେ ପ୍ରକାଶିତ

"Treads in Telugu Literature

A birds eye-View" ପ୍ରବନ୍ଧର ଅନୁବାଦ

ଅନୁବାଦକ : ଶ୍ରୀ କୈଳାଶବିହାରୀ ଦାସ

ସହ-ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ

 

***

 

Unknown

କବିତାର ବିଭାବ : ପ୍ରତୀକ

ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି

 

କବିତାର ଆଲୋଚନାରେ ସାଧାରଣତଃ, ଚିତ୍ରକଳ୍ପ, ଉପମା, ପ୍ରତୀକ ପ୍ରଭୃତି ଶବ୍ଦ ଅନାୟାସରେ ପ୍ରବେଶ କରିଥାନ୍ତି । ଅନେକ ସମୟରେ ଏଗୁଡ଼ିକ ଗୋଟିଏ ନିର୍ଦ୍ଦିଷ୍ଟ କବିତାର ପରିପ୍ରେକ୍ଷୀରେ ଆଲୋଚିତ ମଧ୍ୟ ହୁଅନ୍ତି । କିନ୍ତୁ ସାଧାରଣ ଭାବେ ଏମାନଙ୍କର ଆଲୋଚନା ଅନେକ ତତ୍ତ୍ୱର ଅପେକ୍ଷା ରଖେ । ତଥାପି ଏମାନଙ୍କର ସ୍ୱରୂପ ନିର୍ଣ୍ଣୟ କରିବା ଅତି ଜଟିଳ । କାରଣ, ବିଗତ ତିନି ହଜାର ବର୍ଷର କାବ୍ୟିକ ଅନୁଭୂତି ମଧ୍ୟରେ, ପୃଥିବୀକୁ ଦେଖିବା, ଚିହ୍ନିବା ଏବଂ ରୂପାୟନ କରିବା ପ୍ରକ୍ରିୟା ଏବଂ ପ୍ରଣାଳୀ ଏତେ ମାତ୍ରାରେ ବିଭିନ୍ନ ଯେ, କୌଣସି ସରଳ ସାର୍ବଜନୀନ ଓ ସମସ୍ତ ଗ୍ରହଣ କରିବା ଭଳି ସଂଜ୍ଞା ନିରୂପଣ କରିବା କେବେହେଲେ ସମ୍ଭବ ହୋଇ ନପାରେ । ତଥାପି ଏହି ପୃଷ୍ଠାମାନଙ୍କରେ, ସଂକ୍ଷିପ୍ତ ଭାବେ ସଂଜ୍ଞାନିରୂପଣ ନହେଲେ ମଧ୍ୟ ଚିତ୍ରକଳ୍ପ, ଉପମା ଏବଂ ପ୍ରତୀକର ପରିଚିତି ଏବଂ ପ୍ରକାର ଭେଦ କରିବି । ବିଶେଷ କରି, ଆମର ଧ୍ୟାନ ରହିବ; ପ୍ରତୀକ ଉପରେ । ପ୍ରତୀକର ଆଲୋଚନା ଯେହେତୁ ଚିତ୍ରକଳ୍ପ ଓ ଉପମାକୁ ବାଦ୍ ଦେଇ କରିବା ସମୀଚୀନ ନୁହେଁ, ସେମାନେ ମଧ୍ୟ ଆଲୋଚନା ପରିସରଭୁକ୍ତ ହେବେ, ଇଚ୍ଛାକୃତ ଭାବେ ।

 

ସମସ୍ତେ ସ୍ୱୀକାର କରନ୍ତି ଯେ, କବିତା (୧) ପୃଥିବୀ ଓ ମଣିଷର ସମ୍ପର୍କଜନିତ ଅନୁଭୂତିକୁ ନେଇ ପୃଥିବୀକୁ ବୁଝାଇ ଦିଏ ବା ପୃଥିବୀର ବିଭିନ୍ନ ଦୃଶ୍ୟ, ଶବ୍ଦ, ସ୍ପର୍ଶ, ଗନ୍ଧ, ସ୍ୱାଦକୁ ସାଂପ୍ରତିକ ସଂସ୍କୃତିର ଧାରଣା ଉପରେ ସ୍ଥାପିତ କରି ପରିବେଷଣ କରେ, ସଜାଇ ଦିଏ, ସୂଚାଇ ଦିଏ, କହି ପକାଏ ଏବଂ (୨) କବିତା (ବା କବି) ତା’ର ସ୍ୱକୀୟ ଧରଣା, ଅନ୍ତଃଦୃଷ୍ଟି ଓ ସୌନ୍ଦର୍ଯ୍ୟ ବା ବିନ୍ୟାସ ନେଇ ସୃଷ୍ଟି କରେ ଆଉ ଏକ ପୃଥିବୀ । ଏହି ଦୁଇ ଧାରଣା ବାହାରେ ଏବଂ ସୀମା ଭିତରେ, ଅନ୍ୟାନ୍ୟ ଅନେକ କାବ୍ୟାନୁଭୂତି ଓ ତତ୍ତ୍ୱ-ଜିଜ୍ଞାସା ବିଷୟରେ ମୁଁ ସଚେତନ ଥିଲେ ମଧ୍ୟ ସେଗୁଡ଼ିକ ଯେହେତୁ ଆମର ଉପସ୍ଥିତ ଆଲୋଚନା ପରିପ୍ରେକ୍ଷୀରେ ଅପ୍ରାସଙ୍ଗିକ, କୌଣସି ଟିପ୍‌ପଣୀ କରିବି ନାହିଁ ଏବଂ ସବୁ ଯୁଗ ବା କବିର କାବ୍ୟତତ୍ତ୍ୱ ମଣିଷର ସାଂସ୍କୃତିକ ଇତିହାସ ମଧ୍ୟରେ ବିଭିନ୍ନ ବିଭବ ଉପରେ ଆଧାରିତ ହୋଇଥିବା ଯୋଗୁଁ ସବୁ ତର୍କମୀମାଂସା ଜୀବନ ଓ ପୃଥିବୀ ମଧ୍ୟରେ ସୀମିତ । ତେଣୁ କବି ହୁଏତ ଜୀବନ ଓ ପୃଥିବୀର ବ୍ୟାଖ୍ୟାକାର ବା ପରିବେଷକ ଏବଂ ଅନ୍ୟ ଭୂମିକାରେ ସ୍ରଷ୍ଟା । ସେ ଯେଉଁ ଭୂମିକା ଗ୍ରହଣ କଲେ ମଧ୍ୟ ତା’ର ମୂଳ ଆୟୂଧ ହେଲା, ଦୁଇ ପ୍ରକାର : ଇନ୍ଦ୍ରିୟ ଓ ମନ । ଆତ୍ମା, କଳ୍ପନା, ଯୁକ୍ତି ପ୍ରଭୃତି, ମୋ’ ମତରେ ମନର ବିଭିନ୍ନ ଶକ୍ତି ଏବଂ ସେମାନଙ୍କର ଶ୍ରେଣୀ ବା ସୋପାନ ଭେଦ, ତତ୍ତ୍ୱସ୍ତରରେ ବିଶେଷ ସହାୟକ ନୁହନ୍ତି । ସେ ଯାହାହେଉ ଇନ୍ଦ୍ରିୟ ମାଧ୍ୟମରେ ବାହାର ପୃଥିବୀ, ମଣିଷର ମନ ଭିତରେ ପ୍ରବେଶ କରେ, ଏବଂ ମନ, କଳ୍ପନାକୁ ଜାଗ୍ରତ କରି, ବାସ୍ତବ ବିନ୍ୟାସର ଅନୁକରଣ, ଉପସ୍ଥାପନ କିମ୍ବା ସଜ୍ଜୀକରଣ କରେ; ବିଭିନ୍ନ ଭାବରେ ।

 

ବର୍ତ୍ତମାନ ଦେଖାଯାଉ, ମଣିଷ କ’ଣ ଦେଖେ ବାହାର ପୃଥିବୀରେ । ବସ୍ତୁ, ଦ୍ରବ୍ୟ, ଉଦ୍ଭିଦ ବା ସ୍ଥାବର-ଜଙ୍ଗମର ବହୁବିଧ ମିଶାଣ ଫେଡ଼ାଣ ବ୍ୟତୀତ, ସେ ଛନ୍ଦ ଦେଖେ, ସୌନ୍ଦର୍ଯ୍ୟ ଦେଖେ, ଏବଂ କିଛି ସତ୍ୟ ଗ୍ରହଣ କରେ । ଆଲୁଅ-ଅନ୍ଧାର, ଦିନରାତି, ବର୍ଷା, ଆକାଶର ମେଘମୁକ୍ତି, ଲୟ-ବିଲୟ ପ୍ରଭୃତିକୁ ଯୋଡ଼ିବାକୁ ଚେଷ୍ଟା କରେ, ନିଜ ଜୀବନ ସହିତ ଏବଂ ତା’ର ମନ ଭିତରେ ଯେଉଁ ପ୍ରତିକ୍ରିୟା ତାକୁ ପ୍ରବଳଭାବେ ଆଲୋଡ଼ନ କରେ, ସେହି ପ୍ରତିକ୍ରିୟା, ହିଁ ସେ ପ୍ରକାଶ କରେ । ପ୍ରାଥମିକ ଅବସ୍ଥାରେ ମାନେ, ଭାଷାସୃଷ୍ଟିର ପ୍ରଥମ ପର୍ଯ୍ୟାୟରେ ମଣିଷର ପ୍ରଥମ ପ୍ରତିକ୍ରିୟା ଥିଲା ପ୍ରକୃତି ସମ୍ପର୍କରେ । ଯେଉଁ ପ୍ରକୃତି ସହିତ ଦେହରକ୍ଷା କରିବା ପାଇଁ ସେ ସଂଘର୍ଷ କରିଛି, ଯାହା ପାଖରୁ ଆନନ୍ଦ ପାଇଛି, ପ୍ରେରଣା ପାଇଛି, ଭୟ କରିଛି, ଭକ୍ତି କରିଛି, ସେହି ପ୍ରକୃତି ଯେମିତି ସ୍ୱୟଂସମ୍ଭୂତ (ଦେବା-ଦେବୀ, ଈଶ୍ୱରକଳ୍ପନା ଏବଂ ଧର୍ମଧାରଣା ପୂର୍ବରୁ) । ମଣିଷ ମଧ୍ୟ ସେହିପରି କିଛି ହେବା ପାଇଁ ବା କରିବା ପାଇଁ ଚାହିଥିଲା । ଅନ୍ୟ ଭାଷାରେ ଫୁଲ ପରି ଫୁଟି ନ ପାରୁଥିବା, ପାହାଡ଼ ପରି ଉଠି ନ ପାରୁଥିବା, ଆକାଶ ପରି ବିସ୍ତାର ନ ପାଇଥିବା ଓ ଆଲୁଅ ପରି ସବୁକୁ ଜୀବନ୍ତ ଏ ସ୍ପଷ୍ଟ କରି ନ ପାରୁଥିବା ମଣିଷ, ଭାଷା ସୃଷ୍ଟି କରିବା ପାଇଁ ବାଧ୍ୟ ହୋଇଥିଲା କାରଣ, ପୃଥିବୀକୁ ଚିହ୍ନିବା, ଜାଣିବା ଏବଂ ତା’ ସମ୍ପର୍କରେ କହିବା ବା ତା’ର ବିଭିନ୍ନ ଚେହେରା ପରି କିଛି ଗଢ଼ିବା ଲାଗି ଅର୍ଥାତ୍ ଫୁଲ ଫୁଟେଇବା ବା ଗହ୍ୱର ମାପିବା ଭାଷା ଥିଲା, ଏକ ମାଧ୍ୟମ । ତେଣୁ ସେ ‘ଶବ୍ଦ’ ବା ଧ୍ୱନିକୁ ନେଇ କିଛି ଅର୍ଥ ସଂଯୋଗ କରିବା ପାଇଁ ସବୁ ବସ୍ତୁ, କଥା ଓ ଅନୁଭୂତିର ନାମକରଣ କରିଥିଲା । ବ୍ୟାକରଣ, ଧ୍ୱନିବିଜ୍ଞାନ ଓ ସଙ୍ଗଠନ ସଂହିତା ସୃଷ୍ଟି ହେବା ପୂର୍ବରୁ ମୌଖିକ ପରମ୍ପରାରେ ଭାଷାର କି ପ୍ରକାର ବ୍ୟବହାର ହେଉଥିଲା, ତା’ର ପ୍ରମାଣ ଆଜି ପାଇବା କଷ୍ଟ ହେଲେ ମଧ୍ୟ, କନ୍ଧ ବା ଆଦିବାସୀମାନଙ୍କର ମୌଖିକ ପରମ୍ପରାର ଗୀତ ଭିତରେ ମଣିଷର ପ୍ରକାଶ ଇଚ୍ଛା, ଓ ପ୍ରକୃତି ପରି ଏକ ‘ପ୍ରକାଶ’ ସୃଷ୍ଟି କରିବାର ଆଭାସ ମିଳେ । ଭାଷାସୃଷ୍ଟି ତେଣୁ, ଇନ୍ଦ୍ରିୟାନୁଭୂତ ଓ ଚିନ୍ତା-କଳ୍ପନାର ପୃଥିବୀକୁ ବୁଝିବା ଓ ରୂପାନ୍ତରିତ କରିବାର ଏକ ଚରମ ଆବଶ୍ୟକତା, ଯାହା ମଣିଷ ବୁଝିପାରି ବିଭିନ୍ନ ଶବ୍ଦ ଓ ସଙ୍କେତର ଲିପି ସୃଷ୍ଟି କଲା : ଅନେକ ବର୍ଷର କଠୋର ପରିଶ୍ରମ, ସାଧନା ଓ ବିଶେଷ କରି ଏକ କାବ୍ୟିକ ବା ସୃଜନକାମନା ବଳରେ ।

 

ଭାଷା ଓ ଶବ୍ଦସମ୍ଭାର, ମଣିଷ ଦ୍ୱାରା, ପୃଥିବୀ ପ୍ରକାଶର ସାଙ୍କେତିକ ଉପାଦାନ ବ୍ୟତିତ ଅନ୍ୟକିଛି ନୁହେଁ । ଅନ୍ୟାନ୍ୟ କଳା ସେହି ପ୍ରକାଶଇଚ୍ଛାର ଅନ୍ୟନାମ ଏବଂ ସେଗୁଡ଼ିକର ଉପାଦାନ ଗୁଡ଼ିକ ମଧ୍ୟ ସାଙ୍କେତିକ ଓ ପ୍ରତୀକଧର୍ମୀ । ଏହି ମୌଳିକ ଧାରଣା ଗ୍ରହଣ କଲେ ସ୍ପଷ୍ଟ ହୁଏ ଯେ, କବିତାର ଭାଷା ସ୍ୱାଭାବିକ ଭାବେ ସମ୍ପର୍କର ଭାଷା : ସମୟ ଓ ବିସ୍ତାର ସହିତ ମଣିଷର ସମ୍ପର୍କର ସାଙ୍କେତିକ ଭାଷା । ଏଥିରେ ବ୍ୟବହୃତ ପ୍ରତ୍ୟେକ ଶବ୍ଦ ଗୋଟିଏ ଗୋଟିଏ ସମ୍ପର୍କର ସଙ୍କେତ । ସେହି ସମ୍ପର୍କ ତୁଳନାତ୍ମକ, ସମଧର୍ମୀ ବା ବିପରୀତ ସୂଚକ ଏବଂ ମଣିଷର ବୋଧ ଓ ଆବେଗ ସହିତ ବୁଦ୍ଧି ଓ କଳ୍ପନା ଦ୍ୱାରା ପୃଥିବୀର ଯେଉଁ ଆନୁଭୂତିକ ସମ୍ପର୍କ ପ୍ରତିଷ୍ଠା ହୁଏ, ତାର ପରିପ୍ରକାଶ କେବଳ ଚିତ୍ରକଳ୍ପ, ଉପମା ବା ସମ୍ପର୍କର ଭାଷା ଦ୍ୱାରା ହିଁ ସମ୍ଭବ । ଗୋଟିଏ ଉଦାହରଣ ନିଆଯାଉ :

 

The apparition of these faus in the crowd;

Petals on a wet, black bough,

(‘‘In a Station of the Metro’’ :Ezra Pound)

 

ଏହି ‘‘ସମ୍ପୂର୍ଣ୍ଣ କବିତାର କୌଣସି ବିଶ୍ଳେଷଣ ନକରି, ଏହା କିପରି ଲେଖା ଯାଇଥିଲା, ସେହି ସମ୍ପର୍କରେ ଏଜରା ପାଉଣ୍ଡ ନିଜେ ଲେଖିଥିବା କଥାର ସାରମର୍ମ କହୁଛି । ଯାହା ପ୍ରମାଣ କରିବ ଯେ, କବିତା ସମ୍ପର୍କାନ୍ନେଷଣର ଏକ ମାଧ୍ୟମ । ଏଣୁ କବିତାର ଭାଷାରେ ଯେଉଁ ଶବ୍ଦ ପ୍ରୟୋଗ ହୁଏ, ତାହା ଅନ୍ୟ କଥା ବୁଝାଏ । ଅର୍ଥାତ୍ ଶବ୍ଦକୁ ଜୀବନର ଆବେଗ ବା ଚିନ୍ତାରୁ ବିଚ୍ଛିନ୍ନ କରି ଦେଖିବା ବୈଜ୍ଞାନିକ ମନୋବୃତ୍ତି ଗ୍ରହଣ କଲେ, କବିତା ବୁଝି ହେବ ନାହିଁ, ଯେହେତୁ ଅସମ୍ପର୍କିତ ଶବ୍ଦ ସଙ୍ଗଠନ କବିତା କ୍ଷେତ୍ରରେ ଅସ୍ୱାଭାବିକ ।

 

କଥାଟି ହେଲା ଏହିପରି :

ଦିନେ ଭୂଇଁତଳେ ରେଳଗାଡ଼ିରୁ ଓହ୍ଲାଇ ପାଉଣ୍ଡ ହଠାତ୍ ଗୋଟିଏ ସୁନ୍ଦର ମୁହଁ ଏବଂ ପରେ ପରେ ଗୋଟିଏ ସୁନ୍ଦରୀ ସ୍ତ୍ରୀ ଦେଖିଲେ । ସେ ଦିନସାରା ଶବ୍ଦ ଖୋଜିଲେ, ଯାହା ମାଧ୍ୟମରେ ପାଉଣ୍ଡ ସେହି ମଧୁର ଓ ‘‘ହଠାତ୍ ଆବେଗ’’କୁ କହି ପାରିବେ । ସେ କୌଣସି ଶବ୍ଦ ପାଇଲେ ନାହିଁ-। ସେଦିନ ସନ୍ଧ୍ୟାରେ ଅନେକ ଚିନ୍ତା କଲାପରେ ସେ ହଠାତ୍ ଆବିଷ୍କାର କଲେ ଯେ, ଗୋଟିଏ ସାଦୃଶ୍ୟ ରଙ୍ଗ, (ଶବ୍ଦ ନୁହେଁ) ତାଙ୍କ ମନରେ ଆସିଛି : ଗୋଟିଏ ପ୍ରାଥମିକ ଶବ୍ଦ ରଙ୍ଗଭାଷାର । ସେ ଯଦି ଚିତ୍ରକର ହୋଇଥାନ୍ତେ, ସେ ନାରୀମୂର୍ତ୍ତିର ଛବି ନ ଆଙ୍କି, କେବଳ କୋତୋଟି ରଙ୍ଗକୁ ବିନ୍ୟାସ ପରି ସଜାଇଥାନ୍ତେ । ଯଦି ତାଙ୍କ ମନରେ ପ୍ରଥମେ ରଙ୍ଗ ସାଦୃଶ୍ୟ ନ ଆସି ସ୍ୱର ବା ଧ୍ୱନି କିମ୍ବା ସ୍ତର ସାଦୃଶ୍ୟ ଆସିଥାନ୍ତା, ସେ ହୁଏତ ସଙ୍ଗୀତ କିମ୍ବା ମୂର୍ତ୍ତି ଗଠନ କରିଥାନ୍ତେ । ପ୍ୟାରି ସହରର ଏହି ଅନୁଭୂତି ପରେ ସେ ଯେତେବେଳେ କାନ୍ଦିସ୍କିଙ୍କର ‘‘ଆକାର ଓ ରଙ୍ଗ’’ ପରିଚ୍ଛେଦ ପଢ଼ିଲେ, ତାଙ୍କୁ କୌଣସି କଥା ନୂଆ ଲାଗି ନଥିଲା । ସେ କେବଳ ବୋଧକଲେ ଯେ, ସେ ଯାହା ବୁଝିଛନ୍ତି ଅନ୍ୟଜଣେ ସେହି କଥା ବୁଝି ଲେଖିଛନ୍ତି ।

 

ଏହି ଅନୁଭୂତିର ସିଦ୍ଧାନ୍ତ, ରୂପେ ପାଉଣ୍ଡ କହନ୍ତି ଯେ ଚିତ୍ର, ବା ରୂପ ବା ଛବି କବିତାର ଅଳଙ୍କାର ବା ଆଭୂଷଣ ନୁହେଁ । ଏହାହିଁ କବିତାର ଭାଷା.......।

 

(Gaudier-Brzeska : A Memoir, 1960)

 

ବର୍ତ୍ତମାନ ଭାରତୀୟଭାଷାରୁ ଏକ ଉଦାହରଣ ନିଆଯାଉ :

 

କାନ୍ତା ନୁହେଁ ସେ ଯେ କାନ୍ତାର

 

ତା’ର କୁଚ ଯେ ପର୍ବତ ଦୁର୍ଗମ ।

ତହିଁ ଲୁଚିଅଛି କାମ ତସ୍କର

 

ମନ-ପଥିକ ସେଥିରେ ନ ଭ୍ରମ ।

 

(ଭର୍ତ୍ତୃହରିଙ୍କ, ‘‘ଶୃଙ୍ଗାର ଶତକ’’, ଅନୁବାଦ : ଜାନକୀ ବଲ୍ଲଭ ପଟ୍ଟନାୟକ, ପୃ-୫୩)

 

ଏହି ସରଳ ସୁନ୍ଦର ପଦଟିରେ ଯେଉଁ ଶବ୍ଦସବୁ ବ୍ୟବହୃତ ହୋଇଛନ୍ତି, ସେଗୁଡ଼ିକ ଅନ୍ୟଏକ ସାଦୃଶ୍ୟ ଲକ୍ଷଣ ଦେଖାଇ ଏକ ଆପାତ ବିରୋଧାଭାସ ସୃଷ୍ଟି କରନ୍ତି । ନାରୀ ‘‘କାନ୍ତା’’ ରୂପରେ ଉଭା ହୋଇଥିଲେ ମଧ୍ୟ କବି ତାକୁ ‘‘କାନ୍ତାର’’ କହନ୍ତି । ଅର୍ଥାତ୍ ଗୋଟିଏ ସୁନ୍ଦର, ସୁଠାମ, ପ୍ରେମାଚ୍ଛାଦିତ ନାରୀ, ଅନ୍ୟ ଏକ ବିସ୍ତାର ଅର୍ଥାତ୍ ପ୍ରକୃତିର ଅବୋଧ୍ୟ ବା ‘‘ଦୁର୍ଗମ’’, ଭାବବିହୀନ ‘‘କାନ୍ତାର’’ ବା ଅପନ୍ତରା ବଣ ସହିତ ତୁଳନୀୟ ହୋଇଛି । କାରଣ କାମ ବା ମଦନ ବା ସଦ୍‌ମାର୍ଗବିଚ୍ୟୁତକାରୀ ଲାଳସା, ସେହି ‘‘କାନ୍ତା’’ର ଦୁର୍ଗମ ପର୍ବତ ପରି କୁଚ ଭିତରେ ଲୁଚିରହି ପଥିକ ବିଶେଷକରି ମଣିଷ ମନର ସନ୍ଧାନୀପଣକୁ ଭ୍ରଷ୍ଟକରେ ବା ଲୁଟିନିଏ । କିନ୍ତୁ ପଦଟିର ଚମତ୍କାରିତା ସାଦୃଶ୍ୟ ଅପେକ୍ଷା ଅସାଦୃଶ୍ୟ ବା ବୈଷମ୍ୟର କାବ୍ୟିକତାରେ ଅର୍ଥପୂର୍ଣ୍ଣ ହୁଏ । ବିଶେଷକରି ଦୁଇଟି ଶୃଙ୍ଖଳା ଏଠି ଦେଖିବାକୁ ମିଳେ :

 

ସୁନ୍ଦରୀ ନାରୀ, କୁଚ, କାମ, ମନ;

ଅରଣ୍ୟ, ଦୁର୍ଗମ ପର୍ବତ, ପଥିକ, ତସ୍କର ।

 

ଏ ଦୁଇଟି ଶୃଙ୍ଖଳାର ପରସ୍ପର ସଙ୍ଘାତଶୀଳ ଏକାତ୍ମତାରେ ନାରୀ-ପୁରୁଷ ସମ୍ପର୍କ, ଏବଂ ପୃଥିବୀ-ମଣିଷ ସମ୍ପର୍କ ପାରମ୍ପରିକ ଏବଂ ସାର୍ବଜନୀନ ଅନୁଭୂତିର ମୂଲ୍ୟାୟନ କରନ୍ତି । ନାରୀ-ପୁରୁଷର ସମ୍ପର୍କକୁ ‘କାମ’ ମଧ୍ୟରେ ସୀମିତ କଲେ, ଜୀବନ ବ୍ୟର୍ଥ ହୁଏ । କାରଣ, ‘ମନ’ ଯଦି କାମବଶ ହୁଏ, କୌଣସି ଉତ୍ତରଣର ସମ୍ଭାବନା ଅସମ୍ଭବ । ସେହିପରି ପଥିକ ଯଦି କାନ୍ତାର ଭିତରେ, ଦୁର୍ଗମ ପର୍ବତରେ ତସ୍କର ହାବୁଡ଼େ ପଡ଼େ, ତା’ର କେବଳ ଯାତ୍ରା ବା ଭ୍ରମଣ ବା ଅନ୍ୱେଷଣ ବ୍ୟର୍ଥ ହୁଏନାହିଁ, ଜୀବନ ମଧ୍ୟ ନଷ୍ଟହୁଏ । ଅର୍ଥାତ୍ ଅଦୃଶ୍ୟ (ଲୁଚିଅଛି) କାମ ଓ ତସ୍କର ସହିତ ଯୁଦ୍ଧ କରିବା ପାଇଁ ଏକ ସାଙ୍କେତିକ ଆହ୍ୱାନ ଏବଂ ବିଫଳତାର ଅନୁଭୂତିର କାବ୍ୟିକ-ସ୍କୃତି ପରିପ୍ରେକ୍ଷୀରେ ଏକ ସତର୍କ ବାଣୀ : ‘‘ସେଥିରେ ନ ଭ୍ରମ ।’’ ଉପରୋକ୍ତ ଦୁଇଟି ଶୃଙ୍ଖଳାର ଭାରସାମ୍ୟ ପଦଟିର ଶେଷ ଶବ୍ଦ ‘‘ଭ୍ରମ’’ ଦ୍ୱାରା ରକ୍ଷା କରାଯାଇଛି । ଭ୍ରମ ଅର୍ଥ ‘‘ଭୁଲ’’ ଭାବେ (ନାରୀଦେହ ଓ ଆସକ୍ତିରେ) ଭୁଲ ନ କରିବା ପାଇଁ ପରାମର୍ଶ ଓ ଭ୍ରମଣ ଅର୍ଥରେ ତସ୍କରସଙ୍କୁଳ ପର୍ବତରେ ନ ଘୂରିବା ପାଇଁ ଉପଦେଶ । କିନ୍ତୁ କାବ୍ୟସ୍ୱର ଯେହେତୁ ଉପଦେଶାତ୍ମକ ନୁହେଁ, ବୈରାଗ୍ୟଯୁକ୍ତି ଗ୍ରହଣୀୟ ହେଲେ ମଧ୍ୟ ରସିକତା ବିବର୍ଜିତ ନୁହେଁ । ତେଣୁ ‘‘ଭ୍ରମ’’କୁ ‘‘ଭୁଲିଯାଅ ନାହିଁ’’ ଅର୍ଥରେ ହିଁ ଗ୍ରହଣ କରିବାକୁ ହେବ । ନାରୀଦେହର ସୌନ୍ଦର୍ଯ୍ୟରେ ଜଡ଼ିତ ମନ କିଛି କରିପାରେ ନାହିଁ ଏବଂ ତସ୍କର ଡରରେ ଆଗେଇ ନଯିବା ମଣିଷ ମଧ୍ୟ ମୂଲ୍ୟହୀନ ଜୀବନ ବଞ୍ଚେ ! ସେଥିପାଇଁ ପାରମ୍ପରିକ ଶୃଙ୍ଗାର ସାହିତ୍ୟରେ ନାରୀ ଦେହର ଆକର୍ଷଣ ଓ ବୈରାଗ୍ୟଚେତନାର ସମ୍ମିଶ୍ରଣ ହୋଇଥାଏ, ନିର୍ଲିପ୍ତ ଅନ୍ୱେଷଣ ଜାଗ୍ରତ କରିବାପାଇଁ । ଆତ୍ମକୈନ୍ଦ୍ରିକ ସ୍ଥାଣୁତ୍ୱ ପାଇଁ ନୁହେଁ-। ନାରୀ ଯେପରି ଅଦ୍ଭୂତ ସାଧନା ଦାବୀକରେ, ସମ୍ଭୋଗ-ଉତ୍ତରିତ ପ୍ରେମ ପାଇଁ, ପ୍ରକୃତି ବା ପୃଥିବୀ ମଧ୍ୟ ଚରମ ସାହସିକତା ଓ ସତର୍କତା ଦାବୀକରେ, ତସ୍କର-ଜୟୀ ଅର୍ଥାନ୍ୱେଷଣ ପାଇଁ ।

 

ଏହି ସାମାନ୍ୟ କଥନ ପରେ ଭର୍ତ୍ତୁହରିଙ୍କ ପଦଟିକୁ ଆଉଥରେ ଦେଖାଯାଉ ।

କବିତା ଏକ ସ୍ୱର : କଥିତ ବା ଅନୁଚ୍ଚାରିତ । ଏଠି ଜଣେ ପୁରୁଷ ଅନ୍ୟ ପୁରୁଷକୁ ବା ମାନଙ୍କୁ କହୁଚି । ଏହାର ସାଂସ୍କୃତିକ ଚେତନାରେ ନାରୀ ଓ ପୁରୁଷ ଏକା ଆସନରେ ନାହାଁନ୍ତି । ନାରୀ ଏଠି ପୁରୁଷ ପାଇଁ ଉଦ୍ଦିଷ୍ଟ । ପୃଥିବୀ ପୁରୁଷ ପାଇଁ ଉଦ୍ଦିଷ୍ଟ । ତେଣୁ ପୁରୁଷ ପାଇଁ ଉଦ୍ଦିଷ୍ଟ ହୋଇଥିବା ପୃଥିବୀରେ ନାରୀ, ପୁରୁଷର ଅନ୍ୱେଷଣ, ଆମୋଦ ଓ ଭୋଗ ପାଇଁ ଉଦ୍ଦିଷ୍ଟ । ‘‘କାନ୍ତା’’ ସୌନ୍ଦର୍ଯ୍ୟ, ସୌଷ୍ଠବ, ପ୍ରେମ ଓ ଅନ୍ୟାନ୍ୟ ପୁରୁଷ-ମନଲୁବ୍‌ଧକାରୀ ଗୁଣର ଏକ କଳ୍ପନାର ଚିତ୍ରକଳ୍ପ, ଯେଉଁ କଳ୍ପନା ଏକାନ୍ତ ଭାବେ ପୁରୁଷର । ନାରୀ କେବଳ ସେହି ଭୂମିକା ନିଭାଏ । ନିଜକୁ କାନ୍ତା କରେ । ଉଦ୍ଧୃତ ପଂକ୍ତିରେ, ପୁରୁଷ କଳ୍ପନାର ଏକ ରୋମାଞ୍ଚିତ ସ୍ଥିର ଢେଉ ହେଉଛି ‘‘କାନ୍ତା’’ । ଅର୍ଥାତ୍ ଏହି କାନ୍ତା କୌଣସି ନିର୍ଦ୍ଦିଷ୍ଟ ନାରୀ ବା ପତ୍ନୀପ୍ରିୟା ନୁହେଁ । (କଶ୍ଚିତ୍‌କାନ୍ତା ବିରହ ଗୁରୁଣାଂ ପରି ନିଶ୍ଚିତ ନୁହେଁ) । ଅର୍ଥାତ୍‌ ଏଠି କାନ୍ତା ସମଗ୍ର ନାରୀ ଜାତିର ପ୍ରତୀକ । ଯେଉଁ ଜାତିକୁ ପୁରୁଷର ସୌନ୍ଦର୍ଯ୍ୟ-ପିପାସୁ ବିଳାସୀ ମନ ‘‘କାନ୍ତା’’ କହି ଆସିଛି, ଅନୁରାଗର ଆଦିପର୍ବରୁ । ଏହି ‘‘କାନ୍ତା’’କୁ ‘‘ନୁହେଁ’’ ଅର୍ଥାତ୍‌ ଅସ୍ୱୀକାର କରାଯାଇଛି । ପାରମ୍ପରିକ ନାରୀର, ସାମାଜିକ ରୋମାଞ୍ଚ ଚିତ୍ର ବା ସାଂସାରିକ ରୋମାଞ୍ଚ ଚିତ୍ରକୁ, କାନ୍ତା ଆସନରୁ ଉଠେଇ ଦିଆ ଯାଇଛି । ତା’ର ସୌନ୍ଦର୍ଯ୍ୟକୁ ବିକ୍ଷିପ୍ତ ବିନଷ୍ଟ କରି, ସୌଷ୍ଠବ ଓ ପ୍ରେମ-ଲାଳିତ୍ୟକୁ ଅସମତଳ କଞ୍ଚା ପ୍ରକୃତିର ଅସମ ବିସ୍ତାରର ଅରଣ୍ୟ କରି ‘‘କାନ୍ତାର’’ କୁହାଯାଇଛି । ଏବଂ ‘‘କାନ୍ତାର’’କୁ ଯଦି ଦୁର୍ଭିକ୍ଷ ବୋଲି ବୁଝାଯାଏ, ତେବେ ନାରୀର ଲକ୍ଷ୍ମୀ ସାଆନ୍ତାଣୀ ରୂପେ ମଧ୍ୟ ବିନଷ୍ଟ ହେଉଛି । ନାରୀ ପାଲଟିଛି ଅସୁନ୍ଦରୀ, ଅଲକ୍ଷ୍ମୀ : ମହାରଣ୍ୟର ଅଚଳ ବିସ୍ତାର । ଏହା ଛଡ଼ା କାନ୍ତା ଏବଂ କାନ୍ତାର ଦୁଇଟି ପରସ୍ପର ବିରୋଧି ନହେଲେ ମଧ୍ୟ, ଭିନ୍ନ ଶୃଙ୍ଖଳାର ଚିତ୍ର । ‘‘କାନ୍ତା’’ ମନର ବିଳାସୀତାର ଚିତ୍ର; କଳ୍ପନାର ସଜ୍ଜିତ ଚିତ୍ର । ଅବଶ୍ୟ କାନ୍ତା ବିବାହିତା ପତ୍ନୀକୁ ମଧ୍ୟ ବୁଝାଏ, କିନ୍ତୁ ଆଗରୁ କହିଚି ଯେ ଏଠି ପତ୍ନୀଚିତ୍ର ବା ନାରୀର ସାମାଜିକ ସ୍ଥିତିର ଚିତ୍ର ଦିଆଯାଇ ନାହିଁ । ଏଠି ‘‘କାନ୍ତା’’ କେବଳ ନାରୀର ମନଲୋଭା ଚିତ୍ର, ଯାହା ଅସ୍ୱୀକୃତ ହୋଇଛି । ‘‘କାନ୍ତା’’ର ଚିତ୍ର ସାମାଜିକ ଓ ପ୍ରାକୃତିକ ଅନୁଭୂତିରୁ ଆସିଚି । ମହାରଣ୍ୟ ଯେପରି ଯିବାକୁ ବାଟ ଦିଏନାହିଁ, ଡରାଏ, ପାଦକୁ ପଛକୁ ଫେରାଏ ପୁଣି ତସ୍କର ଭୟରେ ବିମନା କରେ, କାନ୍ତାର ତା’ର ପ୍ରାକୃତିକ ବିସ୍ତାର । ଏହି ଅନୁଭୂତିର ସାମାଜିକ ଚେତନା, କାନ୍ତାରକୁ ସବୁକିଛି ନଥିବା ବା କିଛି ନ ମିଳିବାର ଚିତ୍ର କରେ ସାମାଜିକ ସ୍ତରରେ ଏବଂ ଏହି ଚେତନା କାନ୍ତାରକୁ ସବୁକିଛି ନଥିବା ବା କିଛି ନ ମିଳିବାର ଚିତ୍ର କରେ ସାମାଜିକ ସ୍ତରରେ ଏବଂ ଏହି ଚେତନା କାନ୍ତାରକୁ ଦୁର୍ଭିକ୍ଷ କହେ, ବଞ୍ଚିବାର ଦୁଃସ୍ଥିତିର ପରିଚାୟକ ଭାବେ । ଏହି ଦୁଇଟି ଭିନ୍ନ ଶୃଙ୍ଖଳାର ଚିତ୍ର ଏଠି ସମଧର୍ମୀ ଓ ପରସ୍ପର ବିରୋଧୀ ଭାବେ ବ୍ୟବହୃତ ହୋଇଛନ୍ତି । କିନ୍ତୁ କାନ୍ତା, କେବଳ ଏଠି କାନ୍ତାର ରୂପରେ ବୁଝିବା ଲାଗି କବି ଆମକୁ ବାଧ୍ୟ କରୁଛନ୍ତି । ନାରୀ ମହା ଦୁର୍ଗମ ପଥର ବ୍ୟାପ୍ତି । ତେଣୁ ତା’ର କୁଚ, ଯାହା ସଭ୍ୟତାର ପ୍ରଥମ ପର୍ଯ୍ୟାୟରୁ ଆଜି ପର୍ଯ୍ୟନ୍ତ ନାରୀ ଦେହର ସୌନ୍ଦର୍ଯ୍ୟ ପସରା ହୋଇ ଆସିଚି ଏବଂ ‘‘ପୀନ ପୟୋଧର’’ ମଣିଷର ଚିତ୍ରକଳା, ସ୍ଥାପତ୍ୟ ଏବଂ ପ୍ରାୟ ସବୁ କଲମତୂଳୀ, ନିହାଣ ମୁଗୁର କାରୁକାର୍ଯ୍ୟରେ ବିଭୂଷିତ, ସେହି କୁଚ ଏଠି ‘‘ପର୍ବତ ଦୁର୍ଗମ’’- କାନ୍ତାରର ଅନ୍ୟ ଏକ ବିପଜ୍ଜନକ ଇଲାକା, ଯେଉଁଠି ‘‘କାମ ତସ୍କର’’ ଲୁଚିଥାଏ । ନାରୀ ତେଣୁ ଏକ ସଂପୂର୍ଣ୍ଣ ବିପରୀତଧର୍ମୀ ଶୃଙ୍ଖଳାର ଚିତ୍ରରେ ପରିଣତ ହୁଏ । ଯେଉଁ ଶୃଙ୍ଖଳାରୁ କାନ୍ତା ଆସିଚି, ତା’ର ଅସ୍ୱୀକାର କରାଯାଇଛି ବଳିଷ୍ଠ ଭାବେ, ଯୁକ୍ତିଯୁକ୍ତ ଭାବେ ।

 

କିନ୍ତୁ ସବୁଠାରୁ ଚମତ୍କାର କଥା ହେଲା, ତୃତୀୟ ବ୍ୟକ୍ତି ବା ସତ୍ତାର ଉପସ୍ଥିତି, ଯାହା ପଦଟିର ତୃତୀୟ ପଂକ୍ତି ଘୋଷଣା କରେ : ‘‘କାମ ତସ୍କର ।’’ ଏ ପର୍ଯ୍ୟନ୍ତ କବିସ୍ୱର ବା କାବ୍ୟପୁରୁଷ, ଶ୍ରୋତା ବା ପାଠକକୁ ଦୁଇଟି ଚିତ୍ର କାବ୍ୟକଳ୍ପ ସଂଯୋଗର ବିପରୀତ ପ୍ରତିକ୍ରିୟା ବା ଅନ୍ୟ ଭାଷାରେ ‘‘କାନ୍ତା’’ର, ‘‘କାନ୍ତାର’’ ବିବର୍ତ୍ତନରେ ଏକ ଅଳସ ଅସୁନ୍ଦର ବିସ୍ତାର ନେଇ ଆସିଛି । ପ୍ରକୃତିର ସାଧାରଣ ସୁଷମା ମଧ୍ୟ ଏଠି ନାହିଁ । ବାସ୍ତବର ଅଣନିଶ୍ୱାସୀ ପୃଥିବୀ କଳ୍ପନାର ଚିତ୍ରପଟକୁ ‘‘ଗ୍ରହଣ’’ କରି ନେଉଛି । ‘‘କାନ୍ତା’’ କଳ୍ପନାର ଚିତ୍ର ବୋଲି ଆଗରୁ କହିଚି, କିନ୍ତୁ ‘‘କାନ୍ତାର’’ ଅନୁଭୂତିର ଚିତ୍ରକଳ୍ପ-। କାନ୍ତାରର ଅନୁଭୂତିରେ ‘‘କାନ୍ତା’’ କଳ୍ପନା ପାଇଁ ଅବକାଶ ନାହିଁ । ପ୍ରଥମ ଦୁଇଧାଡ଼ିରେ ବାସ୍ତବ ଗ୍ରାସ କରୁଚି କଳ୍ପନାକୁ : କୁଚ ମଧ୍ୟ ‘‘ପର୍ବତ ଦୁର୍ଗମ’’ । କୌଣସି ଉଲ୍ଲାସ କିମ୍ବା ସୌନ୍ଦର୍ଯ୍ୟବୋଧ ଜାଗ୍ରତ କରେ ନାହିଁ । କିନ୍ତୁ ସେ ବାସ୍ତବ ଭିତରେ ପ୍ରଥମ କରି ‘‘ଅନ୍ୟ’’ ସତ୍ତା ପ୍ରବେଶ କରିଛି ‘‘କାମ ତସ୍କର’’ ରୂପରେ । ‘‘କାମ’’ ସାଧାରଣ ବ୍ୟାବହାରିକ ଅର୍ଥରେ ଯୌନଲାଳସା ବୁଝାଉଥିଲେ ମଧ୍ୟ, ଚିତ୍ରକାଳ୍ପିକ ଏକତା ରକ୍ଷାକରି କାମଦେବ ବା ମଦନର ଲୁଚାଛପା ଉପସ୍ଥିତି ବିଷୟରେ ସଚେତନ କରାଉଛି । ସେହିପରି କାନ୍ତାର ସହିତ ସେହି ଚିତ୍ରକାଳ୍ପିକ ଏକତା ରକ୍ଷାକରି ପର୍ବତ ଦେଶରେ ତସ୍କର ଲୁଚିଛି । ଏହି ତୃତୀୟ ସତ୍ତା, କାବ୍ୟ-ପୁରୁଷର କାନ୍ତା-କାନ୍ତାର ଅନୁଭୂତି ବାହାରେ ଅନ୍ୟ ଏକ ଅନୁଭୂତି : ଗୋଟିଏ କଳ୍ପନାର, ଅନ୍ୟଟି ବାସ୍ତବର । କାମଦେବ ସାଂସ୍କୃତିକ ଚେତନାରେ ଏକ କଳ୍ପନାର ପୁରୁଷ । ପୁରାଣ, ଉପକଥାର ପୁରୁଷ । ମଣିଷ ପୁରାଣ ବା ଉପକଥା ସୃଷ୍ଟି କରିବା ସ୍ତରର କାବ୍ୟିକ ଚିତ୍ରକଳ୍ପ । କାମଦେବର ଅନୁଭୂତି ବାସ୍ତବୋତ୍ତର । କାରଣ, କାମଦେବର ତାଡ଼ନା ବାସ୍ତବ ଭିତରେ ଅନୁଭୂତ ହେଲେ ମଧ୍ୟ ଏକ ନାନ୍ଦନିକ ଅନୁଭୂତି । ଆକର୍ଷଣ, ବିକର୍ଷଣ, ମାଧ୍ୟାକର୍ଷଣ ସବୁ ଡ଼େଇଁ ସ୍ୱକୀୟ ଛନ୍ଦସୃଷ୍ଟିର ଝଙ୍କାର ତୋଳେ କାମଦେବ । କିନ୍ତୁ ତସ୍କର, ସାମାଜିକ ବାସ୍ତବର ଅନୁଭୂତି, ଯାହା ବଞ୍ଚିବା ପାଇଁ ଆତଙ୍କର ସୃଷ୍ଟି କରେ । ଅର୍ଥାତ୍‌ କାମଦେବ ତସ୍କର ପାଲଟନ୍ତି । କଳ୍ପନାର ରୂପାନ୍ତର କେବଳ ନୁହେଁ, କଳ୍ପନାର ଅପସାରଣ ହୋଇ ତା’ ପରିବର୍ତ୍ତେ ଦେଖାଯାଏ, ଗୋଟିଏ ଚୋର, ଲୁଟିକରି ନେବା ଲୋକ; ହତ୍ୟାକାରୀ ମଧ୍ୟ । ‘‘କାନ୍ତା’’ ଯେଉଁ କଳ୍ପନାର କମନୀୟତା ସାଧାରଣତଃ ପୁରୁଷ ଆଗରେ ଓ ମନରେ ସୃଷ୍ଟି କରେ, ତା’ ଅପସରି ଯାଇ ଉଭା ହେଉଛି; ଦୁର୍ଗମ ବାସ୍ତବ ଭିତରେ । ପୂର୍ବାନୁଭୂତ ସାମାଜିକ ଆତଙ୍କର ଛବି:ତସ୍କର । ତେଣୁ କାନ୍ତା-କୁଚ-କାମ ଯେଉଁ କଳ୍ପନା ଉଲ୍ଲାସ ମଣିଷ ମନରେ ସୃଷ୍ଟି କରନ୍ତି, ତାହା ଅସ୍ୱୀକୃତ ହେଉଛି; ବାସ୍ତବର ଉପସ୍ଥିତି ବଞ୍ଚିବା ପରିପ୍ରେକ୍ଷୀରେ । କାନ୍ତାର-ପର୍ବତ-ତସ୍କର ଦ୍ୱାରା ଦୁଃଖାନୁଭୂତି ସଚେତନତାରେ ଏବଂ କଳ୍ପନା ବିଳାସ ଓ ସୁଖାନୁଭୂତି ପଛରେ ନ ଗୋଡ଼ାଇ ମନକୁ କେବଳ ସତର୍କ, ସଜାଗ ଓ ବିଜ୍ଞ ‘‘ପଥିକ’’ କରାଇବାରେ କାବ୍ୟପୁରୁଷର, ପୌରୁଷର ସୀମାନ୍ତ । ଅର୍ଥାତ୍‌ ସମୟ ସହିତ ରତି, ବୟସ ସଞ୍ଚୟ କରିବାର ଯେଉଁ ଜୀବନ, ତା’ ପାଇଁ ନାନ୍ଦନିକ ସୁଖ ଆଶା କିମ୍ବା ପାର୍ଥିବ ବିଳାସ ଭ୍ରମ ମାତ୍ର ।

 

ଚାର୍ବାକ୍‌ପରି ଭସ୍ମୀଭୂତ ନ ହୋଇଥିବା ଭୂତ, କୁଚ ପର୍ବତରେ କାମବିହାର ନ କରି କାହିଁକି ଯେ ବିଜ୍ଞତା ନାମରେ ଜୀବନର ଅସାରତାକୁ ଏକମାତ୍ର ବାସ୍ତବ ହିସାବରେ ଗ୍ରହଣ କରିବା ପାଇଁ କିଛିଟା କାବିକ୍ୟ ଭୟ ସୃଷ୍ଟି କରାହୋଇଛି । ପ୍ରଶ୍ନ କଲେ, ସାଂସ୍କୃତିକ ଚେତନା ଓ କେତେକ ଐତିହାସିକ ପର୍ଯ୍ୟାୟର ଅନୁଶୀଳନ କରିବାକୁ ପଡ଼ିବ, ଯାହା ଆଲୋଚନାର ସୀମା ଲଂଘନ କରିବ-। ତେଣୁ ଏହି ପଂକ୍ତି ଗୁଡ଼ିକରେ କ’ଣ ସବୁ ଭାଷା ବିଭବ ବ୍ୟବହୃତ ହୋଇଛନ୍ତି ବା କ’ଣ ସବୁ ଉପମା ବା ପ୍ରତୀକ ବା ଚିତ୍ରକଳ୍ପ ବ୍ୟବହୃତ ହୋଇଛନ୍ତି, ତା’ର ସଦ୍ଧାନ୍ତ କରିବା ।

 

‘‘କାନ୍ତା’’ ଯେହେତୁ ନିର୍ଦ୍ଦିଷ୍ଟ ନୁହେଁ ଏବଂ ମଣିଷ ସଂସ୍କୃତି ପରିପ୍ରେକ୍ଷୀରେ କଳ୍ପନାର ଏକ ସାମାଜିକ ସଂଯୋଗ, ଏହା ଏକ ପ୍ରକ୍ଷେପିତ ଚିତ୍ର । ପ୍ରଧାନତଃ ଏହା ମନଆଖିର ଛବି, ଯାହା ବସ୍ତୁ ବା ବ୍ୟକ୍ତି ଉପରେ ଆରୋପିତ ହୋଇଛି ।

 

 

‘‘କାନ୍ତାର’’ ନିଶ୍ଚିତ ଭାବେ ଅନୁଭୂତିର ଚିତ୍ର, ଯାହା ପ୍ରଧାନତଃ (ଆଖି ଦ୍ୱାରା) ଇନ୍ଦ୍ରିୟାନୁଭୂତ ।

 

 

ଦୁର୍ଭିକ୍ଷ ଅର୍ଥରେ ‘‘କାନ୍ତାର’’ ସାମାଜିକ ଦୁଃସ୍ଥିତିର ଚିତ୍ର, ଯାହା ପ୍ରଧାନତଃ ମାନସିକ ବା ବୌଦ୍ଧିକ ଅବରୋଧର ଚିତ୍ର ।

 

 

‘‘କାମ’’ କାବ୍ୟାନୁଭୂତି ଅର୍ଥାତ୍‌କାବ୍ୟ ପରିକଳ୍ପନାର ଦେବତା, ଯିଏ ସଂସ୍କୃତିର ପ୍ରାଥମିକ ସ୍ତରରେ ଚେତନା ଭିତରେ ଅନୁପ୍ରବେଶ କରିଛି, ଏକ ଲୋଭନୀୟ ଭୟ ପରି । ପୁରାଣ ଓ ଉପକଥା ସୃଷ୍ଟିର ଉଦାହରଣ ମଧ୍ୟ କାମ, ଏବଂ ବିଶେଷ କରି କାମ ଆସକ୍ତିର କାବ୍ୟିକ ଆଲେଖ୍ୟ ।

 

 

‘‘ତସ୍କର’’, କାମ ପରି ଚିତ୍ର ନୁହେଁ । କିନ୍ତୁ ‘‘କାମ’’ ସାଂସାରିକ ବାସ୍ତବ ପରିପ୍ରେକ୍ଷୀରେ ଯେଉଁ ନାନ୍ଦନିକ ଜୀବନ ସୃଷ୍ଟି କରେ, ତସ୍କର ନାନ୍ଦନିକ ଜୀବନ ପରିପ୍ରେକ୍ଷୀରେ ସେହି ପୂର୍ବାନୁଭୂତ ବାସ୍ତବ ସୃଷ୍ଟି କରେ । ପରସ୍ପରର ମୂଲ୍ୟାୟନରେ ଉଭୟ କାମ ଓ ତସ୍କର ବା କାମ-ତସ୍କର ଭୟ ହିଁ ସୃଷ୍ଟି କରନ୍ତି ।

 

 

୬.

‘‘ମନ-ପଥିକ’’ ମଧ୍ୟ ଗତାନୁଗତିକ ବିଚାରରେ ଚିତ୍ରକଳ୍ପ ନୁହେଁ । କିନ୍ତୁ ‘‘କାମ ତସ୍କର’’ ଯେଉଁ ଭୟ ସୃଷ୍ଟି କରନ୍ତି, ତାହା କେବଳ ମନପଥିକ ପାଇଁ, କାନ୍ତା ବା କାନ୍ତାର ପାଇଁ ନୁହେଁ କିମ୍ବା କୁଚ ବା ପର୍ବତ ପାଇଁ ନୁହେଁ । କେବଳ ମନପଥିକ ପାଇଁ । ସେଇମାନେ ଲୁଚିଛନ୍ତି; ନାରୀ ଦେହରେ ଓ ବଣ ପର୍ବତରେ । ‘‘କାମ ତସ୍କର’’ ଓ ‘‘ମନପଥିକ’’ ତେଣୁ ବୌଦ୍ଧିକ ସଂଙ୍ଗଠନର ଜଟିଳତା ନେଇ ବ୍ୟବହୃତ ।

 

ପରିଶେଷରେ, ମନ-ପଥିକ ପାଇଁ ସତ୍ୟ ଉଦ୍‌ଘାଟନ ବା ଅନ୍ୟ ଭାଷାରେ କାବ୍ୟ ସିଦ୍ଧି : ‘‘ନ ଭ୍ରମ’’ ଏବଂ ଏହାର ଅର୍ଥ କେବଳ ଆତ୍ମ-ଅପସାରଣ । କାରଣ, ମନ-ପଥିକ ବା ଅନ୍ୱେଷୀ ଆତ୍ମା ସଂସାର ଓ ତା’ର ଆନୁଷଙ୍ଗିକ ମୂଲ୍ୟବୋଧ ଭିତରେ ଯେ କୌଣସିଟିକୁ ଗ୍ରହଣ କଲେ ମଧ୍ୟ ଆନନ୍ଦ ନାହିଁ, ପୂର୍ଣ୍ଣତା ନାହିଁ, ବିଜୟ ନାହିଁ । ଅନ୍ୟ ଅର୍ଥରେ କୌଣସି ନିର୍ଦ୍ଦିଷ୍ଟ ମନସ୍ଥିତି ଯଥା : ଶାନ୍ତି, ଆନନ୍ଦ ବା ଚରମ ନୀରବତାର ସ୍ଥିର ବିନ୍ଦୁ ଆଣିବା ପରି କିଛି ନାହିଁ, ଏହି ପୃଥିବୀରେ । ତୁମେ ଗୀତ ଗାଅ, ଜୀବନକୁ ଭଲପାଅ, ନାରୀର ସୌନ୍ଦର୍ଯ୍ୟକୁ ଭଲପାଅ କିମ୍ବା ‘‘ବଜ୍ର ବିଦ୍ୟୁତଇ ରମ୍ମଦମୟ’’ ଆକାଶ ତଳେ ପର୍ବତ ଚଢ଼, ବା ତସ୍କର ହତ୍ୟା କର ବା ପତାକା ପୋତ, ଯାହା କଲେ ବି ଅର୍ଥହୀନତାହିଁ ଜୀବନର ସତ୍ୟ । କାରଣ, କୌଣସି ମାର୍ଗ ଶାନ୍ତି ବା ଆନନ୍ଦ ବା ପୂର୍ଣ୍ଣତା ଦେବେ ନାହିଁ । କେବଳ ପଥିକଟା ପଥଶ୍ରାନ୍ତ ହେବ, ନିରର୍ଥକ ଅନ୍ୱେଷଣରେ । ତେଣୁ ଉଭୟ ମାୟା-ପ୍ରଲୋଭନ । ଏ ପୃଥିବୀ ବିଜୟ ପାଇଁ ନୁହେଁ, କେବଳ ପରାଜୟ ପାଇଁ ।

 

ପଥିକ କହିଲେ ଯଦି ପଥରେ ବା ମାର୍ଗରେ ଯିବା ଲୋକକୁ ବୁଝାଏ, ତେବେ ପଥିକ ମଣିଷର ବୁଦ୍ଧି-ଜ୍ଞାନ ପ୍ରସୂତ ବିଭିନ୍ନ ମାର୍ଗରେ ଯିବା ଲୋକଙ୍କୁ ବୁଝାଇବ । ଅର୍ଥାତ୍‌ ଯେଉଁସବୁ ପଥ ରହିଛି, ମନ-ପଥିକ ସେହିସବୁ ପଥ ଦେଇ ଖୋଜି ସାରିଲା ପରେ, ଐତିହାସିକ ଅନୁଭୂତିରେ ନିର୍ଯ୍ୟାସ ପରି ସାମଗ୍ରିକ ଅନୁଭୂତିରେ ରୂପାନ୍ତରିତ ହୋଇଛି, କାବ୍ୟ-ସ୍ୱର । ତେଣୁ ସେହି ସାମଗ୍ରିକ ଶ୍ରୋତା ବା ପାଠକ ବା ମଣିଷଜାତି ପ୍ରତି ଏକ ଆହ୍ୱାନଭରା ସିଦ୍ଧିଶବ୍ଦ : ‘‘ନ ଭ୍ରମ’’ । ଏକ ‘‘ସତ୍ୟ’’ ଅର୍ଥାତ୍‌ ଜୀବନ-ଦର୍ଶନର । ଏହା ଏକ ସଂପୂର୍ଣ୍ଣ ଜୀବନ-ଚିତ୍ର ବା ପୃଥିବୀ-ପ୍ରତୀକ । କବିଙ୍କର ସ୍ୱକୀୟ ବିଦ୍ୟା, ଜ୍ଞାନ, ଜୀବନ-ଦର୍ଶନ ବା ଅନ୍ୟ ଭାଷାରେ ପୂର୍ଣ୍ଣାନୁଭୂତିର ସିଦ୍ଧାନ୍ତ । ଅନେକେ କହିଛନ୍ତି ଓ କହିବେ ଯେ, ଏହା ଏକ ମହାତାତ୍ତ୍ୱିକ ସିଦ୍ଧାନ୍ତ ଏବଂ ଏହା ସବୁ ତତ୍ତ୍ୱର ‘‘ଦେହ’’ ଓ ‘‘ଆତ୍ମା’’ ବହନ କରେ ।

 

ସେଇ ସତ୍ୟ ହେଲା ଅନାସକ୍ତି । ଭୁଲ ନ ବୁଝି ବା ମୋହିତ ନ ହୋଇ ବଞ୍ଚିବାକୁ ହେବ । ମୋହଭଙ୍ଗ ପରେ ହିଁ ଶାନ୍ତି । ଜୀବନ ଯେହେତୁ ରମାକାନ୍ତ ରଥଙ୍କ କବିତାପରି ମୋହଭଙ୍ଗ ଚଉତିଶା ହିଁ ଶୁଣାଏ ମୋହମୁକ୍ତି ପାଇଁ ଆତ୍ମ-ଅପସାରଣ ନୁହେଁ, ଅନାସକ୍ତ, ଜ୍ଞାନୋଦୀପ୍ତ ଜୀବନ ବଞ୍ଚିବା ପାଇଁ ସ୍ପଷ୍ଟ ଆଭାସ ।

 

କିଛି ପୂର୍ବରୁ କହିଥିଲି ଯେ, ‘‘ଏହାର ଅର୍ଥ କେବଳ ଆତ୍ମ-ଅପସାରଣ’’ । ଉଦ୍ଧୃତ ପଦର କାବ୍ୟ ସଙ୍ଗଠନ ଏବଂ ଚିତ୍ର ପରିବେଷଣ ଦୃଷ୍ଟିରୁ ‘‘ନ ଭ୍ରମ’’ ବେଶି ମାତ୍ରାରେ ଆତ୍ମ-ଅପସାରଣ ବା ଜୀବନ ବିମୁଖତା ହିଁ ସୂଚାଏ । କାରଣ, ଉଭୟ କାନ୍ତା-କାନ୍ତାରର ପୃଥିବୀକୁ, ସେ କେବଳ କାନ୍ତାର ପରି ଦେଖି ଆଗେଇ ନ ଯିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି । ଏହି ବିଶ୍ୱଧାରଣା ବା ବିଶ୍ୱାନୁଭୂତି ପ୍ରାଚ୍ୟ, ପାଶ୍ଚାତ୍ୟ, ଯେକୌଣସି ଦର୍ଶନରୁ ଆସିଲେ ମଧ୍ୟ ସଂପୂର୍ଣ୍ଣ ଅନୁଭୂତିର ପ୍ରତୀକ ବୋଲି କୁହାଯାଇ ପାରିବ ନାହିଁ; ଯେହେତୁ ସଂପୂର୍ଣ୍ଣ ଅନୁଭୂତିର କୌଣସି ପ୍ରତୀକ କୃଷ୍ଣ ଚରିତ୍ର କଳ୍ପନା ବ୍ୟତୀତ ସାହିତ୍ୟ ବା ଦର୍ଶନରେ ନାହିଁ । ତେଣୁ ଏହି ସତ୍ୟ, ଅନ୍ୟାନ୍ୟ ସବୁ ସତ୍ୟପରି ଆଂଶିକ, ଏବଂ ମହାପ୍ରାଣ ସତ୍ତାର ଏକ ପ୍ରତୀକ । କିନ୍ତୁ ଶେଷ ପଂକ୍ତିରେ ଚିତ୍ର ନାହିଁ, ପ୍ରତୀକ ନାହିଁ; ଅଛି କେବଳ ଏକ ଜ୍ଞାନ-ସମ୍ମାନିତ ନିର୍ଦ୍ଦେଶ ।

 

ଏହି ସଂକ୍ଷିପ୍ତ ଆଲୋଚନା ପରେ ଏକଥା ନିଶ୍ଚୟ ସ୍ପଷ୍ଟ ଯେ, କବିତା ଇନ୍ଦ୍ରିୟାନୁଭୂତି ପୃଥିବୀ, ବୁଦ୍ଧି-ଧାରଣାର ପୃଥିବୀ ଓ କାବ୍ୟ କଳ୍ପନାର ପୃଥିବୀର ପରିଚୟ ଦିଏ ଶବ୍ଦ ମାଧ୍ୟମରେ । ଯେତେବେଳେ ଇନ୍ଦ୍ରିୟର ପୃଥିବୀ ଉପସ୍ଥାପିତ ହୁଏ, ସେତେବେଳେ ଆମେ ଗୋଟିଏ ପ୍ରକାରର ଛବି ଦେଖୁ : କାନ୍ତାର, ଦୁର୍ଗମ ପର୍ବତ । ଯେତେବେଳେ ଇନ୍ଦ୍ରିୟ ଦ୍ୱାରା ଅବଧାରିତ ପୃଥିବୀ ବୁଦ୍ଧି, ଚିନ୍ତା କିମ୍ବା ଯୁକ୍ତିଦ୍ୱାରା ସମୀକ୍ଷିତ ହୋଇ ଅନୁଭୂତି ଓ କଳ୍ପନା ମଧ୍ୟରେ ସମ୍ପର୍କ ଆବିଷ୍କାର କରେ, ସେତେବେଳେ ଆମେ ଗୋଟିଏ ଛବି ବା କଥାଦ୍ୱାରା ଅନ୍ୟ ଏକ ଛବି ବା ଧାରଣାର ଆପେକ୍ଷିକ ସମ୍ପର୍କ ବୁଝୁ : କାମ-ତସ୍କର; ମନ ପଥିକ । ଆଳଙ୍କାରିକମାନେ ହୁଏତ ଅପହୃତି ଅଳଙ୍କାର କହି ମୁହଁ ବୁଲାଇ ନେଇ ପାରନ୍ତି । କିନ୍ତୁ ଯେହେତୁ ଅଳଙ୍କାର ସମ୍ପର୍କ ସ୍ତରର ସଂଯୋଗ ଅପେକ୍ଷା ସ୍ୱାତନ୍ତ୍ର୍ୟ ଲକ୍ଷଣର ସଂଜ୍ଞାନିରୂପଣ କରେ, ଅଳଙ୍କାର ବିଶେଷ ସାହାଯ୍ୟ କରିପାରେ ନାହିଁ । ଦୁଇଟି ଭିନ୍ନ ଶୃଙ୍ଖଳାର ପରସ୍ପର ଉପରେ ପ୍ରକ୍ଷେପଣ ଦ୍ୱାରା ଯେଉଁ ବୌଦ୍ଧିକତା, ଅନୁଭୂତିକୁ ତୀବ୍ର କରେ, ତାହାର ପରିଚୟ ଆମେ ପାଉ, ଏହି ଦ୍ୱିତୀୟ ପର୍ଯ୍ୟାୟରେ । ଶେଷରେ, ଯେତେବେଳେ କାବ୍ୟିକ ସୁଷମାର ପୃଥିବୀ ଉପସ୍ଥାପିତ ହୁଏ, ସେତେବେଳେ ସଂସ୍କୃତି ଓ ଇତିହାସ ଭିତରେ ଗୃହୀତ ସତ୍ୟଗୁଡ଼ିକ ହୁଏତ ପ୍ରତୀକ ପରି ଆସେ କିମ୍ବା ଯୁକ୍ତି-ସିଦ୍ଧାନ୍ତ ପରି ଆସେ । ଉଦ୍ଧୃତ ପଂକ୍ତିରେ ଯେହେତୁ ଯୁକ୍ତି ଅତି ମାତ୍ରାରେ ବଳିଷ୍ଠ, ତା’ର ସିଦ୍ଧାନ୍ତ ହିଁ ଆସିଛି : ନ ଭ୍ରମ । କୌଣସି ଛବି, ବା ଉପମା ବା ପ୍ରତୀକ ନୁହେଁ; ସିଧାସଳଖ ଗତିରୋଧକାରୀ ନାହିଁଟିଏ ଶୁଣାଯାଏ, ଯାହା ପଛରେ ପରମ୍ପରାର ଅହଙ୍କାର ଅଛି । ସାଂସାରିକ ଶୃଙ୍ଖଳା ଓ ମୋକ୍ଷଚେତନର ଭାରତୀୟ ସଂସ୍କୃତିରେ ‘‘ନ ଭ୍ରମ’’ ଉପଦେଶ ନୁହେଁ, ଏକ ଚରମ ନିଷେଧାଦେଶ । ସିଧା କଥାରେ, ଆରେ ବାୟା, କେଉଁଠି କିଛି ଖୋଜିଲେ କିଛି ନାହିଁ । ତେଣୁ ଭ୍ରମ କର ନାହିଁ, ଆସକ୍ତି କରନାହିଁ । ଲେଖିଯାଅ ନାହିଁ କେଉଁଥିରେ-। ଏ ପୃଥିବୀରେ ମାୟା ଅଛି, ବାସ୍ତବ ଅଛି । ଯାହାକୁ ଆବୋରି ନେଲେ ମଧ୍ୟ ବଞ୍ଚିବା ବହୁତ କଷ୍ଟ । ତେଣୁ ନିର୍ଲିପ୍ତ ଭାବେ ବଞ୍ଚ ।

 

ପ୍ରତୀକ ଏହି କାବ୍ୟାଂଶରେ ନାହିଁ । କିନ୍ତୁ ଚିତ୍ରକଳ୍ପ ଓ କାବ୍ୟକଳ୍ପ (ମେଟାଫରର କୌଣସି ଓଡ଼ିଆ ଶବ୍ଦ ନାହିଁ, କିନ୍ତୁ ଡଃ ଦ୍ୱାରିକା ନାୟକ ତାଙ୍କ ସନ୍ଦର୍ଭରେ ‘‘କାବ୍ୟକଳା’’ କହିଛନ୍ତି) ଯୁକ୍ତି ଉପରେ ବା ମଣିଷର ବିଚାର ଶକ୍ତି ଉପରେ ଆଧାରିତ ହୋଇଥିବା ଯୋଗୁଁ କାବ୍ୟସିଦ୍ଧି ବା ସିଦ୍ଧାନ୍ତ ନିରାଭରଣ ବ୍ୟାବହାରିକ ଶବ୍ଦ । ଶୈଳୀ ଦୃଷ୍ଟିରୁ ମଧ୍ୟ ଏହା ଅନେକ ସମୟରେ ଇଚ୍ଛାକୃତ । କାରଣ ସ୍ୱପ୍ନ ଓ ବାସ୍ତବ, ଉଭୟର ଅର୍ଥହୀନତା ସୂଚାଇ ଦେଲାପରେ, ଗୋଟିଏ କ୍ରିୟା ଛଡ଼ା-ନ ଭ୍ରମ-ଆଉ କିଛି ପ୍ରତୀକର ପ୍ରୟୋଜନ ନାହିଁ । ଅନୁଭୂତି, କାବ୍ୟମୀମାଂସା ଓ ଯୁକ୍ତି କେବଳ ଗୋଟିଏ : ଭୁଲ କର ନାହିଁ । ଭୁଆଁ ବୁଲ ନାହିଁ । ଏତକ ଶିଖି ବଞ୍ଚ । ସେକ୍‌ସପିୟରଙ୍କ ସନେଟ୍‌୧୧୬ ଯେଉଁମାନେ ପଢ଼ିଛନ୍ତି, ଦେଖିବେ ଯେ, ପ୍ରେମକୁ ବିଭିନ୍ନ ଚିତ୍ର, କାବ୍ୟକଳ୍ପ ଓ ଦର୍ଶନ ମଧ୍ୟ ଦେଇ ଉପସ୍ଥାପିତ କରି ସିଦ୍ଧାନ୍ତଭାବେ (ଯାହା ସନେଟ୍‌ର ଶୈଳୀ ଓ ସଂଗଠନ ଦୃଷ୍ଟିରୁ ମଧ୍ୟ ଏକ ସିଦ୍ଧାନ୍ତ), କହନ୍ତି :

 

If this be error and upon me prov'd

I never write, nor no man ever loved.

 

ଅହଂକାର ଅଛି, ରସିକତା ଅଛି, ଦାମ୍ଭିକତା ଅଛି, କାରଣ ତାଙ୍କ ଯୁକ୍ତି ଅକାଟ୍ୟ ବୋଲି ଆତ୍ମବିଶ୍ୱାସ ଅଛି । କିନ୍ତୁ ଶବ୍ଦଗୁଡ଼ିକ ନିରାଭରଣ । ଚିତ୍ରର ପୃଥିବୀରୁ, ଚଲାବୁଲା ଘୂରାଫେରାର ପୃଥିବୀରେ ଆମେ ପହଞ୍ଚିଯାଉ, ମନ ପଥିକ ପରି ।

 

ଆଉ ଗୋଟିଏ ଉଦାହରଣ ନିଆଯାଉ :

ରାଧାମୋହନ ଗଡ଼ନାୟକଙ୍କ କବିତା ‘‘ସୂର୍ଯ୍ୟ ଓ ଅନ୍ଧକାର’’ ଚିତ୍ରସଜ୍ଜା ଦୃଷ୍ଟିରୁ ଚମତ୍କାର । କବିତାର ଶୀର୍ଷକ ପରି ଦୁଇଟି ସଂପୂର୍ଣ୍ଣ ବିପରୀତ ଧର୍ମୀ ସଂକୁଚିତ ଚିତ୍ର ବା ସଂସ୍କୃତି ସଙ୍କେତ :

 

କିଏ କହେ ?

ସୂର୍ଯ୍ୟ ତା’ର ଆଲୋକର ଉଜ୍ଜ୍ୱଳ ଉଦ୍‌ଭାସେ

ସୃଷ୍ଟିର ରହସ୍ୟ ଯାହା ଖୋଲିଦେଇ

ବିବୃତ ପ୍ରକାଶେ ।

ସୂର୍ଯ୍ୟ ବରଂ ସୃଷ୍ଟିର ହୃଦୟ

ବେଶି ଅବରୁଦ୍ଧ କରେ,

ବେଶି ଗୋପନୀୟ କରେ;

ସୃଷ୍ଟି କରେ ସଘନ ସଂଶୟ ।

କିଏ କହେ ?

ଅନ୍ଧକାର

ସୃଷ୍ଟିକୁ ଆବୃତ କରି

ସକଳ ପ୍ରଚ୍ଛନ୍ନ ରଖେ

ଦୃଷ୍ଟି ସମ୍ମୁଖରେ ।

ଅନ୍ଧକାର ବରଂ ଏ ସୃଷ୍ଟିକୁ

ଘଟାଟୋପେ ତା’ର

ବେଶି ଅନାବୃତ କରେ

ବେଶି ନଗ୍ନ କରେ ।

(ରାଧାମୋହନ ଗଡ଼ନାୟକ : ସୂର୍ଯ୍ୟ ଓ ଅନ୍ଧକାର, ପୃ. ।)

 

ଦୁଇଟି ପ୍ରଶ୍ନ : ଦୁଇଟି ଉତ୍ତର । କିନ୍ତୁ ପ୍ରଶ୍ନରେ ସଂଶୟ ନାହିଁ । ଏ ପ୍ରଶ୍ନ ପ୍ରତ୍ୟୟର । ସନ୍ଧାନୀ ମନର ଅନ୍ୱେଷଣର, ଅନ୍ୟ ଏକ ସିଦ୍ଧାନ୍ତ, ଉତ୍ତରରେ । ପ୍ରଶ୍ନକର୍ତ୍ତା, କବି ବା କାବ୍ୟନାୟକ ଯେ ହେଉନା କାହିଁକି, ସେ ହିଁ ଉତ୍ତର ଦିଏ । ଯେଉଁ ଉତ୍ତର ମଣିଷର ଅନ୍ୱେଷଣକୁ ଜାଗ୍ରତ କରେ । ଅନ୍ଧାରରେ କ’ଣ ଅନାବୃତ ହୁଏ, ଦେଖିବାକୁ ସେ ଦଉଡ଼ି ଯାଏ ସାଧନା ପାଇଁ । ‘‘ସୂର୍ଯ୍ୟ’’ ଓ ‘‘ଅନ୍ଧକାର’’ ଦୁଇଟି ପରସ୍ପର ବିରୋଧୀ ପ୍ରତୀକ । ସୂର୍ଯ୍ୟ କହିଲେ ସେଇ ଆକାଶର ଅଗ୍ନିପିଣ୍ଡ ନୁହେଁ, ଯାହାର କି ମୃତ୍ୟୁ ଅଛି, ପ୍ରତିଦିନ, ପ୍ରତିବର୍ଷ, ମହାକାଳ ଯାକେ । ସୂର୍ଯ୍ୟ ବା ଅନ୍ଧକାର ନିତି ଦେହମନ ଉପରେ, ପ୍ରଭାବ ବିସ୍ତାର କରିଥିଲେ ମଧ୍ୟ, ଗଡ଼ନାୟକ ସୂର୍ଯ୍ୟ ବା ଅନ୍ଧକାର ବାସ୍ତବାନୁଭୂତିର କୌଣସି ଛବି ଆଖି ଆଗରେ ତୋଳନ୍ତି ନାହିଁ । କେବଳ ‘‘ବିବୃତି’’ ଓ ‘‘ନଗ୍ନ’’ ଦୁଇଟି ଶବ୍ଦକୁ ଛାଡ଼ିଦେଲେ ସମୁଦାୟ କବିତାରେ ଏପରି ଶବ୍ଦ ନାହିଁ, ଯାହା ସାମାଜିକ ଚିତ୍ର ଆଣେ ମନରେ । ‘‘ବିବୃତି’’ ଓ ‘‘ନଗ୍ନ’’ ଏକ ବ୍ୟାପକତା ଭିତରେ ବିସ୍ତାରିତ ।

 

ବର୍ତ୍ତମାନ ଦେଖାଯାଉ : ସୂର୍ଯ୍ୟ ଓ ଅନ୍ଧକାର ଦୁଇଟି ସଂସ୍କୃତି-ଦର୍ଶନ-କାବ୍ୟାନୁଭୂତି ସମନ୍ୱୟର ଗୁଣାତ୍ମକ ଶବ୍ଦ । ଏମାନେ ‘ଚିତ୍ର’ ମଧ୍ୟ ଆମ ମନ ଭିତରେ ଏବଂ ଏମାନେ ଆଲୋକ-ଅନ୍ଧାର, ସୁଖ-ଦୁଃଖ, ହର୍ଷ-ବିଷାଦ, ଆଶା-ନୈରାଶ୍ୟ, ଅର୍ଥାତ୍‌ଜୀବନ ଓ ଜୀବନହୀନତା ବା ‘‘ଜ୍ଞାନ’’ ଓ ‘‘ଅବିଦ୍ୟା’’ର ପରିଚାୟକ । କାରଣ ଅନୁଭୂତିର ପରମ୍ପରାରେ ମଣିଷ, ସୂର୍ଯ୍ୟ ଓ ଅନ୍ଧକାରକୁ ହିଁ ଜୀବନର ଦୁଇଟି ପ୍ରତୀକ ହିସାବରେ ଦେଖି ଆସିଚି । ମଣିଷର କଥାଭାଷା ଭିତରେ, ସୂର୍ଯ୍ୟ ଓ ଅନ୍ଧକାର ଚିତ୍ରକଳ୍ପ, ବା ପ୍ରତୀକ ନା ଆଉକିଛି ? ସିଧା ସଳଖ ସଂଜ୍ଞାନିରୂପଣ ନ କରି ଦେଖାଯାଉ ସୂର୍ଯ୍ୟ ଓ ଅନ୍ଧକାରକୁ କ’ଣ ବୋଲି ବୁଝାଇବାକୁ ଚେଷ୍ଟା କରିଛି କାବ୍ୟନାୟକ । କ’ଣ ସେମାନେ କରନ୍ତି ବା ସୂଚାନ୍ତି, ଦେଖାଯାଉ :

 

ସୂର୍ଯ୍ୟର ଆଲୋକ ଅଛି, ତେଜ ଅଛି ଓ ବିକାଶ ଜ୍ୟୋତି ଅଛି ଏବଂ ଏହି ଆଲୁଅ ଦ୍ୱାରା ସେ ରହସ୍ୟ ଉଦ୍‌ଘାଟନ କରେ ସୃଷ୍ଟିର : କୌଣସି ସାମାଜିକ ଅନୁଭୂତିର ରହସ୍ୟ ନୁହେଁ । ଏହି ଆଲୁଅ ଆଙ୍ଗୁଠି ପରି କାମକରେ, ତେଣୁ ‘‘ଖୋଲି ଦେଇ’’ କ୍ରିୟାର ବ୍ୟବହାର ସୃଷ୍ଟିକୁ ଏକ ରହସ୍ୟଭରା ନିବୁଜ ସିନ୍ଧୁକ, ବା ବସ୍ତାନୀ, ବା ଗଣ୍ଠିଲି କରେ । ସୃଷ୍ଟି ନିବୁଜ ଜଣାପଡ଼େ । ଯେମିତି କୌଣସି ଅବୁଝା ମଣ୍ଡଳର ଆବିଷ୍କାର ହୁଏ ସୂର୍ଯ୍ୟଦ୍ୱାରା ଏବଂ ତାହା ବିବୃତ ହୁଏ । ରହସ୍ୟର ବିବୃତ୍ତି ପରି ବର୍ଣ୍ଣିତ, ବ୍ୟାଖ୍ୟାତ ପ୍ରକାଶିତ ଓ ବିସ୍ତୃତ ହୁଏ । ପୃଥିବୀ ଏବଂ ତଳ ଉପରର ସବୁ ମୀମାଂସା ପ୍ରକାଶି ଯାଏ । ପରିଷ୍କାର ଭାବେ ସବୁର ସତ୍ୟ ଉଦ୍‌ଘାଟନ ହୁଏ ।
 

ଅନ୍ଧକାର ଅପର ପକ୍ଷରେ, ସୃଷ୍ଟିକୁ ଘୋଡ଼ାଇ ପକାଏ । ଆଉରି ନିବୁଜ କରେ ରହସ୍ୟ ପୁଟୁଳି । ସବୁ ପ୍ରଚ୍ଛନ୍ନ ରଖେ ‘‘ଦୃଷ୍ଟି ସମ୍ମୁଖରେ’’ । ଅର୍ଥାତ୍‌ କୌଣସି ବିବୃତ୍ତି ପ୍ରକାଶ ପାଇପାରେ ନାହିଁ । ସଙ୍କୁଚିତ, ନୀରବ ହୋଇଯାଏ ସବୁ ।

 

କିନ୍ତୁ ଉଭୟ ସୂର୍ଯ୍ୟ ଓ ଅନ୍ଧକାରର ପ୍ରତିଛବି ଆମ ମନରେ ସୃଷ୍ଟି ହେବା ପୂର୍ବରୁ କାବ୍ୟନାୟକ ପ୍ରଶ୍ନ କରେ : ‘‘କିଏ କହେ ?’’ ଏକ ଆହ୍ୱାନଭରା ପ୍ରଶ୍ନ । ଦ୍ରଷ୍ଟର ପ୍ରଶ୍ନ ଏବଂ ଏହି ପ୍ରଶ୍ନ ଦ୍ୱାରା ଆମର ସୂର୍ଯ୍ୟ ଓ ଅନ୍ଧକାରର ପାରମ୍ପରିକ ଅବବୋଧକୁ ଅଟକାଇ ଦିଏ ସଂଶୟର ଅଦେଖା ଡୋରିରେ । ଦୁଇଟି ଗୃହୀତ ଏବଂ ସ୍ୱୀକୃତ ବିପରୀତ ଧର୍ମୀ ଜୀବନ ପ୍ରତୀକ, ହଠାତ୍‌ ପରମ୍ପରାରୁ ବିଚ୍ୟୁତ ହୋଇପଡ଼ନ୍ତି, ଓ ଅର୍ଥହୀନ ହୋଇପଡ଼ନ୍ତି । ସତେ ଯେମିତି ସୂର୍ଯ୍ୟ, ସୂର୍ଯ୍ୟ ନୁହେଁ, ବା ଅନ୍ଧକାର, ଅନ୍ଧକାର ନୁହେଁ । ସେମାନେ ଆଉ କ’ଣ, ଯାହା ଆମେ ଦେଖିପାରିନାହେଁ କିମ୍ବା ଜାଣି ପାରିନାହେଁ ଆଜିଯାକେ । ପ୍ରଶ୍ନୋତ୍ତରର ନାଟକୀୟତା ଭିତରେ, ସୂର୍ଯ୍ୟ ହୁଏ ଅନ୍ଧକାର ଏବଂ ଅନ୍ଧକାର ହୁଏ ସୂର୍ଯ୍ୟ । ପରସ୍ପରର ଗୁଣାବଳୀର ବଦଳ ହୋଇ ଉଭୟେ ନୂତନ ପ୍ରତୀକ ପାଲଟନ୍ତି ।

 

ସୂର୍ଯ୍ୟ ହୁଏ ସୃଷ୍ଟି ହୃଦୟର ଅବେରୋଧକାରୀ ଶକ୍ତି । ଅନ୍ଧାର ପରି ଯାହା ଘୋଡ଼ାଇ ପକାଏ, ‘ଗୋପନୀୟ’ କରେ । ସୃଷ୍ଟିକୁ ‘‘ସଘନ ସଂଶୟ’’ କରେ ବା ‘‘ସଘନ ସଂଶୟ’’ ସୃଷ୍ଟି କରେ । ଯେଉଁପରି ବୁଝିଲେ ମଧ୍ୟ ଏକଥା ସ୍ପଷ୍ଟ ଯେ ସୃଷ୍ଟିକୁ ‘‘ବିବୃତ’’ କରିବା ପରିବର୍ତ୍ତେ, ସଂଶୟାଚ୍ଛାଦିତ କରେ ସୂର୍ଯ୍ୟ । ଅର୍ଥାତ୍‌ ସୂର୍ଯ୍ୟ ତା’ର ସଂସ୍କୃତି ଓ ଇତିହାସ ସମ୍ମାନିତ । ପ୍ରତୀକ ମୂଲ୍ୟ ହରାଇ ନୂତନ ପ୍ରତୀକ ହୁଏ । ଅନ୍ଧକାରର ପ୍ରତୀକ ।

 

ସେହିପରି ଅନ୍ଧାର ସୃଷ୍ଟିକୁ ଅନାବୃତ କରେ ତା’ର ମହାଡ଼ମ୍ବରରେ । ଅନ୍ଧାରର ଚାନ୍ଦୁଆ ତଳେ ସବୁ ପରିସ୍ଫୁଟ ଦେଖାଯାଏ । ସବୁ ‘ନଗ୍ନ’ ହୁଏ, ସୀମାରେଖା ଆକାର ପ୍ରକାର ସବୁ ଅନାବୃତ ସତ୍ୟ ପ୍ରତୀତ ହୁଅନ୍ତି ଏବଂ ‘ନଗ୍ନ’ ଯେହେତୁ ସତ୍ୟ ସହିତ ବେଶି ସମ୍ପର୍କିତ, ସବୁ ସତ୍ୟର ଅନାବରଣ ହୁଏ । ଅନ୍ଧକାର, ଆଲୁଅ ପରି ବିବୃତ୍ତି ପ୍ରକାଶ ନକରି, ସତ୍ୟର ଦୃଶ୍ୟ କାବ୍ୟ ସୃଷ୍ଟି କରେ । ଯାହାର ସ୍ୱରୂପ ଯେପରି, ତାକୁ ନଗ୍ନ କରି ଦେଖାଇ ଦିଏ । ଅନ୍ଧକାର ସୂର୍ଯ୍ୟର ପ୍ରତୀକ ହୁଏ କବି, ସୂର୍ଯ୍ୟର ପ୍ରତୀକ ମୂଲ୍ୟ ଅନ୍ଧକାର ଉପରେ ଆରୋପିତ କରି, ଅନ୍ଧାକାରକୁ ସତ୍ୟ ଉଦ୍‌ଘାଟନ ଓ ରହସ୍ୟ ଉନ୍‌ମୋଚନର ‘ଆଲୋକ’ କରନ୍ତି ।

 

ଅର୍ଥାତ୍‌ ସୂର୍ଯ୍ୟ ଓ ଅନ୍ଧକାର ପରସ୍ପର ବିରୋଧୀ ନ ହୋଇ ସମଧର୍ମୀ ହୁଅନ୍ତି ଏବଂ ପ୍ରତିବଦଳରେ ଯୋଗ୍ୟତା ରଖନ୍ତି । ଅନ୍ଧକାର ଓ ପ୍ରକାଶ ଏକାତ୍ମ ହୁଅନ୍ତି । କିନ୍ତୁ ଯୁକ୍ତିଦ୍ୱାରା କାବ୍ୟନାୟକ ଅନ୍ଧକାରକୁ ହିଁ ଜୀବନ ଓ ସୃଷ୍ଟିର ପ୍ରକାଶ ମାଧ୍ୟମ ରୂପେ ସାବ୍ୟସ୍ତ କରନ୍ତି । ଅନ୍ଧକାରକୁହିଁ ରହସ୍ୟ ଉଦ୍‌ଘାଟନର ଆଙ୍ଗୁଠି କରନ୍ତି । ସୂର୍ଯ୍ୟକୁ ଅନ୍ଧକାର ଭିତରେ ପ୍ରକାଶ କରନ୍ତି ।

 

ଏବଂ ଲକ୍ଷ୍ୟ କରିବାର କଥା ଯେ କବିତାର କାବ୍ୟକଳ୍ପ ଗତିକରେ ଶବ୍ଦରୁ ନିଶବ୍ଦକୁ । ବିବୃତିର ଡିଣ୍ଡିମ ପ୍ରହାରରୁ ନଗ୍ନତାର ମୌନତାକୁ । ଆଲୋକର ମହାବିସ୍ତାର ବର୍ଣ୍ଣନାରୁ ଅନ୍ଧାରର ବହଳ ନୀରବତାକୁ । ଅର୍ଥାତ୍‌ ଆତ୍ମସମୀକ୍ଷାର ମହା ଅନ୍ଧାର ଭିତରୁ ଆଲୋକ ଖୋଜିବାରେ ଲଗାଇ ଦିଏ ଶୁଦ୍ଧ ଜୀବନ ।

 

ଆଚରିତ ପ୍ରତୀକମୂଲ୍ୟ ହରାଇ, ସୂର୍ଯ୍ୟ ଓ ଅନ୍ଧକାର, କ୍ଷେତ୍ର ବିନିମୟ କରି ବିପରୀତ ଅର୍ଥଯୋଗ ସୃଷ୍ଟି କରନ୍ତି । ଯାହା ବିପରୀତ ରାଜଯୋଗ ପରି, ଏକ ବିରାଟ ଯୋଗ, କବିତାର ଜାତକରେ ଏବଂ ଅନ୍ଧକାର, ବେଦନାର୍ତ୍ତ ଜୀବନାନୁଭୂତିର ପ୍ରତୀକ ହୋଇ ଆଲୋକର ପରିଭାଷା ସୃଷ୍ଟି କରେ । ଏଠି ପ୍ରତୀକ ସାର୍ଥକ, କାରଣ ଏହା କୌଣସି ନିର୍ଦ୍ଦିଷ୍ଟ ସାଂସ୍କୃତିକ ମନସ୍ଥିତି ବା ମୌଳିକ ଅନୁଭୂତିର ସୀମାନିର୍ଦ୍ଧାରଣ ନକରି ସମୁଦାୟ ଜୀବନ ଓ ସୃଷ୍ଟିର ପ୍ରତୀକ ରୂପେ ଉଭାହୁଏ-

 

ତେବେ ପ୍ରତୀକ ମାନେ କଣ ?

କବିର ସୃଷ୍ଟି ପ୍ରକ୍ରିୟାରେ ସ୍ୱପ୍ନ ଓ ବାସ୍ତବ ଏପରି ଭାବେ ମିଶି ରହନ୍ତି ଯେ ସୃଜନ ପ୍ରକ୍ରିୟା ସେହିସବୁ ଚିତ୍ରକଳ୍ପ ଗତେ, ଯେଉଁମାନେ ତା’ର ବ୍ୟକ୍ତିଗତ ଭାବ-ପ୍ରକ୍ଷେପଣ ଆବୋରି ନେଇ ପାରନ୍ତି । ଏହି ଚିତ୍ରକଳ୍ପ ମନସ୍ତାତ୍ତ୍ୱିକ ସ୍ତରରେ ବାସ୍ତବଠାରୁ ବେଶି ତାତ୍ପର୍ଯ୍ୟପୂର୍ଣ୍ଣ ହୁଅନ୍ତି । କାରଣ କଳ୍ପନାରେ, ବ୍ୟକ୍ତିର ବୋଧ ଓ ଚିନ୍ତା ସହିତ ସେମାନେ ବେଶି ସମ୍ପର୍କିତ । ତେଣୁ ଚିତ୍ରକଳ୍ପ, ରହସ୍ୟମୟ ଭାବେ ମାନସିକ ବାସ୍ତବର ପ୍ରତିଛବି ହୋଇ ଅନ୍ୟ ଏକ ଆଭାସ ପୃଥିବୀର ସଙ୍କେତ ବହନ କରେ । ‘‘ପ୍ରତୀକ’’ ହୁଏ କାବ୍ୟାନୁଭୂତିରେ । ଅର୍ଥାତ୍‌, ବହୁସ୍ତରୀୟ ମାନସିକ ବାସ୍ତବର ଇଙ୍ଗିତ ଧାରଣ କରେ ।

 

ବୁଲସ୍‌ ଲେମାଇତରଙ୍କ ଭାଷାରେ ପ୍ରତୀକ : "..an extended comparison of which we are given only the second term, a system of consistent metaphors." ଅର୍ଥାତ୍‌ ପ୍ରତୀକ ଏକ ସମ୍ପ୍ରସାରିତ ତୁଳନା, ଯାହାର ଦ୍ୱିତୀୟ ତୁଳନୀୟ ପିଣ୍ଡ ଆମେ ଦେଖୁ ଗୋଟିଏ ଚିତ୍ରକାଳ୍ପିକ ଶୃଙ୍ଖଳାରେ । ଏହି ମତ ଅନୁସାରେ ପ୍ରତୀକଧର୍ମୀ କବିତାରେ ଯେଉଁ ଚିତ୍ରକଳ୍ପ ବା କାବ୍ୟକଳ୍ପର ଶୃଙ୍ଖଳା ବା ସଂଗଠନ ଦେଖାଯାଏ, ତାହା ତୁଳନାର ଦ୍ୱିତୀୟ ଅଭିବକ୍ତ ଅଂଶ । ପ୍ରଥମ ଅର୍ଥାତ୍‌ ଅନଭିବ୍ୟକ୍ତ ଅଂଶଟି ସୂଚିତ ହୁଏ ଦ୍ୱିତୀୟ ଦ୍ୱାରା । ଏହି ସୂଚିତ ଓ ଅନଭିବ୍ୟକ୍ତ ଅଂଶ, ଗୋଟିଏ ଦୃଷ୍ଟିରୁ ମାନବୀୟ ଅନୁଭୂତିର ଅନୁସ୍ମାରକ ଏବଂ ଅନ୍ୟ ଦୃଷ୍ଟିରୁ ଏକ ଜୀବନ ସଙ୍କେତ । କିନ୍ତୁ ଆଉ ଟିକିଏ ନିରୀକ୍ଷଣ କରି ଦେଖିଲେ । ଉପରୋକ୍ତ ସଂଜ୍ଞା ପ୍ରତୀକକୁ ସୀମିତ କରେ, କାରଣ ଏହି ମତରେ ପ୍ରତୀକ, ତୁଳନାର ସଂପ୍ରସାରଣ ମାତ୍ର । କାବ୍ୟାନୁଭୂତିରେ ସଂପ୍ରସାରିତ ତୁଳନା ସବୁବେଳେ ପ୍ରତୀକ ହୁଏନାହିଁ । ବରଂ ମେଟାଫର ହୁଏ, କାରଣ ଯେଉଁ ଚିତ୍ରକଳ୍ପ ଅନ୍ୟ ଏକ ଅନଭିବ୍ୟକ୍ତ ଚିତ୍ରକଳା ମନରେ ସୃଷ୍ଟି କରେ, ତାହା ପ୍ରତୀକ ହୋଇ ନପାରେ । ଯେଉଁ ପର୍ଯ୍ୟନ୍ତ ଗୋଟିଏ ଚିତ୍ରକାଳ୍ପିକ ଶୃଙ୍ଖଳା, ସଂପୂର୍ଣ୍ଣ ସ୍ୱଚ୍ଛ ହୋଇ, ଜୀବନ ଓ ପୃଥିବୀକୁ ସଂଯୋଗିତ, ସମ୍ପର୍କିତ କରି, ସଙ୍କୁଚିତ ସଙ୍କେତରେ ପରିଣତ ହୁଏନାହିଁ, ସେ ପର୍ଯ୍ୟନ୍ତ ପ୍ରତୀକ ସୃଷ୍ଟି ହୁଏନାହିଁ । ଗଡ଼ନାୟକଙ୍କ ଆଲୋଚିତ କବିତାରେ ଯଦି କେବଳ ଅନ୍ଧକାର ଓ ସୂର୍ଯ୍ୟକୁ ପ୍ରତୀକ ବୋଲି ଧରି ନିଆଯାଏ, ତେବେ ଗୋଟିଏ ସ୍ତରରେ ଏହା ସାର୍ବଜନୀନ ଅନୁଭୂତିର ବୌଦ୍ଧିକ ପ୍ରତୀକ ହୁଏ । କିନ୍ତୁ ଯେହେତୁ, ସୂର୍ଯ୍ୟ ଓ ଅନ୍ଧକାର ସ୍ୱକୀୟ ଗୁଣଛଡ଼ା, ପରସ୍ପରର ଗୁଣାବଳୀ ଓ ପ୍ରତୀକ ମୂଲ୍ୟ ଗ୍ରହଣ କରିପାରନ୍ତି, ସେମାନେ ଆହୁରି ବ୍ୟାପକ ଓ ନୂତନ ମାନବବୋଧ ଆହରଣ କରନ୍ତି । ତେଣୁ ମେଟାଫର ଏଠି ପ୍ରତୀକର ବଳ ଗ୍ରହଣ କରି ବ୍ୟାପକ ହୁଏ ।

 

ଶବ୍ଦ, ଛନ୍ଦ ଓ ସଙ୍ଘାତର ପୃଥିବୀ ଯେତେବେଳେ କବି ଚେତନାରେ ସମ୍ପର୍କିତ ହୁଏ ଏବଂ ଅର୍ଥ ଓ ଧ୍ୱନି ମିଶି କୌଣସି ବୌଦ୍ଧିକ କିମ୍ବା ଆବେଗ ପରିଧି ସୃଷ୍ଟି ହୁଏ, ଯାହା କି ସଙ୍କୁଚିତ ହୋଇ, କବିତାର ଚିତ୍ରକଳ୍ପକୁ ସ୍ୱଚ୍ଛ ଏବଂ ଯବକାଚ ପରି ଆହୁରି ଅନେକ ସମ୍ପର୍କର ଛବି ଦେଖାଇବାର ଯୋଗ୍ୟତା ରଖେ, ସେତେବେଳେ ପ୍ରତୀକ ସୃଷ୍ଟି ହୁଏ । ଅନ୍ୟ ଭାଷାରେ ଯେତେବେଳେ ଇନ୍ଦ୍ରିୟ ଓ ଆବେଗର ପୃଥିବୀ, କବିର ସ୍ୱଳ୍ପ-କଳ୍ପନାର କାବ୍ୟିକ ପୃଥିବୀକୁ ସମସ୍ତ ସାଙ୍କେତିକ ସଂଯୋଗ ସହିତ ପ୍ରକାଶ କରିବା ପାଇଁ ଚିତ୍ର ଯୋଗାଏ, ସେତେବେଳେ ସେ ଚିତ୍ର, ପ୍ରତୀକ ଚିତ୍ର ହୁଏ ଆତ୍ମାର । ଇନ୍ଦ୍ରିୟାନୁଭୂତିରୁ ଆତ୍ମଜ୍ଞାନ ଓ ଆତ୍ମାର ପୃଥିବୀକୁ ନେବା ପାଇଁ କବିର ଆୟୁଧ ହେଲା ପ୍ରତୀକ । ଚିତ୍ରର ପୃଥିବୀକୁ, କାବ୍ୟିକ ଆତ୍ମାର ପ୍ରତୀକାନ୍ତର କରି, ଯେତେବେଳେ କବି ଜୀବନ ଓ ପୃଥିବୀର ବିରାଟ ବ୍ୟାପକତା ଚିହ୍ନାଇ ଦିଏ, ସେତେବେଳେ ଚିତ୍ରକଳ୍ପ ପ୍ରତୀକ ହୁଏ ।

 

ଊନବିଂଶ ଶତାବ୍ଦୀର ଫରାସୀ ଓ ଇଂରେଜ କବିମାନେ ଯେଉଁ ପ୍ରତୀକବାଦ ଆରମ୍ଭ କରିଥିଲେ, ତା’ର ଆଲୋଚନା କରିବା ମୋର ଉଦ୍ଦେଶ୍ୟ ନୁହେଁ । କେବଳ ପ୍ରତୀକର ପରିଚୟ ଦେବା ଉଦ୍ଦେଶ୍ୟରେ ଏହି ଲେଖା ସୀମିତ ହୋଇଥିବା ଯୋଗୁଁ ବଦ୍‌ଲେୟର, ମାଲାର୍ମି ବା ଭାଲେରୀଙ୍କ କବିତା ବା ତତ୍ତ୍ୱାଲୋଚନାରୁ କ୍ଷାନ୍ତ ରହିବି । ତଥାପି ଏକ ଭାଲେରୀ-ଉକ୍ତି ଉପରେ ଉଡ଼ନ୍ତା ଦୃଷ୍ଟି ନିକ୍ଷେପ କରିବାର ପ୍ରଲୋଭନ ଏଡ଼ାଇ ପାରୁନାହିଁ । ସେ ଉକ୍ତିଟି ହେଲା :

 

Think too, that of all the arts, Ours is perhaps that which co-ordinates the greatest number of independent parts or factors : Sound, Sense, the real and the imaginary, Logic, Syntax and the double invention of content and form.....and all his by means of a medium essentially practical, perpetually changing, soiled, a maid of the work, Every Day Language, from which we must draw a pure, ideal Voice, capable of communicating without weekness, without apparent effort, without offence to the ear and without breaking the ephemural sphere of the poetic universe, an idea of some self miraculously superior to myself.

(Paul Valery : The Art of Poetry, 1938)

 

ଭାଲେରୀ ଅତି ସୂକ୍ଷ୍ମଭାବେ କହିବାକୁ ଚାହାନ୍ତି ଯେ, କବିର ଦାୟିତ୍ୱ ଓ ଯନ୍ତ୍ରଣା ବହୁତ ବେଶି; କାରଣ ବ୍ୟାବହାରିକ ଭାଷା ପରି ଏକ ଉପଦ୍ରୁତ, ସଦା ଚଞ୍ଚଳ ଓ ପରିବର୍ତ୍ତନଶୀଳ ମାଧ୍ୟମ ନେଇ, ଗୋଟିଏ ପବିତ୍ର ସ୍ୱର ସୃଷ୍ଟିକରି, ତା’ ଭିତରେ ନିଜଠାରୁ ଏକ ମହାନ୍‌ ଓ ଶ୍ରେୟ ଆତ୍ମାର ଆବିଷ୍କାର ଓ ତା’ର ପରିପ୍ରକାଶ ବାସ୍ତବରେ ଏକ ଗୁରୁ ଦାୟିତ୍ୱ । ତେଣୁ ଏହି ଆଦର୍ଶ ସ୍ୱର, ଅର୍ଥ ଓ ଧ୍ୱନୀ, ବା ଶବ୍ଦ ଓ ଶବ୍ଦୋତ୍ତର ଶୃଙ୍ଖଳାର ବାର୍ତ୍ତାବହ ହେବାକୁ ପଡ଼ିବ । ପ୍ରତୀକର ସନ୍ଧାନ ଓ ସୃଷ୍ଟି ହିଁ କବିତାର ଉତ୍କର୍ଷ । ବିଶେଷକରି ଯେତେବେଳେ ଇନ୍ଦ୍ରିୟାନୁଭୂତି ପୃଥିବୀର ବାହାର ଚେହେରା ଓ କାବ୍ୟ ସଂଗଠନର ଆପାତ ଛନ୍ଦକୁ ଅକ୍ଷୁର୍ଣ୍ଣ ରଖି ‘‘ମୁଁ’’ ଠାରୁ ମହତ୍‌ ‘‘ଆତ୍ମା’’ର ଆବିଷ୍କାର କରିବାକୁ ପଡ଼େ କେତୋଟି ବହୁ ବ୍ୟବହୃତ, ରସ ନିଗିଡ଼ା ଶବ୍ଦରେ ।

 

 

ଉପ-ନିର୍ଦ୍ଦେଶକ (ସାଧାରଣ)

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ୱର

***

 

ବାଗ୍‌ବିଶେଷ

ସାକ୍ଷାତ୍‌କାର ଓ ସମାଲୋଚନା

ଓଡ଼ିଶାରେ ନୂଆ ନୂଆ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକାମାନଙ୍କରେ ପ୍ରତିଷ୍ଠିତ ଲେଖକମାନଙ୍କର ସାକ୍ଷାତ୍‌କାର ପ୍ରକାଶ କରିବା ଏବେ ଏକ ଚଳଣିରେ ପରିଣତ ହୋଇଗଲାଣି । ଗୋଟିଏ ଦୃଷ୍ଟିରୁ ଏପରି ସାକ୍ଷାତ୍‌କାରର ସବୁ ମୂଲ୍ୟବାନ୍‌, ସନ୍ଦେହ ନାହିଁ । ଏଥିରୁ ସାକ୍ଷାତ୍‌କାର ଦେଇଥିବା ଲେଖକ ଓ ତାଙ୍କର ଲେଖାବଳୀ ସମ୍ପର୍କରେ ବହୁ ତଥ୍ୟ, ଯାହାକି ସମୋଲୋଚକମାନଙ୍କର ହାତ ପାହାନ୍ତାରେ ନଥାଏ, ତାହା ପ୍ରତ୍ୟକ୍ଷରେ ଲେଖକମାନଙ୍କଠାରୁ ମିଳି ପାରିଥାଏ । ‘ଦି ପ୍ୟାରିସ୍‌ ରିଭ୍ୟୁ’ (The Paris Review) ପତ୍ରିକାରେ ପ୍ରକାଶିତ ଇ. ଏମ୍‌. ଫର୍‌ଷ୍ଟର୍‌ଙ୍କ ଏକ ସାକ୍ଷାତ୍‌କାରରୁ କେବଳ, ‘ଏ ପ୍ୟାସେଜ୍‌ଟୁ ଇଣ୍ଡିଆ’ ଉପନ୍ୟାସ ପରେ, ସେ ଦୀର୍ଘକାଳ ଧରି ଆଉ କାହିଁକି ଲେଖି ପାରି ନଥିଲେ, ତାହା ଜଣା ପଡ଼ିଥାଏ । ସେହିପରି ପ୍ରସିଦ୍ଧ ଆମେରିକାନ୍‌ କ୍ଷୁଦ୍ରଗଳ୍ପ ଲେଖକ ଜନ ଓ’ହାରା କ୍ଷୁଦ୍ରଗଳ୍ପଟିଏ ଲେଖିଲାବେଳେ, କେଉଁ ଧାରା ଅନୁସରଣ କରୁଥିଲେ, ତାହା ତାଙ୍କ ସାକ୍ଷାତ୍‌କାରରୁ କେବଳ ମିଳି ପାରିଥାଏ । ବସ୍ତୁତଃ ସମାଲୋଚକମାନେ ଏପରି ବ୍ୟକ୍ତିଗତ ତଥ୍ୟ ବା ବିବରଣୀ ଜାଣି ପାରିବା ସମ୍ଭବ ନୁହେଁ । ସାକ୍ଷାତ୍‌ କାରମାନଙ୍କରେ କେବଳ ଲେଖକମାନେ ଏସବୁ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଥାନ୍ତି । ସେଥିପାଇଁ ଏବେ ନିର୍ଦ୍ଦିଷ୍ଟ ଲେଖକମାନଙ୍କ ଉପରେ ଗବେଷଣାରେ ସାକ୍ଷାତ୍‌କାର ଏକ ନିର୍ଦ୍ଦିଷ୍ଟ ବିଭାବରେ ପରିଣତ ହେଲାଣି । ସାକ୍ଷାତ୍‌କାରର ଏହି ଧାରା ପ୍ରଥମେ ପ୍ରବର୍ତ୍ତିତ ହୋଇଥିଲା, ଆମେରିକାରୁ ପ୍ରକାଶିତ ସାହିତ୍ୟ-ପତ୍ରିକା ‘ଦି ପ୍ୟାରିସ୍‌ ରିଭ୍ୟୁ’ରେ ।

କେବଳ ଓଡ଼ିଶାରେ ନୁହେଁ, ଆମେରିକାରେ ସୁଦ୍ଧା, ସାହିତ୍ୟ ପତ୍ରିକା ଗୋଟିଏ ଦୁଇଟି ସଂଖ୍ୟା ବାହାରିବା ପରେ, ପିହୁଳା ମାରେ । ବାଳରିଷ୍ଟ ଗ୍ରାସ କରେ । ତା’ପରେ ବନ୍ଦ ହୋଇଯାଏ । ନିରୋଳ ସାହିତ୍ୟଧର୍ମୀ ପତ୍ରିକାମାନଙ୍କରେ ବ୍ୟବସାୟିକ ଚଟକ୍‌ଧାରୀ ନ ଥିବାରୁ, ପୁଣି ଏ ପତ୍ରିକାମାନଙ୍କ ପଛରେ ବ୍ୟବସାୟିକ ପୃଷ୍ଠପୋଷକତା ନ ଥିବାରୁ, ସ୍ୱାଭାବିକ ଭାବରେ ଏ ପତ୍ରିକା ସବୁ ଗୋଟିଏ ଦୁଇଟି ସଂଖ୍ୟା ପ୍ରକାଶିତ ହେବା ପରେ ବନ୍ଦ ହୋଇପଡ଼ନ୍ତି । ତେଣୁ ୧୯୫୩ ଖ୍ରୀ:ଅ:ରେ ‘ଦି ପ୍ୟାରିସ୍‌ରିଭ୍ୟୁ’ ପତ୍ରିକା କେତେଜଣ ତରୁଣ ସାହିତ୍ୟିକଙ୍କର ଉଦ୍ୟମରେ ପ୍ରକାଶ ପାଇବା ବେଳେ ଏହା ମାସ କେତେଟାରେ ବନ୍ଦ ହୋଇଯିବ ବୋଲି ସମସ୍ତେ ଧରି ନେଇଥିଲେ । ଉଦ୍ୟୋକ୍ତାମାନଙ୍କର ସମ୍ବଳ ଥିଲା ପୁଣି ଅତି ସାମାନ୍ୟ । ମାତ୍ର ଏକ ହଜାର ଡଲାର ସମ୍ବଳ ଧରି, ସେମାନେ ‘ଦି ପ୍ୟାରିସ ରିଭ୍ୟୁ’ ପତ୍ରିକା ଆରମ୍ଭ କରିଥିଲେ; କିନ୍ତୁ ପ୍ରକାଶକମାନଙ୍କର ନିଷ୍ଠା ଓ ଆନ୍ତରିକତା ଫଳରେ, ‘ଦି ପ୍ୟାରିସ ରିଭ୍ୟୁ’ ଏ ପର୍ଯ୍ୟନ୍ତ କେବଳ ଯେ, ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଇ ଆସୁଅଛି, ତାହା ନୁହେଁ; ଏହା ଇଂରାଜୀ ସାହିତ୍ୟ ଦୁନିଆରେ ଏକ ପ୍ରମୁଖ ପତ୍ରିକାରେ ପରିଣତ ହୋଇପାରିଅଛି । ଏହାର ପୃଷ୍ଠାରେ ସାମୁଏଲ୍‌ ବେକେଟ୍‌ଙ୍କ ପରି ପ୍ରସିଦ୍ଧ ଲେଖକମାନଙ୍କର ପ୍ରଥମ ଗଳ୍ପ ପ୍ରକାଶ ପାଇପାରିଅଛି ।

ଏହି ପତ୍ରିକାର ଦୁଇଜଣ ପ୍ରତିନିଧି ତତ୍‌କାଳୀନ ପ୍ରସିଦ୍ଧ ଔପନ୍ୟାସିକ ଇ. ଏମ୍‌. ଫର୍‌ଷ୍ଟରଙ୍କୁ ସାକ୍ଷାତ୍‌କଲାବେଳେ, ସେମାନଙ୍କଠାରେ ଟେପ୍‌ରେକର୍ଡ଼ର୍‌ ନଥିଲା । ବସ୍ତୁତଃ ସେତେବେଳେ ତାହା ସୁଲଭ ନଥିଲା । ଫର୍‌ଷ୍ଟର୍‌ଙ୍କ ଦୀର୍ଘ ସାକ୍ଷାତ୍‌କାର ସେମାନେ ପେନ୍‌ସିଲ୍‌ରେ ସ୍ୱତନ୍ତ୍ରଭାବରେ ଟିପି ନେଇଥିଲେ । ପରେ ଦୁଇଟିଯାକ ଟିପାକୁ ମିଶାଇ ତାହାର ସମ୍ପାଦନା କରି ସେମାନେ ଯେତେବେଳେ ତାହାକୁ ‘ଦି ପ୍ୟାରିସ୍‌ ରିଭ୍ୟୁ’ ପତ୍ରିକାରେ ପ୍ରକାଶ କଲେ, ତାହା ଫର୍‌ଷ୍ଟରଙ୍କ ସମ୍ପର୍କରେ ଏକ ମୌଳିକ ଅନବଦ୍ୟ ରଚନାରେ ପରିଣତ ହୋଇଥିଲା । ସେହିଦିନୁ ଶତାଧିକ ପ୍ରସିଦ୍ଧ ଲେଖକଙ୍କର ସାକ୍ଷାତ୍‌କାର ‘ଦି ପ୍ୟାରିସ୍‌ ରିଭ୍ୟୁ’ରେ ପ୍ରକାଶିତ ହୋଇ, ସମାଲୋଚନା କ୍ଷେତ୍ରରେ ଏକ ନୂତନ ଦିଗନ୍ତ ଉନ୍ମୋଚିତ କରିଅଛି ।

ଓଡ଼ିଶାରେ ସାକ୍ଷାତ୍‌କାରର ଏହି ଧାରା ଏବେ ଆରମ୍ଭ ହୋଇଥିବା ନିଶ୍ଚୟ ଅଭିନନ୍ଦନୀୟ-। ସାକ୍ଷାତ୍‌କାରୀମାନଙ୍କର ସାଜ ସରଞ୍ଜାମ ଠିକ୍‌ଅଛି ନିଶ୍ଚୟ । ସେମାନଙ୍କ ହାତରେ ଅଛି ଟେପ୍‌ରେକର୍ଡ଼ର୍‌ । ମାତ୍ର ଟେପ୍‌ରେକର୍ଡ଼ରେ କେବଳ ସାକ୍ଷାତ୍‌କାର ଚଳେ ନାହିଁ ! ସାକ୍ଷାତ୍‍କାରୀମାନେ ପ୍ରଥମେ ଲେଖକଙ୍କ କୃତି ସହିତ ପରିଚିତ ନଥିଲେ, ସେମାନଙ୍କର ପ୍ରଶ୍ନାବଳୀ ଯଥାର୍ଥଭାବରେ ସଂଘଟିତ ହୋଇ ନଥିଲେ, ପୁଣି ଲେଖକ ପୂର୍ବରୁ ସେ ସମସ୍ତ ପ୍ରଶ୍ନ ଉପରେ ଚିନ୍ତାକରି ନଥିଲେ ସାକ୍ଷାତ୍‌କାରଟି ଅତି ଲଘୁ ହୋଇପଡ଼େ । ଭଗବାନଙ୍କ ଅସ୍ତିତ୍ୱଠାରୁ ଆରମ୍ଭ କରି ସେକ୍‌ସ ପର୍ଯ୍ୟନ୍ତ ନାନା ଅବାନ୍ତର ପ୍ରଶ୍ନ, ବ୍ୟକ୍ତିଗତ ଓ ଜୀବନ ସମ୍ପର୍କରେ କିଛି କୌତୁହଳୀ ଜିଜ୍ଞାସା ଓ ସାମ୍ପ୍ରତିକ ସାହିତ୍ୟ ସମ୍ପର୍କରେ କିଛି ପୋଷାକୀ ଅଭିମତଛଡ଼ା, ଏସବୁ ସାକ୍ଷାତ୍‌କାରରୁ କିଛି ଗଭୀରତର ତଥ୍ୟ ବା ଉପାଦାନ ମିଳେ ନାହିଁ । ସେଥିପାଇଁ ସାକ୍ଷାତ୍‌କାରରେ ଲେଖକଙ୍କର ଯେତିକି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସାକ୍ଷାତ୍‌କାରୀମାନଙ୍କର ।

ନୂଆ ନୂଆ ସାହିତ୍ୟ-ପତ୍ରିକାର ସମ୍ପାଦକମାନେ ବେଳେ ବେଳେ ମତେ ଧରି ବସୁଛନ୍ତି ସାକ୍ଷାତ୍‌କାର ପାଇଁ । କାନ୍ଧରେ ସେମାନେ ଝୁଲାଇଛନ୍ତି ଟେପ୍‌ରେକଡ଼ର୍‌ । ଠିକ୍‌ ଆଚରଣରେ ବୃତ୍ତିଗତ ନିଷ୍ଠା ମଧ୍ୟ ସୁସ୍ପଷ୍ଟ । କିନ୍ତୁ ସେମାନେ ମୋ ରଚନାବଳୀ ସହିତ ଗଭୀରଭାବରେ ପରିଚିତ ଥିବାପରି ମନେ ହୁଅନ୍ତି ନାହିଁ ! ସାକ୍ଷାତ୍‌କାର ଆରମ୍ଭ କରିବା ପୂର୍ବରୁ, ମୁ ଆରମ୍ଭକରେ ସେମାନଙ୍କ ସହିତ ମୋର ସାକ୍ଷାତ୍‌କାର ! ମୋର କେଉଁ କେଉଁ ବହି ସେମାନେ ପଢ଼ିଛନ୍ତି ବୋଲି ତାଙ୍କୁ ପଚାରେ । ମୋର ଏହି ଅପ୍ରତ୍ୟାଶିତ ସାକ୍ଷାତ୍‌କାରରେ, ସେମାନେ ଅଶ୍ୱସ୍ତିରେ ବିଦାୟ ନିଅନ୍ତି ।

ମୁଁ ପୁଣି ଫେରିଆସେ, ମୋର ଘଟଣାହୀନ ନିର୍ଜନତା ଭିତରକୁ ।

ଏକାଡେମୀ ସମାଚାର

ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା କଥାସମ୍ରାଟ୍‌ ଫକୀରମୋହନ ସେନାପତିଙ୍କ ଆତ୍ମଜୀବନ ଚରିତର ଇଂରାଜୀ ଅନୁବାଦ ଉନ୍ମୋଚନ :

ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ପ୍ରାଚ୍ୟ ଓ ଆଫ୍ରିକୀୟ ଭାଷାବିଦ୍‌ ପ୍ରଫେସର ତଥା ଫକୀରମୋହନ ସାହିତ୍ୟର ବିଶିଷ୍ଟ ଡଃ ଜେ: ଭି: ବୋଲ୍‌ଟନ୍‌ଙ୍କ ଦ୍ୱାରା "MY times & I" ଶିରୋନାମାରେ ଅନୂଦିତ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ କଥାସମ୍ରାଟ୍‌ ଫକୀରମୋହନ ସେନାପତିଙ୍କ ଆତ୍ମଜୀବନ ଚରିତ ୧୬-୨-୮୬ ତାରିଖ ସଂନ୍ଧ୍ୟା ୭ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ସୂଚନାଭବନଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ଏହି ସମାରୋହରେ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ପୌରୋହିତ୍ୟ କରିଥିଲେ । ସ୍ୱୀୟ ଭାଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଫକୀରମୋନଙ୍କୁ ଭାରତୀୟ କଥା ସାହିତ୍ୟର ନୂତନ ଯୁଗର ପ୍ରବର୍ତ୍ତକ ଭାବରେ ଅଭିହିତ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଭାରତୀୟ ଭାଷାର କଥା ସାହିତ୍ୟରେ ସାମ୍ୟବାଦୀ ଅବବୋଧ ଓ ପ୍ରଗତିବାଦୀ ଚିନ୍ତାଧାରାର ଉନ୍ମେଷ ହେବା ପୂର୍ବରୁ ଫକୀରମୋହନଙ୍କ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପଗୁଡ଼ିକରେ ତାହା ପରିସ୍ଫୁଟ ହୋଇଥିଲା ବୋଲି ଉଲ୍ଲେଖ କରିଥିଲେ । ସଭାପତି ଶ୍ରୀଯୁକ୍ତ ମହାନ୍ତି ଓଡ଼ିଆ ସାହିତ୍ୟ ଓ ଜାତୀୟତାକୁ ଫକୀରମୋହନଙ୍କ ପୁଷ୍କଳ ଅବଦାନ ସଂପର୍କରେ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ତାଙ୍କର ଆତ୍ମଜୀବନ ଚରିତ ସମଗ୍ର ଭାରତୀୟ ବିଶ୍ୱ ସାହିତ୍ୟରେ ଏକ ଅନନ୍ୟ ସୃଷ୍ଟି ବୋଲି କହିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ ଓଡ଼ିଆ ସାହିତ୍ୟର ବିଭିନ୍ନ କୃତିକୁ ଇଂରାଜୀ ଭାଷାରେ ଅନୁବାଦ କରାଯିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ସୂଚନା ଦେବା ସଙ୍ଗେ ସଙ୍ଗେ ନିକଟ ଭବିଷ୍ୟତରେ ଓଡ଼ିଆ କ୍ଷୁଦ୍ରଗଳ୍ପ ଓ କବିତାର ଦୁଇଟି ସୁନିର୍ବାଚିତ ସଂକଳନ ଇଂରାଜୀରେ ଅନୁବାଦ କରି ପ୍ରକାଶ କରାଯିବାପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଷୟ ଉଲ୍ଲେଖ କରିଥିଲେ । ଓଡ଼ିଶା ବାହାରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଉଦ୍ଦେଶ୍ୟରେ ଏକାଡେମୀ ପକ୍ଷରୁ ଅଳ୍ପ ସମୟ ମଧ୍ୟରେ Orissan Heritage Series ପର୍ଯ୍ୟାୟରେ ଏକୋଇଶଟି ପୁସ୍ତକ ପ୍ରକାଶ କରାଯାଉଥିବା ବିଷୟ ମଧ୍ୟ ସେ ଉଲ୍ଲେଖ କରିଥିଲେ । ସମାରୋହ ଶେଷରେ ଏକାଡେମୀର ଉପ-ସଭାପତି ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

ଏହି ସମୋରୋହରେ ସର୍ବଶ୍ରୀ ଡଃ କୁଞ୍ଜବିହାରୀ ଦାଶ, ଡଃ ସତ୍ୟନାରାୟଣ ରାଜଗୁରୁ, ନିତ୍ୟାନନ୍ଦ ମହାପାତ୍ର, ଡଃ କାହ୍ନୁଚରଣ ମିଶ୍ର, ଡଃ ନୃସିଂହ ଚରଣ ପଣ୍ଡା, ଡଃ ଭାବଗ୍ରାହୀ ମିଶ୍ର, ସଂସ୍କୃତି ବିଭାଗ ସଚିବ ସମରବଲ୍ଲଭ ମହାପାତ୍ର, କବି ରମାକାନ୍ତ ରଥ, ସତ୍ୟାନନ୍ଦ ଚମ୍ପତିରାୟ ପ୍ରମୁଖ ଏବଂ କଟକ, ଭୁବନେଶ୍ୱର ତଥା ଅନ୍ୟ ଅଞ୍ଚଳର ବହୁ ବିଶିଷ୍ଟ ସାହିତ୍ୟିକ ଯୋଗଦାନ କରିଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେମୀର ସାହିତ୍ୟିକ-ବିନିମୟ କାର୍ଯ୍ୟକ୍ରମରେ ଡଃ ବାଉରୀବନ୍ଧୁ କରଙ୍କର ମଣିପୁର ରାଜ୍ୟ ପରିଦର୍ଶନ ।

ଅଧ୍ୟାପକ ଡଃ ବାଉରୀବନ୍ଧୁ କର ଏକାଡେମୀର ସାହିତ୍ୟିକ-ବିନିମୟ କାର୍ଯ୍ୟକ୍ରମରେ ୧୫-୧-୮୬ ତାରିଖ ଠାରୁ ୨୨-୧-୮୬ ତାରିଖ ପର୍ଯ୍ୟନ୍ତ ମଣିପୁର ରାଜ୍ୟ ଗସ୍ତରେ ଯାଇଥିଲେ ଏବଂ ୨୨-୧-୮୬ ତାରିଖରେ କଟକ ଫେରି ଆସିଛନ୍ତି । ଏହି ଅବସରରେ ସେ ବିଭିନ୍ନ ସାହିତ୍ୟ-ଅନୁଷ୍ଠାନମାନ ପରିଦର୍ଶନ କରି ସେଠାକାର ସାଂସ୍କୃତିକ କାର୍ଯ୍ୟାବଳୀ ସମ୍ପର୍କରେ ଅଭିଜ୍ଞତା ଅର୍ଜନ କରିଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ କ୍ଷୁଦ୍ର ଗଳ୍ପର ଇଂରାଜୀ ପ୍ରକାଶନ ।

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପ୍ରତିନିଧିତ୍ୱ କରିବା ପାଇଁ ଉପଯୁକ୍ତ ବିବେଚିତ, ଉଚ୍ଚମାନ ସଂପନ୍ନ କେତେକ ଓଡ଼ିଆ କ୍ଷୁଦ୍ରଗଳ୍ପର ଇଂରାଜୀ ଅନୁବାଦ, ସଂକଳିତ କରି ପ୍ରକାଶ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ଏହି ସଂକଳନଟିକୁ ଯଥେଷ୍ଟ ଉଚ୍ଚମାନ ସଂପନ୍ନ ଏବଂ ସର୍ବାଙ୍ଗସୁନ୍ଦର କରାଯିବା ଦିଗରେ କିପରି ପଦକ୍ଷେପ ଗ୍ରହଣ କରାଯାଇ ପାରିବ, ତାହା ଆଲୋଚନା କରିବା ପାଇଁ ୨୧-୧-୮୬ ତାରିଖ ଅପରାହ୍ନରେ ଏକାଡେମୀ କାର୍ଯ୍ୟାଳୟରେ କତିପୟ ସାହିତ୍ୟିକମାନଙ୍କର ଏକ ବୈଠକ ଆହ୍ୱାନ କରାଯାଇଥିଲା । ଏହି ସଭାରେ ସ୍ଥିରହେଲା ଯେ ଅନୂଦିତ ସଂକଳନଟି ଦୁଇ ଭାଗରେ ପ୍ରକାଶ କରାଯିବ ।

ଏକାଡେମୀ ପକ୍ଷରୁ ‘ଓଡ଼ିଆ ସାହିତ୍ୟରେ ମଣିଷର-ପ୍ରତିକତି’ ଶୀର୍ଷକ ଏକ ପୁସ୍ତକ ପ୍ରକାଶନ ।

ଏହି ପୁସ୍ତକଟି କିପରି ସୁପରିକଳ୍ପିତ ହୋଇପାରିବ ସେ ସଂପର୍କରେ ଆଲୋଚନା କରିବା ପାଇଁ ୨୦-୧-୮୬ ତାରିଖ ଅପରାହ୍ନରେ ଏକାଡେମୀ କାର୍ଯ୍ୟାଳୟରେ କେତେକ ବିଶିଷ୍ଟ ଲେଖକଙ୍କର ଏକ ବୈଠକ ଆହ୍ୱାନ କରାଯାଇଥିଲା । ଏଥିରେ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ଏକାଡେମୀର ଉପ-ସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକ, ଡଃ କାହ୍ନୁଚରଣ ମିଶ୍ର, ଡଃ ଲକ୍ଷ୍ମଣ କୁମାର ମହାପାତ୍ର, ମହାପାତ୍ର ନୀଳମଣି ସାହୁ, ଡଃ କୃଷ୍ଣଚରଣ ବେହେରା ଏବଂ ଏକାଡେମୀର ସଂପାଦକ ଶ୍ରୀ ସୁରେନ୍ଦ୍ରନାଥ ଶତପଥୀ ସମ୍ମିଳିତ ହୋଇ ପୁସ୍ତକଟିର କିପରି ଭାବରେ ସୁବିନ୍ୟାସ କରାଯାଇ ପାରିବ ତାହା ଆଲୋଚନା କରିଥିଲେ । ବିଭିନ୍ନ ଯୁଗର ଓଡ଼ିଆ ସାହିତ୍ୟରେ କେବଳ ସାଧାରଣ ମଣିଷର ପ୍ରତିକୃତି କିପରି ଚିତ୍ରିତ ହୋଇଅଛି ତାହା ଏହି ପୁସ୍ତକରେ ଆଲୋଚନା କରାଯିବା ସ୍ଥିର ହେଲା । ବିଭିନ୍ନ ଯୁଗର ସାହିତ୍ୟରେ ସାଧାରଣ ମଣିଷ ବର୍ଣ୍ଣନାର ଉଦ୍ଧୃତାଂଶ ସହିତ ସେ ସମ୍ପର୍କରେ ଟିପ୍‌ପଣୀ ଓ ସମନ୍ୱୟ ମୂଳକ ମନ୍ତବ୍ୟ ମଧ୍ୟ ଏଥିରେ ରଖାଯିବା ସ୍ଥିର ହେଲା । ଆଲୋଚନାର ସୁବିଧା ଦୃଷ୍ଟିରୁ ଏହି ପୁସ୍ତକଟିକୁ ନିମ୍ନମତେ ୬ଗୋଟି ବିଭାଗରେ ବିଭକ୍ତ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।

ପ୍ରାକ୍‌ସାରଳା ଓ ସାରଳା ଯୁଗ ।

ଉତ୍ତର ସାରଳା ଯୁଗରୁ ଆଳଙ୍କାରିକ ଯୁଗ ପର୍ଯ୍ୟନ୍ତ ।

ଆଳଙ୍କାରିକ ଯୁଗ ।

ଆଧୁନିକ ଯୁଗ (ରାଧାନାଥଙ୍କ ଠାରୁ ସ୍ୱାଧୀନତା ପର୍ଯ୍ୟନ୍ତ)

ଆଧୁନିକ ଯୁଗ (୧୯୪୨ର ପରବର୍ତ୍ତୀ ଯୁଗ)

ଆଧୁନିକ ସାହିତ୍ୟରେ ଆଦିବାସୀ ଓ ହରିଜନଙ୍କ ଚିତ୍ର

ବିଭିନ୍ନ ବିଭାବ ପାଇଁ ଉପଯୁକ୍ତ ଲେଖକ ମନୋନୟନ କରି ଏହି ପୁସ୍ତକର ରଚନାକାର୍ଯ୍ୟ ଯଥାଶୀଘ୍ର ସମାହିତ କରାଯିବାରେ ପଦକ୍ଷେପ ଗ୍ରହଣ କରାଯାଇଅଛି ।

ସ୍ୱତନ୍ତ୍ର-ଉତ୍କଳ ସୁବର୍ଣ୍ଣ-ଜୟନ୍ତୀ ପାଳନ ଉପଲକ୍ଷେ ଏକାଡେମୀ ପକ୍ଷରୁ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ।

୧୯୮୬ ମସିହା ଏପ୍ରିଲ ମାସ ପହିଲା ତାରିଖରେ ସ୍ୱତନ୍ତ୍ର ଉତ୍କଳ ଗଠନର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଉତ୍କଳର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଅଛି । ଏ ଉପଲକ୍ଷେ ଏକାଡେମୀ ପକ୍ଷରୁ ୧-୪-୮୬ ତାରିଖଠାରୁ ୧-୪-୮୭ ତାରିଖ ପର୍ଯ୍ୟନ୍ତ ଏକବର୍ଷ ମଧ୍ୟରେ ନିମ୍ନରେ ଉଲ୍ଲେଖ କରାଯାଇଥିବା ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସ୍ଥିର ହୋଇଅଛି ।

ଏକାଡେମୀର ତ୍ରୈମାସିକ ସାହିତ୍ୟ ପତ୍ରିକା ‘କୋଣାର୍କ’ର ଏକ ସ୍ୱତନ୍ତ୍ର ସଂଖ୍ୟା ୧-୪-୮୬ ତାରିଖରେ ଭୁବନେଶ୍ୱରଠାରେ ଉନ୍ମୋଚିତ କରାଯିବ । ଏଥିରେ ସ୍ୱତନ୍ତ୍ର ଉତ୍କଳ ଗଠନର ପୃଷ୍ଠଭୂମି, ଓଡ଼ିଆ ଭାଷା ଆନ୍ଦୋଳନର ଇତିହାସ ଏବଂ ସ୍ୱତନ୍ତ୍ର ଉତ୍କଳ ଗଠନର ପରବର୍ତ୍ତୀ ୫୦ ବର୍ଷ ମଧ୍ୟରେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାବ ସମ୍ପର୍କୀୟ ସର୍ବେକ୍ଷଣ ଉପରେ ଆଧାରିତ ପ୍ରବନ୍ଧମାନ ପ୍ରକାଶ କରାଯିବ ।

 

 

 

ସ୍ୱତନ୍ତ୍ର-ଉତ୍କଳ ଗଠନରେ ଓଡ଼ିଆ ଭାଷା-ଆନ୍ଦୋଳନ ଏବଂ ସ୍ୱତନ୍ତ୍ର-ଉତ୍କଳ ଗଠନପାଇଁ ଆନ୍ଦୋଳନରେ ଓଡ଼ିଆ ଲେଖକମାନଙ୍କର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ୧-୪-୮୬ ତାରିଖରେ ଭୁବନେଶ୍ୱରଠାରେ ଓଡ଼ିଆ ଲେଖକମାନଙ୍କର ଏକ ସମାରୋହର ଆୟୋଜନ କରାଯିବ ।

 

 

 

ବିଗତ ୫୦ ବର୍ଷର ଓଡ଼ିଆ ସାହିତ୍ୟର ଧାରାବାହିକ ଇତିହାସ ଏ ପର୍ଯ୍ୟନ୍ତ ରଚନା କରାଯାଇନାହିଁ । ଏଥିପାଇଁ ଏକ ପ୍ରାମାଣିକ ଗ୍ରନ୍ଥର ସଂକଳନ ହେବା ନିତାନ୍ତ ଆବଶ୍ୟକ ହେଉଅଛି । ଓଡ଼ିଆ ସାହିତ୍ୟର ଇତିହାସ ରଚନା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ଦ୍ୱାରା ଏହି ପୁସ୍ତକଟି ରଚନା କରାଇବାର ବ୍ୟବସ୍ଥା କରାଯାଇଅଛି ।

 

 

 

ବିଗତ ୫୦ ବର୍ଷ ମଧ୍ୟରେ ବହୁ ଜାତୀୟବାଦୀ ଚିନ୍ତାଧାରା ସମନ୍ୱିତ କବିତା ରଚନା କରାଯାଇଅଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ତଥା ସ୍ୱାଧୀନତା ସଂଗ୍ରାମର ଏଗୁଡ଼ିକର ଉଲ୍ଲେଖନୀୟ ଭୂମିକା ରହିଅଛି । ଏ ପର୍ଯ୍ୟନ୍ତ ଏହି ରଚନାଗୁଡ଼ିକର ଧାରାବାହିକ ସଂକଳନ କରାଯାଇ ନାହିଁ । ସ୍ୱତନ୍ତ୍ର-ଉତ୍କଳ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଏ ପ୍ରକାର ଏକ ସଂକଳନ ପ୍ରକାଶ କରାଯିବାର ଆବଶ୍ୟକତା ଯଥେଷ୍ଟ ଅନୁଭୂତ ହେଉଅଛି ।

 

 

 

ବିଗତ ୫୦ ବର୍ଷର ଓଡ଼ିଆ ଗଳ୍ପ-ସାହିତ୍ୟ ଓ ଓଡ଼ିଆ କାବ୍ୟ-ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ ଦୁଇଟି ପୃଥକ୍‌ ଆଲୋଚନାଚକ୍ର ସମ୍ବଲପୁର ଓ ବ୍ରହ୍ମପୁରରେ ଆୟୋଜନ କରାଯିବାର ପ୍ରସ୍ତାବ ରହିଛି । ଗୋଟିଏ ଆଲୋଚନାଚକ୍ର ଜୁନ୍‌୧୯୮୬ ରେ ଅନୁଷ୍ଠିତ ହେବ ଏବଂ ଅପରଟି ଅକ୍ଟୋବର ୧୯୮୬ରେ ଅନୁଷ୍ଠିତ ହେବ ।

 

 

 

ବିଗତ ୫୦ ବର୍ଷ ମଧ୍ୟରେ ଓଡ଼ିଆ ସାହିତ୍ୟର କି ପ୍ରକାର ବିବର୍ତ୍ତନ ଘଟିଅଛି ତାହା ଲୋକମାନଙ୍କ ସମକ୍ଷରେ ଉପସ୍ଥାପନ କରାଇବା ପାଇଁ ଭୁବନେଶ୍ୱରଠାରେ ଏକ ପୁସ୍ତକ ମେଳାର ଆୟୋଜନ କରାଯିବାର ପ୍ରସ୍ତାବ ରହିଅଛି । ଏଥିରେ ବିଗତ ୫୦ ବର୍ଷ ଧରି ପ୍ରକାଶିତ ହୋଇଥିବା ପତ୍ରପତ୍ରିକା, ପୁସ୍ତକ ଆଦିର ପ୍ରଦର୍ଶନ କରାଯିବ । ଏହି ପୁସ୍ତକ ମେଳାଟିକୁ ୧୯୮୬ ମସିହାର ଅପ୍ରେଲ ମାସରେ ଆୟୋଜନ କରାଯିବାର ପ୍ରସ୍ତାବ ରହିଛି ।

 

 

 

ବିଗତ ୫୦ ବର୍ଷ ମଧ୍ୟରେ ପ୍ରକାଶିତ ହୋଇଥିବା ଅନେକ ଉତ୍କୃଷ୍ଟ ଓ ଲୋକପ୍ରିୟ ଉପନ୍ୟାସ ବର୍ତ୍ତମାନ ବଜାରରେ କିଣିବାକୁ ମିଳୁନାହିଁ । କାଗଜର ମୂଲ୍ୟ ଏବଂ ମୁଦ୍ରଣ ଦର ବଢ଼ିଯାଇଥିବାରୁ ପ୍ରକାଶକମାନେ ବହିଗୁଡ଼ିକର ମୂଲ୍ୟ ବଢ଼ିଯିବ ବୋଲି ଆଶଂକା କରି ଏଗୁଡ଼ିକୁ ପ୍ରକାଶ କରୁନାହାନ୍ତି । ଅଥଚ ଏଗୁଡ଼ିକର ସାହିତ୍ୟିକ ମୂଲ୍ୟ ଅଛି ଏବଂ ସାଧାରଣ ପାଠକଙ୍କ ନିକଟରେ ଏଗୁଡ଼ିକର ଆଦର ରହିଅଛି । ଏହି ଉପନ୍ୟାସମାନଙ୍କ ମଧ୍ୟରୁ ବାଛି ବାଛି ଦଶ ଗୋଟି ଉପନ୍ୟାସ ଏକାଡେମୀ ତରଫରୁ ପ୍ରକାଶ କରାଯାଇ ଯଦି ସୁଲଭ ମୂଲ୍ୟରେ ବଜାରକୁ ଛଡ଼ାଯାଏ, ତେବେ ସାଧାରଣ ପାଠକମାନେ ଏଥିରେ ଯଥେଷ୍ଟ ଉପକୃତ ହେବେ ।

 

 

 

ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଆ ସାହିତ୍ୟରେ ମାଇଲ ସ୍ତମ୍ଭ ସ୍ୱରୂପ ବିଦ୍ୟମାନ ହୋଇଥିବା ଦଶ ଜଣ ଲେଖକଙ୍କର ଦଶ ଗୋଟି କ୍ଷୁଦ୍ରଗଳ୍ପର ଏକ ସଂକଳନ ଏହି ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ପ୍ରକାଶ କରାଯିବାର ପ୍ରସ୍ତାବ ରହିଛି । ଏହାଦ୍ୱାରା ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଆ କ୍ଷୁଦ୍ରଗଳ୍ପ କି ପ୍ରକାର ବିବର୍ତ୍ତନ ଧାରା ମଧ୍ୟ ଦେଇ ଗତି କରି ଆସିଅଛି ତା’ର ସମ୍ୟକ୍‌ ଚିତ୍ର ପାଠକମାନଙ୍କ ସମକ୍ଷରେ ଉପସ୍ଥାପନ କରାଯାଇ ପାରିବ ।

 

 

 

ବିଗତ ୫୦ ବର୍ଷ ଧରି ଲେଖା ଯାଇଥିବା ଓଡ଼ିଆ କବିତାଗୁଡ଼ିକ ମଧ୍ୟରୁ ବାଛି ବାଛି ଦଶ ଜଣ ଶ୍ରେଷ୍ଠ କବିଙ୍କର କବିତାର ଏକ ସଂକଳନ ପ୍ରକାଶ କରାଯିବାର ପ୍ରସ୍ତାବ ରହିଅଛି ।

 

Orissan Heritage Series ପର୍ଯ୍ୟାୟରେ ଏକୋଇଶଟି ଇଂରାଜୀ ପୁସ୍ତକର ପ୍ରକାଶନ ।

ସାହିତ୍ୟ, ସଂସ୍କୃତି, ଧର୍ମ ଏବଂ କଳା ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ଓ ମର୍ଯ୍ୟାଦାବନ୍ତ ପୂର୍ବ ପରମ୍ପରା ଏବଂ ସାଂପ୍ରତିକ ସ୍ଥିତି ବଜାୟ ରହିଥିଲେ ମଧ୍ୟ ଉପଯୁକ୍ତ ପ୍ରଚାର ଅଭାବରେ ଆମର ସମୃଦ୍ଧି ଓ ସାଫଲ୍ୟ ବିଷୟ ଓଡ଼ିଶା ବାହାରେ ସୁବିଦିତ ନୁହେଁ । ଏ ବିଷୟ ହୃଦୟଙ୍ଗମ କରି ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିଭିନ୍ନ ବିଭାବ ଉପରେ ଆଧାରିତ ନିମ୍ନ ତାଲିକା ଅନୁଯାୟୀ ୨୧ଟି ପୁସ୍ତକ ପ୍ରଣୟନ ଓ ପ୍ରକାଶନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଅଛି । କୌଣସି ବିଶେଷ ଅସୁବିଧା ନ ଉପୁଜିଲେ ଏହି ପୁସ୍ତକଗୁଡ଼ିକ ୧୯୮୭ ମସିହା ଶେଷ ସୁଦ୍ଧା ପ୍ରକାଶିତ ହୋଇପାରିବ ବୋଲି ଆଶା କରାଯାଏ ।

 

1.

Aspects of Oriya Novel.

2.

Aspects of Oriya Poerty.

3.

Aspects of Oriya Short Story.

4.

Aspects of Oriya Drama.

5.

Aspects of Oriya Criticism.

6.

Aspects of Oriya Children's Literature.

7.

Aspects of Oriya Folk Literature.

8.

The Uddiyana and its constitution towards Evolution of Tantras.

9.

Tribal Life & literature of Orissa.

10.

The People & Society.

11.

Script, Language & Dialects.

12.

Jainism in Orissa.

13.

Jayadeva & Gitagovinda.

14.

Budhism in Orissa.

15.

Temples of Orissa.

16.

Vaisnavism in Orissa.

17.

Sanskrit Literature in Orissa.

18.

The cult & culture of Lord Jagannath.

19.

The Maritime Activities of Orissa.

20.

Story of the Freedom Struggle.

21.

Temple Legends of Orissa.

 

***

 

ସମ୍ପାଦକୀୟ

 

କବି ରାଜେନ୍ଦ୍ର ପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ

 

କବି ରାଜେନ୍ଦ୍ରକିଶୋର ପଣ୍ଡା ତାଙ୍କର ‘‘ଶୈଳକଳ୍ପ’’ କାବ୍ୟସଞ୍ଚୟନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀରୁ ୧୯୮୫ର ପୁରସ୍କାର ଲାଭ କରିଛନ୍ତି । ସେଥିପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

 

ଶୈଳକଳ୍ପ ତାଙ୍କର ସପ୍ତମ ପ୍ରକାଶନ-୧୯୮୨ରେ ପ୍ରକାଶିତ । ପୂର୍ବରୁ ଅନ୍ୟ ଅନ୍ୟ କବିତାଗୁଚ୍ଛ ଆତ୍ମପ୍ରକାଶ କରିଛି ।

୧୯୭୪ରେ ଗୌଣ ଦେବତା

୧୯୭୬ରେ ଅନବତାର ଓ ଅନ୍ୟ ଅନ୍ୟ

୧୯୭୬ରେ ଘୂଣାକ୍ଷର

୧୯୭୭ରେ ଶତଦ୍ରୁ ଅନେକ

୧୯୮୦ରେ ନିଜପାଇଁ ନାନାବାୟା

୧୯୮୧ରେ ଚୌକାଠରେ ଚିରକାଳ

 

ଶ୍ରୀଯୁକ୍ତ ପଣ୍ଡା ଅତ୍ୟାଧୁନି ଓଡ଼ିଆ କବିତା କ୍ଷେତ୍ରରେ ଜଣେ ଯଶସ୍ୱୀ ଓ ବଳିଷ୍ଠ କବି ଭାବରେ ସୁପରିଚିତ । ତାଙ୍କ କବିତାର ଆଭିମୁଖ୍ୟ ପରୁଷ ଓ ପୌରୁଷବନ୍ତ । ବାଣୀରେ ବେଶ ଶାଣିତ ବାଣ, ଶୈଳୀ ଓ ଶିଳ୍ପ ଶୈଳକଳ୍ପ ।

ପ୍ରଥମରୁ କବି ‘‘ପ୍ରିୟ ସହକବି’’ମାନଙ୍କୁ ଆହ୍ୱାନ କରି କହିଛନ୍ତି ସ୍ୱର ଖୁବ୍‌ ମରମୀ ଓ ଦରଦୀ-

‘‘କଲମ ପାଇଁ ବଲମ ଉଠାଇବା କିଆଁ ?

ବୁନ୍ଦାଏ, କଶାଏ, ଦାନାଏ

ବସୁଧାକୁ, ମଣିଷକୁ

କ’ଣ ବା ଦେଇ ପାରିଛେ ନୂଆ ?

ସଦ୍ୟ ଛିଣ୍ଡିପଡ଼ିଥିବା ଫୁଲକୁ ଖଞ୍ଜିଦେଇ ପାରିଛେ ?

ଡେମ୍ଫ ସହିତ ?

ଲୁହକୁ ଫେରାଇ ପାରିଛେ ଆଖିକୁ ?

କିଛି ଗୋଟେ ମୁଠେଇଧରି ଟେକି

‘ଯାଃ’ ବୋଲି ଉଡ଼େଇ ଦେଇ ହୋଇଚି ସୃଷ୍ଟି ବାହାରକୁ ?

କବିତାର ପ୍ରୟାସ କ’ଣ

ଛୁଇଁପାରିଚି ତା’ର ସମ୍ଭାବନାକୁ ?’’ (ଶୈଳକଳ୍ପ ପୃ-୧)

 

କବିଙ୍କର ଜିଜ୍ଞାସା ଯେମିତି ମନୋଜ୍ଞ ପ୍ରତ୍ୟାଶା ମଧ୍ୟ ସେଇମିତି ମନୋଜ୍ଞ ବୋଲି ମନେହୁଏ ।

ପୁଣି ସେ କହିଛନ୍ତି-

 

‘‘କବିତା ଯୁଦ୍ଧ ନୁହେ ପ୍ରେମ

ଖେଳ ଆମ ଆରୋହଣ ନୁହେ ରିଲେ-

ଦୌଡ଼ି ଦୌଡ଼ି ନିର୍ଦ୍ଦିଷ୍ଟ ଗୋଟିଏ ବିନ୍ଦୁରେ

ଅପେକ୍ଷମାଣ ତରୁଣ ଖେଳୁଆଡ଼କୁ

କଲମଟି ବଢ଼ାଇ ଦେଲେ ଆମର ଛୁଟି !’’ (ଶୈଳକଳ୍ପ ପୃ-୨)

 

ଶ୍ରୀ ପଣ୍ଡାଙ୍କର ଜନ୍ମ ସମ୍ବଲପୁର ଜିଲ୍ଲାର ବତଲଗା ରମ୍ପେଲା ଗ୍ରାମରେ । ଶ୍ରୀ ନୀଳାଚର ବିହାରୀ ପଣ୍ଡା ଓ ଶ୍ରୀମତୀ ଯାଜ୍ଞସେନୀ ଦେବୀଙ୍କର ପୁତ୍ର ଭାବରେ ସେ ଭୂମିଷ୍ଠ ହୋଇଥିଲେ ୧୯୪୩ର ଜୁନ୍୨୪ ତାରିଖରେ ।

 

ବର୍ତ୍ତମାନ ତାଙ୍କ ଗ୍ରାମର ଚିହ୍ନବର୍ଣ୍ଣ ନାହିଁ-୧୯୫୬ କି ୫୭ରେ ହୀରାକୁଦ ବୁଡ଼ିରେ ସଲିଳ ସମାଧି ନେଇଛି । ସେଇ ଗ୍ରାମର ଅଭୁଲା ସ୍ମୃତି ତାଙ୍କ କବିତାରେ ମଧୁର ଓ ବିଧୁର ମୂର୍ଚ୍ଛନା ତୋଳି ପାରିଛି-

 

‘‘ହଠାତ୍‌ ଖଣ୍ଡମଣ୍ଡଳରେ ଉଜୁଡ଼ିଗଲା ଗାଁ ଗଣ୍ଡା....

ଘରଦ୍ୱାର ଭାଙ୍ଗିରୁଜି ପେଡ଼ି ପୁଟୁଳା ଧରି

ଭିଟାମାଟି ଛାଡ଼ି ଚାଲିଗଲେ କିଏ କୁଆଡ଼େ

କେଜାଣି କୋଉଠି ରହିଗଲେ

ସୁଭାଷିନୀ ନାନୀ, ଭୁବନ ମାଷ୍ଟ୍ରେ, ଗୋବିନ୍ଦା ପୂଜାରୀ....

ପଛରେ ରହିଗଲା ଖଞ୍ଜା ଘର, ଆମ୍ବତୋଟା, ନଈ

କୃସିନାମା ସହିତ ହଜିଗଲା କୋଉଠି

ସପ୍ତମ ଶ୍ରେଣୀର ଭୂଗୋଳ ବହି ।’’ (ଶୈଳକଳ୍ପ ପୃ-୫୮)

 

ତେଣୁ ଅନ୍ୟ ପରିବାରଙ୍କଭଳି ତାଙ୍କ ପରିବାର ଭିଟାମାଟି ଛାଡ଼ିଦେଇ ବର୍ତ୍ତମାନ ବସବାସ କରୁଛନ୍ତି ଝାରସୁଗୁଡ଼ାରେ ।

ଶ୍ରୀ ପଣ୍ଡା ସମ୍ବଲପୁର କଲେଜରୁ ୧୯୬୪ରେ ବି.ଏ. ଓ ଏହ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ Political Scienceରେ ଏମ୍.ଏ. କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ସେଇବର୍ଷ ପୁଣି ଆଇ.ଏ.ଏସ୍. ପରୀକ୍ଷାରେ ଜୟଲାଭ କରିଥିଲେ । ଓଡ଼ିଶା ସରକାରଙ୍କ ଅଧୀନରେ ରହି ନାନା ଦାୟିତ୍ୱରେ କାର୍ଯ୍ୟକରି ଆସିଛନ୍ତି । ବର୍ତ୍ତମାନ ସେ ଓଡ଼ିଶା ସରକାରଙ୍କ ମୁଦ୍ରଣ ଓ ପ୍ରକାଶନର କମିଶନର ଓ ଡାଇରେକ୍ଟର ଭାବେ ଅବସ୍ଥାପିତ ହୋଇଛନ୍ତି ।

ସମ୍ବଲପୁର ଜିଲ୍ଲାର ଶାସନ ଗ୍ରାମବାସୀ ଶ୍ରୀ ରମେଶ ଚନ୍ଦ୍ର ତ୍ରୀପାଠୀଙ୍କ କନ୍ୟା ଶ୍ରୀମତୀ ସୌଭାଗ୍ୟମଞ୍ଜରୀ ଦେବୀ ତାଙ୍କର ସହଧର୍ମିଣୀ-୧୯୭୧ରେ ବିବାହ କରିଛନ୍ତି । ଶ୍ରୀମତୀ ମଧ୍ୟ ଓଡ଼ିଆ ସାହିତ୍ୟରେ ଏମ୍.ଏ. ପାଶ୍‌କରି ଏମ୍.ଫିଲ କରିଛନ୍ତି ।

‘‘ପତ୍ନୀ ପ୍ରତି’’ କବିତାରେ କବିଙ୍କର ମନ କହିଉଠିଛି-

‘‘ଅମୃତ ବୁନ୍ଦାକ ହୁଏ ତ ମୋ ଭାଗ୍ୟରେ ନାହିଁ ।

ଏତିକି ଜାଣେ,

ତୁମେ ଏମିତି ଏକ ସମୁଦ୍ର

ଯାହାକୁ ନିରବଧିକାଳ ମନ୍ଥୁଥିଲେ ବି

ହଳାହଳ ନିଗଡ଼େ ନାହିଁ ।।’’ (ଶୈଳକଳ୍ପ ପୃଷ୍ଠା-୫୬)

 

‘‘ଜୀବନ ପ୍ରତି’’ କବିଙ୍କର ମମତା ଓ ଶ୍ରଦ୍ଧାର ନମୁନା ଦେଇ ମୁଁ ମୋର ବକ୍ତବ୍ୟ ସାଙ୍ଗ କରୁଛି –

‘‘ମୁଁ ଅଙ୍ଗୀକାର କରୁଛି, ଜୀବନ, ମୁଁ ତତେ ଭଲପାଏ !

ମୁକ୍ତାଟିଏ ଫିଟି ପଡ଼ିବା ଏତେ ମନୋହର ଯେ

ଶାମୁକା ଦି’ଫାଳ ହବାର କଷ୍ଟ ସହି ନେଇ ହୁଏ

କବିତାଟିଏ ଜନ୍ମ ନେବା ଏତେ ସୁଖଦ ଯେ

ତା’ ପୂର୍ବରୁ ବେଦନା ବ୍ୟାକୁଳତା ତ ଜମା କିଛି ନୁହେଁ ।

ଦୁଃଖ ସେମିତି, ନିଧୁବନର ଶ୍ରମପରି

ଶାମୁକା ଦି’ଫାଳ ହବା, କବିତାକୁ ଅପେକ୍ଷା କରିବା ପରି

ପ୍ରସ୍ତୁତି ମାତ୍ର, ମହାସୁଖ ପାଇଁ । (ଶୈଳକଳ୍ପ ପୃଷ୍ଠା-୬୨)

 

ଶ୍ରୀ ପଣ୍ଡାଙ୍କର କବିତା ସର୍ଜନାରେ ନେପଥ୍ୟ ଜୀବନର ଅଭିନବ ବିକାଶ ଲାଭ କରୁ, ଆମର କାମନା ।

 

ରାଧାମୋହନ ଗଡ଼ନାୟକ

ସମ୍ପାଦକ, କୋଣାର୍କ

***